ନିର୍ବାଚନ ପ୍ରଚାର କାଳେର କଂଗ୍ରେସ ପକ୍ଷରୁ ବିଭିନ୍ନ ଜନସଭାରେ ସଂବୋଧନ କରୁଥିବା ରାହୁଳ ଗାନ୍ଧୀଙ୍କ ଆକୁଳ ତଥା ହତାଶାଭରା କୁହାଟ ସ୍ମରଣକୁ ଆସିଥାଏ, ଯହିଁରେ ସେ ଜନସାଧାରଣଙ୍କୁ ବାରମ୍ବାର ପ୍ରଶ୍ନ କରି ଚାଲିଥିଲେ- ଆପଣମାନେ ଶୋଇଛନ୍ତି କି? ତାଙ୍କ କହିବାର ତାତ୍ପର୍ଯ୍ୟ ଥିଲା ଯେ ବେକାରି, ଦରବୃଦ୍ଧି ଓ ଆର୍ଥିକ ବୈଷମ୍ୟ ଭଳି ଦାରୁଣ ଓ ବାସ୍ତବ ସମସ୍ୟା ବିରୋଧରେ ସେମାନେ ସ୍ବର ଉତ୍ତୋଳନ କରୁ ନାହାନ୍ତି କାହିଁକି? କିନ୍ତୁ ସେହି ସାଧାରଣ ଭୋଟର ବର୍ଗ ଅଗତ୍ୟା ସୂଚାଇ ଦେଇଛନ୍ତି ଯେ ସେମାନେ ସୁପ୍ତ ଭଳି ପ୍ରତୀତ ହେଉଥିଲେ ହେଁ ବାସ୍ତବରେ ଏକ ନିରବ ବିଦ୍ରୋହ ଘଟାଇବାକୁ ସେମାନେ ଉଦ୍ଗ୍ରୀବ ଥିଲେ, ଯାହା ନିର୍ବାଚନର ଫଳାଫଳରେ ସ୍ପଷ୍ଟ ହୋଇଛି।
ସ୍ବାଧୀନ ଭାରତ ଇତିହାସରେ ୨୦୨୪ ମସିହାର ସାଧାରଣ ନିର୍ବାଚନ ଯେ ସର୍ବାଧିକ ଚିତ୍ତାକର୍ଷକ ରୂପେ ଦୀର୍ଘ କାଳ ଧରି ସ୍ମରଣୀୟ ଏବଂ ଉଦାହରଣୀୟ ହୋଇ ରହିବ, ଏଥିରେ ସନ୍ଦେହ ନାହିଁ। ଏହାର କାରଣ ଏହି ନିର୍ବାଚନରେ ମୋଦୀଙ୍କ ତରଙ୍ଗରେ ଭାସମାନ ଥିବା ଅନୁମାନମୂଳକ ପରିଣାମ ଆକଳନକୁ ଏକ ନିରବ ତଥା ଅଦୃଶ୍ୟ ଅନ୍ତଃସ୍ରୋତ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ତଳକୁ ଟାଣି ଡୁବାଇ ଦେଇଛି। ଫଳ ସ୍ବରୂପ ଏୟା ହୋଇଛି ଯେ ଏହି ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ନେତାମାନେ ତ ସ୍ବାଭାବିକ ଭାବେ ଜୟ ଓ ପରାଜୟ ମଧ୍ୟରେ ଆପଣା ଭାଗ୍ୟ ବିବେଚନା କରୁଛନ୍ତି; ଏହି ଜନାଦେଶ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରର ତୁଙ୍ଗ ହସ୍ତୀମାନଙ୍କୁ ପରାହତ କରିଛି, ଯେଉଁମାନେ ଅଗତ୍ୟା ନତଶିର ହୋଇଛନ୍ତି!
