କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୨୦୧୪ ମସିହାରେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନଡିଏ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପର ଠାରୁ ଏ ପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ଦରରେ ଅଭୂତପୂର୍ବ ୧୮୫% ବୃଦ୍ଧି ଘଟିଛି, ଯହିଁରେ ମାତ୍ର ୧୭% ଦର ହ୍ରାସ ଅତି ନଗଣ୍ୟ; କାରଣ ଗ୍ୟାସ ସହିତ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟରେ ମୁଦ୍ରାସ୍ଫୀତି ଅତ୍ୟନ୍ତ ଉଚ୍ଚା ରହି ସାଧାରଣ ଜନଜୀବନକୁ ଦୁର୍ବିଷହ କରି ସାରିଲାଣି, ତେଣୁ ଏ ଆଶ୍ବସ୍ତି ଅତି ସାମାନ୍ୟ।
ଗଲା ମଙ୍ଗଳବାର ଦିନ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଦରରେ ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରିଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ଆଉ ମାତ୍ର କେଇ ମାସ ମଧ୍ୟରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଏବଂ ଦେଶର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି; ଯଦିଓ ତାହା ସ୍ବୀକାର କରିବାକୁ ସରକାର କୁଣ୍ଠିତ। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକରେ ବିଜେପିର ପରାଜୟ ପରେ ଦଳ ଏ ନେଇ ହୁଏ’ତ ଅଧିକ ସତର୍କ ହୋଇଛି; କାରଣ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ସେହି ନିର୍ବାଚନରେ ରନ୍ଧନ ଗ୍ୟାସର ମାତ୍ରାଧିକ ଦର ବୃଦ୍ଧିକୁ କଂଗ୍ରେସ ଏକ ଗମ୍ଭୀର ପ୍ରସଙ୍ଗରେ ପରିଣତ କରିବାକୁ ସମର୍ଥ ହୋଇଥିଲା ଏବଂ ଶସ୍ତା ଗ୍ୟାସ ଯୋଗାଣର ପ୍ରତିଶ୍ରୁତି କଂଗ୍ରେସର ବିଜୟକୁ ସୁଗମ କରିବାରେ ଏକ ବିଶେଷ ଭୂମିକା ନିର୍ବାହ କରିଥିଲା। ତେବେ, ଦର ହ୍ରାସର ଏହି ଘୋଷଣା ପରେ ଯଦିଓ ସରକାରୀ ସ୍ତରରେ ପ୍ରଚାରର ଉଚ୍ଚାଟ ତୀବ୍ର ହୋଇଛି; ଜନସାଧାରଣଙ୍କ ମଧ୍ୟରେ ଆଶା କରାଯାଉଥିବା ଭଳି ନିରୋଳା ଅନନ୍ଦ ବା ଆଶ୍ବସ୍ତି ପ୍ରକାଶ ପାଇନାହିଁ; ବରଂ, ଅନେକତ୍ର ଏହି ନିଷ୍ପତ୍ତିକୁ ନିଃସ୍ପୃହ ଭାବେ ସ୍ବାଗତ କରାଯାଇଛି। ଏହାର କାରଣ କ’ଣ ହୋଇପାରେ?
