ଆମେ ବର୍ତ୍ତମାନ ଯେଉଁ ୭-୮ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ, ତାହା ସାକାର କରିବାକୁ ହେଲେ ଆମକୁ ପୂର୍ବର ସେଇ ଉଚ୍ଚ ହାରରେ ପୁଣି ସଞ୍ଚୟ କରିବାକୁ ହେବ। ବର୍ତ୍ତମାନ ପାଇଁ ନୀଚା ଘରୋଇ ବିତ୍ତୀୟ ସଞ୍ଚୟ ହାର ଏକ ପାଳ ଦଉଡ଼ି ହୋଇଥାଇ ପାରେ, କିନ୍ତୁ ତାହାକୁ ଆଳ କରି ସାମଗ୍ରିକ ଜାତୀୟ ସଞ୍ଚୟ ହାରରେ ବୃଦ୍ଧିର ଆବଶ୍ୟକତାକୁ ଆମେ ଏଡ଼ାଇ ଦେଇ ପାରିବା ନାହିଁ।
୧୯୨୯ରେ ଆମେରିକାରେ ମୋଟ ଘରୋଇ ସଞ୍ଚୟ ବା ‘ହାଉସ୍ହୋଲ୍ଡ ସେଭିଙ୍ଗ୍ସ’ର ପରିମାଣ ଥିଲା ୩.୭ ବିଲିଅନ୍ ଡଲାର୍। ୧୯୩୨-୩୩ ବେଳକୁ ସେଠାରେ ଏହି ଘରୋଇ ସଞ୍ଚୟର ପରିମାଣ ହୋଇଯାଇଥିଲା ଶୂନ୍ୟ। ସେତିକି ନୁହେଁ, ସେଠାକାର ପରିବାରମାନେ ପୂର୍ବରୁ ସେମାନେ କରିଥିବା ସଞ୍ଚୟରୁ ଉଠାଇ ଓ ଋଣ କରି ନିଜର ଗୁଜୁରାଣ ମେଣ୍ଟାଇବା ଆରମ୍ଭ କରି ଦେଇଥିଲେ। ୧୯୩୬ରେ ମହାନ୍ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍ସ ତାଙ୍କର ଯୁଗାନ୍ତକାରୀ ପୁସ୍ତକ ‘ଦି ଜେନେରାଲ୍ ଥିଓରି ଅଫ୍ ଏଂପ୍ଲଏମେଣ୍ଟ, ଇଣ୍ଟେରେଷ୍ଟ ଆଣ୍ଡ ମନି’ (‘ନିଯୁକ୍ତି, ସୁଧ ଓ ଅର୍ଥର ସାଧାରଣ ତତ୍ତ୍ବ’) ମାଧ୍ୟମରେ ଅର୍ଥନୀତି ଓ ରାଜନୀତି କ୍ଷେତ୍ରରେ ଯେଉଁ ବିସ୍ଫୋରଣ ଘଟାଇଥିଲେ, ସେଥିରେ ସେ ଆମେରିକାରେ ଉପୁଜିଥିବା ଏହି ପରିସ୍ଥିତି ସମ୍ବନ୍ଧରେ ପ୍ରଦାନ କରିଥିବା ଅନ୍ତର୍ଦୃଷ୍ଟି ଥିଲା ପ୍ରଚଳିତ ଅର୍ଥନୈତିକ ଚିନ୍ତାଧାରାର ସଂପୂର୍ଣ୍ଣ ବିପରୀତ।
ଏହା ବର୍ତ୍ତମାନ ଏକ ସାଧାରଣ ଜ୍ଞାନରେ ପରିଣତ ହୋଇସାରିଛି ଯେ ୧୯୨୯ ସେପ୍ଟେମ୍ବରରେ ଆମେରିକାରେ ‘ଦି ଗ୍ରେଟ୍ ଡିପ୍ରେସନ୍’ ନାମକ ଯେଉଁ ଅର୍ଥନୈତିକ ମହା ଅବପାତ ଆରମ୍ଭ ହୋଇଥିଲା, ତାହା କ୍ରମେ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶକୁ ସଂକ୍ରମିତ କରି ପରବର୍ତ୍ତୀ ଦଶ ବର୍ଷ କାଳ ଅକଥ୍ୟ ଅର୍ଥନୈତିକ ଦୁର୍ଦ୍ଦଶା ସୃଷ୍ଟି କରିଥିଲା। କେନ୍ସଙ୍କ ପୂର୍ବବର୍ତ୍ତୀ ସମସ୍ତ ଅର୍ଥନୀତିଜ୍ଞମାନେ ବିଶ୍ବାସ କରି ଆସୁଥିଲେ ଯେ ଯେତେବେଳେ ଏକ ଅର୍ଥନୈତିକ ଅବପାତ ବା ଗଭୀର ମାନ୍ଦା ଅବସ୍ଥା ଦେଖା ଦେବ, ତା’ର ଅନ୍ତର୍ନିହିତ ଚରିତ୍ର ବଳରେ ତାହା ଆପେ ଆପେ ଦୂର ହୋଇଯିବ। ସେମାନଙ୍କ ଯୁକ୍ତି ଅନୁସାରେ ଯେତେବେଳେ ସଞ୍ଚୟ ଜନିତ ପୁଞ୍ଜି ଯୋଗାଣ ତୁଳନାରେ ନିବେଶ ଜନିତ ପୁଞ୍ଜି ପାଇଁ ଚାହିଦାରେ ସଂକୋଚନ ଘଟିବ, ସେତେବେଳେ ସଞ୍ଚୟର ଏହି ପ୍ରାବଲ୍ୟର ଚାପରେ ସୁଧ ହାରରେ ତୀକ୍ଷ୍ଣ ହ୍ରାସ ଘଟିବ, ଯାହା ନିବେଶକମାନଙ୍କୁ ପୁଣି ଋଣ ମାଧ୍ୟମରେ ସେ ସଞ୍ଚୟକୁ ଉତ୍ପାଦନଶୀଳ କାର୍ଯ୍ୟରେ ନିବେଶ କରିବାକୁ ଆକର୍ଷିତ କରିବ। ଫଳରେ ଅର୍ଥନୀତି ଆପେ ଆପେ ଅବପାତ କବଳରୁ ମୁକୁଳି ଯିବ।
କେନ୍ସ ଏହି ଯୁକ୍ତିରେ ରହିଥିବା ଏପରି ଏକ ଦୁର୍ବଳତା ଅନାବୃତ କରି ଦେଇଥିଲେ ଯାହା ପଶ୍ଚାତ୍ ଦୃଷ୍ଟିରେ ଏକ ସରଳ ସାଧାରଣଜ୍ଞାନ ଭଳି ମନେ ହୋଇଥାଏ। କେନ୍ସ ସମସ୍ତଙ୍କୁ ସଚେତନ କରି ଦେଇଥିଲେ ଯେ ଅର୍ଥନୀତି ଏକ ଅବପାତ କବଳରେ ପଡ଼ିଥିବା ବେଳେ ସଞ୍ଚୟର ପ୍ରାବଲ୍ୟ ପରିବର୍ତ୍ତେ ସଞ୍ଚୟର ସ୍ରୋତ ଶୁଖି ଯାଏ, ଯେମିତି ୧୯୩୨-୩୩ରେ ଆମେରିକାରେ ଘଟିଥିଲା। କାରଣ, ମାନ୍ଦା ଅବସ୍ଥା ଯୋଗୁଁ ଆୟରେ ସଂକୋଚନ ଘଟିଲେ, ସଞ୍ଚୟରେ ମଧ୍ୟ ସଂକୋଚନ ଘଟିବ। ତେଣୁ ପୂର୍ବରୁ ବିଶ୍ବାସ କରାଯାଉଥିବା ଭଳି ସଞ୍ଚୟର ନିବେଶ ମାଧ୍ୟମରେ ଅର୍ଥନୀତି ଆପେ ଆପେ ମାନ୍ଦା ଅବସ୍ଥାରୁ ମୁକୁଳିବ ନାହିଁ। କେନ୍ସଙ୍କର ଏହି ଆବିଷ୍କାର ପରଠାରୁ ସଞ୍ଚୟରେ ସଂକୋଚନକୁ ଏକ ସମ୍ଭାବ୍ୟ ମାନ୍ଦା ଅବସ୍ଥାର ପୂର୍ବାଭାଷ ରୂପେ ବିଚାର କରା ହୋଇଆସିଛି; ପାଳ ଦଉଡ଼ିକୁ ଦେଖି ସାପ ଭାବି ଡରିଯିବା ଭଳି ଅର୍ଥନୀତିର ପରିଚାଳକମାନେ ସଞ୍ଚୟରେ ସଂକୋଚନର ସୂଚନା ପ୍ରକାଶ ପାଇଲେ ଆସନ୍ନ ଅର୍ଥନୈତିକ ଅବପାତ ଭୟରେ ଜଡ଼ସଡ଼ ହୋଇ ଯାଆନ୍ତି।
