ପୃଥିବୀର ଜଣେ ଅଗ୍ରଣୀ ଖେଳ-ଅର୍ଥନୀତିଜ୍ଞ ଭ୍ଲାଡିମିର୍ ଆଣ୍ଡ୍ରେଫ୍ ଅାବିଷ୍କାର କରିଛନ୍ତି ଯେ ଏକ ଦେଶ‌ର ମୁଣ୍ଡପିଛା ‘ଜିଡିପି’ ଓ ଜନସଂଖ୍ୟାରେ ବୃଦ୍ଧି ସହିତ ତାଳ ଦେଇ ଅଲିମ୍ପିକ୍‌ସରେ ସେ ଦେଶ ପଦକ ଜିଣିବା ସମ୍ଭାବନାରେ ଉନ୍ନତି ଘଟିଥାଏ। ଅର୍ଥନୀତିର ଅଭିବୃଦ୍ଧି ଘଟିଲେ ଖେଳାଳିମାନଙ୍କ ପାଇଁ ଉପଲବ୍‌ଧ ପୁଷ୍ଟି, ସ୍ବାସ୍ଥ୍ୟସେବା, ତାଲିମ, ଉପକରଣ ଆଦିରେ ମଧ୍ୟ ଉନ୍ନତି ଘଟିଥାଏ, ଯାହା ଅଧିକ ସଂଖ୍ୟକ ପଦକରେ ରୂପାନ୍ତରିତ ହୋଇଥାଏ। ୧୯୯୯ରେ ଭାରତର ମୁଣ୍ଡପିଛା ‘ଜିଡିପି’ ୪୪୧ ଡଲାର୍ ଥିବା ବେଳେ ୨୦୨୨ରେ ତାହା ୨,୩୮୯ ଡଲାର୍‌କୁ ବୃଦ୍ଧି ପାଇଛି; ୨୦୦୨ ଏସିଆନ୍ ଗେମ୍‌ସରେ ଭାରତ ପାଇଥିବା ପଦକ ସଂଖ୍ୟା ମାତ୍ର ୩୩ଟି ଥିବା ବେଳେ ୨୦୨୩ରେ ତାହା ୧୦୭କୁ ବୃଦ୍ଧି ପାଇଛି।

Advertisment

ଖେଳ କସରତକୁ କେହି କେହି ରକ୍ତପାତହୀନ ଯୁଦ୍ଧ ରୂପେ ବର୍ଣ୍ଣନା କରିଥାନ୍ତି। ହାଙ୍ଗ୍‌ଝୁ ଏସିଆନ୍ ଗେମ୍‌ସରେ ଭାରତର ଚମକପ୍ରଦ ପ୍ରଦର୍ଶନ ଦେଶବାସୀଙ୍କ ମଧ୍ୟରେ ଯେଉଁଭଳି ଆନନ୍ଦ ଉଲ୍ଲାସ ସୃଷ୍ଟି କରିଛି ତାହା ଏକ ଯୁଦ୍ଧରେ ବିଜୟ ଲାଭ ପରର ବାତାବରଣ ପରି ଯଦି ମନେ ହେଉଥାଏ, ସେଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ମହାଦେଶୀୟ ଖେଳକୁଦ ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀମାନେ ପଦକ ତାଲିକାରେ ସର୍ବୋଚ୍ଚ ସ୍ଥାନ ଦଖଲ କରିନାହାନ୍ତି ସତ, ସେମାନେ କିନ୍ତୁ ଯେଉଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛନ୍ତି, ତାହା ହେଲା ସେମାନଙ୍କର ଦେଶବାସୀମାନେ ସେମାନଙ୍କ ଠାରୁ ଯେତିକି ଉପଲବ୍‌ଧି ଆଶା କରୁଥିଲେ, ସେମାନେ ତା’ଠାରୁ ଅଧିକ ହାସଲ କରିପାରିଛନ୍ତି।
ଏହି ପ୍ରଦର୍ଶନର ଅଂଶ ସ୍ବରୂପ ସେମାନେ ଏକ ଗୁରୁତ୍ବପୂର୍ଣ୍ଣ ମନସ୍ତାତ୍ତ୍ବିକ ପ୍ରତିବନ୍ଧକ ଅତିକ୍ରମ କରି ଏକଶତରୁ ଅଧିକ ସଂଖ୍ୟକ ପଦକ ଜିଣିବାରେ ସମର୍ଥ ହୋଇଛନ୍ତି। ସେମାନେ ଦେଶକୁ ଆଣିଥିବା ଏହି ୧୦୭ଟି ପଦକରେ ଅନ୍ତର୍ଭୁକ୍ତ ଅଛି ୨୮ଟି ସ୍ବର୍ଣ୍ଣ, ୩୮ଟି ‌େରାପ୍ୟ ଓ ୪୧ଟି କାଂସ୍ୟ ପଦକ। ଏହି ସଫଳତା ଭାରତକୁ ପଦକ ତାଲିକାରେ ଚତୁର୍ଥ ସ୍ଥାନ ପ୍ରଦାନ କରିଛି, ଯାହା ପୂର୍ବ ଥର ଠାରୁ ଚାରିଟି ସ୍ଥାନ ଉପରେ। ୨୦୧୮ର ପ୍ରତିଯୋଗିତାରେ ଭାରତ ୭୦ଟି ପଦକ ଜିଣିଥିବା ବେଳେ ଏଥର ସେଥିରେ ଆଉ ୩୭ଟି ପଦକ ଯୋଗ କରିବା ଏକ ଅବିଶ୍ବାସନୀୟ ଉନ୍ନତିର ସ୍ବାକ୍ଷର ବହନ କରିଥାଏ।
ମୁଖ୍ୟତଃ ପ୍ରତିଯୋଗିତାର ତିନିଗୋଟି ବିଭାଗରେ ଭାରତୀୟ ଖେଳାଳିମାନେ ଏହି ସଫଳତା ସଂଗ୍ରହ କରିଛନ୍ତି। ଦୌଡ଼କୁଦ ବା ‘ଟ୍ରାକ୍ ଆଣ୍ଡ୍ ଫିଲ୍‌ଡ’ ପ୍ରତିଯୋଗିତାରୁ ସେମାନେ ସଂଗ୍ରହ କରିଛନ୍ତି ଛ’ଟି ସ୍ବର୍ଣ୍ଣ ସହିତ ୨୯ଟି ପଦକ; ବନ୍ଧୁକ ଚାଳନାରୁ ସାତଟି ସ୍ବର୍ଣ୍ଣ ସହିତ ୨୨ଟି ପଦକ; ତୀରନ୍ଦାଜିରେ ପାଞ୍ଚଟି ସ୍ବର୍ଣ୍ଣ ସହିତ ନ’ଟି ପଦକ। ଏହି ତିନିଟି ବିଭାଗରେ ଆମ ଖେଳାଳିମାନେ ଜିଣିଥିବା ମୋଟ ୬୦ଟି ପଦକ ହେଉଛି ସମୁଦାୟ ପଦକ ସଂଖ୍ୟାର ଅଧାରୁ ଅଧିକ। ତେବେ ପଦକ ତାଲିକାରେ ଏଇ ତିନିଟି ବିଭାଗର ପ୍ରାଧାନ୍ୟ ସତ୍ତ୍ବେ ଯାହା ହେଉଛି ବିଶେଷ ଭାବରେ ଉଲ୍ଲେଖନୀୟ, ତାହା ହେଲା ୨୨ଟି ବିଭିନ୍ନ ବିଭାଗରେ ଆମର ପଦକ ବିଜେତାମାନଙ୍କର ଉପସ୍ଥିତି, ‌େଯଉଁଥିରେ ଅନ୍ତର୍ଭୁକ୍ତ ଅଛି ଅଶ୍ବ ଚାଳନାରୁ ନୌକା ଚାଳନା ପର୍ଯ୍ୟନ୍ତ, ରୋଲର୍‌ ସ୍କେଟିଙ୍ଗ୍‌ରୁ ଉସୁ ପର୍ଯ୍ୟନ୍ତ, ଯେଉଁଗୁଡ଼ିକ ଭାରତ ପରିପ୍ରେକ୍ଷୀରେ ପ୍ରାୟ ଅପରିଚିତ ଖେଳକୁଦ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଯାହା ମଧ୍ୟ ଅନୁରୂପ ଭାବରେ ଗଭୀର ସନ୍ତୋଷଜନକ ହୋଇଥାଏ, ତାହା ହେଲା ପଦକ ବିଜେତାମାନଙ୍କ ମଧ୍ୟରେ ପରିଦୃଷ୍ଟ ଲିଙ୍ଗଗତ ସାମ୍ୟ: ମହିଳା ପ୍ରତିଯୋଗୀମାନେ ହାସଲ କରିଛନ୍ତି ୪୬ଟି ପଦକ, ପୁରୁଷମାନେ ହାସଲ କରିଛନ୍ତି ସାମାନ୍ୟ ଅଧିକ ୫୨ଟି ପଦକ ଏବଂ ବାକିତକ ପଦକ ମିଳିଛି ମିଶ୍ରିତ ଟିମ୍‌ମାନଙ୍କୁ। ପ୍ରତ୍ୟେକ ‌େକ୍ଷତ୍ରରେ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠା କରିବା ପାଇଁ ଭାରତ କରି ଚାଲିଥିବା ଉଦ୍ୟମର