ପାରସ୍ୟର ସମ୍ରାଟ ଅଲଫତେ ଶା’ ଥିଲେ ଜଣେ ଅତି ଶକ୍ତିଶାଳୀ, ଉଦ୍ଧତ, ଅହ˚କାରୀ ଓ ଅତ୍ୟାଚାରୀ ରାଜା। ସେ ସବୁ ବେଳେ ଜୋର‌୍‌ ଯାର ମୁଲକ ତାର ନୀତି ଉପରେ ବିଶ୍ବାସ କରୁଥିଲେ। ପଡ଼ୋଶୀ ରାଜ୍ୟଗୁଡ଼ିକୁ ଲୁଣ୍ଠନ କରୁଥିଲେ ଓ ଅତି ବିଳାସମୟ ଜୀବନ ଜିଉଥିଲେ।
ଦିନକର କଥା। ସୁଫି ସନ୍ଥ ଫିରୋଜ ଅଲଫତେ ଶା’ଙ୍କ ଦରବାରରେ ପହଞ୍ଚିଲେ। ସେ ରାଜାଙ୍କୁ କହିଲେ- ରାଜା, ଆପଣଙ୍କ ଜୀବନରେ ବହୁତ ଦୁଃଖ ଭୋଗିବାର ଅଛି। ତେଣୁ ପ୍ରସ୍ତୁତ ରହନ୍ତୁ।
ରାଜା ପଚାରିଲେ- ଦୁଃଖ କଅଣ? ମୁଁ କଅଣ ଯୁଦ୍ଧରେ ହାରିଯିବି ନା ଶତ୍ରୁ ହାତରେ ମରିବି ନା ଦରିଦ୍ର ହୋଇଯିବି?
ଫିରୋଜ କହିଲେ- ନା, ଏ ସବୁଥିରୁ କୌଣସିଟି ହେବନାହିଁ। କିନ୍ତୁ ତୁମେ ଭାରି କଷ୍ଟ ଭୋଗିବ। କାରଣ ତୁମେ ଗୋଟିଏ ସୁପୁତ୍ରର ଜନକ ହେବାକୁ ଯାଉଚ।
ରାଜା ଅଟ୍ଟହାସ୍ୟ କଲେ ଓ କହିଲେ- ପାଗଳ।
ଅଲଫତେ ଶା’ ପିତା ହେଲେ। ତାଙ୍କର ଏକମାତ୍ର ଅଲିଅଳ ପୁତ୍ର ଶିକ୍ଷା ସମାପ୍ତ କରି ଯୋଗ୍ୟ ହେଲା। ରାଜା ଖୁସିରେ ନାଚି ଉଠିଲେ। କିନ୍ତୁ କିଛି ଦିନ ଭିତରେ ଅଲଫତେ ଶା’ ବିଚଳିତ ହୋଇ ଉଠିଲେ। କାରଣ ଯୁବରାଜ ଠିକ୍‌ ତାଙ୍କର ବିପରୀତ ଥିଲେ। ଯୁବରାଜ ଥିଲେ ଜ୍ଞାନୀ, ବିଚାରବନ୍ତ, କରୁଣାମୟ, ଦାନୀ, ବିନୟୀ। ଏବେ ଅଲଫତେ ଶା’ଙ୍କୁ ଲାଗିଲା ଯେ ପୁତ୍ର ହାତରେ ରାଜ୍ୟ ଓ ରାଜପଦ ନିରାପଦ ନୁହେଁ। ସେ ଯୁବରାଜଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେଲେ। ପରିଶେଷରେ ରାଜପୁତ୍ରଙ୍କୁ ସେ ରାଜ୍ୟରୁ ନିର୍ବାସିତ କରିଦେଲେ। କିନ୍ତୁ ତା ପରେ ସେ ବି ଦୁଃଖରେ ଭାଙ୍ଗି ପଡ଼ିଲେ। ତାଙ୍କର ସବୁ କିଛି ଥିଲା, କିନ୍ତୁ କିଛି ନ ଥିଲା ଭଳି। ଏବେ ସନ୍ଥ ଫିରୋଜଙ୍କ କଥା ତାଙ୍କର ମନେ ପଡ଼ିଗଲା।