ଏହା ସ୍ବୀକାର କରିବାରେ ବାଧା ରହିବା ଉଚିତ ନୁହେଁ ଯେ ଅନିର୍ଦ୍ଦିଷ୍ଟ ଭବିଷ୍ୟତ୍ ଓ ଅସ୍ଥାୟୀ ନିଯୁକ୍ତିର ବାସ୍ତବତା ସତ୍ତ୍ବେ ଏକ ସମରତୁଲ୍ୟ ପରିବେଶରେ ରାଷ୍ଟ୍ରର ସୁରକ୍ଷା ସକାଶେ ପ୍ରାଣବଳି ଦେଉଥିବା ଜଣେ ତରୁଣ ‘ଅଗ୍ନିବୀର’ ମଧ୍ୟ ଜଣେ ଯଥାର୍ଥ ସହିଦ! ଏକ ପ୍ରଶସ୍ତମନା ରାଷ୍ଟ୍ର ସେମାନଙ୍କ ନିକଟରେ ଅକୃତଜ୍ଞ ହୋଇ ରହିପାରିବ ନାହିଁ।
ପ୍ରଚଳନ କରାଯିବାର ପ୍ରାୟ ଦୁଇ ବର୍ଷ ପରେ ଏବେ ‘ଅଗ୍ନିପଥ’ ଯୋଜନା ପୁନର୍ବାର ଘମାଘୋଟ ଆଲୋଚନାର କେନ୍ଦ୍ରରେ ବିଦ୍ୟମାନ; ଯହିଁରେ ଯୋଜନାର ପ୍ରାରମ୍ଭ କାଳରେ ସୃଷ୍ଟ ପରସ୍ପର ବିେରାଧୀ ମତାମତର ଘୂର୍ଣ୍ଣି ଝଡ଼ ସତେ ଯେମିତି ପୁନରାବିର୍ଭୂତ ହୋଇଛି। କିନ୍ତୁ ଯେଉଁ ପ୍ରସଙ୍ଗର ଉତ୍ଥାପନ ପରେ ଏହି ତର୍କ-ବିତର୍କର ପୁନରାବୃତ୍ତି ଘଟିଛି, ତାହା ଅତ୍ୟନ୍ତ ସ୍ପର୍ଶକାତର ଏବଂ ଅନେକ ଦୃଷ୍ଟିରୁ ନିର୍ମମ ମଧ୍ୟ; ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନାର ଆବଶ୍ୟକତା ରହିଛି ବୋଲି ମନେ ହୋଇଥାଏ।
ଏହାର ପୃଷ୍ଠଭୂମିରେ ଅଛି ସଦ୍ୟ ସମାପ୍ତ ଲୋକସଭା ଅଧିବେଶନରେ ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କ ଦ୍ବାରା ଅଣାଯାଇଥିବା ଏକ ଅଭିଯୋଗ ଯେ ଏକ ଯୁଦ୍ଧତୁଲ୍ୟ ପରିସ୍ଥିତିରେ କର୍ତ୍ତବ୍ୟରତ ଥାଇ ବୀରଗତି ପ୍ରାପ୍ତ ହୋଇଥିବା ଜଣେ ‘ଅଗ୍ନିବୀର’ଙ୍କ ସହିତ ସରକାରୀ ସ୍ତରରେ ନୀତିଗତ ଭାବେ ପାତରଅନ୍ତର କରାଯାଇଛି; ଯାହାର ଉଦାହରଣ ହେଉଛନ୍ତି ଗଲା ଜାନୁଆରି ମାସରେ ଜାମ୍ମୁ କାଶ୍ମୀରରେ ଏକ ‘ଲ୍ୟାଣ୍ଡ୍ମାଇନ୍’ ବିସ୍ଫୋରଣରେ ପ୍ରାଣ ହରାଇଥିବା ପଞ୍ଜାବୀ ତରୁଣ ଅଜୟ କୁମାର, ଯାହାଙ୍କୁ ରାହୁଳଙ୍କ ଆରୋପ ଅନୁସାରେ କୌଣସି କ୍ଷତିପୂରଣ ରାଶି ମିଳିନାହିଁ। ଅବଶ୍ୟ, ଏହାର ପ୍ରତ୍ୟୁତ୍ତରରେ ସାମରିକ ବାହିନୀ ପକ୍ଷରୁ ସ୍ପଷ୍ଟୀକରଣ ସ୍ବରୂପ ଏକ ହିସାବ ସହିତ ଦର୍ଶାଯାଇଛି ଯେ ସ୍ବର୍ଗତ ଅଜୟ କୁମାରଙ୍କ ନିକଟତମ ସଂପର୍କୀୟମାନଙ୍କ ସକାଶେ କ୍ଷତିପୂରଣ ଭାବେ ପ୍ରାୟ ୧ କୋଟି ୬୮ ଲକ୍ଷ ଟଙ୍କାର ଅର୍ଥ ରାଶିର ପ୍ରାବଧାନ କରାଯାଇଛି, ଯାହାର ଗୋଟିଏ ଅଂଶ ମଧ୍ୟ ସେମାନଙ୍କୁ ମିଳି ସାରିଲାଣି। ଜଣେ ନିୟମିତ ଯବାନ ହୋଇ ନ ଥିବାରୁ ଏଭଳି ସ୍ଥିତିରେ ନୀତିଗତ ଭାବେ ତାଙ୍କର କ’ଣ ପ୍ରାପ୍ୟ ବା ଅପ୍ରାପ୍ୟ ତା’ର ଧାରଣା ବହନକାରୀ ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। କହିବା ଅନାବଶ୍ୟକ ଯେ ରାହୁଳଙ୍କ ଅଭିଯୋଗ (କୌଣସି କ୍ଷତିପୂରଣ ମିଳିନାହିଁ) କିଭଳି ନିରାଧାର, ତାହା ଦର୍ଶାଇବା ହେଉଛି ଏହି ସ୍ପଷ୍ଟୀକରଣର ଉଦ୍ଦେଶ୍ୟ; ଏଣେ ଅଭିଯୋଗରେ ଅଟଳ ରହି ବିରୋଧୀ ପକ୍ଷ ଏହା ପ୍ରମାଣ କରିବାରେ େଚଷ୍ଟିତ ଯେ ଏହି ଅର୍ଥ ରାଶିର ଏକ ବଡ଼ ଅଂଶ ‘ଗ୍ରୁପ୍ ଇନ୍ସୁରାନ୍ସ’ରୁ ଆସିଥାଏ, ଯେଉଁ ପାଣ୍ଠିରେ ‘ଅଗ୍ନିବୀର’ମାନଙ୍କ ବେତନର ଏକ ଅଂଶର ଯୋଗଦାନ ରହିଥାଏ, ଅର୍ଥାତ୍ ସରକାର ବିଶେଷ କିଛି ପ୍ରଦାନ କରି ନ ଥାଆନ୍ତି। ଏହି ପରିପ୍ରେକ୍ଷୀରେ ଦେଖିବାକୁ ମିଳିଲାଣି ଯେ ଏଭଳି ଟଙ୍କା ହିସାବ-ନିକାଶର ପ୍ରକରଣରେ ପ୍ରସଙ୍ଗଟିର ସଂବେଦନଶୀଳ ଦିଗଟି କ୍ରମେ ଦୃଷ୍ଟି ଅନ୍ତରାଳକୁ ଅପସରି ଯାଉଛି; ଯାହା ହେଲା ଗୋଟିଏ ସମାନ ପ୍ରକାର ପରିସ୍ଥିତିରେ ସମାନ ଲକ୍ଷ୍ୟ ବହନ କରି କର୍ତ୍ତବ୍ୟରତ ଥିବା ଜଣେ ଯବାନ ଏବଂ ଜଣେ ‘ଅଗ୍ନିବୀର’ଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ କ୍ଷେତ୍ରରେ ରାଷ୍ଟ୍ର ପକ୍ଷରୁ ପ୍ରଦର୍ଶିତ ପ୍ରତିକ୍ରିୟାରେ ପରିଦୃଷ୍ଟ ତାରତମ୍ୟ! ଜଣେ ନିୟମିତ ଯବାନ କର୍ତ୍ତବ୍ୟରତ ଥିବାବେଳେ ମୃତ୍ୟୁବରଣ କଲେ ସମଦଶା ଭୋଗିଥିବା ଜଣେ ‘ଅଗ୍ନିବୀର’ଙ୍କ ଠାରୁ ପ୍ରାୟ ଦୁଇ ଗୁଣ ଅଧିକ ଆର୍ଥିକ କ୍ଷତିପୂରଣ ପାଇବା ସହିତ ଔପଚାରିକ ଭାବେ ‘ସହିଦ’ ବୋଲି ଘୋଷିତ ହୁଅନ୍ତି, ଯାହା ପରଲୋକଗତ ‘ଅଗ୍ନିବୀର’ଙ୍କ ଭାଗ୍ୟରେ ଜୁଟି ନ ଥାଏ। ଅନେକଙ୍କ ମତରେ ଏହାର କାରଣ ଏହା ହୋଇପାରେ ଯେ ‘ସହିଦ’ ବୋଲି ଔପଚାରିକ ଘୋଷଣା ସହିତ ତାଙ୍କ ନିକଟତମ ସଂପର୍କୀୟଙ୍କ ସକାଶେ ଆଜୀବନ ମାସିକିଆ ପେନ୍ସନ୍ର ବ୍ୟବସ୍ଥା କରିବାକୁ ହୋଇଥାଏ, ଯାହା କରିବାକୁ ହୁଏତ ସରକାର କୁଣ୍ଠିତ! କାରଣ, ସେମାନଙ୍କ ମତରେ, ‘ଅଗ୍ନିପଥ’ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ସେନାବାହିନୀର ବେତନ ଓ ପେନ୍ସନ୍ ସକାଶେ ହେଉଥିବା ବିପୁଳ ରାଜକୋଷୀୟ ବ୍ୟୟରେ ସଂକୋଚନ ଘଟାଇବା। ସେହି ଦୃଷ୍ଟିରେ ଆଜୀବନ ପେନ୍ସନ୍ ‘ଅଗ୍ନିପଥ’ ଯୋଜନାର ମୂଳ ଉଦ୍ଦେଶ୍ୟକୁ ପରାହତ କରିଥାଏ। କିନ୍ତୁ ସତ କହିଲେ କୌଣସି ‘ସହିଦ’ଙ୍କ ପରିବାର ଲାଭ କରୁଥିବା ପେନ୍ସନ୍ ତୁଳନାରେ ଯାହା ଅଧିକ ମହତ୍ତ୍ବପୂର୍ଣ୍ଣ, ତାହା ହେଲା ସେହି ପରିବାର ଲାଗି ଏକ ଆଶ୍ବାସନା ଯେ କୃତଜ୍ଞ ରାଷ୍ଟ୍ର ଏହି ଚରମ ବଳିଦାନକୁ ପାସୋରି ଯାଇନାହିଁ। ଏଭଳି ସ୍ଥିତିରେ ‘ଅଗ୍ନିବୀର’ମାନଙ୍କ ଲାଗି ଔପଚାରିକ ସହିଦତ୍ବ ଉପଲବ୍ଧ ନ ହେବା ଏକ ବିଡ଼ମ୍ବନା ଭଳି ଦିଶି ନ ଥାଏ କି?
ଇତିମଧ୍ୟରେ କ୍ଷମତାସୀନ ଏନ୍.ଡି.ଏ.ର ଦୁଇ ପ୍ରମୁଖ ଅଂଶୀଦାର ଜେଡି-ୟୁ ଓ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ‘ଅଗ୍ନିପଥ’ ଯୋଜନାର ପୁନର୍ବିଚାର ସକାଶେ ଦାବି କରାଯାଇଛି। ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରୁଥିବା ସାମରିକ ବିଶେଷଜ୍ଞମାନେ କହିଥାଆନ୍ତି ଯେ କୌଣସି ରାଷ୍ଟ୍ରର ସୁରକ୍ଷା ସଂଦର୍ଭରେ ଅର୍ଥ ବ୍ୟୟର ଆଧିକ୍ୟ ଏକ ପ୍ରତିବନ୍ଧକ ହେବା ଉଚିତ ନୁହେଁ, ଯାହା ‘ଅଗ୍ନିପଥ’ ଯୋଜନା ପଛରେ ନିହିତ ଏକ ପ୍ରମୁଖ ଲକ୍ଷ୍ୟ। ସେମାନଙ୍କ ମତରେ ଏକ ଯୁଦ୍ଧପ୍ରାୟ ପରିସ୍ଥିତିରେ ଅନିର୍ଦ୍ଦିଷ୍ଟ ଭବିଷ୍ୟତ୍ର ସମ୍ମୁଖୀନ ହୋଇ ରହିଥିବା ଏକ ଅସ୍ଥାୟୀ ସୈନ୍ୟବାହିନୀ ଠାରୁ ବିଶେଷ କିଛି ଆଶା