ସେଇ ଏକା ମାସ, ପୁଣି ସମାନ ମସିହାରେ- ଏପ୍ରିଲ୍ ୧୯୩୬ରେ ସମ୍ଭବ ହୋଇଥିଲା ଅତି କମ୍‌ରେ ଦୁଇଟି ମହାନ ଓ ଐତିହାସିକ ଘଟଣା। ସେ ଉପଲବ୍‌ଧି ଦ୍ବୟ ହେଲା- ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଜନ୍ମ ଓ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘‘ସୀତା ବିବାହ’’ର ଆବିର୍ଭାବ। କହିବା ବାହୁଲ୍ୟ, ଓଡ଼ିଆ ଭାଷା ହିଁ ଓଡ଼ିଶାର ଅସ୍ମିତାର, ଓଡ଼ିଆ ଅସ୍ମିତାର ପ୍ରମୁଖ ଆଧାର ଓ ନିର୍ଣ୍ଣାୟକ। ପୁଣି କୌଣସି ଭାଷାକୁ ସମୃଦ୍ଧ, ସଂରକ୍ଷିତ, ସଂପ୍ରସାରିତ ଓ ଆହୁରି ଗତିଶୀଳ କରିବାରେ ଅନ୍ୟତମ ପ୍ରଭାବଶାଳୀ ଅବଦାନ ଥାଏ ଚଳଚ୍ଚିତ୍ର ନାମକ ସାଂସ୍କୃତିକ-ସୃଜନଶୀଳ ମାଧ୍ୟମର, ଯେଉଁଥି ପାଇଁ ଅସାଧାରଣ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନେ ଲୋକ-ବିଗ୍ରହ ବା ଆଇକନ୍ ଭାବେ ସାଧାରଣତଃ ପରିଗଣିତ ହୋଇଥାନ୍ତି।
ନିକଟରେ ଉଦ୍‌ଯାପିତ ତିନିଦିନିଆ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀ ପରିସରର ଚଳଚ୍ଚିତ୍ରଭିତ୍ତିକ ଏକ ନିର୍ଦ୍ଦିଷ୍ଟ ଗ୍ୟାଲେରି ଭାଗରୁ ଜାଣିବାକୁ, ଦେଖିବାକୁ ଓ ପଢ଼ିବାକୁ ମିଳିଥିଲା ତିନିଟି ପ୍ରଥମ ବାବଦରେ (ଅନ୍ୟ ଅନେକ ପ୍ରଥମ ସମେତ): ‘‘ସୀତା ବିବାହ’’ ସାଙ୍ଗକୁ ପ୍ରଥମ ଓଡ଼ିଆ ଶିଶୁ ଚଳଚ୍ଚିତ୍ର ‘‘ବାବୁଲା’’ ଓ ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘‘ଭୂଖା’’ ସମ୍ବନ୍ଧରେ ପୁଣି ଥରେ। ଏହି ତିନିଟି ଭିତରୁ ଶେଷ ଦୁଇଟି ସହ ସଂପୃକ୍ତ ଥିଲେ ସାଧୁ ମେହେର ଯଥାକ୍ରମେ ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ଏବଂ ଅଭିନେତା ଭାବେ, ଯାହାଙ୍କର କି ଦେହାବସାନ ଘଟିଯାଇଛି ଗତ ୨ ତାରିଖରେ, ୮୪ ବର୍ଷ ବୟସରେ ବମ୍ବେ ଠାରେ। ତାଙ୍କ ଯାତ୍ରା ଓ କାହାଣୀକୁ ଅନେକ ବେଳେବେଳେ ଦୁଇଟି ଶବ୍ଦରେ ପ୍ରକାଶ କରୁଥିଲେ- ବୌଦ୍ଧରୁ ବ‌େମ୍ବ। କାରଣ ସିଏ ଜନ୍ମଗ୍ରହଣ କରିଥିଲେ ଏବେକାର ବୌଦ୍ଧ ଜିଲ୍ଲାରେ ଏବଂ ବୃତ୍ତିଗତ କାରଣରୁ ନିଜ ଜୀବନର ଅନେକ ଦଶନ୍ଧି କଟାଇଥିଲେ ବମ୍ବେରେ ଓ ସେଠି ତାଙ୍କ ରହଣି କାଳରେ ସିଏ ପ୍ରତ୍ୟକ୍ଷ କରିଥିଲେ ବମ୍ବେ ମୁମ୍ବାଇ ହେବା।
ଦେଶର ଜଣେ ଅଗ୍ରଗଣ୍ୟ ଅଭିନେତା ଭାବେ ପରିଚିତ ସାଧୁ ମେହେରଙ୍କ ଅଭିନୟଗତ କଳା, କୌଶଳ, ଦକ୍ଷତା ଓ ପ୍ରତିଭା ଥିଲା ଅତି ଚମତ୍କାର ଆଉ ବେଶ୍ ବିରଳ। ତାଙ୍କୁ ୩୪ ପୂରିଛି କି ନାଇଁ ସିଏ ଲାଭ କରିଥିଲେ ୧୯୭୪ ମସିହାର ‘‘ଅଙ୍କୁର’’ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର। ସେଭଳି ପୁରସ୍କାର ପାଇବା କ୍ଷେତ୍ରରେ ସିଏ ଥିଲେ ପ୍ରଥମ ଓଡ଼ିଆ ଏବଂ ତାହା ପୁଣି ନସିରୁଦ୍ଦିନ ଶାହ, ଓଁ ପୁରୀ, ମିଥୁନ୍ ଚକ୍ରବର୍ତ୍ତୀ ଓ କମଲ ହାସନ ଆଦିଙ୍କ ପୂର୍ବରୁ। ଅଭିନୟରେ ଜଣକୁ କେମିତି ସମଗ୍ର ଶରୀରର ସବିଶେଷ ସଂକ୍ରାମକ ବିନିଯୋଗ କରିବାକୁ ପଡ଼ିଥାଏ ଏବଂ ଆଦୌ କିଛି ନ କହି ସବୁ କିଛି ଓ ସର୍ବାଧିକ କହି ହୁଏ, ତାହା ସିଏ ସାବ୍ୟସ୍ତ କରିପାରୁଥିଲେ। ଯାହାର ମୂର୍ତ୍ତିମନ୍ତ ପ୍ରମାଣ- ‘ଅଙ୍କୁର’ ଯେଉଁଥିରେ ସିଏ କିଷ୍ଟାୟା ନାମକ ଜଣେ ମୂକ ଓ ବଧିର ଚରିତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ଅଙ୍ଗଭଙ୍ଗୀ, ମୁଖମୁଦ୍ରା, ଇଙ୍ଗିତ ଓ ଚାହାଣି ବଳରେ ଜଣେଇ ଦେଇଥିଲେ ଯେ ଦୃଶ୍ୟ ବି ବଚନ ହୋଇପାରେ, ଭଙ୍ଗୀ ମଧ୍ୟ ଭାଷା ସାଜିପାରେ। ଆଲୋଚ୍ୟ ଚଳଚ୍ଚିତ୍ରଟିରେ ବିଭିନ୍ନ ଅବତାରରେ ସାମିଲ ହୋଇଥିଲେ ଶବାନା ଆଜ୍‌ମୀ, ଅନନ୍ତ ନାଗ, ଶ୍ୟାମ ବେନେଗଲ୍, ସତ୍ୟଦେବ ଦୁବେ, ଗୋବିନ୍ଦ ନିହାଲାନୀ ଓ ବନରାଜ ଭାଟିଆ। ଏମାନେ ସମସ୍ତେ ସମାନ୍ତରଳ ସିନେମାର ଜଣେ ଜଣେ ଅତି ପ୍ରସିଦ୍ଧ ନାମ ଓ ‘ଅଙ୍କୁର’ ଥିଲା ସମାନ୍ତରଳ ସିନେମା ଶ୍ରେଣୀର। ସାଧୁ ମେହେରଙ୍କ ମୁଣ୍ଡରେ ଶୋଭା ପାଉଥିଲା- ଉପରୋକ୍ତ ଚଳଚ୍ଚିତ୍ରଟିରେ - ଏକ ଗାମୁଛା। ତାହା ଥିଲା ବୋଧହୁଏ ମନମୁଣ୍ଡା କି ଗଣ୍ଡା ଗାମୁଛା! ପ୍ରଜାତିକ ଲାଗୁଥିଲା ତାହା, ଆଉ ମେଳ ଖାଉଥିଲା ଏକାଧିକ ଦୃଷ୍ଟିରୁ। ଚଳଚ୍ଚିତ୍ରଟିରେ ସାଧୁୁ ମେହେରଙ୍କ ଅଭିନୟରେ ବେଶ୍ ବିମୋହିତ ସତ୍ୟଜିତ ରାୟ ଥରେ ସାଧୁ ବାବୁଙ୍କୁ କହିଥିଲେ- ମୁଁ ଡାକିଲେ ମନା କରିବେନି।
ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବା ପରେ ଥରେ ସିଏ ବାଣୀବିହାର ଆସିଥାନ୍ତି। ଜଣେ ତାଙ୍କୁ ଅତ୍ୟୁତ୍ସାହରେ ପଚାରିଥିଲେ- ଅଙ୍କୁର ପାଇଁ ଆପଣଙ୍କୁ କେତେ ଟଙ୍କା ମିଳିଥିଲା? ଉତ୍ତରରେ ସାଧୁ ମେହେର କହିଥିଲେ- ଭଲ ପ୍ରଶ୍ନଟିଏ, ଉତ୍ତର ନିଶ୍ଚୟ ଦେବି। ହେଲେ ଆରମ୍ଭରୁ କହିରଖେ, ପଇସା ପାଇଁ ମୁଁ ବମ୍ବେ ଯାଇ ନ ଥିଲି। ତାହା ହୋଇଥିଲେ ମୁଁ ମାୟାନଗରୀରେ ହଜି ଯାଇଥାନ୍ତି। ହଁ, ମତେ ଦଶ ହଜାର ଟଙ୍କା ମିଳିଥିଲା। ଆଉ ଜଣେ ଜିଜ୍ଞାସା କରିଥିଲେ- ଆପଣ ଉଭୟ ଚଳଚ୍ଚିତ୍ର ଓ ମଞ୍ଚ ନାଟକରେ କାମ କରିଛନ୍ତି। ଉଭୟଟିର ଅନୁଭବ କ’ଣ, କେଉଁଟି ଅଧିକ ଭଲ? ମେହେର କହିଥିଲେ- ଦୁଇଟି ଯାକ ନିଜ ନିଜ ବାଟରେ ଅତି ଭଲ ଓ ଆହ୍ବାନମୟ। କିନ୍ତୁ ମଞ୍ଚ ଅଭିନୟ ଅଧିକ କଷ୍ଟକର। ସେଥିରେ ଚଳଚ୍ଚିତ୍ର ଭଳି ଦ୍ବିତୀୟ ସୁଯୋଗ ମିଳେନି। ସ୍ଥାନ ବା ‘ସ୍ପେସ୍‌’ର ସମୁଚିତ ବ୍ୟବହାର କରିବାକୁ ପଡ଼ିଥାଏ ମଞ୍ଚ ନାଟକରେ। ମଞ୍ଚରୁ ଚଳଚ୍ଚିତ୍ରକୁ ଗଲେ ଜଣେ ଅଧିକ ଶାଣିତ ଓ ପୋଖତ ହୋଇଯାଇଥାଏ। ଏ ସବୁ କଥା ବେଶ୍ ମନେ ରଖିଛନ୍ତି ବିଦ୍ବାନ କାଳୀଦାସ ମିଶ୍ର।
