ମୁମ୍ବାଇ: ଡିସେମ୍ବର ୧ ତାରିଖକୁ ଚାତକ ପରି ଚାହିଁ ରହିଥିଲେ ଦର୍ଶକ। ଏହି ତାରିଖରେ ରିଲିଜ୍‌ ହୋଇଥାନ୍ତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତୀ’। ମାତ୍ର ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା ପକ୍ଷରୁ ଚଳଚ୍ଚିତ୍ରଟିକୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ କରିବାକୁ ମନା କରି ଦିଆଯାଇଛି। ବହୁ ବାଦ ବିବାଦ ଲାଗି ରହିଥିବା ବେଳେ ଚଳଚ୍ଚିତ୍ରଟି ରିଲିଜ୍‌ କରିବା ବୋକାମୀ ଏବଂ ସବୁ ସମସ୍ୟାର ସମାଧାନ ପରେ ହିଁ ଏହା ପ୍ରେକ୍ଷାଳୟରେ ଛାଡ଼ିବାର ଯୋଜନା ରହିଛି ବୋଲି ଶୁଣିବାକୁ ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ, ଚଳଚ୍ଚିଟ୍ରଟି ଆରମ୍ଭରୁ ହିଁ ବିବାଦୀୟ ପରିସରଭୁକ୍ତ ହୋଇଛି। ଚଳଚ୍ଚିତ୍ରରେ ରାଜସ୍ତାନୀ ସଂସ୍କୃତିକୁ ଭୁଲ୍‌ ଭାବେ ପ୍ରଦର୍ଶିତ କରାଯାଇଛି ବୋଲି ଦାବି ହୋଇଛି। ଏପରିକି ଦୀପାବଳୀରେ ଚଳଚ୍ଚିତ୍ର ଚରିତ୍ରରେ ଥିବା ଦୀପିକାଙ୍କ ଏକ ରଙ୍ଗୋଲୀକୁ କର୍ଣ୍ଣି ସେନା ନଷ୍ଟ କରି ଦେଇଥିଲେ। ନିକଟରେ ‘ପଦ୍ମାବତୀ’ର ବ୍ୟାନ୍‌ ଦାବି କରି ଚିତୌରଠାରେ ଏକ ଗଣଧାରଣା ମଧ୍ୟ କରାଯାଇଥିଲା। ଏପରିକି ନିକଟରେ ରିଲିଜ ହୋଇଥିବା ଦୀପିକାଙ୍କ ‘ଘୁମର’ ନୃତ୍ୟରେ ମଧ୍ୟ ତ୍ରୁଟି ପରିଲିକ୍ଷିତ ହୋଇଛି। ନୃତ୍ୟରେ ଦୀପିକାଙ୍କ ଦୀପ, ଓଢ଼ଣା ଧରିବାର ଶୈଳୀ ଏବଂ ନୃତ୍ୟ ଭଙ୍ଗୀରେ ଭିନ୍ନତା ରହିଛି ଏବଂ ଏହା ରାଜସ୍ତାନୀ ସଂସ୍କୃତିକୁ ଅପମାନିତ କରୁଛି ବୋଲି ଦାବି ହୋଇଛି।

ନିକଟରେ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲିଙ୍କ ଅଫିସ୍‌ ସମ୍ମୁଖରେ ଅଖଣ୍ଡ ରାଜପୁତନା ସେବା ସଂଘର କର୍ମୀମାନେ ‘ପଦ୍ମାବତୀ’ ରିଲିଜ୍‌ ନକରିବା ପାଇଁ ଧମକ ଦେଇ ବିରୋଧ ପ୍ରକଟ କରିଥିଲେ। ସଂଘର କର୍ମୀମାନେ ବିରୋଧ ପ୍ରକଟ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ପରେ ନିର୍ଦ୍ଦେଶକ ଭଂସାଲି ଅଖଣ୍ଡ ରାଜପୁତନା ସେବା ସଂଘର ଏକ ସ୍ପେସାଲ୍‌ ଟିମ୍‌କୁ ‘ପଦ୍ମାବତୀ’ ଦେଖାଇବା ପାଇଁ ରାଜି ହୋଇଥିଲେ।

ଶୁକ୍ରବାର ସଂଧ୍ୟାରେ ପିଟିଆଇ ସୂଚୀତ କରିଛି ଯେ ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ର ସିବିଏଫସିର ନିୟମଭଙ୍ଗ କରିଛି। ଚଳଚ୍ଚିତ୍ରଟିକୁ ରିଲିଜ୍‌ କରିବା ନେଇ ଯେଉଁ ଦସ୍ତାବିଜ ପ୍ରଦାନ କରିବା କଥା ତାହା କରାଯାଇ ନାହିଁ। ଏପରିକି ଚଳଚ୍ଚିତ୍ର ରିଲିଜ୍‌ କରିବା ନେଇ ସିବିଏଫ୍‌ସିକୁ ଲେଖାଯାଇଥିବା ଦରଖାସ୍ତ ଅସମାପ୍ତ ରହିଛି।

ଏହାବ୍ୟତୀତ ଚଳଚ୍ଚିତ୍ରଟିକୁ ନେଇ ରାଜ୍ୟର ଚିତୋରଗଡ଼ଠାରେ ନିକଟରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଶନିବାର ଅନେକ ଆଞ୍ଚଳିକ ରାଜପୁତ ସଂଗଠନ ରାଜସ୍ଥାନର କୁମ୍ଭାଲଗଡ଼ ପୋର୍ଟ ଅବରୋଧ କରିଥିଲେ।