ବର୍ତ୍ତମାନ ‘ସେବି’ର ଦାୟିତ୍ବ ହେଉଛି ନିବେଶକମାନେ ତା’ ଉପରେ ସ୍ଥାପନ କରିଥିବା ଏହି ଭରସାକୁ ଯଥାର୍ଥ ପ୍ରତିପାଦନ କରିବା। ଅନୁସନ୍ଧାନ ଓ ନିୟନ୍ତ୍ରଣରେ ଦକ୍ଷତା ଓ ସ୍ବଚ୍ଛତା ବଜାୟ ରଖିବା ଦ୍ବାରା ହିଁ ‘ସେବି’ ଏହା ହାସଲ କରିପାରିବ। ଯଦି ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼େ ତେବେ ଆଦାନି ଗ୍ରୁପ୍‌କୁ ଦୋଷୀ ସାବ୍ୟସ୍ତ କରିବାକୁ ‘ସେବି’ ଆଗେଇ ଆସିବା ଉଚିତ ହେବ। ଯଦି ସର୍ଟ ସେଲର୍‌ର କାର୍ଯ୍ୟ ଉଦ୍ଦେଶ୍ୟମୂଳକ ଭାବରେ ନିବେଶକମାନଙ୍କୁ କ୍ଷତିଗ୍ରସ୍ତ କରିଥିବା ଜଣାପଡ଼େ, ତେବେ ଭାରତୀୟ ସେଆର୍ ବଜାରରେ ସର୍ଟ ସେଲର୍‌ମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖି ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ‘ସେବି’କୁ କଠୋର ପଦକ୍ଷେପ ନେବାକୁ ହେବ।

Advertisment

ଗତ ସପ୍ତା‌ହରେ ମାନ୍ୟବର ସୁପ୍ରିମ୍ କୋର୍ଟ ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ପ୍ରଦାନ କରିଥିବା ତାଙ୍କର ବହୁପ୍ରତୀକ୍ଷିତ ରାୟରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଆବେଦନକ‌ାରୀମାନଙ୍କୁ ବସ୍ତୁତଃ ନଈ ନ ଦେଖୁଣୁ ଲଙ୍ଗଳା ନ ହେବାକୁ ଉପଦେଶ ଦେଇଛନ୍ତି। ଠିକ୍ ପ୍ରାୟ ବର୍ଷକ ତଳେ ସର୍ଟ ସେଲିଙ୍ଗ୍ ସଂସ୍ଥା ‘ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ’ ବିଶାଳ ଭାରତୀୟ ଶିଳ୍ପ ସଂଗଠନ ଆଦାନି ଗ୍ରୁପ୍ ବିରୁଦ୍ଧରେ ଯେଉଁ ବିସ୍ଫୋରକ ଅନିୟମିତ ଆଚରଣ ଅଭିଯୋଗ ଆଣିଥିଲା, ତାହାର ସାରମର୍ମ ଥିଲା ଯେ ଆଦାନି ଗ୍ରୁପ୍ ଅସାଧୁ କୌଶଳ ଅବଲମ୍ବନ କରି କୃତ୍ରିମ ଭାବରେ ଗ୍ରୁପ୍ କଂପାନିମାନଙ୍କର ସେଆର୍ ମୂଲ୍ୟରେ ବୃଦ୍ଧି ଘଟାଇ ଚାଲିଛି। ଭାରତରେ ପୁଞ୍ଜି ବଜାର ନିୟନ୍ତ୍ରକ ସଂସ୍ଥା ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ’ (‘ସେବି’) ଏହି ଅଭିଯୋଗର ସତ୍ୟତା ନିରୂପଣ କରିବା ପାଇଁ ତଦନ୍ତ ଚଳାଇଛି, ଯାହା ସମୟସାପେକ୍ଷ ହୋଇଥିବାରୁ ଏପର୍ଯ୍ୟନ୍ତ ସମାପ୍ତ ହୋଇପାରି ନାହିଁ।
ଏହା ବର୍ତ୍ତମାନ ପ୍ରତ୍ୟେକ ଭାରତୀୟକୁ ଜଣା ବିରୋଧୀ ରାଜନୈତିକ ଦଳମାନେ ଆଦାନି ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଏକ ମୁଖ୍ୟ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ପ୍ରାଣପଣେ ଚେଷ୍ଟା ଚଳାଇ ଆସିଛନ୍ତି। ଏହି ଚେଷ୍ଟାର ଅଂଶ ସ୍ବରୂପ ହିଣ୍ଡେନ୍‌ବର୍ଗ କରିଥିବା ଅଭିଯୋଗର ଅନୁସନ୍ଧାନ ଦାୟିତ୍ବରୁ ‘ସେବି’କୁ ଅବ୍ୟାହତି ଦେଇ ଅନ୍ୟ ଏକ ସ୍ବାଧୀନ ଅନୁସନ୍ଧାନ ଟିମ୍ କିମ୍ବା ‘ସିବିଆଇ’ ଉପରେ ତାହା ନ୍ୟସ୍ତ କରାଯାଉ ବୋଲି କେତେକ ଆବେଦନକାରୀ ସୁପ୍ରିମ୍ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ନିୟନ୍ତ୍ରକ ସଂସ୍ଥା ‘ସେବି’ ତା’ର ଅନୁସନ୍ଧାନ ରିପୋର୍ଟ ପ୍ରକାଶ କଲା ପରେ ଓ ତାହାକୁ ଭିତ୍ତି କରି ନିୟନ୍ତ୍ରଣମୂଳକ ପଦକ୍ଷେପ ନେବା ପରେ ତାହାର ପୁନଃ ସମୀକ୍ଷା ନିମିତ୍ତ ଅଦାଲତଙ୍କ ନିକଟରେ ଆବେଦନ କରାଯାଇପାରେ; କିନ୍ତୁ ସେ ପ୍ରକ୍ରିୟା ସମାପ୍ତ ହେବା ପୂର୍ବରୁ କେବଳ କେତେକ ଉଡ଼ା ଖବରକୁ ଆଧାର କରି ଅଦାଲତଙ୍କ ନିକଟରେ ଆବେଦନ ଧରି ପହଞ୍ଚିଗଲେ ତାହା ଓଲଟା ଫଳ ପ୍ରଦାନ କରିପାରେ ବୋଲି ମାମଲାର ବିଚାର କରୁଥିବା ମୁଖ୍ୟ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ତିନିଜଣିଆ ବେଞ୍ଚ୍ ଉଭୟ ଓକିଲ ଓ ନାଗରିକ ସମାଜର ସଦସ୍ୟମାନଙ୍କୁ ସାବଧାନ କରି ଦେଇଛନ୍ତି।
ଏଭଳି ଆବେଦନ ଯେ ବସ୍ତୁତଃ ହେଉଛି ‘ସେବି’ର ନିୟନ୍ତ୍ରଣ ଓ ଅନୁସନ୍ଧାନ ଦକ୍ଷତା ବିରୁଦ୍ଧରେ ଆଗତ ଏକ ଅନାସ୍ଥା ପ୍ରସ୍ତାବ, ତାହା ଅଦାଲତଙ୍କ ଦୃଷ୍ଟି ଏଡ଼ାଇ ପାରିନାହିଁ। ସୁପ୍ରିମ୍ କୋର୍ଟ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସମ୍ମୁଖରେ ଦାଖଲ କରାଯାଇଥିବା ନଥିପତ୍ରରୁ ‘ସେବି’ ଜାଣିଶୁଣି ଅନୁସନ୍ଧାନରେ ନିଷ୍କ୍ରିୟତା ଅବଲମ୍ବନ କରିଥିବାର କିମ୍ବା ନିୟନ୍ତ୍ରଣରେ ବିଫଳ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ। ସେଇଭଳି, ହିଣ୍ଡେନ୍‌ବର୍ଗ ଅଭିଯୋଗର ଅନୁସନ୍ଧାନ କରିବା ପାଇଁ ସୁପ୍ରିମ୍ କୋର୍ଟ ଯେଉଁ ପ୍ୟାନେଲ୍ ଗଠନ କରିଛନ୍ତି, ତାହାର ସଦସ୍ୟମାନଙ୍କ ବିରୁଦ୍ଧରେ ମଧ୍ୟ ସ୍ବାର୍ଥ ସଂଘାତ ଅଭିଯୋଗ ଆସିଛି। ସୁପ୍ରିମ୍ କୋର୍ଟ ସେ ଅଭିଯୋଗକୁ ମଧ୍ୟ ସଂପୂର୍ଣ୍ଣ ରୂ‌େପ ଭିତ୍ତିହୀନ ବୋଲି ବର୍ଣ୍ଣନା କରି ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସୁପ୍ରିମ୍ କୋର୍ଟ ଆସନ୍ତା ତିନି ମାସ ମଧ୍ୟରେ ଅନୁସନ୍ଧାନ ଶେଷ କରିବା ପାଇଁ ‘ସେବି’କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମ୍ କୋର୍ଟଙ୍କର ଏହି ରାୟ ଯେ ଆଦାନି ଗ୍ରୁପ୍ ପାଇଁ ଏକ ସାମୟିକ ଆଶ୍ବସ୍ତି ଆଣି ଦେଇଥିବ, ଏଥିରେ ସନ୍ଦେହ ନାହିଁ; କିନ୍ତୁ ତା’ଠାରୁ ମଧ୍ୟ ଯାହା ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଉଭୟ ଘରୋଇ ଓ ବିଦେଶୀ ପୁଞ୍ଜି ନିବେଶକମାନଙ୍କ ପାଇଁ ଏହି ରାୟ ବହନ କରୁଥିବା ଅନ୍ୟ ଏକ ସୂଚନା। ସେ ସୂଚନାଟି ହେଲା- ଭାରତରେ ବିତ୍ତୀୟ ବଜାର ପାଇଁ ଏକ ଉତ୍ତମ ନିୟନ୍ତ୍ରଣ ଢାଞ୍ଚା କାର୍ଯ୍ୟ କରୁଛି ଏବଂ ଜଟିଳ କାରବାର ଅନୁସନ୍ଧାନ କରିବା ନିମିତ୍ତ ଆବଶ୍ୟକ ଦକ୍ଷତା ଆମ ପାଖରେ ଉପଲବ୍‌ଧ ଅଛି।
‘ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ’ ଏକ ପରୋପକାରୀ ସଂସ୍ଥା ନୁହେଁ। ଇଏ ହେଉଛି ବଜାରରେ ଅସ୍ଥିରତା ସୃଷ୍ଟି କରି ସେଥିରୁ ଲାଭ ଉଠାଇବାରେ ସିଦ୍ଧହସ୍ତ ଏକ ‘ସର୍ଟ ସେଲର୍’। ଏଭଳି ‘ସର୍ଟ ସେଲର୍’ମାନେ ଯେଉଁ କଂପାନିକୁ ନିଶାଣ କରନ୍ତି, ପ୍ରଥମେ ବ୍ରୋକର୍‌ମାନଙ୍କ ଠାରୁ ସେ କଂପାନିର ସେଆର୍ କିଛି ଧାର ସୂତ୍ରରେ ଆଣି ସେଆର୍ ବଜାରରେ ବିକ୍ରି କରି ଦିଅନ୍ତି ଓ ପରେ ସେ କଂପାନି ବିରୁଦ୍ଧରେ ସତମିଛ ଅଭିଯୋଗମାନ ପ୍ରସାର କରିବାରେ ଲାଗିପଡ଼ନ୍ତି। କଂପାନିଟି ଏଥିଯୋଗୁଁ ବଦନାମ ‌େହାଇ ତା’ର ସେଆର୍ ମୂଲ୍ୟରେ ତୀକ୍ଷ୍‌ଣ ହ୍ରାସ ଘଟିଥାଏ (ଯେମିତି ଆଦାନି ଗ୍ରୁପ୍‌ର ବଜାର ମୂଲ୍ୟ ୧୯ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ହୋଇଯାଇଥିଲା ପ୍ରାୟ ୪ ଲକ୍ଷ କୋଟି ଟଙ୍କା ମାତ୍ର)। ଏଥର ସଂପୃକ୍ତ ସର୍ଟ ସେଲର୍ ନୀଚା ମୂଲ୍ୟରେ ଆବଶ୍ୟକ ସଂଖ୍ୟକ ସେଆର୍ କ୍ରୟ କରି ସୁଧ ସହ ଉପରୋକ୍ତ ବ୍ରୋକରକୁ ଫେରାଇ ଦିଏ। କ୍ରୟ-ବିକ୍ରୟ ମୂଲ୍ୟରେ ତଫାତ୍ ହେଉଛି ସର୍ଟ ସେଲର୍‌ର ଲାଭ। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି କଂପାନିମାନଙ୍କର ସେଆର୍ ମୂଲ୍ୟରେ ଯେଉଁ ହ୍ରାସ ଘଟିଲା ତାହା ଯୋଗୁଁ ‌େସ ସେଆର୍ ହୋଲ୍‌ଡର୍‌ମାନେ ବିଶାଳ କ୍ଷତିର ସମ୍ମୁଖୀନ ହେଲେ; କିନ୍ତୁ ସର୍ଟ ସେଲର୍ ହିଣ୍ଡେନ୍‌ବର୍ଗ ଏଥିରୁ ନିଶ୍ଚିତ ଭାବରେ ବିପୁଳ ଲାଭ ସଂଗ୍ରହ କରିଥିବ, ଯାହା ଏହି ‘ସତ୍ୟ ଅନୁସନ୍ଧାନକାରୀ’ ସଂସ୍ଥା ପ୍ରକାଶ କରିବାକୁ ଉଚିତ ମନେ କରିନାହିଁ। ଏଭଳି ସର୍ଟ ସେଲର୍‌ମାନଙ୍କର ରଣକୌଶଳ ଏକ ସୁପରିଚିତ ଓଡ଼ିଆ ଢଗ ଅନୁସା‌େର ହେଉଛି: ‘କାହାର ପୁଷମାସ, କାହାର ସର୍ବନାଶ।’
ଆଦାନି ଗ୍ରୁପ୍ ବିରୁଦ୍ଧରେ ହିଣ୍ଡେନ୍‌ବର୍ଗ ଆରମ୍ଭ କରିଥିବା ଅଭିଯାନକୁ କାଳବିଳମ୍ବ ନ କରି ଆଉ ଟିକିଏ ଆଗେଇ ନେଇଥିଲା ‘ଅର୍ଗାନାଇଜ୍‌ଡ କ୍ରାଇମ୍ ଆଣ୍ଡ୍ କରପ୍‌ସନ୍ ରିପୋଟିଙ୍ଗ୍ ପ୍ରୋଜେକ୍ଟ’ ନାମକ ଏକ ଆନ୍ତର୍ଜାତିକ ସାମ୍ବାଦିକ ଗୋଷ୍ଠୀର ରିପୋର୍ଟ, ଯେଉଁଥିରେ ଆଦାନି ଗ୍ରୁପ୍‌ରେ ନିବେଶ କରିଥିବା କେତେକ ବିଦେଶୀ କଂପାନିମାନଙ୍କର ଅସଲ ପରିଚୟକୁ ପ୍ରଶ୍ନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ‌େଯ ଏହି ଗୋଷ୍ଠୀର ଜଣେ ଅନ୍ୟତମ ପୃଷ୍ଠପୋଷକ ହେଉଛନ୍ତି ଜଣାଶୁଣା ଭାରତ ବିରୋଧୀ ବର୍ଷିଆନ୍ ବିଲିଅନେଆର୍ ମୁଦ୍ରା ବଜାର ଖେଳାଳି ଜର୍ଜ ସୋରସ୍। ସୁପ୍ରିମ୍ କୋର୍ଟ ଏହି ରିପୋର୍ଟକୁ ମଧ୍ୟ ସାକ୍ଷ୍ୟ ପ୍ରମାଣ ରୂପେ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଅର୍ଥାତ୍ ଯେକୌଣସି ଗୁଜବକୁ ସତ୍ୟ ବୋଲି ମାନ୍ୟତା ପ୍ରଦାନ କରିବାକୁ କୋର୍ଟ ପ୍ରସ୍ତୁତ ନୁହନ୍ତି। ଅବଶ୍ୟ ରାଜନୀତିରେ ସତ୍ୟ ନିରୁପଣ ପାଇଁ ଏକ ଭିନ୍ନ ମାପକାଠି ପ୍ରୟୋଗ କରାଯାଇଥାଏ; ତେଣୁ ଆଦାନି ବିରୁଦ୍ଧରେ ଏହି ସମସ୍ତ ଅଭିଯୋଗମାନଙ୍କୁ କେନ୍ଦ୍ର କରି ବିରୋଧୀ ଦଳମାନେ ଦୀର୍ଘକାଳ ଧରି ସଂସଦକୁ ଅଚଳ କରିଦେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ନି‌ୟନ୍ତ୍ରକ ସଂସ୍ଥା ‘ସେବି’ ଉପରେ ନିଜର ଆସ୍ଥା ଅତୁଟ ରହିଛି ବୋଲି ପ୍ରକାଶ କରିବା ପରେ ଆଦାନି ସେଆର୍‌ମାନଙ୍କ ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଅର୍ଥାତ୍ ନିବେଶକମାନେ ‘ସେବି’ର ଦକ୍ଷତା ଓ ନିରପେକ୍ଷତା ସମ୍ବନ୍ଧରେ ଆଶ୍ବସ୍ତ ହୋଇ ନୂତନ ଉତ୍ସାହରେ ଆଦାନି ସେଆର୍ କ୍ରୟ କରିବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ‘ସେବି’ର ଦାୟିତ୍ବ ହେଉଛି ନିବେଶକମାନେ ତା’ ଉପରେ ସ୍ଥାପନ କରିଥିବା ଏହି ଭରସାକୁ ଯଥାର୍ଥ ପ୍ରତିପାଦନ କରିବା। ଅନୁସନ୍ଧାନ ଓ ନିୟନ୍ତ୍ରଣରେ ଦକ୍ଷତା ଓ ସ୍ବଚ୍ଛତା ବଜାୟ ରଖିବା ଦ୍ବାରା ହିଁ ‘ସେବି’ ଏହା ହାସଲ କରିପାରିବ। ଯଦି ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼େ ତେବେ ଆଦାନି ଗ୍ରୁପ୍‌କୁ ଦୋଷୀ ସାବ୍ୟସ୍ତ କରିବାକୁ ‘ସେବି’ ଆଗେଇ ଆସିବା ଉଚିତ ହେବ। ଯଦି ସର୍ଟ ସେଲର୍‌ର କାର୍ଯ୍ୟ ଉଦ୍ଦେଶ୍ୟମୂଳକ ଭାବରେ ନିବେଶକମାନଙ୍କୁ କ୍ଷତିଗ୍ରସ୍ତ କରିଥିବା ଜଣାପଡ଼େ, ତେବେ ଭାରତୀୟ ସେଆର୍ ବଜାରରେ ସର୍ଟ ସେଲର୍‌ମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖି ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ‘ସେବି’କୁ କଠୋର ପଦକ୍ଷେପ ନେବାକୁ ହେବ। ସୂଚନାଯୋଗ୍ୟ, ମେରିଆମ୍ ୱେବ୍‌ଷ୍ଟାର ଡିକ୍‌ସନାରି ୨୦୨୩ ବର୍ଷର ଶବ୍ଦ ରୂପେ ବାଛିଥିବା ଶବ୍ଦ ହେଉଛି: ‘ଅଥେଣ୍ଟିକ୍’ ବା ‘ପ୍ରକୃତ ସତ୍ୟ’। ବର୍ତ୍ତମାନ ‘ସେବି’ର ଦାୟିତ୍ବ ହେଉଛି ତିନି ମାସ ମଧ୍ୟରେ ଆମକୁ ଜଣାଇବା ହିଣ୍ଡେନ୍‌ବର୍ଗ ରିପୋର୍ଟ ହେଉଛି କେତେ ‘ଅଥେଣ୍ଟିକ୍’ କିମ୍ବା କେତେ ମିଛ।