ଯୋଗଜନ୍ମା-ନବକୃଷ୍ଣ ଚୌଧୁରୀ

ଅଧ୍ୟାପକ ଡଃ. ଶୁଭ୍ରାଂଶୁ ପଟ୍ଟନାୟକ

୧୧୯ ବର୍ଷ ତଳେ ଏହି ମାଟିର ଜନ୍ମ ନେଇଥିଲେ ଯୋଗଜନ୍ମା। ତାଙ୍କ ଡାକ ନାଁ ବାପି। ନବକୃଷ୍ଣ ଚୌଧୁରୀ (ବାପି) ୧୯୫୦ରୁ ୧୯୫୬ ମସିହା ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏହାପୂର୍ବରୁ ୧୯୪୬ରୁ ୧୯୪୮ ଯାଏ ରାଜସ୍ୱ ଯୋଗାଣ, ପରିବହନ, ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ଶାସନ ସମୟରେ ବହୁ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେଥିରେ ଜମିଜମା ସଂସ୍କାର ଆଇନ, ଅଞ୍ଚଳ ସଂସ୍କାର, ଆଇନ, ଭାଗଚାଷ ଆଇନ, ଜମିଦାରୀ ପ୍ରଥା ଉଚ୍ଛେଦ ଅନ୍ତର୍ଭୁକ୍ତ। ନିଶା ନିବାରଣ, ଶ୍ରୀମନ୍ଦିର ସଂସ୍କାର ପାଇଁ ମଧ୍ୟ ସେ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। କେନ୍ଦୁପତ୍ରର କ୍ରୟ ଓ ବିକ୍ରୟ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ନବକୃଷ୍ଣ ଚୌଧୁରୀ ୧୯୫୬ ମସିହାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଜିରାଉତ ଛାତ୍ରବାସରେ ରହିଥିଲେ। କିନ୍ତୁ ତାଙ୍କର କାର୍ଯ୍ୟ ଶେଷ ହୋଇ ନ ଥିଲା। ଠୋରେ ସକ୍ରିୟ ରାଜନୀତିରୁ ବିଦାୟ ନେବାପରେ ନିଜକୁ ସର୍ବୋଦୟ ଆନ୍ଦୋଳନରେ ସାମିଲ କରିଥିଲେ । ୧୯୭୫ ମସିହା ଜରୁରୀ ପରିସ୍ଥିତିରେ ତାଙ୍କୁ ଗିରଫ କରାଯାଇଥିଲା। ଏହାସହିତ, ନକ୍ସଲବାଦର ପରିସମାପ୍ତି ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ସେହି ଉଦ୍ୟମକ୍ରମେ ନକ୍ସଲ ନେତା ନାଗଭୂଷଣ ପଟ୍ଟନାୟକ ଆତ୍ମସମର୍ପଣ କରିଥିଲେ। ଜାତିପ୍ରଥା ଓ ଛୁଆଁ ଅଛୁଆଁ ଦୂରପାଇଁ ଦଳିତ ଓ ନିମ୍ନବର୍ଗର ଲୋକଙ୍କୁ ନେଇ ଶାରଳା ମନ୍ଦିରକୁ ପ୍ରବେଶ କରାଇଥିଲେ।

ବଙ୍ଗଳା ଦେଶ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ଦମନ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା ଦଙ୍ଗା ଯେପରି ନାଗାଲାଣ୍ଡ ଓ ମଣିପୁରରେ ଜୟପ୍ରକାଶ ନାରାୟଣଙ୍କ ସହିତ ଶାନ୍ତି ଆଣିଥିଲେ। ସେହିପରି, କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କ ଆଦେଶରେ ଶାନ୍ତି ଦୂତ ହିସାବରେ ଯାଇ ସେଠାରେ ସେ ଶାନ୍ତିପ୍ରତିଷ୍ଠା କରିଥିଲେ। ଅନୁଗୁଳଠାରେ ଆଦିବାସୀ ହରିଜନଙ୍କ ପାଇଁ ନବଜୀବନ ମଣ୍ଡଳ ନାମକ ଅନୁଷ୍ଠାନ ଗଠନ କରିଥିଲେ।

ଶିକ୍ଷାକୁ ଗୁରୁତ୍ୱ ଦେଇ ଚମ୍ପତିମୁଣ୍ଡାଠାରେ ଯଦୁମଣି ମହାନ୍ତିଙ୍କ ନେତୃତ୍ୱରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ଜାଣିଥିଲେ ଯେ ଭାରତର ଭବିଷ୍ୟତ ଏହି ସ୍କୁଲରୁ ହିଁ ଆରମ୍ଭ ହୁଏ। ୧୯୩୩ ମସିହାରେ କଟକ ଠାରେ ‘ସାରଥି’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ। ସେ ନିଜର ଆତ୍ମକଥା ବା ନିଜର ପ୍ରଚାର ପ୍ରସାରର ଜୋର୍‌ ବିରୋଧ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ନଁାରେ ବିଶେଷ କିଛି ଅନୁଷ୍ଠାନ ନାହିଁ।

