ଏହି ଭାଷାର ସର୍ଜନଶୀଳତାର ନିରବଚ୍ଛିନ୍ନ ପରଂପରା ରହିଛି, ଯାହା ଶାସ୍ତ୍ର, ପୁରାଣ, ଲୋକକଥା, ଲୋକଗୀତ, ରୁଢ଼ି, ଗୀତି-କବିତା, ଗଳ୍ପ-ଉପନ୍ୟାସ, ପ୍ରବନ୍ଧ, ନାଟକ, ଚଳଚ୍ଚିତ୍ର ଆଦି ଦେଇ ପରିସ୍ଫୁଟ। ଏବଂ ଏହି ସର୍ଜନଶୀଳତା ଅବ୍ୟାହତ ରହିଛି। ଅବଶ୍ୟ, ଓଡ଼ିଆ ପୁସ୍ତକ, ଖବରକାଗଜ ଓ ପତ୍ରପତ୍ରିକାର ନୈରାଶ୍ୟଜନକ ବିକ୍ରୟକୁ ଅନେକତ୍ର ଭାଷା ପ୍ରୀତିର ଅଭାବ ରୂପେ ଦର୍ଶାଯାଇଥାଏ। କିନ୍ତୁ, ପଠନ କରିବା ହେଉଛି ଏକ ରୁଚିବୋଧର ବିଷୟ, ଏହା ସହିତ ଭାଷାକୁ ଭଲ ପାଇବାର କୌଣସି ସଂପର୍କ ନ ଥାଏ। ସତ କଥା ହେଲା, ଓଡ଼ିଆ ଭାଷାକୁ ସ୍ଥିର ଏବଂ ଚିରନ୍ତନ ଭାବେ ଭାସମାନ କରି ରଖିବା ଦିଗରେ ଓଡ଼ିଶା ପ୍ରଦେଶ ଗଠନ ଏକ ଦୃଢ଼ ଲଙ୍ଗର ତୁଲ୍ୟ ଦିଶିଥାଏ। ସୁତରାଂ, ମହାକାଳର ଅଦୃଶ୍ୟ ଅଭିଲେଖାଗାରରେ ଅଗଣିତ ନିଶ୍ଚିହ୍ନ ଭାଷାମାନଙ୍କ ଗହଣରେ ଓଡ଼ିଆକୁ କଦାପି ଦେଖିବାକୁ ମିଳିବ ନାହିଁ। ସୁତରାଂ, ଏହାର ଅସ୍ତିତ୍ବ ସଂକଟ ଏକ ଅହେତୁକ ଭୟ।

Advertisment

ଆଜିକୁ ଠିକ୍‌ ଅଠାଅଶୀ ବର୍ଷ ପୂର୍ବେ ପ୍ରଥମ ଭାଷା-ଭିତ୍ତିକ ରାଜ୍ୟ ରୂପେ ଓଡ଼ିଶା ଜନ୍ମ ଲାଭ କରିବାର ବୀଜ ବପନ ହୋଇଥିଲା ୧୮୭୦ ମସିହାର ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ। ଏହା ସୁବିଦିତ ଯେ ସେହି ସମୟରେ ଏକ ବଙ୍ଗୀୟ ଷଡ୍‌ଯନ୍ତ୍ର ଏହି ସମୃଦ୍ଧ ସହସ୍ରାୟୁଟିକୁ ଅଗତ୍ୟା ବଙ୍ଗଳାର ଏକ ଉପଭାଷାର ପରିଚିତି ଦେଇ ନିଶ୍ଚିହ୍ନ କରିଦେବାକୁ ବସିଥିଲା, ଯାହାକୁ ପଣ୍ଡ କରିଥିଲା ଭାଷା ସୁରକ୍ଷା ଆନ୍ଦୋଳନ। ଅବଶ୍ୟ, ତା’ ପରଠାରୁ ଆଜି ମଧ୍ୟରେ ମହାକାଳ ବକ୍ଷରେ ଅନେକ ଭୂ-ଚଳନ ତୁଲ୍ୟ ପରିବର୍ତ୍ତନମାନ ଘଟି ସାରିଲାଣି ଏବଂ ସେହି କ୍ରମରେ ପୁନର୍ବାର ଏକ ଉଦ୍‌ବେଗ ପ୍ରକାଶିତ ହେଲାଣି ଯେ ଓଡ଼ିଆ ଭାଷାର ଅସ୍ତିତ୍ବ ସଂକଟରେ। ଏକ ହିସାବ ଅନୁସାରେ ପ୍ରତି ଦୁଇ ସପ୍ତାହରେ ପୃଥିବୀର କୌଣସି ନା କୌଣସି ପ୍ରାନ୍ତରେ ହତଭାଗ୍ୟ ଭାଷାଟିଏ ନିଶ୍ଚିହ୍ନ ହୋଇଯାଉଛି ଏବଂ ଅନେକ ଭାଷା ଦ୍ରୁତ ବେଗରେ ବିଲୁପ୍ତି ଆଡ଼କୁ ଧାବମାନ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ଅସ୍ତିତ୍ବ ସଂକଟ ଜନିତ ଉଦ୍‌ବେଗ ଏକ ବିଶେଷ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ଏବେ ପୃଥିବୀରେ ପ୍ରାୟ ୭୦୦୦ ଭାଷା ବିଦ୍ୟମାନ, ଯାହା ମଧ୍ୟରୁ ପ୍ରମୁଖ ୫୦ଟି ଭାଷାକୁ ବ୍ୟବହାର କରିଥାଆନ୍ତି ପୃଥିବୀର ଅର୍ଦ୍ଧେକ ଜନସଂଖ୍ୟା, ଅବଶିଷ୍ଟ ୬୯୫୦ଟି ଭାଷାକୁ ବାକି ପୃଥିବୀ ବ୍ୟବହାର କରିଥାଏ, ଯାହା ମଧ୍ୟରେ ସହସ୍ରାଧିକ ମୃତପ୍ରାୟ ଭାଷା ସେମାନଙ୍କ ଅନ୍ତିମ ଶ୍ବାସ ନେଉଛନ୍ତି। ଭାଷା ବ୍ୟବହାରକାରୀଙ୍କ ସଂଖ୍ୟା ଆଧାରରେ ପ୍ରସ୍ତୁତ ଉପରୋକ୍ତ ୫୦ଟି ପ୍ରମୁଖ ଭାଷାଙ୍କ ତାଲିକାରେ ଓଡ଼ିଆର ସ୍ଥାନ ୩୭ତମ, ଯାହାର ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ୫୦ ନିୟୁତ ବା ୫ କୋଟି। କେବଳ ସେତିକି ନୁହେଁ, ସହସ୍ରାଧିକ ବର୍ଷୀୟ ଏହି ଭାଷା ତା’ର ଧାରା ପ୍ରବାହରେ ବିଭିନ୍ନ ଦେଶଜ ଭାଷାର ଶବ୍ଦ ସହିତ ଇଂରେଜୀ, ପର୍ତ୍ତୁଗୀଜ, ଫାର୍ସୀ ଏବଂ ତୁର୍କୀ ଇତ୍ୟାଦି ଭଳି ଅନେକ ବିଜାତୀୟ ଯାବନିକ ଭାଷାର ଶବ୍ଦ ଓ ଅଭିବ୍ୟକ୍ତିକୁ ଅନ୍ତରସ୍ଥ କରି ପ୍ରଶସ୍ତ ହୋଇଛି, ଯାହା ଏକ ଜୀବନ୍ତ ଓ ପ୍ରାଣବନ୍ତ ଭାଷାର ଚରିତ୍ର। ସେହି କ୍ରମରେ ‘ଗିଲାସ’, ‘ଆଲମିରା’, ‘ଲଣ୍ଠନ’, ‘ପାଇଜାମା’ ଭଳି ବିଦେଶୀ ଦ୍ରବ୍ୟ ଏବଂ ‘ଅଲବତ’, ‘ଜରିମାନା’, ‘ଖାରଜ’, ‘ଫଇସଲା’ ଭଳି ବହିରାଗତ ଶବ୍ଦ ବିଗତ ଚାରି ଶତାବ୍ଦୀ ମଧ୍ୟରେ ଓଡ଼ିଆ ଜନଜୀବନ ଏବଂ ଶବ୍ଦକୋଷରେ ଆତ୍ମସାତ୍‌ ହୋଇ ସାରିଛନ୍ତି; ଏବଂ ଏ ଯାବତ୍‌ ଅଭିଧାନରେ ପ୍ରବେଶ କରି ପାରି ନ ଥିବା ସତ୍ତ୍ବେ ଅସଂଖ୍ୟ ଶବ୍ଦ (ଟେଲିଭିଜନ, ଟେଲିଫୋନ୍‌, ଗ୍ୟାସ, ଫ୍ୟାନ୍‌, ଆମ୍ବୁଲାନ୍‌ସ) ଓଡ଼ିଆ ଭାଷାକୁ ଅଧିକ ନମନୀୟ ଏବଂ ବ୍ୟବହାରଯୋଗ୍ୟ କରି ତୋଳିଛନ୍ତି। କହିବା ନିଷ୍ପ୍ରୟୋଜନ ଯେ ନୂତନ ଶବ୍ଦ ଓ ଅଭିବ୍ୟକ୍ତିମାନ ନିୟମିତ ଭାବେ ଓଡ଼ିଆ ଭାଷା ସହିତ ଯୋଡ଼ି ହେବାର ଧାରା ଅବ୍ୟାହତ ରହିଛି ଏବଂ ରହିବ ମଧ୍ୟ। କିନ୍ତୁ ଏଭଳି ସ୍ଥଳେ ଏକ ଭୟାକୁଳ ପ୍ରଶ୍ନ ମଧ୍ୟ ଉଦ୍ରେକ ହୋଇଥାଏ ଯେ ଭାଷା ବ୍ୟବହାରରେ ଯଦି ବହିରାଗତ ଶବ୍ଦ ଦ୍ବାରା ଓଡ଼ିଆ ଶବ୍ଦମାନ ବିସ୍ଥାପିତ ହୁଅନ୍ତି, ତଦ୍ଦ୍ବାରା ଭାଷାର ଅବକ୍ଷୟ ଘଟିବ ନାହିଁ ତ? ଉଦାହରଣ ସ୍ବରୂପ ‘ଅନୁସନ୍ଧାନ’ ଭଳି ଚମତ୍କାର ଓଡ଼ିଆ ଶବ୍ଦ ଯଦି ବ୍ୟବହାରରୁ ଅପସାରିତ ହୋଇ ତା’ ସ୍ଥାନରେ ‘ଛାନଭିନ’ର ଆବିର୍ଭାବ ଘଟେ, ତାହା କ’ଣ ଓଡ଼ିଆ ଭାଷାର ସ୍ବାସ୍ଥ୍ୟାନୁକୂଳ? ଏହା ଓଡ଼ିଆର ବିକୃତୀକରଣ ଘଟାଉ ନାହିଁ କି? ପ୍ରଥମ କଥା ହେଲା ଓଡ଼ିଆ ଅଭିଧାନରେ ଲିପିବଦ୍ଧ ଯେ କୌଣସି ଶବ୍ଦ ନିଶ୍ଚିହ୍ନ ହେବାର ସମ୍ଭାବନା ନାହିଁ, ଯଦିଓ ପ୍ରଚଳନ ଅଭାବରେ ଅପସାରିତ ଏବଂ ଅଦୃଶ୍ୟ ହୋଇ ରହିପାରେ! ସାଧାରଣତଃ ପ୍ରତ୍ୟେକ ମନୁଷ୍ୟ ପ୍ରତି ଦିନ ହାରାହାରି ୧୬,୦୦୦ ଶବ୍ଦ କହିଥାଏ, ଯାହା ମାତ୍ର ୧୦୦୦ରୁ ୧୫୦୦ଟି ଶବ୍ଦର ପୁନଃ ପୁନଃ ବ୍ୟବହାର। ସୁତରାଂ, କେତେ ସହସ୍ର ଓଡ଼ିଆ ଶବ୍ଦ ଯେ ବ୍ୟବହାରରୁ ବହିର୍ଭୂତ ହୋଇ ରହିଛନ୍ତି, ତାହାର କଳନା ନାହିଁ। ବିଷ୍ଣୁଙ୍କ ସହସ୍ର ନାମ ମଧ୍ୟରୁ ନିତ୍ୟ ସ୍ମରଣୀୟ ତିନି ବା ଚାରିଟି ନାମ ବ୍ୟତୀତ ଅବଶିଷ୍ଟ ନାମମାନ ଯେମିତି ଅଦୃଶ୍ୟ ରହିବା ସତ୍ତ୍ବେ ଅଚଳନ୍ତି ହୋଇ ଯାଆନ୍ତି ନାହିଁ, ସେହିଭଳି ‘ଛାନଭିନ’ର ବହୁଳ ବ୍ୟବହାର