କରାଯାଇ ନ ପାରେ! ସୁତରାଂ, ଏହି ଯୋଜନା ମୂଳରୁ ତ୍ରୁଟିପୂର୍ଣ୍ଣ! ଏହି ଯୋଜନା ଅନୁସାରେ ସମୁଦାୟ ‘ଅଗ୍ନିବୀର’ଙ୍କ ମଧ୍ୟରୁ ମାତ୍ର ଏକ-ଚତୁର୍ଥାଂଶ ପ୍ରତି ଚାରି ବର୍ଷରେ ସେନାବାହିନୀରେ ସ୍ଥାୟୀ ନିଯୁକ୍ତି ଲାଭ କରିବେ ସିନା, ତିନି-ଚତୁର୍ଥାଂଶ ମାତ୍ର କିଛି ପାରିତୋଷିକ ଓ କେବେ କାର୍ଯ୍ୟରେ ଲାଗିବାର ସମ୍ଭାବନା ରଖୁ ନ ଥିବା ଦକ୍ଷତା ସହିତ ସେନାବାହିନୀ ଦ୍ବାରା ଏଭଳି ତ୍ୟାଜ୍ୟ ହୋଇଯିବେ, ଯେମିତି ସେମାନଙ୍କ ସହିତ ଆଦୌ କୌଣସି ସଂପର୍କ ନ ଥିଲା! ଯଦିଓ ଭାରତୀୟ ସେନାବାହିନୀରେ ‘ସର୍ଟ ସର୍ଭିସ୍’ ବା ‘ସଂକ୍ଷିପ୍ତ ସେବା’ କମିସନର ବ୍ୟବସ୍ଥା ରହିଛି, ତହିଁରେ ସ୍ବଳ୍ପ କାଳ ନିଯୁକ୍ତି ପରେ ଅବସର ନେଉଥିବା ସୈନିକମାନେ ସେନାବାହିନୀ ଦ୍ବାରା ସଂପୂର୍ଣ୍ଣ ତ୍ୟାଜ୍ୟ ହୋଇ ନ ଥାଆନ୍ତି, ପୂର୍ବତନ ସାମରିକ କର୍ମଚାରୀ ଭାବେ ସେମାନଙ୍କ ସେବାକୁ ସ୍ବୀକୃତି ପ୍ରଦାନ କରାଯାଇ ଅନେକ ପ୍ରକାର ରିହାତି, ସୁବିଧା ଓ ପ୍ରୋତ୍ସାହନ ଆଦି ଦିଆଯାଇଥାଏ। ପ୍ରକାଶ ଥାଉ କି ଗଲା ନିର୍ବାଚନରେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ବିଜେପିର କରୁଣ ପ୍ରଦର୍ଶନ ପଛରେ ଏକ ବଡ଼ କାରଣ ଥିଲା ‘ଅଗ୍ନିପଥ’ ଭଳି ଯୋଜନା, ଯାହା ସାମରିକ ବାହିନୀରେ ଯୋଗ ଦେବା ଲାଗି ଅକ୍ଳାନ୍ତ ପରିଶ୍ରମ କରି ଚାଲିଥିବା ଏକ ବିଶାଳ ସଂଖ୍ୟକ ଆତୁର ଯୁବଗୋଷ୍ଠୀକୁ ସଂପୂର୍ଣ୍ଣ ନିରାଶ କରିଥିଲା। ଅେନକ ସାମରିକ ବିଶେଷଜ୍ଞଙ୍କ ମତରେ ‘ଅଗ୍ନିପଥ’ ଭଳି ଏକ ଭୂଚଳନ ସୃଷ୍ଟିକାରୀ ସଂସ୍କାରମୂଳକ ପଦକ୍ଷେପକୁ ସହସା ଓ ଅତି ତରବରିଆ ଭାବେ ପ୍ରବର୍ତ୍ତନ ନ କରି ମନ୍ଥର ଓ ପର୍ଯ୍ୟାୟ କ୍ରମେ ପ୍ରାରମ୍ଭ କରାଯିବା ଉଚିତ ଥିଲା, ଏବଂ ଏଭଳି ଯୋଜନା ସକାଶେ ‘ଆର୍ମି’କୁ ଏକ ପରୀକ୍ଷାଗାରରେ ପରିଣତ ନ କରି ‘ପାରା ମିଲିଟାରି ଫୋର୍ସ’ରେ ଏହାର ପରୀକ୍ଷାନିରୀକ୍ଷା ଅଧିକ ସମୀଚୀନ ହୁଅନ୍ତା, ଯେଉଁ କ୍ରମରେ ଯୋଜନାର ଦୋଷତ୍ରୁଟିମାନ ଉଜାଗର ହୋଇ ପରିମାର୍ଜନ ଲାଗି ସୁଯୋଗ ସୃଷ୍ଟି ହୋଇଥାଆନ୍ତା।
