ନିରୋଳା ମଜା ଗପଟିଏ ଶୁଣନ୍ତୁ। ମୁଲ୍ଲା ନସିରୁଦ୍ଦିନ ଥିଲେ ତାଙ୍କ ଗାଁର ଏକମାତ୍ର ଶିକ୍ଷିତ ବ୍ୟକ୍ତି। ଥରେ ଜଣେ ଲୋକ ମୁଲ୍ଲାଙ୍କ ଦ୍ବାରା ନିଜ ଝିଅ ପାଖକୁ ଏକ ଚିଠି ଲେଖାଇବା ଲାଗି ଆସିଲା।
ମୁଲ୍ଲା ପଚାରିଲେ- ଝିଅକୁ କୋଉଠି ବାହା ଦେଇଛ।
ଲୋକଟି କହିଲା- ତିନିଟି ଗାଁ ପରେ ତା’ ଘର। ଏଠୁ ଦୁଇ କୋଶ ବାଟ।
ମୁଲ୍ଲା କହିଲେ- ଚିଠି ଲେଖି ପାରିବି ନାହିଁ। କାରଣ ମୋ ଗୋଡ଼ର ବୁଢ଼ା ଆଙ୍ଗୁଠି ଫୁଲି ଦରଜ ହେଉଛି। ତୁମେ ଚାରି ପାଞ୍ଚ ଦିନ ପରେ ଆସ।
ଲୋକଟି ବିସ୍ମିତ ହୋଇ ପଚାରିଲା- ମୁଲ୍ଲା, ତୁମର ମୁଣ୍ଡ ବିଗିଡ଼ି ଯାଇନି ତ? ଚିଠି ଲେଖିବା ସହିତ ଗୋଡ଼ ଆଙ୍ଗୁଠି ଫୁଲାର କି ସଂପର୍କ ରହିଛି?
ମୁଲ୍ଲା କହିଲେ- ଆରେ ନିର୍ବୋଧ। ମୋ ଅକ୍ଷର ବୋଧେ ଦେଖି ନାହଁ। ମୁଁ ଯାହା ପାଇଁ ଚିଠି ଲେଖେ, ପାଇବା ବାଲା ବି ମୋତେ ଡକାନ୍ତି, ତାହା ପଢ଼ିବା ଲାଗି। କାରଣ ମୋ ଛଡ଼ା ତାକୁ ପଢ଼ିବାର ଜୁ କାହାର ନାହିଁ। ତୁମେ କହୁଛ ତୁମ ଝିଅର ଘର ଏଠୁ ଦୁଇ କୋଶ ବାଟ। ତେଣୁ ମୋ ଗୋଡ଼ ଠିକ ହେଲେ ତ ମୁଁ ପଢ଼ିବାକୁ ଯିବି?