ଯଦି ‘ଅନୁସନ୍ଧାନ’କୁ ଅପାତତଃ ଅଦୃଶ୍ୟ କରି ଦିଏ, ତାହାକୁ ଅଚଳନ୍ତି କରି ପାରିବନାହିଁ। ସେହିଭଳି ‘ଛାନଭିନ’ ଭଳି ଏକ ବହିରାଗତ ଶବ୍ଦର ପ୍ରବାଲ୍ୟରେ ଭାଷା ବିକୃତ ହେଉଥିବା ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଯେ ଭାଷାର ଛଟା ସର୍ବଦା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୌନ୍ଦର୍ଯ୍ୟବୋଧ ଉପରେ ନିର୍ଭର କରିଥାଏ। ଅସମର୍ଥ ବ୍ୟବହାରକାରୀଙ୍କ ଦ୍ବାରା ଆବହମାନ କାଳରୁ ଭାଷା ବିକୃତୀକରଣର ଶିକାର ହୋଇ ଆସିଛି। କିନ୍ତୁ ମନୋରମ ଭାଷାର ଐନ୍ଦ୍ରଜାଲିକ ଆକର୍ଷଣ କାରଣରୁ ରସିକ ଭାଷା ବ୍ୟବହାରକାରୀମାନେ ମଧ୍ୟ ସର୍ବଦା ଉପସ୍ଥିତ ଥାଆନ୍ତି, ଯେଉଁମାନେ ଅବଲୀଳା କ୍ରମେ ‘ଅନୁସନ୍ଧାନ’କୁ ବିସ୍ମୃତ ହେବାକୁ ଦେବେ ନାହିଁ!
ଭାଷାତତ୍ତ୍ବବିତ୍‌ମାନଙ୍କ ଅନୁସାରେ ‘ଲାଙ୍ଗୁଏଜ୍‌ ସିଫ୍‌ଟ’ ବା ‘ଭାଷା ବଦଳ’ ଭଳି ପ୍ରକ୍ରିୟା ଦେଇ ଭାଷାଟିଏ ବିଲୁପ୍ତି ଗର୍ଭକୁ ନିକ୍ଷେପିତ ହୋଇଥାଏ। ‘ଭାଷା ବଦଳ’ ବୋଇଲେ ଏକ ନୂଆ ଭାଷାକୁ ବ୍ୟବହାର କରିବାର ଆଗ୍ରହାତିଶଯ୍ୟ ବା ବାଧ୍ୟବାଧକତା କ୍ରମେ ନିଜ ଭାଷାକୁ ସମୂଳ ତ୍ୟାଜ୍ୟ କରିବା। ଦେଖାଯାଇଛି ଯେ ଜୀବିକା ଅନ୍ବେଷଣ ବା ଅନ୍ୟାନ୍ୟ କାରଣରୁ ସ୍ଥାନାନ୍ତରିତ ବା ବିସ୍ଥାପିତମାନଙ୍କ କ୍ଷେତ୍ରରେ ‘ଭାଷା ବଦଳ’ ପ୍ରକ୍ରିୟା ତୀବ୍ର ହୋଇଥାଏ। ଏହାର ଅନେକ ଉଦାହରଣ ବିଦ୍ୟମାନ, ଯହିଁରୁ ‘ହଣ୍ଟି’ ଭାଷା ବିଲୁପ୍ତପ୍ରାୟ ହେବାର କାହାଣୀ ଅନ୍ୟତମ। ଖଣିଜ ତୈଳ ଓ କାଠ ବ୍ୟବସାୟର ବିକାଶ ଜନିତ ଆର୍ଥିକ ଗତିବିଧି ତଥା ଦ୍ବିତୀୟ ବିଶ୍ବଯୁଦ୍ଧ ଫେରନ୍ତା ସୈନିକମାନଙ୍କ ଦ୍ବାରା ରୁଷୀୟ ଭାଷାର ବହୁଳ ବ୍ୟବହାର କାରଣରୁ ପଶ୍ଚିମ-ସାଇବେରୀୟ ଅଞ୍ଚଳର ଏହି ପ୍ରମୁଖ ଭାଷାର ବ୍ୟବହାରକାରୀମାନେ ଏଭଳି ପ୍ରଭାବିତ ହେଲେ ଯେ ସେମାନଙ୍କ ମାତୃଭାଷା ପରିତ୍ୟାଜ୍ୟ ହୋଇ ଉଠିଲା ଏବଂ ପରିଣାମ ସ୍ବରୂପ ଏହା ରୁଷୀୟ ଭାଷା ଦ୍ବାରା ଉଦରସାତ୍ ହେବାରେ ଲାଗିଛି। କୌଣସିମତେ ନିଜ ହୃଦୟରେ ‘ହଣ୍ଟି’ ଭାଷାର ଅନ୍ତିମ ଶିଖାକୁ ଜଳାଇ ରଖିଛନ୍ତି ପ୍ରାୟ ୧୨,୦୦୦ ସରିକି ପରିଣତ ବୟସ୍କ ଏବଂ ଏହି କ୍ରମରେ ଏକ ମୁଖର ଭାଷା ଏବେ ବିଲୁପ୍ତିର ଦ୍ବାର ଦେଶରେ। ପୃଥିବୀର ସର୍ବତ୍ର ଦେଖିବାକୁ ମିଳୁଛି ଯେ କର୍ମ ସଂସ୍ଥାନର ଅନ୍ବେଷଣ ବା ଜୀବିକା ଲାଭର ଦାୟରେ ସର୍ବାଧିକ ‘ଭାଷା ବଦଳ’ ସଂଘଟିତ ହେଉଛି। ସୁତରାଂ, ଆମ ରାଜ୍ୟରେ ଇଂରେଜୀ ଭାଷା ପ୍ରତି ଆକର୍ଷଣକୁ ‘ଭାଷା ବଦଳ’ ପରିସ୍ଥିତି ରୂପେ ଦେଖାଯାଇପାରେ କି? ଯଦିଓ ଏହା ଏକ ବାସ୍ତବତା ଯେ କର୍ମ ସଂସ୍ଥାନ ଯୋଗାଡ଼ କରିବାରେ ଓଡ଼ିଆ ଭାଷାର ଅସାମର୍ଥ୍ୟ କାରଣରୁ ତରୁଣ ପିଢ଼ି ଇଂରେଜୀ ଭାଷା ପ୍ରତି ଏକାନ୍ତ ଭାବେ ଆକୃଷ୍ଟ ହେଉଛନ୍ତି; କିନ୍ତୁ ଇଂରେଜୀ ଭାଷା ଲାଗି ସେମାନେ ଓଡ଼ିଆ ଭାଷାକୁ ସଂପୂର୍ଣ୍ଣ ପରିତ୍ୟାଗ କରୁଛନ୍ତି କି? ଏହାର ଉତ୍ତର ହେବ ‘ନା।’ କେବଳ ସେତିକି ନୁହେଁ, କର୍ମ ନିଯୁକ୍ତି ଲାଗି ଇଂରେଜୀ ଭାଷାର ଅନିବାର୍ଯ୍ୟତା ସତ୍ତ୍ବେ ପ୍ରତି ବର୍ଷ ହାରାହାରି ୫ ଲକ୍ଷ ଛାତ୍ରଛାତ୍ରୀ ଓଡ଼ିଆ ମାଧ୍ୟମ ବିଦ୍ୟଳୟରୁ ଉତ୍ତୀର୍ଣ୍ଣ ହେଉଛନ୍ତି। ଭାଷାବିତ୍‌ମାନଙ୍କ ଅନୁସାରେ କୌଣସି ପିଢ଼ି ନିଜ ଭିତରେ ସାବଲୀଳ ଭାବେ ବ୍ୟବହାର କରୁଥିବା ଭାଷା ଯଦି ନିଜ ପୁତ୍ର ଏବଂ ପୌତ୍ରଙ୍କ ପିଢ଼ି ସକାଶେ ବ୍ୟବହାର କରିବାକୁ ଅସମର୍ଥ ହୁଏ, ତେବେ ବୁଝାପଡ଼ିବ ଯେ ସଂପୃକ୍ତ ଭାଷାଟି ଅସ୍ତିତ୍ବ ସଂକଟ ସ୍ଥିତିରେ ଉପନୀତ। ପୃଥିବୀର ସହସ୍ରାଧିକ ଜନଜାତୀୟ ଭାଷା ଏବେ ସେଭଳି ସ୍ଥିତିରେ। ଓଡ଼ିଆ ଭାଷାକୁ ଆମେ ସେଭଳି ରୂପରେ ଦେଖିବାକୁ ପାଉଛେ କି?