ପ୍ରକାଶ ଥାଉ କି ଅଧିକାଂଶ ବିଦେଶୀ ଗଣମାଧ୍ୟମ, ଅନେକ ମୂର୍ଧନ୍ୟ ଭାରତୀୟ, ବିଦେଶୀ ବୁଦ୍ଧିଜୀବୀ ଓ ବିଦ୍ବାନ ଏହି ନିର୍ବାଚନକୁ ଏକ ପ୍ରହସନ ରୂପେ ମଧ୍ୟ ଦେଖିଥିଲେ; ଏପରିକି ଏହି ନିର୍ବାଚନକୁ ଅନେକତ୍ର ରୁଷିଆ ବା ଚୀନ କିମ୍ବା ଉତ୍ତର କୋରିଆରେ ହେଉଥିବା ‘ନିର୍ବାଚନ’ ନାମ ବହନ କରିଥିବା ପ୍ରବଞ୍ଚନା ସହିତ ତୁଳନା ମଧ୍ୟ କରାଯାଇଥିଲା, ଯହିଁରେ ଆରୋପମାନ ଶୁଣିବାକୁ ମିଳିଥିଲା ଯେ ପକ୍ଷପାତୀ ନିର୍ବାଚନ କମିସନ ଓ ‘ମୋଦୀ-ପ୍ରାଣ’ ଇଭିଏମ୍ଗୁଡ଼ିକ ଏଥିରେ ହାତବାରିସି ତୁଲ୍ୟ କାର୍ଯ୍ୟ କରୁଛନ୍ତି! ସୁତରାଂ, ସେହି ପୂର୍ବାଗ୍ରହ-ଜର୍ଜର ବିଦ୍ବାନମାନେ ଏଣିକି ନିରବ ହେବାକୁ ବାଧ୍ୟ। ଏଣିକି ସେମାନେ ହୃଦୟଙ୍ଗମ କରିପାରନ୍ତି ଯେ ସଂବିଧାନ ପଢ଼ି ନ ଥିବା ୯୦ ପ୍ରତିଶତ ଭାରତୀୟ (ଯହିଁରୁ ୧୯% ନିରକ୍ଷର)ଙ୍କ ହାତରେ ସଂବିଧାନ ଦ୍ବାରା ପ୍ରଦତ୍ତ ଦାୟିତ୍ବ ସୁରକ୍ଷିତ, ଯେଉଁମାନେ ବିେବକାନୁମୋଦିତ ଭାବେ ରାଷ୍ଟ୍ର ପରିଚାଳକମାନଙ୍କୁ ସେମାନଙ୍କ କ୍ଷମତା ଅର୍ପଣ କରିବାର ଦୃଷ୍ଟାନ୍ତମାନ ସ୍ଥାପନ କରି ଚାଲିଛନ୍ତି। ଏହି ବିଦ୍ବାନମାନଙ୍କ ସହିତ ଭାରତୀୟ ସାଂବାଦିକତା ମଧ୍ୟ ଅପ୍ରତିଭ ମୁଦ୍ରାରେ ଦଣ୍ଡାୟମାନ, ଯାହା କ୍ଷମତାଧାରୀଙ୍କ ଅନୁଗ୍ରହ ଓ ଭୟରେ ଦ୍ରବୀଭୂତ ହୋଇ ନିର୍ବାଚନର ପରିଣାମ ସଂକ୍ରାନ୍ତ ଭେଲିକି ସୃଷ୍ଟିରେ ମଗ୍ନ ଥିଲା; ବାତାନୁକୂଳିତ ପ୍ରଶସ୍ତ ‘ନ୍ୟୁଜ ରୁମ୍’ରୁ ବିଭ୍ରାନ୍ତିକର ‘ଏକ୍ଜିଟ୍ ପୋଲ୍’ ଜରିଆରେ ବାସ୍ତବତା ଠାରୁ ସଂପୂର୍ଣ୍ଣ ଭିନ୍ନ ବ୍ୟାଖ୍ୟାନମାନ ନିର୍ମାଣ କରିଥିଲା। ସେହିଭଳି ଯେଉଁ ଦର୍ପ ଏକ ଅତ୍ୟନ୍ତ ଉଚ୍ଚାଭିଳାଷୀ ‘ଇସ୍ ବାର ଚାର୍ ଶୋ’ ପାର’ (ଏହି ଥର ଚାରି ଶହ ଉପରେ) ଭଳି ସ୍ଲୋଗାନ ପ୍ରସ୍ତୁତ କରି ଭାରତୀୟ ନାଗରିକମାନଙ୍କୁ ଏକାନ୍ତ ଅନୁଗତ ଭୋଟର ଶ୍ରେଣୀୟ ଭଳି ଦର୍ଶାଇଥିଲା, ତାହା ମଧ୍ୟ ଏହି ଫଳାଫଳ ପ୍ରକାଶିତ ହେବା ପରେ ତା’ର ଦୃଷ୍ଟି ଅବନତ କରିବାକୁ ବାଧ୍ୟ ହୋଇଛି। କୌଣସି ଗଣତନ୍ତ୍ରରେ ଏଭଳି ଆସ୍ପର୍ଦ୍ଧା ଅସ୍ପୃୃହଣୀୟ, ଯାହା ନିର୍ବାଚନରେ ଅତ୍ୟୁଚ୍ଚ ଆସନ ସଂଖ୍ୟା ଆଧାରରେ ନିଜ ସାମର୍ଥ୍ୟର ମାପ ତିଆରି କରିବ!
ଭାରତୀୟ ଗଣତନ୍ତ୍ରକୁ ‘ଲାଭାର୍ଥୀ’ ରାଜନୀତି ବିପଦାପନ୍ନ କରୁଛି ବୋଲି ଅନେକ ବିଶେଷଜ୍ଞ ମତ ଦିଅନ୍ତି, କାରଣ ସେମାନଙ୍କ ମତରେ ଏହି ବର୍ଗ ହେଉଛନ୍ତି ‘ମାଗଣା’ ଓ ‘ରିହାତି’ ବଣ୍ଟନକାରୀ ସରକାରଙ୍କ ଅନ୍ଧ ସମର୍ଥକ। ପ୍ରଶାନ୍ତ କିଶୋରଙ୍କ ସମେତ ଅନେକ ରାଜନୈତିକ ବିଶାରଦ ମନେ କରନ୍ତି ଯେ ଭାରତୀୟ ଜନତା ପାର୍ଟି ସକାଶେ ସଂପ୍ରତି ‘ଲାଭାର୍ଥୀ’ଙ୍କ ବିଶାଳ ଗୋଷ୍ଠୀ ଏକ ନିର୍ଭରଯୋଗ୍ୟ ଅବଲମ୍ବନରେ ପରିଣତ ହୋଇଛନ୍ତି, ଯେଉଁମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ବିଭିନ୍ନ ସରକାରୀ ଯୋଜନାର ଅର୍ଥ ପହଞ୍ଚିଯାଉଛି। କିନ୍ତୁ, ଏହି ନିର୍ବାଚନରେ ‘ଲାଭାର୍ଥୀ’ମାନଙ୍କ ବିପୁଳ ସମର୍ଥନ କାହିଁ ଦୃଷ୍ଟିଗୋଚର ହେଲା ନାହିଁ ତ? ଏହି ନିର୍ବାଚନରେ ବିଜେପି ଗ୍ରାମାଞ୍ଚଳରେ ୩୦ଟି ଆସନ ହରାଇଛି, ଯେଉଁଠାରେ ଲାଭାର୍ଥୀଙ୍କ ସଂଖ୍ୟା ସର୍ବାଧିକ। ଏହାର କାରଣ କ’ଣ ହୋଇପାରେ? ବାରମ୍ବାର ‘ଲାଭାର୍ଥୀ’... ‘ଲାଭାର୍ଥୀ’ ବୋଲି ଚିତ୍କାରରେ ସେମାନେ ଶାସକ ଦଳର ନେତାଙ୍କଠାରେ ସେମାନଙ୍କ ପ୍ରତି ଏକ ହେୟମନ୍ୟତାର ଆଭାସ ପାଇେଲ କି? ତେଣୁ ସେମାନେ ସୂଚାଇଦେଲେ ଯେ ସର୍ବନିମ୍ନ ଆବଶ୍ୟକତା ମାତ୍ର ପୂରଣ କରି ସେମାନଙ୍କୁ ଏଭଳି ଦୟାର ପାତ୍ରରେ ପରିଣତ କରା ନ ଯାଉ ଯେମିତି ସେମାନେ ସର୍ବଦା କ୍ଷମତାରୂଢ଼ଙ୍କ ସମ୍ମୁଖରେ ନତଜାନୁ ଭଳି ଦିଶିବେ!
