ଭାରତର ସ୍ବାଧୀନତା ପ୍ରାପ୍ତି ପରେ, ମହାମାରୀ, ଦୁର୍ବିପାକ ସହ ବିଶ୍ବଯୁଦ୍ଧ ପରର ଅର୍ଥନୈତିକ ସଂକଟ ଦେଶ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଥିଲା। ନା ଥିଲା ଭିତ୍ତିଭୂମୀ, ନା ଥିଲା ଆର୍ଥିକ ସ୍ବଛଳତା, ନା ଥିଲା ଆମର ପର୍ଯ୍ୟାପ୍ତ ଖାଦ୍ୟ ସୁରକ୍ଷା। ଜନସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ, ସମସ୍ତଙ୍କ ପେଟ ପାଇଁ ସର୍ବନିମ୍ନ ଖାଦ୍ୟର ଉତ୍ପାଦନ ସୁବିଧା ନ ଥିଲା। ଭୋକ ମେଣ୍ଟାଇବା ପାଇଁ ତତ୍କାଳୀନ ଦେଶର ମୁଖ୍ୟମାନଙ୍କୁ ଖାଦ୍ୟ ପାଇଁ ହାତ ପତେଇବାକୁ ପଡୁଥିଲା ଅନ୍ୟ ଦେଶ ପାଖରେ। ଏ ଥିଲା ୧୯୬୦ ଦଶକ ବେଳର କଥା, ଲଜାଜନକ କଥା। ମନେଅଛି ୟୁଏସ୍ –ଏଡ୍, ପିଏଲ୍ –୪୮୦ (US-AID, PL-480) ଯୋଜନା କଥା, ଯାହା ଦ୍ବାରା ଆମେରିକାର ଖାଦ୍ୟ ସହାୟତା ‘ଶାନ୍ତି ପାଇଁ ଖାଦ୍ୟ’ ନାମରେ ଆସୁଥିଲା ଭାରତକୁ। ତାହାପରେ ଆରମ୍ଭ ହୋଇଥିଲା ‘ସବୁଜ ବିପ୍ଲବ’।
ଆନ୍ତର୍ଜାତିକ ସ୍ତରରେ ‘ନର୍ମାନ୍–ବୋଲର୍ଗ୍’ ଏବଂ ଆମ ଭାରତରେ ‘ଏମ୍.ଏସ୍. ସ୍ବାମୀନାଥନ୍’, ଯିଏ ‘ସବୁଜ ବିପ୍ଲବ’ର ଜନକ ଭାବରେ ପରିଗଣିତ, ସେମାନଙ୍କ ସୁଚିନ୍ତିତ ଯୋଜନା ମାଧ୍ୟମରେ କୃଷି ଉତ୍ପାଦନ ତ୍ବରାନ୍ବିତ ହେଲା , କୃଷିକୁ ପ୍ରୋତ୍ସାହନ ମିଳିଲା, ପ୍ରାଧାନ୍ୟ ମିଳିଲା ଓ ମିଳିଲା ଅକୁଣ୍ଠ ଅନୁଦାନ। ଚାଷ ପଦ୍ଧତି ବିକାଶରେ, ଚାଷ ବ୍ୟବହୃତ ଯନ୍ତ୍ରାଂଶ ଉତ୍ପାଦନରେ ଏବଂ ସାର ଉତ୍ପାଦନ ଓ କ୍ରୟରେ ମିଳିଲା ପ୍ରଚୁର ଅନୁଦାନ। ବର୍ଷ କେତୋଟି ମଧ୍ୟରେ ଆମର କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଲା ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବାର ବାଟ ଖୋଲିଲା।
‘ସବୁଜ ବିପ୍ଲବ’ର ସୁଫଳ ମିଳିଲା ସତ କିନ୍ତୁ ଏଥିସହିତ ଅତି ମାତ୍ରାରେ ସାର ପ୍ରୟୋଜନ କରିବା ଯୋଗୁଁ ଆମେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପାରମ୍ପରିକ କୃଷି ବ୍ୟବସ୍ଥା ଓ ପରିବେଶକୁ କଳୁଷିତ କରିବାରେ ଲାଗିଲେ। ଯଦି ସାରଣୀକୁ ଲକ୍ଷ୍ୟ କରାଯାଏ ସାର ବ୍ୟବହାରର ମାତ୍ରା ବିଗତ ୬୦ ବର୍ଷ ମଧ୍ୟରେ (୧୯୬୧ ରୁ ୨୦୨୦ ) ୭.୭୦% ବାର୍ଷିକ ହାରରେ ବୃଦ୍ଧି ପାଇ ବର୍ତ୍ତମାନ, ୨୮,୯୬୯.୬ ଟନ୍ ରାସାୟନିକ ସାର ବ୍ୟବହାର କରୁଛି। ଏହାଦ୍ବାରା ଭୂତଳ ଜଳ ପ୍ରଦୂଷିତ ହେବା ସହ ମାଟିର ଉର୍ବରତା ଓ ଜଳଧାରଣ କ୍ଷମତା ହ୍ରାସ କରେ ଏବଂ ମୃତ୍ତିକା ଉପଯୋଗୀ ଜୀବାଣୁ ଓ ବୀଜାଣୁଗୁଡିକୁ ବିନାଶ କରିଥାଏ। ଧୀରେଧୀରେ ମୃତ୍ତିକା ଚାଷ ଅନୁପଯୋଗୀ ହୋଇଯାଏ ଏବଂ ସାର ସର୍ବଶ୍ବ ହୋଇ ରହେ।
