ହୃଦୟ ରଞ୍ଜନ ଶତପଥୀ
‘ଜିରୋ ଟଲେରାନ୍ସ’। ଆଜିକାଲି ଏହି ଦୁଇଟି ଇଂରେଜୀ ପଦର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ବିଶେଷ କରି ଇଂରେଜୀ ଦି’ ପାଠ ପଢ଼ିଥିବା ବାବୁ, ବାବୁଆଣୀ ଓ ନେତା, ନେତ୍ରୀଙ୍କ ପାଟିରୁ ଏହା ଅନବରତ ଶୁଣିବାକୁ ମିଳୁଛି। ହେଲେ ସାଧାରଣ ଜନତାଙ୍କ ନିକଟରେ ଏହା କାଲ ଆଗରେ ମୂଳା ଚୋବାଇବା ଭଳି ଲାଗୁଛି। କାରଣ ସାଧାରଣ ଲୋକେ ଏହାର ପ୍ରକୃତ ଅର୍ଥ କଅଣ ବୁଝିପାରନ୍ତି ନାହିଁ।
ଓଡ଼ିଆରେ ଟିକିଏ ଅନୁବାଦ କଲେ ଏହାର ପାଖାପାଖି ଅର୍ଥ ହେବ ‘ଶୂନ୍ୟ ସହନଶୀଳତା’। ସହନଶୀଳତା ହେଉଛି ଏକ ଉତ୍ତମ ଗୁଣ। ଏହା ଆମ ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ। ପୁରାତନ ଶାସ୍ତ୍ରଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ମହାମନୀଷୀ ସହନଶୀଳତାକୁ ବ୍ୟକ୍ତି ଚରିତ୍ରର ଏକ ଉତ୍ତମ ଆଭୂଷଣ ରୂପେ ବର୍ଣ୍ଣନା କରିଛନ୍ତି ଏବଂ ଏହି ଚାରିତ୍ରିକ ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ପ୍ରେରଣା ଦେଇଥାନ୍ତି। ତେଣୁ ଯେଉଁ ବ୍ୟକ୍ତି ସହନଶୀଳଶୂନ୍ୟ ହୁଏ, ସେହି ବ୍ୟକ୍ତିର ଚରିତ୍ର ନିଷ୍ଠୁର, ବର୍ବର ଓ କଠୋର ହୋଇପଡ଼େ, ଯାହାକି ଆମେ ଜାତି, ଧର୍ମ, ବର୍ଣ୍ଣକୁ ନେଇ ଚାଲିଥିବା ବିଭିନ୍ନ ରଣାଙ୍ଗନରେ ବର୍ତ୍ତମାନ ଦେଖିବାକୁ ପାଉଛେ। ଅର୍ଥାତ୍ ଏହି ସହନଶୀଳ ଗୁଣ ମାନବିକତା ଗୁଣର ଏକ ଉତ୍ତମ ପରିପ୍ରକାଶ। ତେଣୁ ଏହି ସହନଶୀଳତା ପଦଟି ଯେତେବେଳେ ଦୟା, କ୍ଷମା, ନମ୍ରତା, ବିନୟତା ଭଳି ଉତ୍ତମ ଗୁଣ ସହିତ ଯୋଡ଼ିହୁଏ, ତେବେ ଏହା ବ୍ୟକ୍ତି ଚରିତ୍ରର ଏକ ଉତ୍ତମ ଲକ୍ଷଣ ରୂପେ ଉଦ୍ଭାସିତ ହୁଏ।
ଅନ୍ୟ ପକ୍ଷରେ ଏହି ସହନଶୀଳତା ଗୁଣଟି ଯେତେବେଳେ ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ହିଂସା ଭଳି ନକାରାତ୍ମକ ପଦ ସହିତ ଯୋଡ଼ି ହୋଇଯାଏ, ଏହା ମୂଳ ଅର୍ଥରୁ ଦୂରେଇଯାଇ ବିପରୀତ ଅର୍ଥ ସୂଚାଇଥାଏ। ଅର୍ଥାତ୍ ଯେଉଁ ବ୍ୟକ୍ତି ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତିକୁ ସହ୍ୟ କରେ ବା ପ୍ରଶ୍ରୟ ଦିଏ, ସେ ଏହିସବୁ ନକାରାତ୍ମକ ଗୁଣର ଅଂଶୀଦାର ପାଲଟିଯାଏ। ତେଣୁ ଦୁର୍ନୀତି ପ୍ରତି ସହନଶୀଳ ହେବା ଅର୍ଥ ଦୁର୍ନୀତିକୁ ପ୍ରଶ୍ରୟ ଦେବା କିମ୍ବା ଦୁର୍ନୀତିକୁ ଉତ୍ସାହିତ କରିବା। ଏହି ପରିପ୍ରେକ୍ଷୀରେ ନୂଆ କରି ଗଠିତ ହୋଇଥିବା ଓଡ଼ିଶା ସରକାରର ନେତା ଓ ନେତ୍ରୀମାନେ ଏହାର ବହୁଳ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ଏହାର ପ୍ରକୃତ ଉଦ୍ଦେଶ୍ୟ ହେଲା ନିଜ ସରକାରଙ୍କ ଏକ ଉତ୍ତମ ଭାବମୂର୍ତ୍ତି ଗଠନ କରି ସାଧାରଣ ଲୋକଙ୍କୁ ସନ୍ଦେଶ ଦେବା ଯେ ଏହି ସରକାର ଅନ୍ୟାୟ, ଦୁର୍ନୀତିକୁ ମୋଟେ ପ୍ରଶ୍ରୟ ଦେବେ ନାହିଁ ଏବଂ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଆପଣାଇ ଏକ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ପ୍ରୟାସଶୀଳ।