ଦେଶର ଏକମାତ୍ର ‘ଭାରତୀୟ-ଆର୍ଯ୍ୟ’ ଭାଷା ରୂପେ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଏହି ଭାଷା ଅନ୍ୟ କୌଣସି ଭାଷା ଦ୍ବାରା ଜୀର୍ଣ୍ଣ ହୋଇଯିବା ଏକ ସଂପୂର୍ଣ୍ଣ ଉଦ୍ଭଟ ଆଶଙ୍କା। ଏହି ଭାଷାର ସର୍ଜନଶୀଳତାର ନିରବଚ୍ଛିନ୍ନ ପରଂପରା ରହିଛି, ଯାହା ଶାସ୍ତ୍ର, ପୁରାଣ, ଲୋକକଥା, ଲୋକଗୀତ, ରୁଢ଼ି, ଗୀତି-କବିତା, ଗଳ୍ପ-ଉପନ୍ୟାସ, ପ୍ରବନ୍ଧ, ନାଟକ, ଚଳଚ୍ଚିତ୍ର ଆଦି ଦେଇ ପରିସ୍ଫୁଟ। ଏବଂ ଏହି ସର୍ଜନଶୀଳତା ଅବ୍ୟାହତ ରହିଛି। ଅବଶ୍ୟ, ଓଡ଼ିଆ ପୁସ୍ତକ, ଖବରକାଗଜ ଓ ପତ୍ରପତ୍ରିକାର ନୈରାଶ୍ୟଜନକ ବିକ୍ରୟକୁ ଅନେକତ୍ର ଭାଷା ପ୍ରୀତିର ଅଭାବ ରୂପେ ଦର୍ଶାଯାଇଥାଏ। କିନ୍ତୁ, ପଠନ କରିବା ହେଉଛି ଏକ ରୁଚିବୋଧର ବିଷୟ, ଏହା ସହିତ ଭାଷାକୁ ଭଲ ପାଇବାର କୌଣସି ସଂପର୍କ ନ ଥାଏ। ସତ କଥା ହେଲା, ଓଡ଼ିଆ ଭାଷାକୁ ସ୍ଥିର ଏବଂ ଚିରନ୍ତନ ଭାବେ ଭାସମାନ କରି ରଖିବା ଦିଗରେ ଓଡ଼ିଶା ପ୍ରଦେଶ ଗଠନ ଏକ ଦୃଢ଼ ଲଙ୍ଗର ତୁଲ୍ୟ ଦିଶିଥାଏ। ସୁତରାଂ, ମହାକାଳର ଅଦୃଶ୍ୟ ଅଭିଲେଖାଗାରରେ ଅଗଣିତ ନିଶ୍ଚିହ୍ନ ଭାଷାମାନଙ୍କ ଗହଣରେ ଓଡ଼ିଆକୁ କଦାପି ଦେଖିବାକୁ ମିଳିବ ନାହିଁ। ସୁତରାଂ, ଏହାର ଅସ୍ତିତ୍ବ ସଂକଟ ଏକ ଅହେତୁକ ଭୟ।