ଯଦିଓ, ଗୋଟିଏ ଗୋଷ୍ଠୀର ରଣନୀତି ବିଶେଷଜ୍ଞ କହିଥାଆନ୍ତି ଯେ ‘ଦିବ୍ୟାସ୍ତ୍ର’ର ପରୀକ୍ଷା ଏହି ଉପମହାଦେଶୀୟ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ତୀବ୍ର କରିବ, ଯହିଁରେ ‘ମାର୍ଭ‌୍’ କ୍ଷମତା ଲାଭ କରିବା ଲାଗି ଅଚିରେ ପାକିସ୍ତାନ ଉଦ୍ୟମରତ ହୋଇପାରେ ଏବଂ ତଦ୍ଦ୍ବାରା ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇପାରେ। କିନ୍ତୁ ଏହି ମତକୁ ଗ୍ରହଣ କରୁ ନ ଥିବା ଅନେକ ରଣନୀତିଜ୍ଞ କହିଥାଆନ୍ତି ଯେ ଦିବ୍ୟାସ୍ତ୍ର ହେଉଛି ବାସ୍ତବରେ ଏକ ଶାନ୍ତି ପ୍ରତିଷ୍ଠାର ଅସ୍ତ୍ର; କାରଣ ଭାରତର ଏହି ସାମର୍ଥ୍ୟ ଚୀନ୍‌କୁ ଯୁଦ୍ଧ ଉସୁକାଇବାର ଅଭ୍ୟାସରୁ ଦୂରେଇ ରଖିବ; ଭାରତ ଉପରେ କୌଣସି ପ୍ରକାର ସାମରିକ ଆକ୍ରମଣର ଚିନ୍ତା ‘ଦିବ୍ୟାସ୍ତ୍ର’ ଦ୍ବାରା ଅନିବାର୍ଯ୍ୟ ପ୍ରତିଶୋଧର ଆଶଙ୍କା ଦ୍ବାରା ମୁଣ୍ଡ ଟେକିବ ନାହିଁ। ସୁତରାଂ, ସାମରିକ ଶକ୍ତିରେ ଭାରସାମ୍ୟ ଆଣୁଥିବା ଏହି ଅସ୍ତ୍ର ପ୍ରକୃତ ପକ୍ଷରେ ଶାନ୍ତି ସ୍ଥାପନ କରିବ!

Advertisment

ଗଲା ୧୧ ତାରିଖରେ ଭାରତ ଦ୍ବାରା ହୋଇଥିବା ‘ଦିବ୍ୟାସ୍ତ୍ର’ ନାମକ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କେତେକ ଦୃଷ୍ଟିରୁ ଐତିହାସିକ ଏବଂ ପ୍ରତିରକ୍ଷା ପରିପ୍ରେକ୍ଷୀରେ ଭାରତ ସକାଶେ ଏହା ଏକ ବିରଳ ଉପଲବ୍‌ଧି ବୋଲି ସମର ବିଶାରଦମାନେ ମତ ପ୍ରଦାନ କରନ୍ତି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ସଂପ୍ରତି ଆନ୍ତର୍ଜାତିକ ଦୃଶ୍ୟପଟରେ ଯେଉଁଭଳି ଷଡ୍‌ଯନ୍ତ୍ର, ମନୋମାଳିନ୍ୟ, ତିକ୍ତତା, ବିଶ୍ବାସହାନି, ଅନଧିକାର ଅତିକ୍ରମଣର ଅଭିଳାଷ ଏବଂ ଦାଦାଗିରି ଇତ୍ୟାଦି ପରିଦୃଷ୍ଟ ହେବାରେ ଲାଗିଛି; ଦ୍ବିତୀୟ ମହାଯୁଦ୍ଧ ଉପରାନ୍ତ କୌଣସି ସମୟ ଖଣ୍ଡରେ ସେଭଳି ଘଟି ନ ଥିଲା। ଏହା ମଧ୍ୟ ସତ ଯେ ୧୯୪୫ ମସିହାରେ ପରମାଣୁ ବୋମା କାରଣରୁ ଜାପାନର ହିରୋସୀମା ଏବଂ ନାଗାସାକୀ ଭସ୍ମୀଭୂତ ହୋଇଯିବା ପରେ ଏଭଳି ଦାରୁଣ ବିଭୀଷିକାର ପୁନରାବୃତ୍ତି ନ ଘଟୁ ବୋଲି ଅନୁତପ୍ତ ପୃଥିବୀର ପଣ ଏବଂ ପ୍ରୟାସ ମଧ୍ୟ ଇତିମଧ୍ୟରେ ଦୃଢ଼ତା ହରାଇବାକୁ ଲାଗିଲାଣି; ଯାହା ହୋଇ ନ ଥିଲେ ଆଣବିକ ଆକ୍ରମଣର ଧମକମାନ ବାରମ୍ବାର ଶୁଣିବାକୁ ମିଳୁ ନ ଥାଆନ୍ତା ବା କେତେକ ରାଷ୍ଟ୍ର ଅପେକ୍ଷାକୃତ ସ୍ବଳ୍ପ କ୍ଷମତାସଂପନ୍ନ ଆଣବିକ ବୋମାମାନ ପ୍ରସ୍ତୁତ କରି ଯୁଦ୍ଧ ସମୟରେ ସେ ସବୁକୁ ପ୍ରୟୋଗ କରିବାର ସଂଭାବନାକୁ ଉଜ୍ଜୀବିତ କରି ରଖନ୍ତେ ନାହିଁ! ସେହି ଦୃଷ୍ଟିରୁ ଏଭଳି ଏକ ପରିବେଶରେ ଭାରତର ‘ଦିବ୍ୟାସ୍ତ୍ର’କୁ କେଉଁ ଦୃଷ୍ଟିରେ ଦେଖାଯିବା ଉଚିତ, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ତେବେ ପ୍ରଥମେ ‘ଅଗ୍ନି-୫’ ଶୃଙ୍ଖଳାର ଏହି ଅତ୍ୟାଧୁନିକ ଅସ୍ତ୍ରର ବିଶେଷତ୍ବ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ‘ମଲ୍‌ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକଲ୍’ ବା ‘ଏମ୍‌.ଆଇ.ଆର୍‌.ଭି.’ ବା ସଂକ୍ଷେପରେ ‘ମାର୍ଭ‌୍’ ପ୍ରଯୁକ୍ତି ଦ୍ବାରା ପରିଚାଳିତ ଏହି ‌କ୍ଷେପଣାସ୍ତ୍ରଟି ନିର୍ମାଣ କରି ଭାରତ ଏଭଳି ବିରଳ କୃତିତ୍ବର ଅଧିକାରୀ ହୋଇ ପାରିଥିବା ପୃଥିବୀର ମାତ୍ର ପାଞ୍ଚଟି ରାଷ୍ଟ୍ରଙ୍କ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇପାରିଛି; ଯହିଁରେ ତାହାର ସଙ୍ଗୀ ରାଷ୍ଟ୍ରଗୁଡ଼ିକ ହେଲେ ଯୁକ୍ତରାଷ୍ଟ୍ର ଆମେରିକା, ୟୁ.କେ., ଫ୍ରାନ୍‌ସ, ରୁଷିଆ ଏବଂ ଚୀନ୍। ସରଳ ଭାବେ କହିଲେ ଏହି ‘ମାର୍ଭ‌୍’ କ୍ଷେପଣାସ୍ତ୍ର ପାରଂପରିକ କ୍ଷେପଣାସ୍ତ୍ର ଭଳି ଗୋଟିଏମାତ୍ର ସ୍ଥାନରେ ଲକ୍ଷ୍ୟ ଭେଦ ନ କରି ଅନେକ ସ୍ଥାନରେ ଏକକାଳୀନ ଲକ୍ଷ୍ୟ ଭେଦ କରିପାରିବ; ଯାହାର ଅର୍ଥ ଏଥିରେ ଥିବା ଏକାଧିକ କ୍ଷେପଣାସ୍ତ୍ର