ଅର୍ଥନୈତିକ ଅନୁଶୀଳନକାରୀମାନେ ବର୍ତ୍ତମାନ ଭାରତର ଘରୋଇ ସଞ୍ଚୟ ଦୃଶ୍ୟପଟରେ ଏଇଭଳି ଅଶୁଭ ସଂକେତ ଦେଖା ଦେଲାଣି ବୋଲି ଆଶଙ୍କା ପ୍ରକାଶ କରିବା ଆରମ୍ଭ କଲେଣି। ନିକଟରେ ପ୍ରକାଶିତ ରିଜର୍ଭ ବ୍ୟାଙ୍କ୍ ବୁଲେଟିନ୍ରେ ପ୍ରଦତ୍ତ ସୂଚନା ଅନୁସାରେ ୨୦୨୨-୨୩ରେ ଭାରତର ନେଟ୍ ଘରୋଇ ବିତ୍ତୀୟ ସଞ୍ଚୟ ଥିଲା ଦେଶର ‘ମୋଟ ଜାତୀୟ ଉତ୍ପାଦ’ ବା ‘ଜିଡିପି’ର ୫.୧ ଶତାଂଶ ମାତ୍ର, ଯାହା ହେଉଛି ବିଗତ କେତେ ଦଶନ୍ଧି ମଧ୍ୟରେ ସର୍ବନିମ୍ନ। କେତେକ ଅନୁଶୀଳନକାରୀ ୨୦୦୦ ଦଶକରେ ଭାରତୀୟ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ହାର ସେ ସମୟର ଉଚ୍ଚ ସଞ୍ଚୟ ହାର ଯୋଗୁଁ ସମ୍ଭବ ହୋଇଥିଲା ବୋଲି ଦାବି କରି, ଏହି ନୀଚା ସଞ୍ଚୟ ହାର ଏକ ନୀଚା ଅଭିବୃଦ୍ଧି ହାର ଓ ମାନ୍ଦା ଅବସ୍ଥାର ପୂର୍ବ ସୂଚନା ବହନ କରୁଛି ବୋଲି ସତର୍କବାଣୀ ପ୍ରସାର କରିବାକୁ ଲାଗିଲେଣି। ଭାରତୀୟ ଅର୍ଥନୀତିର ପରିଚାଳନା ଦାୟିତ୍ବ ନିର୍ବାହ କରୁଥିବା କେନ୍ଦ୍ର ସରକାରଙ୍କର ବିତ୍ତ ମନ୍ତ୍ରଣାଳୟ ଛାନିଆ ହୋଇ ସ୍ପଷ୍ଟୀକରଣ ପ୍ରଦାନ କଲାଣି ଯେ ନୀଚା ବିତ୍ତୀୟ ସଞ୍ଚୟ ହାର ଭାରତର ପରିବାରମାନଙ୍କର ଅର୍ଥନୈତିକ ଦୁରବସ୍ଥାର ପରିଚାୟକ ନୁହେଁ, ବରଂ ସେମାନେ ନିଜର ପରିସଂପତ୍ତିକୁ କେଉଁ ଆକାରରେ ରଖିବେ, ସେ ନେଇ ସେମାନଙ୍କର ପସନ୍ଦରେ ପରିବର୍ତ୍ତନର ପରିଚାୟକ। ସରକାରଙ୍କ ଅନୁସାରେ ପରିବାରମାନେ ଅର୍ଥ ଆକାରରେ ସଞ୍ଚୟ ନକରି ବସ୍ତୁ ଆକାରରେ ସଞ୍ଚୟ କରିବାକୁ ଅଧିକ ପସନ୍ଦ କରୁଥିବାରୁ ବିତ୍ତୀୟ ସଞ୍ଚୟର ଅନୁପାତ ଏଭଳି ନୀଚା ହୋଇଛି।
ଉପଲବ୍ଧ ସୂଚନାରୁ ଜଣାଯାଏ ଯେ କୋଭିଡ୍ର ପୂର୍ବ ବର୍ଷ ୨୦୧୯-୨୦ରେ ଏହି ଘରୋଇ ବିତ୍ତୀୟ ସଞ୍ଚୟ ଅନୁପାତ ‘ଜିଡିପି’ର ୮.୧ ଶତାଂଶ ଥିବା ବେଳେ କୋଭିଡ୍ ପର ବର୍ଷ ୨୦୨୨-୨୩ରେ ତାହା ହୋଇଛି ୫.