ନବକୃଷ୍ଣ ପ୍ରତିମା ପୂଜାକୁ ବିରୋଧ କରୁଥିଲେ ଏବଂ ଧର୍ମସ୍ଥଳକୁ ଯାଉ ନ ଥିଲେ ବି ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ସେ ମଧ୍ୟ ଥିଲେ ଉଭୟ ଗାନ୍ଧୀବାଦୀ ଓ ମାର୍କ୍ସବାଦୀ। ଗାନ୍ଧୀଜୀ, କାର୍ଲମାର୍କସ, ଲେନିନ୍‌, ଆବ୍ରାହମ ଲିଙ୍କନ, ମାଓ-ସେ-ଓ-ତୁଂ, ଭୋ-ଚି-ମିନିଚ, ବିନୋବା, ରବୀନ୍ଦ୍ର ନାଥ ଓ ନେହେରୁଙ୍କୁ ସେ ଆଦର୍ଶ ବୋଲି ଭାବୁଥିଲେ।

ସେ ଥିଲେ ଜଣେ ନିର୍ଲିପ୍ତ, ନିରାଡ଼ମ୍ବର, ନରହଙ୍କାର, ନୀରଳସ ବ୍ୟକ୍ତିତ୍ବ, ଯାହା କ୍ବଚିତ୍‌ ଦେଖିବାକୁ ମିଳେ। ତାଙ୍କ ପାଇଁ ମାନବ ସେବା ହିଁ ଥିଲା ମାଧବ ସେବା। ସେଥିପାଇଁ ସେ ପ୍ରତିଷ୍ଠା କରିଥିଲେ ବାଜିରାଉତ ଛାତ୍ରବାସ। ଯେଉଁଠି ଦୀନ, ହୀନ, ଦୁଃଖୀମାନଙ୍କୁ ସେ ସାହାଯ୍ୟ, ସହଯୋଗର ହାତ ବଢ଼ାଇଥିଲେ।

୧୯୮୪ ମସିହା ଜୁନ୍‌ ୨୪ ତାରିଖରେ ସେ ଅନୁଗୁଳରେ ଥିବା ଆଶ୍ରମରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ଦେଶ, ସମାଜ, ଦଳିତ ଜନସାଧାରଣଙ୍କର ଓ ସ‌େର୍ବାପରି ଉତ୍କଳର ସର୍ବାଙ୍ଗୀନ ଉନ୍ନତି ଚେଷ୍ଟା କରୁଥିଲେ । ସମସ୍ତ ପ୍ରକାର ବାଧାବିଘ୍ନକୁ ଏଡ଼ାଇ ସେ ତ୍ୟାଗ, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ଚରମ ପରକାଷ୍ଠା ପ୍ରଦର୍ଶନ କରିବା ସହ ଯୋଜନାକୁ କାର୍ଯ୍ୟକାରୀ କରାଉଥିଲେ। ସେଥିପାଇଁ ସେହି ମହାପୁରୁଷ ଚିରସ୍ମରଣୀୟ, ଚିରନମସ୍ୟ ଓ ଚିରବନ୍ଦନୀୟ। ତାଙ୍କର ସେହି ଆଦର୍ଶ ଗୁଣାବଳୀଗୁଡ଼ିକ ଯୁଗଯୁଗକୁ ନୂତନ ପିଢ଼ିର ନୂତନ ଦାୟାଦଙ୍କ ପାଇଁ ମହାର୍ଘ୍ୟ ହୋଇ ରହିଥିବ। ନବକୃଷ୍ଣ ହେଉଛି ଶତାବ୍ଦୀ ପୁରୁଷ, ଦେବପୁରୁଷ, ନ୍ୟାୟବନ୍ତ ପୁରୁଷ। ଏହି ଯୋଗଜନ୍ମାଙ୍କୁ ସ୍ମରଣ କରି ତାଙ୍କ ପାଦତଳେ ପୁଷ୍ପ ଅର୍ଘ ଅର୍ପଣ କରୁଛି।

-ଜୟ ଜଗନ୍ନାଥ-

ମୋ – ୭୯୭୮୫୯୭୫୨୭
Email : [email protected]

ସମ୍ବନ୍ଧିତ ଖବର