ଏକ ସ୍ବୀକୃତି ରୂ‌େପ ଏହାକୁ ବିଚାର କରାଯାଇପାରେ। ଏଠାରେ ଏହା ମଧ୍ୟ ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଖେଳକୁଦ ଜଗତର ନୀତି ଆଦର୍ଶକୁ ଉଲ୍ଲଂଘନ କରି ଚୀନ୍ ଭାରତୀୟ ପ୍ରତିଯୋଗୀମାନଙ୍କୁ ନିରୁତ୍ସାହିତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥିଲେ ହେଁ, ସେମାନେ ତାହା ସବୁ ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଉଦାହରଣ ସ୍ବରୂପ ଅରୁଣାଚଳ ପ୍ରଦେଶ ନିବାସୀ ଉସୁ ପ୍ରତିଯୋଗୀମାନଙ୍କୁ ଭିସା ପ୍ରଦାନ କରିବାକୁ ଚୀନ୍ ମନା କରି ଦେଇଥିଲା; ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କୁ ହତୋତ୍ସାହିତ କରିବା ଉଦ୍ଦେଶ୍ୟରେ ରେଫରୀ ତ୍ରୁଟିପୂର୍ଣ୍ଣ ଢଙ୍ଗରେ ଖେଳ ପରିଚାଳନା କରିଥିଲେ।
ଏହି ପ୍ରତିଯୋଗିତାରେ ଯଦି କେଉଁ ଏକ ଖେଳରେ ଭାରତ ତା’ର ହୃତ ଗୌରବ ଫେରି ପାଇଥାଏ, ତାହା ହେଉଛି ହକି। ଭାରତୀୟ ପୁରୁଷ ହକି ଖେଳାଳିମାନେ କେବଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି, ତାହା ନୁହେଁ, ସେମାନେ ମଧ୍ୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଏକ ବିଶାଳ ୧୦-୨ ବ୍ୟବଧାନରେ ପରାସ୍ତ କରି ୧୯୮୨ରେ ଦିଲ୍ଲୀ ଏସିଆନ୍ ଗେମ୍‌ସରେ ପାକିସ୍ତାନ ହାତରେ ଭୋଗିଥିବା ୭-୧ ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛନ୍ତି। ୧୯୮୦ ପରେ ଭାରତୀୟ ପୁରୁଷ ହକି ଟିମ୍ ପ୍ରଥମ ଥର ପାଇଁ ଏକ ଅଲିମ୍ପିକ୍ ପଦକ (ବ୍ରୋଞ୍ଜ) ଜିଣିବାରେ ସକ୍ଷମ ହୋଇଥିଲା ୨୦୨୦ର ଟୋକିଓ ଅଲିମ୍ପିକ୍‌ସରେ। ଏବେ ପୃଥିବୀର ମାନ୍ୟତା ତାଲିକାରେ ଭାରତୀୟ ହକି ଟିମ୍ ତୃତୀୟ ସ୍ଥାନରେ ରହିଛି।