ବିଭିନ୍ନ ଦିଗରେ ନିର୍ଗତ ହୋଇ ବିକ୍ଷିପ୍ତ ଭାବେ ରହିଥିବା ଲକ୍ଷ୍ୟ ସ୍ଥଳଗୁଡ଼ିକ ଉପରେ ପ୍ରହାର କରିପାରିବେ। କେବଳ ସେତିକି ନୁହେଁ, ଏହି ସମସ୍ତ କ୍ଷେପଣାସ୍ତ୍ର ସ୍ବୟଂକ୍ରିୟ ହୋଇ ସ୍ବାଧୀନ ଭାବେ ପରିଚାଳିତ ହୋଇପାରିବେ। ସୁତରାଂ, ଗୋଟିଏ ‘ମାର୍ଭ‌୍’ ମିସାଇଲ୍‌କୁ ଛେଦ ବା ନିଷ୍କ୍ରିୟ କରିବା ପ୍ରତିପକ୍ଷ ସକାଶେ ଅତ୍ୟନ୍ତ ମୁସ୍କିଲ ବ୍ୟାପାର ହୋଇ ଉଠିବ। ଏହା ସୁବିଦିତ ଯେ ‘ଅଗ୍ନି-୫’ ଶୃଙ୍ଖଳାର କ୍ଷେପଣାସ୍ତ୍ରଗୁଡ଼ିକ ୫୦୦୦ କିଲୋମିଟର ଦୂରତ୍ବ ଅତିକ୍ରମ କରି ନିଶାଣ ସାଧିବାର ସାମର୍ଥ୍ୟ ରଖନ୍ତି। ଯଦିଓ, ‘ଦିବ୍ୟାସ୍ତ୍ର’ର ଦୂରତ୍ବ ଅତିକ୍ରମୀ ସାମର୍ଥ୍ୟ ଏ ଯାବତ୍‌ ଅସ୍ପଷ୍ଟତା ମଧ୍ୟରେ ରହିଛି, ଏହା ଯେ ୫୫୦୦ କିଲୋମିଟରରୁ ଅଧିକ ସେ ନେଇ ଅନେକ ବିଶେଷଜ୍ଞ ଦୃଢ଼ମତ ହୋଇ କହିଥାଆନ୍ତି ଯେ ‘ଇଣ୍ଟର୍ ରେଂଜ୍‌ ବାଲାଷ୍ଟିକ୍‌ ମିସାଇଲ୍‌’ ବା ‘ଆଇ.ଆର୍.ବି.ଏମ୍‌.’ ପର୍ଯ୍ୟାୟଭୁକ୍ତ ୫୦୦୦ କିଲୋମିଟର ଦୂରଗାମୀ କ୍ଷେପଣାସ୍ତ୍ରର ସମାର୍ଥ୍ୟକୁ ଅତିକ୍ରମ କରିଥିବାରୁ ଏହାକୁ ‘ଇଣ୍ଟର୍ କଣ୍ଟିନେଣ୍ଟାଲ୍ ବାଲାଷ୍ଟିକ୍‌ ମିସାଇଲ୍‌’ ବା ‘ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର’ ଶ୍ରେଣୀଭୁକ୍ତ ବୋଲି କୁହାଯାଇପାରେ; ଯଦିଓ ‘ଡି.ଆର୍.ଡି.ଓ.’ର ପୂର୍ବତନ ମୁଖ୍ୟ ବିଜୟ କୁମାର ସାରସ୍ବତ ଏଥିରେ ସମ୍ମତ ନ ହୋଇ କହନ୍ତି ଯେ ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ହେବା ସକାଶେ ଦିବ୍ୟାସ୍ତ୍ରକୁ ୧୦,୦୦୦ କିଲୋମିଟର ଦୂରତା ଅତିକ୍ରମ କରିବା ଆବଶ୍ୟକ। କିନ୍ତୁ, ଏହି ତର୍କକୁ ଅତିକ୍ରମ କରିଗଲେ ଆଉ ଯାହା ଦିଶିଥାଏ, ତାହା ହେଲା ‘ଦିବ୍ୟାସ୍ତ୍ର’ ଦ୍ବାରା ଭାରତ ତା’ ଉପରେ ଦାଉ ସାଧୁଥିବା ସର୍ବାଧିକ ଉପଦ୍ରବକାରୀ ପ୍ରତିପକ୍ଷ ଚୀନ୍‌ର ସମସ୍ତ ଅଞ୍ଚଳକୁ ଆପଣା ନିଶାଣ ପରିସର ଅନ୍ତର୍ଭୁକ୍ତ କରିପାରିଛି। ଭାରତର ଏଭଳି ପ୍ରୟାସ ନେଇ ଚୀନ୍ କିଭଳି ଉଦ୍‌ବିଗ୍ନ ତାହାର ପ୍ରମାଣ ମିଳିଥିଲା, ଯେତେବେଳେ ଉତ୍‌କ୍ଷେପଣ ସ୍ଥଳ ନିକଟବର୍ତ୍ତୀ ଭାରତ ମହାସାଗରରେ ଏକ ଚୀନା ଜାହାଜର ଆବିର୍ଭାବ ଘଟିଥିଲା, ଯାହା ଏକ ନିରୀହ ଗବେଷଣାକାରୀ ଜାହାଜ ବୋଲି ଚୀନ୍‌ର ସଫେଇ ବିଶ୍ବାସଯୋଗ୍ୟ ହୋଇ ନ ଥାଏ। ସମର ବିଶାରଦମାନେ ଏକମତ ଯେ ‘ଦିବ୍ୟାସ୍ତ୍ର’ର ସାମର୍ଥ୍ୟ ପରଖିବା ଲାଗି ଏହା ଚୀନ୍ ଦ୍ବାରା ଏକ ଗୁପ୍ତଚରସୁଲଭ କାର୍ଯ୍ୟ; ଯାହା ବିଗତ ଆଠ ମାସ ମଧ୍ୟରେ ଦ୍ବିତୀୟ ଥର ଲାଗି ଘଟିଛି ଏବଂ ପ୍ରଥମ ଥର ମଧ୍ୟ ଅନୁରୂପ ଭାବେ ଭାରତ ଏକ କ୍ଷେପଣାସ୍ତ୍ରର ପରୀକ୍ଷା କରୁଥିଲା। ଏହି ଦୃଷ୍ଟିରୁ ‘ଦିବ୍ୟାସ୍ତ୍ର’ର ଭୂ-ରଣନୈତିକ ଭୂମିକା ଉପରେ ମଧ୍ୟ ଆଲୋଚନାକୁ ସଂପ୍ରସାରିତ କରାଯାଇପାରେ।
ଯଦିଓ, ଗୋଟିଏ ଗୋଷ୍ଠୀର ରଣନୀତି ବିଶେଷଜ୍ଞ କହିଥାଆନ୍ତି ଯେ ‘ଦିବ୍ୟାସ୍ତ୍ର’ର ପରୀକ୍ଷା ଏହି ଉପମହାଦେଶୀୟ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ତୀବ୍ର କରିବ, ଯହିଁରେ ‘ମାର୍ଭ‌୍’ କ୍ଷମତା ଲାଭ କରିବା ଲାଗି ଅଚିରେ ପାକିସ୍ତାନ ଉଦ୍ୟମରତ ହୋଇପାରେ ଏବଂ ତଦ୍ଦ୍ବାରା ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇପାରେ। କିନ୍ତୁ ଏହି ମତକୁ ଗ୍ରହଣ କରୁ ନ ଥିବା ଅନେକ ରଣନୀତିଜ୍ଞ କହିଥାଆନ୍ତି ଯେ ଦିବ୍ୟାସ୍ତ୍ର ହେଉଛି ବାସ୍ତବରେ ଏକ ଶାନ୍ତି ପ୍ରତିଷ୍ଠାର ଅସ୍ତ୍ର; କାରଣ ଭାରତର ଏହି ସାମର୍ଥ୍ୟ ଚୀନ୍‌କୁ ଯୁଦ୍ଧ ଉସୁକାଇବାର ଅଭ୍ୟାସରୁ ଦୂରେଇ ରଖିବ; ଭାରତ ଉପରେ କୌଣସି ପ୍ରକାର ସାମରିକ ଆକ୍ରମଣର ଚିନ୍ତା ‘ଦିବ୍ୟାସ୍ତ୍ର’ ଦ୍ବାରା ଅନିବାର୍ଯ୍ୟ ପ୍ରତିଶୋଧର ଆଶଙ୍କା ଦ୍ବାରା ମୁଣ୍ଡ ଟେକିବ ନାହିଁ। ସୁତରାଂ, ସାମରିକ ଶକ୍ତିରେ ଭାରସାମ୍ୟ ଆଣୁଥିବା ଏହି ଅସ୍ତ୍ର ପ୍ରକୃତ ପକ୍ଷରେ ଶାନ୍ତି ସ୍ଥାପନ କରିବ!