୨୦୧୪ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଉଭୟ ଦଳ ଓ ରାଷ୍ଟ୍ରରେ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଥିବା ନରେନ୍ଦ୍ର ମୋଦୀଙ୍କୁ ‘ଆଲ୍ଫା ମେଲ୍’ ବା ‘ବଳିଷ୍ଠ ପୁରୁଷ’ ରୂପେ ଅଭିହିତ କରାଯାଇଥାଏ, ଯେଉଁମାନେ ଚରିତ୍ରଗତ ଭାବେ ଦୃଢ଼ ମନସ୍କ, ପ୍ରଭୁତ୍ବବାଦୀ ଓ ସାଲିସହୀନ ହୋଇଥାଆନ୍ତି। ଏକ ଗଣତନ୍ତ୍ରରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତାର ବଳ ହିଁ ଏଭଳି ଶାସକମାନଙ୍କ ଏକାନ୍ତ କାମ୍ୟ ହୋଇଥାଏ, ଯଦ୍ଦ୍ବାରା ସେମାନେ ଅପ୍ରତିରୋଧ୍ୟ ଭାବେ ଦାୟିତ୍ବ ନିର୍ବାହ କରନ୍ତି ବା କ୍ଷମତା ବିସ୍ତାର କରନ୍ତି। ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଭୟ ୨୦୧୪ ଓ ୨୦୧୯ ମସିହାର ନିର୍ବାଚନ ଯେଉଁ ସାମର୍ଥ୍ୟ ପ୍ରଦାନ କରିଥିଲା, ତହିଁରେ ଏଥରର ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ଭାବେ ଭଟ୍ଟା ପକାଇ ଦେଇଛି। ଉଭୟ ୨୦୧୪ ଓ ୨୦୧୯ ମସିହା ନିର୍ବାଚନ ପରେ ବିଜେପି ନେତୃତ୍ବାଧୀନ ‘ଏନ୍ଡିଏ’ ମେଣ୍ଟ କ୍ଷମତାସୀନ ଥିଲା ସତ, ‘ମେଣ୍ଟ’ର ଅସ୍ତିତ୍ବ କେବଳ ନାମକୁ ମାତ୍ର ଥିଲା; ବିଜେପିର ଏକକ ସଂଖ୍ୟାଗରିଷ୍ଠତା କୌଣସି ଅଂଶୀଦାର ଦଳକୁ ଆଦୌ ଲୋଡୁ ନ ଥିଲା, ଏପରିକି ଆବଶ୍ୟକ ହେଲେ ନିର୍ଦ୍ବନ୍ଦ୍ବରେ ସେମାନଙ୍କୁ ତ୍ୟାଜ୍ୟ କରି ଦେଉଥିଲା। କିନ୍ତୁ, ସଂପ୍ରତି ମେଣ୍ଟ ହିଁ ବିଜେପିର ଏକମାତ୍ର ଅବଲମ୍ବନ। କହିବା ବାହୁଲ୍ୟ, ଜଣେ ‘ଆଲ୍ଫା ମେଲ୍’ ସକାଶେ ନମନୀୟତା, ସନ୍ଧି, ଆବଶ୍ୟକ ହେଲେ ବଶ୍ୟତା ସ୍ବୀକାର ଇତ୍ୟାଦି ସ୍ବୀକାର୍ଯ୍ୟ ହୋଇ ନ ଥାଏ। ସୁତରାଂ, ନରେନ୍ଦ୍ର ମୋଦୀଙ୍କ ସକାଶେ ଏହା ଏକ ନିର୍ଦୟ ବାସ୍ତବତା ହୋଇପାରେ। ଅବଶ୍ୟ, ମୋଦୀଙ୍କ ଅଭିଜ୍ଞତା ଓ ବାଧ୍ୟବାଧକତା ତାଙ୍କୁ ଏ ପ୍ରକାର ଦ୍ବନ୍ଦ୍ବରେ ନିଜ ମାର୍ଗ ବାଛିବାକୁ ବାଧ୍ୟ କରିବ। ଏଭଳି ସ୍ଥଳେ ମୋଦୀ ଅସହଜ ଭାବେ ହେଲେ ମଧ୍ୟ ହୃଦୟଙ୍ଗମ କରିଥିବେ ଯେ ଏଣିକି ହୁଏତ ମେଣ୍ଟ ରାଜନୀତି ଭାରତର ରାଜନୈତିକ ନିୟତିରେ ପରିଣତ ହେବାକୁ ଯାଉଛି, ଯହିଁରେ ଅଖଣ୍ଡ ଓ ଅପରିସୀମ ପ୍ରଭୁତ୍ବ ପ୍ରଦର୍ଶନର ସୁଯୋଗ ରହିବ ନାହିଁ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାର କାଳେର କଂଗ୍ରେସ ପକ୍ଷରୁ ବିଭିନ୍ନ ଜନସଭାରେ ସଂବୋଧନ କରୁଥିବା ରାହୁଳ ଗାନ୍ଧୀଙ୍କ ଆକୁଳ ତଥା ହତାଶାଭରା କୁହାଟ ସ୍ମରଣକୁ ଆସିଥାଏ, ଯହିଁରେ ସେ ଜନସାଧାରଣଙ୍କୁ ବାରମ୍ବାର ପ୍ରଶ୍ନ କରି ଚାଲିଥିଲେ- ଆପଣମାନେ ଶୋଇଛନ୍ତି କି? ତାଙ୍କ କହିବାର ତାତ୍ପର୍ଯ୍ୟ ଥିଲା ଯେ ବେକାରି, ଦରବୃଦ୍ଧି ଓ ଆର୍ଥିକ ବୈଷମ୍ୟ ଭଳି ଦାରୁଣ ଓ ବାସ୍ତବ ସମସ୍ୟା ବିରୋଧରେ ସେମାନେ ସ୍ବର ଉତ୍ତୋଳନ କରୁ ନାହାନ୍ତି କାହିଁକି? କିନ୍ତୁ ସେହି ସାଧାରଣ ଭୋଟର ବର୍ଗ ଅଗତ୍ୟା ସୂଚାଇ ଦେଇଛନ୍ତି ଯେ ସେମାନେ ସୁପ୍ତ ଭଳି ପ୍ରତୀତ ହେଉଥିଲେ ହେଁ ବାସ୍ତବରେ ଏକ ନିରବ ବିଦ୍ରୋହ ଘଟାଇବାକୁ ସେମାନେ ଉଦ୍ଗ୍ରୀବ ଥିଲେ, ଯାହା ନିର୍ବାଚନର ଫଳାଫଳରେ ସ୍ପଷ୍ଟ ହୋଇଛି। ଭାରତର ସାଧାରଣ ନାଗରିକଗଣ ପ୍ରମାଣ କରି ଦେଇଛନ୍ତି ଯେ ସେମାନଙ୍କ ପ୍ରଜ୍ଞା ବା ବୁଦ୍ଧି ବା ବିବେଚନାବୋଧ ସମକ୍ଷରେ ସାଂବାଦିକ, ବିଦ୍ବାନ, ରାଜନେତା ଇତ୍ୟାଦି ସମସ୍ତେ ଅବାଚୀନ ଶିକ୍ଷାନବିସ ସଦୃଶ! ତେଣୁ ହୁଏତ ଏହା କହିଲେ ଭୁଲ୍ ହେବ ନାହିଁ ଯେ ଭାରତୀୟ ନାଗରିକଗଣ ହିଁ ଅସଲ ଅଥଚ ଅଦୃଶ୍ୟ ଗୁରୁ!