ଏଥି ବ୍ୟତୀତ ପରୋକ୍ଷରେ ଅନେକ ଅପୂରଣୀୟ କ୍ଷତି ଘଟାଇଥାଏ ଏହି ରାସାୟନିକ ସାର। ଏକ ଆକଳନରୁ ଜଣାପଡିଛି ଅନ୍ୟୂନ ୨୦% ସାର ବର୍ଷାରେ, ପାଣି ସୁଅରେ ବୋହିଯାଇ ନଦୀ, ହ୍ରଦ, ସମୁଦ୍ରରେ ଯାଇ ମିଶିଥାଏ। ଏଥିରେ ସାର ଅପଚୟ ହେବ ସହ ସମସ୍ତ ଜଳଜ ଉଦ୍ଭିଦ ଓ ପ୍ରାଣୀ, ମାନବ ସମାଜକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିବାର ପ୍ରମାଣ ମିଳିଛି। ସବୁଜ ବିପ୍ଲବର ଉପକାରିତା ସହ ଚରମ ଅପକାରିତା ସମ୍ପର୍କରେ ବିଶ୍ବବ୍ୟାପୀ ଆନ୍ଦୋଳନ ସୃଷ୍ଟି ହେଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଏବଂ ପରିବେଶ ଗବେଷଣା ସଂସ୍ଥା, ସରକାର ଓ ନୀତି ନିର୍ଦ୍ଧାରଣ ସଂସ୍ଥାମାନଙ୍କୁ ମାର୍ଗ ଦର୍ଶନ ଦେଉଛନ୍ତି। ସାରର ସୁବିନିଯୋଗ ସହିତ ବିଭିନ୍ନ ବିକଳ୍ପ ପାଇଁ ମାର୍ଗ ଦର୍ଶନ କରାଉଛନ୍ତି।
ସାର ବ୍ୟବହାରର ଅନୁପାତ ପରିସଂଖ୍ୟାନରୁ ଜଣାଯାଇଛି, ପୃଥିବୀରେ ତଥା ଭାରତରେ ନାଇଟ୍ରୋଜେନ୍ (ଯବକ୍ଷାରଜାନ) ହେଉଛି ସର୍ବାଧିକ ବ୍ୟବହୃତ ରାସାୟନିକ ସାର। ଏହି ନାଇଟ୍ରୋଜେନ୍ କୃଷି ପାଇଁ ଆଜି ଏକ ଅତ୍ୟାବଶ୍ୟକ ସାର ଭାବରେ ପରିଗଣିତ ହୋଇଥିବାବେଳେ, ଏହାର ଅପକାରିତାକୁ ଦୃଷ୍ଟିରେ ରଖି କ’ଣ ସବୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇପାରେ ସେଥିପାଇଁ ଏକ ବିଶ୍ବସ୍ତରୀୟ ଗବେଷଣା ପ୍ରକଳ୍ପ ମାଧ୍ୟମରେ ପରୀକ୍ଷା ନିରୀକ୍ଷା ଚାଲିଅଛି।
ଦକ୍ଷିଣ ଏସିଆ ନାଇଟ୍ରୋଜେନ୍ ହବ୍ (SANH) ନାମରେ ଆରମ୍ଭ କରାଯାଇଥିବା ଗବେଷଣାତ୍ମକ ବିଶ୍ବର ଗୋଷ୍ଠୀ, GCRF (ଗ୍ଲୋବାଲ୍ ଚାଲେଜ୍ ରିସର୍ଚ୍ଚ ଫଣ୍ଡ ) ଏବଂ UKRI (ୟୁକେ ରିସର୍ଚ୍ଚ ଇନୋଭେସନ୍) ସହଯୋଗରେ ଏହି ମର୍ମରେ ଗବେଷଣା ଆରମ୍ଭ କରିଛନ୍ତି।