ଏହି ପରିପ୍ରେକ୍ଷୀରେ ପଞ୍ଚମ ବା ଷଷ୍ଠ ଶତାବ୍ଦୀର ପ୍ରସିଦ୍ଧ ଭାରତୀୟ ବୌଦ୍ଧ ଧର୍ମ ପ୍ରଚାରକ ବୋଧିଧର୍ମ ସ୍ମରଣକୁ ଆସନ୍ତି। ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଚୀନ୍ ଗସ୍ତ କରିଥିବା ଏହି କିଂବଦନ୍ତୀୟ ଭାରତୀୟ ବୌଦ୍ଧ ସନ୍ନ୍ୟାସୀଙ୍କୁ ପୃଥିବୀ ପ୍ରସିଦ୍ଧ ଚୀନା ସମର କଳା (‘ମାର୍ସିଆଲ୍‌ ଆର୍ଟ‌୍’) କୁଂଫୁର ଜନକ ରୂପେ ଅଭିହିତ କରାଯାଇଥାଏ। ଏହା ସୁବିଦିତ ଯେ ଚୀନ୍‌ର ବୌଦ୍ଧ ମନ୍ଦିର ବା ‘ସାଓଲିନ୍’ମାନଙ୍କରେ ବୌଦ୍ଧ ଭିକ୍ଷୁମାନଙ୍କ ହେପାଜତରେ କୁଂଫୁ ବିକାଶ ଲାଭ କରି ସଂପ୍ରତି ପୃଥିବୀର ଏକ ସର୍ବଶ୍ରେଷ୍ଠ ଏବଂ ସର୍ବାଧିକ ଜନପ୍ରିୟ ସମର କଳାରେ ପରିଣତ ହୋଇପାରିଛି। ପ୍ରକାଶ ଥାଉ କି ଶାନ୍ତିପ୍ରିୟ ବୌଦ୍ଧ ଭିକ୍ଷୁମାନେ ଦସ୍ୟୁ ଏବଂ ଯୁଦ୍ଧଖୋର୍ ଜନଜାତି ଆଦିଙ୍କ ଉପଦ୍ରବରେ ଅତିଷ୍ଠ ହେବାରୁ ବୋଧିଧର୍ମ କୁଂଫୁର ଉଦ୍ଭାବନ କରିଥିଲେ। ସଂପୂର୍ଣ୍ଣ ଆତ୍ମରକ୍ଷାମୂଳକ ଆଭିମୁଖ୍ୟ ବହନକାରୀ ଏହି ସମର କଳା ଉଭୟ ଶାରୀରିକ ଏବଂ ମାନସିକ ଭାବେ ବୌଦ୍ଧି ଭିକ୍ଷୁମାନଙ୍କୁ ଯେଉଁ ମାନବ ସାମର୍ଥ୍ୟ ଅତିକ୍ରମୀ ଦୃଢ଼ତା ପ୍ରଦାନ କଲା, ସେଥିରେ ଉପଦ୍ରବକାରୀମାନେ ଅଗତ୍ୟା ସେମାନଙ୍କ ପଥରୁ ଅନ୍ତର୍ହିତ ହେଲେ; ଅଥଚ କୁଂଫୁ କୌଣସି ବୌଦ୍ଧ ଭିକ୍ଷୁଙ୍କୁ ହିଂସ୍ର କଲା ନାହିଁ। ‘ଦିବ୍ୟାସ୍ତ୍ର’ରେ ଆମେମାନେ କୁଂଫୁର ଏକ ସମାନ୍ତରାଳ ଆବିଷ୍କାର କରିବା ଉଚିତ; କାରଣ ‘ଦିବ୍ୟାସ୍ତ୍ର’ ଭାରତକୁ ସୁରକ୍ଷିତ ରହିବାର ସାମର୍ଥ୍ୟ ପ୍ରଦାନ କରୁଥିବା ବେଳେ ଉପଦ୍ରବକାରୀମାନଙ୍କୁ ଦୂରେଇ ରଖିବ; ଏଣେ, ଏହା ସତ୍ତ୍ବେ ଭାରତ ପାରଂପରିକ ଭାବେ ଏକ ଶାନ୍ତିପ୍ରିୟ ଦେଶର ସୁନାମ ମଧ୍ୟ ବହନ କରି ଚାଲିବ। ସୁତରାଂ, ‘ଦିବ୍ୟାସ୍ତ୍ର’ ହେଉଛି ଶାନ୍ତିର ଅସ୍ତ୍ର।