୨୦୨୩ ଡିସେମ୍ବର ମାସରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ କହିଥିଲା ଯେ ୨୦୨୧ ମସିହା ଠାରୁ ସେ ଯାବତ୍ ଜାମ୍ମୁ କାଶ୍ମୀରରେ ସହିଦ ହୋଇଥିବା ସାମରିକ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା ହେଉଛି ଚଉତିରିଶ। ଏହି ସଂଖ୍ୟା ଅତିକାୟ ନୁହେଁ। ପୁଣି, ଏହି ବୀରମାନଙ୍କ ବଳିଦାନ ପରିପ୍ରେକ୍ଷୀରେ କୌଣସି ଆର୍ଥିକ କ୍ଷତିପୂରଣକୁ ଯଥେଷ୍ଟ ବୋଲି କୁହାଯାଇ ନ ପାେର! ତେଣୁ ଏ ସଂକ୍ରାନ୍ତ କ୍ଷତିପୂରଣ ରାଶିକୁ ନେଇ ସୃଷ୍ଟ ଆଲୋଚନାକୁ ମଧ୍ୟ ଦୁର୍ଭାଗ୍ୟଜନକ ଓ ଅସଂଗତ ବୋଲି ମଧ୍ୟ କୁହାଇପାରେ। ଏହା ସ୍ବୀକାର କରିବାରେ ବାଧା ରହିବା ଉଚିତ ନୁହେଁ ଯେ ଅନିର୍ଦ୍ଦିଷ୍ଟ ଭବିଷ୍ୟତ୍ ଓ ଅସ୍ଥାୟୀ ନିଯୁକ୍ତିର ବାସ୍ତବତା ସତ୍ତ୍ବେ ଏକ ସମରତୁଲ୍ୟ ପରିବେଶରେ ରାଷ୍ଟ୍ରର ସୁରକ୍ଷା ସକାଶେ ପ୍ରାଣବଳି ଦେଉଥିବା ଜଣେ ତରୁଣ ‘ଅଗ୍ନିବୀର’ ମଧ୍ୟ ଜଣେ ଯଥାର୍ଥ ସହିଦ! ଏକ ପ୍ରଶସ୍ତମନା ରାଷ୍ଟ୍ର ସେମାନଙ୍କ ନିକଟରେ ଅକୃତଜ୍ଞ ହୋଇ ରହିପାରିବ ନାହିଁ। ଏହି ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦ େବଳେ ସ୍ବର୍ଗତ ଅଜୟ କୁମାରଙ୍କ ପିତାଙ୍କ ଏକ ଲୋତକାର୍ଦ୍ର ନିବେଦନର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ, ଯହିଁରେ ସେ କିଛି କ୍ଷତିପୂରଣ ରାଶି ପାଇଥିବା ବିଷୟରେ କହିଛନ୍ତି, ତାଙ୍କ ପୁତ୍ରର ବଳିଦାନ ଉପରେ ରାଜନୀତି ନକରିବା ସକାଶେ ଅନୁରୋଧ ମଧ୍ୟ କରିଛନ୍ତି ଏବଂ ନିଜ ପୁତ୍ର ଲାଗି ‘ସହିଦତ୍ବ’ ମଧ୍ୟ ମାଗିଛନ୍ତି। ଏହି ନିବେଦନ ପରିପ୍ରେକ୍ଷୀରେ ଆମ ରାଷ୍ଟ୍ରର ଉତ୍ତର କ’ଣ ହେବ, ତାହା ନିର୍ଦ୍ଧାରଣ କରିବ ଯେ ପ୍ରକୃତରେ ଆମ ସାଧାରଣତନ୍ତ୍ର କେତେ ବିଶାଳ!