ସ୍ମୃତିରେ ଓଡ଼ିଆ ଛବି ‘ପୂଜାଫୁଲ’ !

ଶୈଳାବାଳ ଲେଙ୍କା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ପୁରୁଣା ପ୍ରଯୋଜିକା ସେ ପାଖାପାଖି ଦଶଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି । ଏଥିମଧ୍ୟରେ‘ପୂଜାଫୁଲ’,ଭାଇ ହେଲା ଭଗାରୀ,ପୁଅ ମୋର ଭୋଳା ଶଙ୍କର,ସାଥୀରେ,ଅର୍ଜୁନ, ଭଳି ସିନେମା ଉଲ୍ଲେଖନୀୟ। ତେବେ ତାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ‘ପୂଜାଫୁଲ’ । ଏହା ୧୯୮୫ ରେ ମୁକ୍ତିଲାଭ କରିଥିଲା ।

‘ ପୂଜାଫୁଲ’ ର ନିର୍ଦ୍ଦେଶନା ଦେଇଥିଲେ ଜେ.ଏଚ୍‌, ସତ୍ତାର । ଏହା ମଧ୍ୟ ସତ୍ତାରଙ୍କର ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ଥିଲା । ସେ ଏହା ପୂର୍ବରୁ ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମହାନ୍ତି ଓ ଗୋବିନ୍ଦ ତେଜ୍‌ ଙ୍କ ଭଳି ଦିଗ୍ଗଜ ନିର୍ଦ୍ଦେଶନା ସହକାରୀ ଭାବେ କାର୍ଯ୍ୟ କରିଥିଲେ । ଜେ.ଏଚ୍‌, ସତ୍ତାର ଏହାପରେ ଆରତୀ ଚଳଚ୍ଚିତ୍ରର ମଧ୍ୟ ନିର୍ଦ୍ଦେଶନା ଦେଇଥଇଲେ। ‘ ପୂଜାଫୁଲ’ ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ସେ ମଧ୍ୟ ଏହି ଚଳଚ୍ଚିତ୍ରରୁ ରୂପେଲି ପରଦାରେ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ।

‘ପୂଜାଫୁଲ’ର ମୁଖ୍ୟ କଳାକାରମାନେ ହେଲେ – ଉତ୍ତମ ମହାନ୍ତି, ଅପରାଜିତା, ଜୟା, ଝରଣା ଦାସ, ବୀରେନ୍‌ ରାଉତରାୟ, ହେମନ୍ତ ଦାସ, ଜୟୀ, ଡାଃ ଶୈଳେଶ୍ୱର ନନ୍ଦ ଏବଂ ପ୍ରଦ୍ୟୁମ୍ନ ଲେଙ୍କା । ଏଥିରେ ଉତ୍ତମ, ଅପରାଜିତା ଓ ଜୟାଙ୍କ ପ୍ରେମ ତ୍ରିକୋଣ ଥିଲା । ଚଳଚ୍ଚିତ୍ରର କଥାବସ୍ତୁ ଅନୁଯାୟୀ ବୀରେନ୍‌ ରାଉତରାୟ ଝରଣା ଦାସଙ୍କୁ ବିବାହ ର ପ୍ରତିଶ୍ରୁତି ଦେଇ ଅନ୍ତସତ୍ତ୍ୱା କରିଥିଲେ, ମାତ୍ର ସେ ପରେ ପ୍ରତ୍ୟାଖ୍ୟାନ କରିଥିଲେ । ଏଣେ ଅନ୍ୟ ଜଣେ ଯୁବତୀକୁ ବାହା ହେବା ପରେ ତାଙ୍କର ଝିଅଟିଏ ହୋଇଥିଲା । ଏଇ ଦୁଇ ଝିଅ ଉତ୍ତମଙ୍କୁ ଭଲ ପାଇ ବସିଲେ । ଏ ଦୁଇ ଯୁବତୀ ହେଲେ ଅପରାଜିତା ଓ ଜୟା । ତେଣେ ପ୍ରଦ୍ୟୁମ୍ନ ଲେଙ୍କା ମନେ ମନେ ଜୟା ଙ୍କୁ ଭଲ ପାଉଥିଲେ । ଚଳଚ୍ଚିତ୍ରରେ ବୀରେନ୍‌ ରାଉତରାୟ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ପରିଶେଷରେ ଉତ୍ତମ-ଅପରାଜିତାଙ୍କର ହିଁ ମିଳନ ହୋଇଥିଲା ।

ଏହି ସିନେମାରେ ବୀରେନ୍‌ ରାଉତରାୟଙ୍କ ଖଳନାୟିକୀ ଭୁଲିବାର ନାହିଁ କି ଝରଣା ଦାସଙ୍କ ବଳିଷ୍ଠ ଅଭିନୟ ସ୍ମୃତିପଟରୁ ଲିଭିବାର ନାହିଁ। ‘ ପୂଜାଫୁଲ’ ଚଳଚ୍ଚିତ୍ର ର କାହାଣୀ ଓ ଚିତ୍ରନାଟ୍ୟରେ ମଧ୍ୟ ଥିଲେ ଜେ.ଏଚ୍‌. ସତ୍ତାର । ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ସଂଗୀତକାର ପ୍ରଫୁଲ୍ଲ କର । ଏଥିରେ ଛଅଟି ଗୀତ ଥିଲା । ଏହାର ପ୍ରତ୍ୟେକ ଗୀତ ଶ୍ରୁତି ମଧୁର ହୋଇଥିଲା । ଏହି ଗୀତ ଗୁଡିକ ହେଲା… ଏ ଫୁଲ କହ ଥରେ… ,ତୋ’ର ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ….,ରୂପ ହୋଇଥିବା ଲାବଣ୍ୟବତୀ … ଇତ୍ୟାଦି ।

‘ପୂଜା ଫୁଲ’ ରେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ଜୟା ଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିବା ଚିତ୍ତଜେନାଙ୍କ କଣ୍ଠର ଗୀତ ରୂପ ହୋଇଥିବ ଲାବଣ୍ୟବତୀ … ଗୀତକୁ ଆଜି ବି ଦର୍ଶକ ଝୁରୁଛନ୍ତି । ଏହି ଚଳଚ୍ଚିତ୍ରକୁ ସାଧାରଣ ବ୍ୟାବସାୟିକ ସଫଳତା ମିଳିଥିଲା ।

ସମ୍ବନ୍ଧିତ ଖବର