୧ ଶତାଂଶ; ଅର୍ଥାତ୍ ବିତ୍ତୀୟ ସଞ୍ଚୟ ଅନୁପାତରେ ଏହି ୩ ଶତାଂଶ ସ୍ଖଳନ କେବଳ କୋଭିଡ୍ ଯୋଗୁଁ ଘଟିଛି ବୋଲି କୁହାଯାଇ ପାରିବ ନାହିଁ। ଏକ ଅନୁଶୀଳନରୁ ଜଣାଯାଏ ଯେ ଏହି ସମୟ ମଧ୍ୟରେ ପରିବାର ମାନଙ୍କର ବିତ୍ତୀୟ ଦେୟରେ ୨ ଶତାଂଶ ହାରରେ ବୃଦ୍ଧି ଘଟିଛି, ଅର୍ଥାତ୍ ସେମାନେ କରିଥିବା ବିତ୍ତୀୟ ଋଣରେ ଏହି ବୃଦ୍ଧି ଘଟିଛି। ଏଣୁ କୁହାଯାଇପାରେ େଯ ବିତ୍ତୀୟ ସଞ୍ଚୟ ଅନୁପାତରେ ଘଟିଥିବା ହ୍ରାସର କାରଣ ହେଉଛି ବିତ୍ତୀୟ ଦେୟରେ ଘଟିଥିବା ଏହି ବୃଦ୍ଧି। ଅନେକ ସମୟରେ ଘର, ଗାଡ଼ି, ଫ୍ରିଜ୍, ଟିଭି ଆଦି ଭଳି ବସ୍ତୁଗତ ପରିସଂପତ୍ତି ହାସଲ କରିବା ନିମିତ୍ତ ପରିବାରମାନେ ଏଭଳି ଋଣ କରିଥାନ୍ତି, ଏଣୁ ଏହାକୁ ସେମାନଙ୍କର ପରିସଂପତ୍ତି ଧାରଣ ପସନ୍ଦରେ ପରିବର୍ତ୍ତନ ବୋଲି କୁହାଯାଉଛି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେତେବେଳେ ଘରୋଇ ବିତ୍ତୀୟ ସଞ୍ଚୟ ଅନୁପାତରେ ଏଭଳି ସ୍ଖଳନ ଦେଖାଯାଇଛି, ସେତେବେଳେ ସାମଗ୍ରିକ ଘରୋଇ ସଞ୍ଚୟ ହାର କିମ୍ବା ଜାତୀୟ ସଞ୍ଚୟ ହାରରେ ଏଭଳି ସ୍ଖଳନ ଦେଖାଯାଇ ନାହିଁ, ଯାହା ୨୦୨୧-୨୨ରେ ଥିଲା ଯଥାକ୍ରମେ ୧୯.୭ ଶତାଂଶ ଓ ୩୦.୨ ଶତାଂଶ- ଉଭୟ ହାର ୨୦୧୯-୨୦ ହାର ଠାରୁ ସାମାନ୍ୟ ଅଧିକ ମଧ୍ୟ। ଏହି ୩୦.୨ ଶତାଂଶ ଜାତୀୟ ସଞ୍ଚୟ ହାର ହେଉଛି ଅଧିକାଂଶ ବିକାଶଶୀଳ ଦେଶମାନେ ହାସଲ କରିପାରିଥିବା ସଞ୍ଚୟ ହାର ଠାରୁ ଉଚ୍ଚତର। କିନ୍ତୁ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଏହି ଶତାବ୍ଦୀର ପ୍ରଥମ ଦଶକରେ ଭାରତ ହାସଲ କରିଥିବା ସଞ୍ଚୟ ହାର ୩୫-୩୬ ଶତାଂଶ ଛୁଇଁ ପାରିଥିଲା। ଆମେ ବର୍ତ୍ତମାନ ଯେଉଁ ୭-୮ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ, ତାହା ସାକାର କରିବାକୁ ହେଲେ ଆମକୁ ପୂର୍ବର ସେଇ ଉଚ୍ଚ ହାରରେ ପୁଣି ସଞ୍ଚୟ କରିବାକୁ ହେବ। ବର୍ତ୍ତମାନ ପାଇଁ ନୀଚା ଘରୋଇ ବିତ୍ତୀୟ ସଞ୍ଚୟ ହାର ଏକ ପାଳ ଦଉଡ଼ି ହୋଇଥାଇ ପାରେ, କିନ୍ତୁ ତାହାକୁ ଆଳ କରି ସାମଗ୍ରିକ ଜାତୀୟ ସଞ୍ଚୟ ହାରରେ ବୃଦ୍ଧିର ଆବଶ୍ୟକତାକୁ ଆମେ ଏଡ଼ାଇ ଦେଇ ପାରିବା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)