ପ୍ରଥମ କଥା ହେଲା ୨୦୨୦ ମସିହା ମେ ମାସରେ ଗ୍ୟାସ ଦର ସିଲିଣ୍ଡର ପିଛା ୫୮୧ ଟଙ୍କା ଥିବା ବେଳେ ୨୦୨୨ ମସିହା ମାର୍ଚ୍ଚ ବେଳକୁ ତହିଁରେ ବୃଦ୍ଧି ଘଟି ମୂଲ୍ୟ ୯୪୯ ଟଙ୍କା ହୋଇଯାଇଥିଲା, ଯାହା କ୍ରମାଗତ ଭାବେ ବୃଦ୍ଧି ପାଇ ଗଲା ମାର୍ଚ୍ଚରେ ୧୧୧୯ ଟଙ୍କାରେ ପହଞ୍ଚିଥିଲା। ଏଭଳି ତୀବ୍ର ଦର ବୃଦ୍ଧିର ପୃଷ୍ଠଭୂମିରେ ମାତ୍ର ୨୦୦ ଟଙ୍କାର ହ୍ରାସ ଅନେକଙ୍କ ମତରେ ଯଥେଷ୍ଟ ନୁହେଁ ଏବଂ ଦର କମିବା ପରେ ତାହା ପ୍ରାୟ ୯୦୦ ଟଙ୍କା ହୋଇ ମଧ୍ୟବିତ୍ତ ଏବଂ ନିମ୍ନ ଆୟକାରୀ ବର୍ଗଙ୍କ ପକେଟରେ ଛିଦ୍ରମାନ କରି ଚାଲିବ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଭାରତୀୟଙ୍କ କ୍ରୟ ଶକ୍ତି ଆଧାରରେ ବିଚାର କଲେ ଏଠାରେ ଗ୍ୟାସ ଦର ହେଉଛି ପୃଥିବୀରେ ସର୍ବାଧିକ ଏବଂ ୨୦୧୪ ମସିହା ପର ଠାରୁ (କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର କ୍ଷମତାସୀନ ହେବା ପରେ) ଆନ୍ତର୍ଜାତିକ ବଜାରରେ ଦର ନୀଚା ଥିବା ବେଳେ ମଧ୍ୟ ଆମ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦରରେ ସ୍ଖଳନ ଘଟିବା ଦେଖାଯାଉନାହିଁ, ବରଂ ଅଯୌକ୍ତିକ ଭାବେ ତାହା ବୃଦ୍ଧି ପାଇବାରେ ଲାଗିଛି। ସୁତରାଂ, ଏହି ଦର ହ୍ରାସ ଅତି ସାମାନ୍ୟ ଭଳି ପ୍ରତୀତ ହୋଇ ଜନସାଧାରଣଙ୍କୁ ସନ୍ତୁଷ୍ଟ କରି ପାରି ନ ଥିବା ସ୍ବାଭାବିକ ଭଳି ମନେ ହୋଇଥାଏ। ଦ୍ବିତୀୟ କାରଣଟି ହେଲା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦର ନିର୍ଦ୍ଧାରଣ ବ୍ୟାପାର ନେଇ ସୃଷ୍ଟ ଅସ୍ପଷ୍ଟତା। ପ୍ରକାଶ ଥାଉ କି ୨୦୧୭ ମସିହାରେ ଏହି ଏନ୍ଡିଏ ସରକାରଙ୍କ ଏକ ନିଷ୍ପତ୍ତି ବଳରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଆଦିର ଦର ନିର୍ଦ୍ଧାରଣ କରିବାର କ୍ଷମତା ‘ଇଣ୍ଡିଆନ୍ ଅଏଲ୍’ ବା ‘ଭାରତ ପେଟ୍ରୋଲିଅମ’ ଭଳି ବୃହତ୍ ରାଷ୍ଟ୍ରାୟତ୍ତ ତୈଳ ବିପଣନ କଂପାନି (ଅଏଲ୍ ମାର୍କେଟିଂ କଂପାନି ବା ‘ଓ.ଏମ୍.ସି.’)ଗୁଡ଼ିକ ନିକଟକୁ ଗଲା; ଯଦ୍ଦ୍ବାରା ଏକ ଧାରଣା ସୃଷ୍ଟି ହେଲା ଯେ ଏଣିକି ଦର ନିର୍ଦ୍ଧାରଣ ପ୍ରକରଣରେ ସରକାରଙ୍କ କୌଣସି ଭୂମିକା ରହିବ ନାହିଁ ଏବଂ ବଜାରର ଦାବି ଅନୁସାରେ ତୈଳ ଦର ସ୍ଥିର କରାଯିବ। ସୁତରାଂ, ତୈଳ ବା ଗ୍ୟାସ ଦରରେ କ୍ରମାଗତ ବୃଦ୍ଧି ଘଟି ଚାଲିଥିବା ବେଳେ ସରକାର ଉତ୍ତରଦାୟୀ ହେବାରୁ ନିସ୍ତାର ପାଇଗଲେ। କିନ୍ତୁ ଏହି ପ୍ରକରଣ ଯେ ତଥାପି ସରକାରଙ୍କ ନିୟନ୍ତ୍ରଣରେ ଅଛି, ସେ ନେଇ ଏକ ଧାରଣା କ୍ରମେ ଦୃଢ଼ ହେବାରେ ଲାଗିଲାଣି, ଯାହା ସରକାରଙ୍କ ନୀତିଗତ ସ୍ବଚ୍ଛତାକୁ ପ୍ରଶ୍ନ କରିବା ସହିତ ଏକ ସ୍ପର୍ଶକାତର ପ୍ରସଙ୍ଗରେ ସରକାର ଦାୟିତ୍ବ ନେବାକୁ ପ୍ରସ୍ତୁତ ନୁହେଁ ବୋଲି ମଧ୍ୟ ମତ ପ୍ରକାଶ ପାଇଥାଏ।