ଖେଳ କସରତ କ୍ଷେତ୍ରରେ ଭାରତ ହାସଲ କରିଥିବା ଏ ନୂତନ ସଫଳତାର କାରଣ ସମ୍ବନ୍ଧରେ ବିଭିନ୍ନ ଅନୁଶୀଳନ ପ୍ରକାଶ ପାଇବାରେ ଲାଗିଛି। ଗଭୀରତା ଦୃଷ୍ଟିରୁ ସେଥି ମଧ୍ୟରୁ ଗୋଟିଏ ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ମନେ ହୋଇଥାଏ। ପୃଥିବୀର ଜଣେ ଅଗ୍ରଣୀ ଖେଳ-ଅର୍ଥନୀତିଜ୍ଞ ଭ୍ଲାଡିମିର୍ ଆଣ୍ଡ୍ରେଫ୍ ଅାବିଷ୍କାର କରିଛନ୍ତି ଯେ ଏକ ଦେଶ‌ର ମୁଣ୍ଡପିଛା ‘ଜିଡିପି’ ଓ ଜନସଂଖ୍ୟାରେ ବୃଦ୍ଧି ସହିତ ତାଳ ଦେଇ ଅଲିମ୍ପିକ୍‌ସରେ ସେ ଦେଶ ପଦକ ଜିଣିବା ସମ୍ଭାବନାରେ ଉନ୍ନତି ଘଟିଥାଏ। ଅର୍ଥନୀତିର ଅଭିବୃଦ୍ଧି ଘଟିଲେ ଖେଳାଳିମାନଙ୍କ ପାଇଁ ଉପଲବ୍‌ଧ ପୁଷ୍ଟି, ସ୍ବାସ୍ଥ୍ୟସେବା, ତାଲିମ, ଉପକରଣ ଆଦିରେ ମଧ୍ୟ ଉନ୍ନତି ଘଟିଥାଏ, ଯାହା ଅଧିକ ସଂଖ୍ୟକ ପଦକରେ ରୂପାନ୍ତରିତ ହୋଇଥାଏ। ୧୯୯୯ରେ ଭାରତର ମୁଣ୍ଡପିଛା ‘ଜିଡିପି’ ୪୪୧ ଡଲାର୍ ଥିବା ବେଳେ ୨୦୨୨ରେ ତାହା ୨,୩୮୯ ଡଲାର୍‌କୁ ବୃଦ୍ଧି ପାଇଛି; ୨୦୦୨ ଏସିଆନ୍ ଗେମ୍‌ସରେ ଭାରତ ପାଇଥିବା ପଦକ ସଂଖ୍ୟା ମାତ୍ର ୩୩ଟି ଥିବା ବେଳେ ୨୦୨୩ରେ ତାହା ୧୦୭କୁ ବୃଦ୍ଧି ପାଇଛି। ଏହା ଆମକୁ ୧୯୯୨ରେ ଆମେରିକାରେ ରାଷ୍ଟ୍ରପତି ପ୍ରାର୍ଥୀ ବିଲ୍ କ୍ଲିଣ୍ଟନ୍‌ଙ୍କର ଏକ କିଂବଦନ୍ତି ପାଲଟିଥିବା ଉକ୍ତି ମନେ ପକାଇ ଦେଇଥାଏ: ‘‘ଇଟ୍’ସ ଦି ଇକନୋମି, ଷ୍ଟୁପିଡ୍!’’ (‘‘ଆରେ ମୁର୍ଖ, ସବୁର ମୂଳରେ ରହିଛି ଅର୍ଥନୀତି!’’)।
ବର୍ତ୍ତମାନର ସଫଳତାର କାରଣ ଯାହା ହୋଇଥାଉନା କାହିଁକି, ଆମକୁ ମନେ ରଖିବାକୁ ହେବ ଯେ ଅତୀତରେ ଭାରତ ଏସିଆନ୍ ଗେମ୍‌ସ ବା କମନ୍‌ୱେଲ୍‌ଥ ଗେମ୍‌ସ ଭଳି ଆଞ୍ଚଳିକ ପ୍ରତିଯୋଗିତା ମାନଙ୍କରେ ଯାହାବି ସଫଳତା ହାସଲ କରିବା ଦେଖାଯାଇଛି, ଅଲିମ୍ପିକ୍‌ସ ଭଳି ଆନ୍ତର୍ଜାତିକ ପ୍ରତିଯୋଗିତାରେ ତାହାର ପୁନରାବୃତ୍ତି କରିବାରେ ବିଫଳ ହୋଇଛି। ବର୍ତ୍ତମାନ ୨୦୨୪ରେ ପ୍ୟାରିସ୍ ଅଲିମ୍ପିକ୍‌ସ ଆସନ୍ନ। ଭାରତର କ୍ରୀଡ଼ା ମନ୍ତ୍ରଣାଳୟ ଓ ବିଭିନ୍ନ କ୍ରୀଡ଼ା ଫେଡେରେସନ୍‌ମାନଙ୍କର ବର୍ତ୍ତମାନର ଦାୟିତ୍ବ ହେଉଛି ଯେଉଁଭଳି ପ୍ରସ୍ତୁତି ମାଧ୍ୟମରେ ହାଙ୍ଗ୍‌ଝୁ ଏସିଆନ୍ ଗେମ୍‌ସରେ ଏଭଳି ସଫଳତା ହାସଲ କରାଯାଇ ପାରିଛି, ତାହାକୁ ଆହୁରି ସଂପ୍ରସାରିତ ଓ ଦୃଢ଼ୀଭୂତ କରି ପ୍ୟାରିସ୍ ଅଲିମ୍ପିକ୍‌ସରେ ମଧ୍ୟ ଅନୁରୂପ ସମ୍ମାନର ହକ୍‌ଦାର ହେବା ନିଶ୍ଚିତ କରିବା।