ଟ୍ରୋଲର୍‌ଙ୍କୁ କଡ଼ା ଜବାବ ଦେଲେ ହର୍ଷ

Harsh responded

କମେଡି କ୍ବିନ୍‌ ଭାରତୀ ଓ ସ୍ବାମୀ ହର୍ଷ ଲିମ୍ବାଚିୟା ଜାମିନ୍‌ ପାଇବା ପରେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କର ଏକ ଫଟୋ ସେୟାର କରି ‌ହର୍ଷ ଲେଖିଥିଲେ, ଆମେ ଏକାଠି ଥିଲେ ଦୁନିଆର କୌଣସି କଥାକୁ ଚିନ୍ତା ନାହିଁ। ଗିରଫଦାରୀ ପରଠାରୁ ଲଗାତାର ଟ୍ରୋଲ ହେଉଥିବା ଭାରତୀଙ୍କୁ ଏଥର ବି ଟ୍ରୋଲ୍‌ କରିବା ଛାଡ଼ି ନଥିଲେ ସାମାଜିକ ଗଣମାଧ୍ୟମର ଟ୍ରୋଲ ସେନା। ସେମାନେ ଭାରତୀଙ୍କୁ ‘ଦ କପିଲ ଶର୍ମା ସୋ’ରୁ ବାହାର କରିବାକୁ ଦାବି କରିବା ସହ ଏପରି ନହେଲେ କପିଲ ଶର୍ମା ସୋ’କୁ ବୟକଟ୍‌ କରିବାର ଧମକ ବି ଦେଉଛନ୍ତି। ଏମିତିରେ ଭାରତୀଙ୍କ ସ୍ବାମୀ ତଥା ଟିଭି ଉପସ୍ଥାପକ ହର୍ଷ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ଜଣେ ଟ୍ରୋଲର୍ ଲେଖିଥିଲେ, ଭାରତୀଙ୍କୁ ବୟକଟ୍‌ କରାଯାଉ। ଏଥିରେ ହର୍ଷ ଉତ୍ତର ଦେଇଛନ୍ତି, ‘ଅଙ୍କଲ୍‌ ଶୋଇ ପଡ଼ନ୍ତୁ’। ଆଉ ଜଣେ ଲେଖିଛନ୍ତି, ‘ଭାରତୀଙ୍କୁ କପିଲ ଶର୍ମା ସୋ’ରୁ କଢ଼ାଯାଉ’। ଏଥିରେ ହର୍ଷ ଲେଖିଛନ୍ତି, ‘ପ୍ରଥମେ ଡିପିରେ ନିଜ ଫଟୋ ରଖ, ଯଦି ଭାବୁଛ ତୁମ ଫଟୋ ଦେଖିବା ଯୋଗ୍ୟ’। ଅନ୍ୟପଟେ ଅନେକ ପ୍ରଶଂସକ ଭାରତୀଙ୍କ ସମର୍ଥନରେ ବାହାରିଛନ୍ତି। ଭାରତୀଙ୍କୁ କମିଲ ଶର୍ମା ସୋ’ରୁ ବାହାର କରି ଦିଆଯାଇଥିବା ଗୁଜବକୁ ଖଣ୍ଡନ କରି କମେଡିଆନ୍‌ କୃଷ୍ଣା ଅଭିଷେକ କହିଛନ୍ତି, ଚ୍ୟାନେଲ କିମ୍ବା ସୋ’ ପକ୍ଷରୁ ଏଭଳି କିଛି ନିଷ୍ପତ୍ତି ହୋଇନାହିଁ। ଏଥିସହ ମୁଁ ଓ କପିଲ ଭାରତୀଙ୍କ ସହ ପ୍ରତି ପରିସ୍ଥିତିରେ ଠିଆ ହେବୁ। ପ୍ରକାଶଯୋଗ୍ୟ, କିଛି ଦିନ ତଳେ ଭାରତୀଙ୍କ ଘରେ ଏନ୍‌ସିବି ଚଢ଼ଉ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କଲା ପରେ ଉଭୟ ଭାରତୀ ଓ ହର୍ଷଙ୍କୁ ଗିରଫ୍‌ କରିଥିଲା।

ସମ୍ବନ୍ଧିତ ଖବର