ଉଲ୍ଲେଖଯୋଗ୍ୟ ଯେ କେତେକ ରାଜ୍ୟରେ ନିର୍ବାଚନ ପୂର୍ବରୁ ତୈଳ ଦର ବେଶ୍ କିଛି କାଳ ଧରି ସ୍ଥିର ରହିବା ଏବଂ ନିର୍ବାଚନ ପରେ ପରେ ତହିଁରେ ସହସା ତୀବ୍ର ଊର୍ଦ୍ଧ୍ବ ଗତି ଦେଖିବାକୁ ମିଳିବା ହେଉଛି ଏଭଳି ଧାରଣା ସୃଷ୍ଟି ହେବା ପଛରେ ନିହିତ କାରଣ। ଉଦାହରଣ ସ୍ବରୂପ ୨୦୨୨ ମସିହାରେ ଉତ୍ତରପ୍ରଦେଶ ରାଜ୍ୟ ନିର୍ବାଚନ ପୂର୍ବରୁ ପ୍ରାୟ ସାଢ଼େ ଚାରି ମାସ ଧରି ସ୍ଥିର ଥିବା ତୈଳ ଦର ନିର୍ବାଚନ ପରବର୍ତ୍ତୀ ଦଶ ଦିନ ଭିତରେ ନଅ ଥର ବୃଦ୍ଧି ପାଇଥିଲା। ଏହି ସମାନ ଦୃଶ୍ୟ କେତେକ ଉତ୍ତର ପୂର୍ବୀୟ ରାଜ୍ୟରେ ହୋଇଥିବା ନିର୍ବାଚନ ପରେ ମଧ୍ୟ ଦେଖିବାକୁ ମିଳିଥିଲା। ସୁତରାଂ, ଏବେ ମଧ୍ୟ ଜନସାଧାରଣଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ସାଧାରଣ ନିର୍ବାଚନ ପରେ ଏହି ଦର ହ୍ରାସ ବଳବତ୍ତର ରହିବାର ସମ୍ଭାବନା କ୍ଷୀଣ; କାରଣ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିର ପୁନର୍ବାର କ୍ଷମତା ଦଖଲର ଆଶା ଅଧିକ। କେତେକ ବିଶେଷଜ୍ଞ ଏହା ମଧ୍ୟ କହିଥାଆନ୍ତି ଯେ ଆନ୍ତର୍ଜାତିକ ବଜାରରେ ଦର ନୀଚା ଥିବା ବେଳେ ଭାରତୀୟ ତୈଳ ବିପଣନ କଂପାନିଗୁଡ଼ିକ କ୍ରମାଗତ ଦର ବୃଦ୍ଧି କରି ତାହାକୁ ଉଚ୍ଚରେ ରଖିବାର ଏକ ବଡ଼ କାରଣ ହେଲା ପାରୁ ପର୍ଯ୍ୟନ୍ତ ଏଥିରୁ ଲାଭ ଠୁଳ କରିବା, ଯାହା ଫଳରେ କୌଣସି ନିର୍ବାଚନ ପୂର୍ବରୁ ସରକାରଙ୍କ ଦ୍ବାରା ତୈଳ ବା ଗ୍ୟାସ ଦରରେ ରିହାତିର ଘୋଷଣା ସେମାନଙ୍କ ଲାଗି କ୍ଷତିର କାରଣ ହେଲେ ମଧ୍ୟ ତାହାର ଆଘାତ ସହନୀୟ ସ୍ତରରେ ରହି ପାରିବ।
ଏଠାରେ ସ୍ମରଣଯୋଗ୍ୟ େଯ ନାଗପୁରରେ ଅନୁଷ୍ଠିତ ଦଳୀୟ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସବସିଡି ପ୍ରଦାନ ଏବଂ ମାଗଣା ବଣ୍ଟନ’ର ପ୍ରାବଲ୍ୟକୁ ‘ରେଵଡ଼ି ସଂସ୍କୃତି’ ରୂପେ ଅଭିହିତ କରି ଏହାକୁ ଦିଗଭ୍ରଷ୍ଟ ରାଜନୈତିକ ଅବିମୃଶ୍ୟକାରିତା ବୋଲି ଆକ୍ଷେପ କରିଥିଲେ। ଏହି ସଂଦର୍ଭରେ ଅନେକ ପର୍ଯ୍ୟେବକ୍ଷକ କହିଥାଆନ୍ତି ଯେ ଗ୍ୟାସ ଦର ହ୍ରାସ ଘୋଷଣା ହେଉଛି ଆନ୍ତରିକତାଶୂନ୍ୟ ଏବଂ ଏକ ନିର୍ବାଚନୀ ବାଧ୍ୟବାଧକତା ମାତ୍ର, ଯାହାର ଆୟୁଷ ବିଜେପିର ନିର୍ବାଚନ ବିଜୟ ପରେ ହିଁ ସମାପ୍ତ ହୋଇଯିବ।