ସମସ୍ତ ଦକ୍ଷିଣ ଏସିଆ ଦେଶ ସହ ଆଫଗାନିସ୍ଥାନରେ କିଭଳି ସାରର ବ୍ୟବହାର କରାଯାଉଛି, ଏହାର ରାସାୟନିକ, ଅର୍ଥନୈତିକ, ସାମାଜିକ କୁପ୍ରଭାବ କିଭଳି ଭାବରେ ପ୍ରଭାବିତ କରୁଛି ଏବଂ ଏହି ରାସାୟନିକ ସାର ର ବିକଳ୍ପ କ’ଣ ସବୁ ଅଛି, ସେହି ସମ୍ବନ୍ଧରେ ଗବେଷଣା ଆରମ୍ଭ ହୋଇଯାଇଛି। ୯ଟି ଦେଶରେ ୨୧ଟି ଅଗ୍ରଣୀ ଶିକ୍ଷାନୁଷ୍ଠାନର ଅଭିଜ୍ଞ ଗବେଷକ ଓ ପ୍ରକୃତି ବିଶାରଦଙ୍କୁ ନେଇ ଗଠିତ ହୋଇଛି ଏହି SANH ଗବେଷଣା ଗୋଷ୍ଠୀ। ୨୦୧୯ ରେ କାଠମାଣ୍ଡୁ ଘୋଷଣାନାମାରୁ ଆରମ୍ଭ ହୋଇଥିବା ଏହି ଗବେଷଣା ସଂସ୍ଥା ୨୦୨୦ରେ ଶ୍ରୀଲଙ୍କାର କଲୋମ୍ବୋ ସହରରେ ଏକ ବିଶାଳ ସମାବେଶ କରାଇଥିଲେ, ଯେଉଁଥିରେ ଦକ୍ଷିଣ ଏସିଆର ପ୍ରତ୍ୟେକ ଦେଶର ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧିଙ୍କୁ ଭାଗ ନେବା ପାଇଁ ଆମନ୍ତ୍ରିତ କରାଯାଇଥିଲା। କଲୋମ୍ବୋ ଘୋଷଣାନାମା ଦକ୍ଷିଣ ଏସିଆର ପ୍ରତ୍ୟେକ ସରକାରଙ୍କୁ ଦିଆଯାଇଥିଲା।
ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଗବେଷଣା ଆହୁରି ୩ ବର୍ଷ ଧରି ଚାଲିବ। ଚାଷଜମି, ଜନବସତି ସହ ନଦୀ ସମୁଦ୍ର, ହ୍ରଦ ତଥା ପରିବେଶ କିଭଳି ପ୍ରଭାବିତ ହୋଇଚାଲିଛି, ତାହାର ଦୀର୍ଘମିଆଦୀ ଗବେଷଣା ଆରମ୍ଭ କରାଯାଇସାରିଛି। ପ୍ରତ୍ୟେକ ଦେଶର, ପ୍ରତ୍ୟେକ ଅଂଚଳର କିଛି ଗ୍ରାମକୁ ଓ କିଛି ନଦୀ ମୁହାଣକୁ ବଛାଯାଇ ଏହି ଗବେଷଣାରେ ଅନ୍ତର୍ଭୁକ୍ତ କରାଯାଇଛି।
ମାଲବାର୍ ଉପକୂଳ ଓ ମାନାର ଉପକୂଳ ପାର୍ଶ୍ୱରେ ଥିବା ଶ୍ରୀଲଂକା, ମାଳଦ୍ବୀପ ଉପକୂଳ ସମେତ ଚେନ୍ନାଇ ଓ ଆଣ୍ଡାମାନ ନିକୋବର୍ ଦ୍ବୀପପୁଞ୍ଜ ଏହି ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ। ଚାଷଜମି ମଧ୍ୟରେ ଉତ୍ତର ଭାରତର ସାଂଗେୟ ସମତଳ ଭୂମୀ ଅଂଚଳର କିଛି ଗ୍ରାମକୁ ବଛାଯାଇଥିବା ବେଳେ ଓଡିଶାର ଦୁଇଟି ଗ୍ରାମ ଯଥା, ସତ୍ୟଭାମାପୁର (କଟକ) ଓ କେ. ନୂଆଗାଁ (ଚିକିଟି, ଗଞ୍ଜାମ) ଗବେଷଣା କେନ୍ଦ୍ରର ଗବେଷକମାନେ ସାମିଲ୍ ହୋଇଛନ୍ତି। ବିଶ୍ବସ୍ତରରେ ଏହି ଗବେଷଣା ଗୋଷ୍ଠୀର ଦିଗଦର୍ଶନ ପରିବେଶ ବିଶେଷଜ୍ଞ ତଥା ଏଡିନବର୍ଗ ସ୍ଥିତ ବିଶ୍ବବିଦ୍ୟାଳୟର ପ୍ରଫେସର ମାର୍କ ସଟ୍ଟନ୍ ଦେଉଛନ୍ତି। ଆଶା କରାଯାଏ, ଏହି ଗବେଷଣାରୁ ଅବିଳମ୍ବେ ସୁଫଳ ମିଳିବ, ଚାଷରେ କ୍ଷତିକାରକ ରାସାୟନିକ ସାରର ବିକଳ୍ପ ଭାବରେ ନୂଆ ପଦ୍ଧତି, ନୂଆ ଜୈବିକ ସାର, ନୂଆ ଦିଗଦର୍ଶନ ମିଳିପାରିବ।
ପ୍ରଫେସର୍ ରବି ନାରାୟଣ ସୁବୁଦ୍ଧି,
ସ୍ମୃତି ମହ୍ଲାର ମହାପାତ୍ର