ଠିକ୍ ଏହିଭଳି ପୂର୍ବ ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ଏକ ନିର୍ମଳ ତଥା ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ଶାସନର ପ୍ରତିଶ୍ରୁତି ଦେଇ ଅନେକ ବର୍ଷ ଶାସନ କଲେ। ପ୍ରଶାସନରେ ସ୍ବଚ୍ଛତା ସ୍ଲୋଗାନ ଦେଇ ପ୍ରଶାସନର ସବୁ ପ୍ରକାର ସ୍ବଚ୍ଛତାକୁ ନଷ୍ଟ କରି ଓଡ଼ିଶା ଇତିହାସରେ ଏକ ନିଆରା ଅଧ୍ୟାୟ ସୃଷ୍ଟି କଲେ, ଯାହା ଫଳରେ ସେହି ସରକାର ବିରୁଦ୍ଧରେ ଦୁର୍ନୀତିର ମାଳମାଳ ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଶୁଣିବାକୁ ମିଳୁଛି।
ବର୍ତ୍ତମାନ ଦେଖିବା, ସରକାରଙ୍କ ଦୁର୍ନୀତି ପ୍ରତି ଏହି ଶୂନ୍ୟ ସହନଶୀଳତା ବା ‘ଜିରୋ ଟଲେରାନ୍ସ’ ନୀତି କେତେ ଦୂର ଫଳପ୍ରଦ ହେବାକୁ ଯାଉଛି। ଏହି ସରକାରଙ୍କ ଗତ ଛ’ ମାସର ଶାସନକୁ ଅନୁଧ୍ୟାନ କଲେ ଦେଖିବାକୁ ମିଳୁଛି ଯେ କେତେକ ତଳ ସ୍ତରର ଇଞ୍ଜିନିଅର୍, ଫରେଷ୍ଟ ଅଫିସର, ଆର୍ଆଇ, ଅମିନ, କିରାଣିମାନଙ୍କୁ ଭିଜିଲାନ୍ସ ଜାଲରେ ବାନ୍ଧି ଗଣମାଧ୍ୟମରେ ପ୍ରଚାର ପ୍ରସାର କରି ସରକାର ଏକପ୍ରକାର ସନ୍ଦେଶ ଦେବାକୁ ଚାହୁଛନ୍ତି ଯେ ଏହି ସରକାର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ଶୂନ୍ୟ ସହନଶୀଳ। କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଦୁର୍ନୀତିର ପାହାଡ଼ ଉପରେ ବସିଥିବା ଉଚ୍ଚ ପଦର ଅଧିକାରୀମାନଙ୍କ ପ୍ରତି ଏହି ସରକାର କଅଣ ସହନଶୀଳ? କାହିଁ ସେଭଳି ଜଣଙ୍କ ବିରୁଦ୍ଧରେ ତ କୌଣସି ତଦନ୍ତ କିମ୍ବା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଖବର ଏ ଯାବତ୍ ପ୍ରକାଶିତ ହେଲା ନାହିଁ! ପୂର୍ବ ସରକାରଙ୍କ ଅଧିକାରୀମାନଙ୍କ ବିରୁଦ୍ଧରେ ଉଠିଥିବା ମାଳ ମାଳ ଦୁର୍ନୀତି ଅଭିଯୋଗ ପ୍ରତି ବର୍ତ୍ତମାନ ସରକାର ଶୂନ୍ୟ ସହନଶୀଳତା ଅନୁସରଣ କରିବା ପରିବର୍ତ୍ତେ ପୂର୍ଣ୍ଣ ସହନଶୀଳତା ଅବଲମ୍ବନ କଲାଭଳି ମନେ ହେଉଛି।
ତେଣୁ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ବା ଶୂନ୍ୟ ସହନଶୀଳତା ନୀତି ସେତେବେଳେ ଫଳପ୍ରଦ ହେବ ଯେତେବେଳେ ପୂର୍ବ ସରକାର-ଏବର ସରକାର, ବଡ଼ବଡ଼ିଆ-ତଳତଳିଆ, ଏହିଭଳି ବାଛବିଚାର ନ ରଖି ଏକ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ, ନିରପେକ୍ଷ ଓ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହା ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୧୨୪୨୦୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/17/g7ZxbnBWU2N8zb489fG7.jpg)