‘‘ଅଙ୍କୁର’’ ଆଗରୁ ସାଧୁ ମେହେରଙ୍କୁ ଦେଖିବାକୁ ମିଳିଥିଲା ମୃଣାଳ ସେନ୍‌ଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଭୁବନ ଶୋମ’’ରେ ଉତ୍ପଳ ଦତ୍ତଙ୍କ ସହ। ସେହି ଚଳଚ୍ଚିତ୍ରଟି ନବତରଙ୍ଗ ଚଳଚ୍ଚିତ୍ର କ୍ଷେତ୍ରରେ ଭାରତରେ ପଥ ପ୍ରଦର୍ଶକ ଥିଲା ବୋଲି କୁହାଯାଏ। ସାଧୁ ମେହେର ସେଥିରେ ଅବତୀର୍ଣ୍ଣ ହୋଇଥିଲେ ଜଣେ ମୂକ ପକ୍ଷୀ ଧରାଳିର ଭୂମିକାରେ। ବିଂଶ ଶତାବ୍ଦୀର ସପ୍ତମ ଦଶକର ଆଉ କେତୋଟି ବହୁଚର୍ଚ୍ଚିତ, ଭିନ୍ନ ପ୍ରକରଣର ଚଳଚ୍ଚିତ୍ରରେ ସିଏ ଅଭିନୟ କରିଥିଲେ। ସେଥିରେ ସାମିଲ- ନିଶାନ୍ତ, ମନ୍ଥନ, ଇନ୍‌କାର୍, ଘରୋନ୍ଦା, ସଫେଦ ହାତୀ ଓ ମୃଗୟା। ଏ କଥା ସତ ଯେ ପୃଥିବୀର ଦୀର୍ଘତମ ତାଲିକା ଏକ ଅସଂପୂର୍ଣ୍ଣ ତାଲିକା। ହେଲେ ଚାରିଟି ଭାଷା- ହିନ୍ଦୀ, ବଙ୍ଗଳା, ଓଡ଼ିଆ ଓ ସମ୍ବଲପୁରୀରେ ଅଭିନୟ (କେତେକ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା) କରିଥିବା ସାଧୁ ମେହେରଙ୍କ ଅନ୍ୟ କେତେକ ଚଳଚ୍ଚିତ୍ର ହେଲା- ଇଚ୍ଛାପୂରଣ, ୨୭ ଡାଉନ୍, ବତୀଘର, ଅଭିମାନ, ଅପରିଚିତା, କସ୍ତୁରୀ, ଶୀତରାତି, ଦେବଶିଶୁ, ପ୍ରତିମୂର୍ତ୍ତି, ଉତ୍ତରଣ, ଚରାଚର, ଶେଷ ଦୃଷ୍ଟି, ହମ୍ ଆପ୍‌କେ ଦିଲ୍ ମେଁ ରେହତେ ହେଁ, ଜୟ ଜଗନ୍ନାଥ, ଅଭିଳାଷ ଓ ଗୋପରେ ବଢୁଛି କଳା କହ୍ନେଇ। ତାଙ୍କର ସ୍ବତନ୍ତ୍ର ଆଗ୍ରହ ଥିଲା ‘‘ନୀଳଶୈଳ’’ ଆଧାରିତ ଚଳଚ୍ଚିତ୍ରଟିଏ କରିବା ପାଇଁ ଯାହା ଶେଷ ଯାଏ ଫଳବତୀ ହୋଇପାରି ନ ଥିଲା।
ଅନେକ ଅନ୍ୟତ୍ର ଗମନ ଓ ବାରମ୍ବାର ଚେରମୂଳକୁ ପ୍ରତ୍ୟାବର୍ତ୍ତନ ଗର୍ଭିତ ହୋଇଥିଲା ତାଙ୍କ ଜୀବନ କାହାଣୀରେ। ଗୁଡ଼ଭେଲିପଦର ଗାଁରେ ତାଙ୍କ ଜନ୍ମ। ଅର୍ଥ; ଗୁଡ଼ମୁଣ୍ଡା ବା ଗୁଡ଼ଖଣ୍ଡର ଗାଁ। ସେଇଥି ପାଇଁ ସାଧୁ ଆଜ୍ଞା ବେଳେବେଳେ ରହସ୍ୟ କରି କହୁଥିଲେ- ଆମ ଗାଁରେ ଆଗ ଭଳି ଆଖୁ ଗଛ ନାହିଁ; କିନ୍ତୁ ପିଇଥିବା ଆଖୁ ରସ ଓ ମୁଢ଼ିରେ ମିଶେଇ ଖାଇଥିବା ଛୋଟ ଗୁଡ଼ ମୁଣ୍ଡା ଶରୀରକୁ ଏତେ ବଳ ଦେଇଛି ଯେ ଦିନରାତି ଅଭିନୟ କଲେ ବି ଉର୍ଜା ଓ ଫୁର୍ତ୍ତିର ଅଭାବ ଅନୁଭୂତ ହେଉନି। ଗାଁ, ତରଭା, ସୋନପୁର ଓ ବଲାଙ୍ଗୀରରେ ତାଙ୍କ ସ୍କୁଲ ପାଠପଢ଼ା। ବଲାଙ୍ଗୀରର ରାଜେନ୍ଦ୍ର ଓ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଉଚ୍ଚ ଶିକ୍ଷା ଲାଭ କରି ‌ସିଏ ଚାଲି ଯାଇଥିଲେ କଲିକତାର ରବୀନ୍ଦ୍ର ଭାରତୀ ଡ୍ରାମା ପଢ଼ିବା ପାଇଁ। ଆଉ ସେଠୁ ପୁନାର ‘ଦି ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’। ତାଙ୍କ ଗାଁ ପ୍ରସିଦ୍ଧ ଥିଲା ଉଷାବତୀ ହରଣ ପରିବେଷଣ ନିମନ୍ତେ ଯେଉଁଥିରେ ତାଙ୍କ ବାପା ମଧ୍ୟ ଭାଗ ନେଉଥିଲେ। ସେ ପରିବେଷଣରେ ଗୀତ, କଥା ଓ ନାଟକ ସମ୍ମିଶ୍ରିତ ହେଉଥିଲା, ଯାହାର ଛାପ ସାଧୁଙ୍କ ଉପରେ ପଡ଼ିଥିଲା। ଆରମ୍ଭରୁ ଆରମ୍ଭରୁ ସିଏ ରାମଲୀଳାରେ ବି ଭାଗ ନେଉଥିଲେ। ଆଉ କଲେଜ ଜୀବନରେ ସିଏ ସଖୀ/ନର୍ତ୍ତକୀ/ନାରୀ ଚରିତ୍ରରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସିଏ ପୂରା ଅଭିନୟରେ ବୁଡ଼ି ରହିଲେ। ଶୁଣିବାକୁ ମି‌େଳ ସିଏ ବାପାଙ୍କ ମୃତ୍ୟୁ ଖବର ପାଇ ବି ସାଙ୍ଗେ ସାଙ୍ଗେ ମଞ୍ଚ ଛାଡ଼ି ନ ଥିଲେ।
ନିଜ ଗାଁକୁ ଅତି ଭଲ ପାଉଥିବା ସାଧୁ ମେହେର ନିୟମିତ ଗାଁକୁ ଆସୁଥିଲେ ବମ୍ବେରୁ। ପିଣ୍ଡାରେ ବସୁଥିଲେ, ଦାଣ୍ଡରେ ବୁଲୁଥିଲେ ଓ ଖଳାରେ ଚାଲୁଥିଲେ। ଭାବୁଥିଲେ- ଏଇ ଗାଁର ମାଟି, ପାଣି, ପବନ ମତେ ଅଭିନୟର ଯାଦୁ ଆମ ଉଭୟଙ୍କ ଅଜାଣତରେ ଶିଖାଇଛି। ତାଙ୍କୁ ଅତି ନିକଟରୁ ଜାଣିଥିବା ସୋନପୁରର ପୁରୁଷେ‌ାତ୍ତମ ମିଶ୍ର ଓ ବଲାଙ୍ଗୀରର ଜଗଦାନନ୍ଦ ଛୁରିଆଙ୍କ ଠାରୁ ତାଙ୍କ ସମ୍ବନ୍ଧରେ ଅନେକ କିଛି ଜାଣିହୁଏ। ପୁରୁଷୋତ୍ତମ ବାବୁ କହନ୍ତି- ସିଏ ଘଣ୍ଟା ଘଣ୍ଟା ଧରି ଗପି ପାରନ୍ତି, ପୁଣି ଘଣ୍ଟା ଘଣ୍ଟା ଧରି ଚୁପ୍ ରହିଯାନ୍ତି। ତାଙ୍କୁ ଭେଟି ଜାଣିହୁଏ ଅଭିନୟ ସତରେ ଏକ ତପସ୍ୟା, ଏକ ସାଧନା। ତାଙ୍କରି ଯୋଗୁଁ ଆମେ ମହାନଦୀ ସାହିତ୍ୟ ସଂସଦ ତରଫରୁ ‘‘ଭାସ୍କୋଡାଗାମା’’ ନାଟକ ମଞ୍ଚସ୍ଥ କରିପାରିଥିଲୁ, ସିଏ ସେ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଆଉ ଛୁରିଆ ଆଜ୍ଞାଙ୍କ ମତରେ- ସହଜ, ସ୍ବାଭାବିକ, ଅକୃତ୍ରିମ ଓ ଚରିତ୍ରୋଚିତ ଜୈବିକ ଭୂମିକା ଜୀବନ୍ତ ଭାବେ ଫୁଟେଇବାରେ ସାଧୁ ଦାଦା ଥିଲେ କୋଟିକରେ ଗୋଟିଏ। ତାଙ୍କ ବାବଦରେ କିଏ ବଢ଼େଇ ଚଢ଼େଇ କହିଲେ ସିଏ ଲାଜେଇ ଯାଉଥିଲେ, ନିଜକୁ ଅପସାରିତ କରି ନେଉଥିଲେ। ଉଭୟ ଛୁରିଆ ଓ ମିଶ୍ର ମହାଶୟ ଦୁଇ ଜଣ ଜଣାଶୁଣା କଳାକାର।
ମହୁରୀ ବାଦକ ଅଇଁଠୁ ଚରିତ୍ର ମିଳିଥିଲା ସାଧୁ ମେହେରଙ୍କୁ ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ଓ ନିର୍ଦ୍ଦେଶିତ ‘‘ଭୂଖା’’ରେ। ସେଥିରେ ଏକ ଆଳାପରେ ଅଇଁଠୁ/ସାଧୁ ମେହେର ଏହି ଭଳି କହିଥିଲେ- ଲୋକଗୀତ ଓ ସଙ୍ଗୀତର ମଧ୍ୟ ରସ, ରାଗ, ଛନ୍ଦ ଓ ରାଗିଣୀ ଥାଏ। ଏଇ ‌େଯମିତି ଡାଲଖାଇ, ରସରକେଲି ଓ ମାଇଲାଜଡ଼ର। ଏକ ଅନୌପଚାରିକ ଆଲୋଚନା କାଳରେ ଅନ୍ୟତ୍ର ସିଏ ବ୍ୟକ୍ତ କରିଥିଲେ- ଆମ ଗାଁଠୁଁ କିଛି ଦୂରରେ ବହି ଯାଉଥିବା ତେଲ ନଦୀ ଓ ହରିଶଙ୍କର ପାଖ ପରିଚିତ କଦଳୀ ବଗିଚାରୁ ପ୍ରବାହ ତଥା ଲୟ ସମ୍ବନ୍ଧରେ ଅନେକ ଜୀବନ ଶିକ୍ଷା ସାଉଁଟିଛି। ଯାହା ଯୋଗୁଁ ମୁଁ ଯେବେ, ଯେଉଁଠି, ଯାହାଙ୍କ ଗହଣରେ ଥାଏ- ତାହା ଶ୍ୟାମ ବେନେଗଲ, ମୃଣାଳ ସେନ୍, ବାସୁ ଚାଟାର୍ଜୀ, ସତ୍ୟଦେବ ଦୁବେ, ତପନ ସିହ୍ନା, ଗୋବିନ୍ଦ ନିହାଲ‌ାନୀ, ଶବାନା ଆଜ୍‌ମୀ, ସ୍ମିତା ପାଟିଲ, ନସିରୁଦ୍ଦିନ ଶାହ, ଓଁ ପୁରୀ, ଉତ୍ପଳ ଦତ୍ତ, ଅମୋଲ ପାଲେକର, ଶ୍ରୀରାମ ଲାଗୁ, ଦୀନା ପାଠକ, ଅନନ୍ତ ନାଗ, ଗିରିଶ କର୍ନଡ଼, ଅମରୀଶ ପୁରୀ, କୁଳଭୂଷଣ ଖାରବଣ୍ଡା ଓ ଅମିତାଭ ବଚ୍ଚନ ଆଦିଙ୍କ ମେଳରେ ହେଉ ପଛେ- ମୁଁ ‘ମୁଁ’ ହୋଇ ରହିଥାଏ। ଓଡ଼ିଶାର ଜଣେ ଓଡ଼ିଆ ଭାବେ। ସାଧାରଣ ମଣିଷଟେ ଭାବେ।
ମୋ: ୯୪୩୭୩୦୭୦୭୯