ଏହି ସଂଦର୍ଭରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୨୦୧୪ ମସିହାରେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍ଡିଏ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପର ଠାରୁ ଏ ପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ଦରରେ ଅଭୂତପୂର୍ବ ୧୮୫% ବୃଦ୍ଧି ଘଟିଛି, ଯହିଁରେ ମାତ୍ର ୧୭% ଦର ହ୍ରାସ ଅତି ନଗଣ୍ୟ; କାରଣ ଗ୍ୟାସ ସହିତ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟରେ ମୁଦ୍ରାସ୍ଫୀତି ଅତ୍ୟନ୍ତ ଉଚ୍ଚା ରହି ସାଧାରଣ ଜନଜୀବନକୁ ଦୁର୍ବିଷହ କରି ସାରିଲାଣି, ତେଣୁ ଏ ଆଶ୍ବସ୍ତି ଅତି ସାମାନ୍ୟ। େତବେ, କଂଗ୍ରେସର ପ୍ରତିକ୍ରିୟ ଏକ ଚଟୁଳ ଗଳ୍ପକୁ ମଧ୍ୟ ମନେ ପକାଇ ଦିଏ। ଜଣେ ଦରିଦ୍ର ବହୁୁ-କୁଟୁମ୍ବୀ ବ୍ୟକ୍ତି ତା’ର ସଂପର୍କୀୟମାନଙ୍କୁ ନେଇ ତା’ର ଏକ ଅତି କ୍ଷୁଦ୍ର ଘରେ ରହି ଅତିଷ୍ଠ ହୋଇଯିବା ପରେ ତହିଁରୁ ମୁକ୍ତିିର ଉପାୟ ସକାଶେ ଜଣେ ବିଜ୍ଞ ଗୁରୁଙ୍କ ଶରଣ ପଶିଲା। ଗୁରୁ ତାକୁ ହତଭମ୍ବ କରି ଯେଉଁ ପରାମର୍ଶଟି ଦେଲେ, ତାହା ଥିଲା ଏହି ଭଳି: ମାସକ ଲାଗି ସେ ତା’ର ଦୁଇଟି ମାତ୍ର ଗାଈଙ୍କୁ ନେଇ ସେହି ଘରେ ପୂରାଉ ଏବଂ ସମସ୍ତେ ଏକା ସାଙ୍ଗରେ ରହନ୍ତୁ। ଅଗତ୍ୟା ଗୁରୁଙ୍କ କଥା ମାନି ସେ ଉପାୟଶୂନ୍ୟ ଭାବେ ତାହା ପାଳନ କଲା ସିନା, ମାସକ ଭିତରେ ତା’ ଜୀବନ ଅକଥନୀୟ ଭାବେ ଦୁର୍ବିଷହ ହୋଇ ପଡ଼ିଲା। ମାସକ ପରେ ଘର ଭିତରୁ ଗାଈ ଦ୍ବୟଙ୍କୁ ନିଷ୍କ୍ରାନ୍ତ କରିବା ପରେ (ଗୁରୁଙ୍କ ପରାମର୍ଶ ମୁତାବକ) ଯାଇ ସେ ଶାନ୍ତିରେ ନିଃଶ୍ବାସ ମାରିଲା ଏବଂ ସେଇ ସମାନ ସଂଖ୍ୟକ ସଂପର୍କୀୟ ଥିବା ସତ୍ତ୍ବେ ତା’ର ଛୋଟିଆ ଘରଟି ଏବେ ତାକୁ ସ୍ବର୍ଗତୁଲ୍ୟ ବୋଧ ହେଲା। କେନ୍ଦ୍ର ସରକାର ସମ୍ଭବତଃ ଏହି ଗଳ୍ପକୁ ଅନୁସରଣ କରି ମୁଦ୍ରାସ୍ଫୀତିରେ ଅଣନିଃଶ୍ବାସୀ ହୋଇ ପଡ଼ିଥିବା ଜନସାଧାରଣଙ୍କ ଲାଗି ‘ଗୃହପାଳିତ ଗାଈ ଦୁଇଟିଙ୍କ ଅପସାରଣ’ ଭଳି ଏକ ରିହାତି ଦେଇ ଏକ ଅନନ୍ୟ ଆଶ୍ବସ୍ତି ପ୍ରଦାନ କରିବାକୁ ଚାହିଁଛନ୍ତି, ଯାହା କଂଗ୍ରେସକୁ ସାମାନ୍ୟ ଭଳି ଦିଶୁଥିବ ଅବା!