ଓଡ଼ିଆ ଟେଲିଭିଜନ୍‌ ଜଗତରେ ଜସ୍ମିନ୍ ରଥ ଜଣେ ଚିହ୍ନା ଚେହେରା। ତାଙ୍କୁ ୪ ବର୍ଷ ବୟସ ହୋଇଥିବା ବେଳେ ସେ ‘ଦୂରଦର୍ଶନ’ରେ ଏକ ବିଜ୍ଞାପନରେ କାମ କରିବା ସହ ପରବର୍ତ୍ତୀ ସମୟରେ ଅନେକ ମ୍ୟୁଜିକ୍‌ ଭିଡିଓରେ ବି ନଜର ଆସିଛନ୍ତି। ୨୦୧୭ ମସିହାରେ ‘ଜୀ-ସାର୍ଥକ’ରେ ପ୍ରସାରିତ ଧାରାବାହିକ ‘ସରଗମ୍‌’ରେ ଦର୍ଶକ ତାଙ୍କୁ ଖୁବ୍‌ ଭଲପାଇବା ଦେଇଥିଲେ। ପରେ ‘ତରଙ୍ଗ’ରେ ପ୍ରସାରିତ ‘ମାୟା’ ତାଙ୍କୁ ଭିନ୍ନ ପରିଚୟ ଦେଇଛି। ସେ ‌ଏବେ ସୁଦ୍ଧା ୩୫ରୁ ଅଧିକ ମ୍ୟୁଜିକ୍‌ ଭିଡିଓ କରି ସାରିଥିବା ବେଳେ ଆଗକୁ ଆସୁଛି ତାଙ୍କ ଅଭିନୀତ ସିନେମା ‘ଚନ୍ଦ୍ରବଂଶୀ’। ଜସ୍ମିନ୍ ଓଡ଼ିଆ ବ୍ୟତୀତ ତେଲୁଗୁ ଓ ତାମିଲ ଟେଲିପରିସରରେ ମଧ୍ୟ ସକ୍ରିୟ। ଏଥର ଓଲିଉଡ୍‌ର ଏହି ଚୁଲ୍‌ବୁଲି ନାୟିକାଙ୍କ ସହ ଅଳ୍ପ ଆଳାପ।

Advertisment

ବନ୍ଦନା ମିଶ୍ର୍ର

ଧାରାବାହିକ ‘ମାୟା’ରେ ଆପଣ ମୁଖ୍ୟ ଚରିତ୍ର ନିଭାଇ ଓଡ଼ିଆ ଦର୍ଶକଙ୍କ ପ୍ରିୟ ପାଲଟିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଆ ପରିବର୍ତ୍ତେ ତେଲୁଗୁ ଓ ତାମିଲ୍‌ ସିରିୟଲ୍‌ କରିବାକୁ କାହିଁକି ଚିନ୍ତା କଲେ?
ଏଥିରେ ସନ୍ଦେହ ନାହିଁ ‌ଯେ ‘ମାୟା’‌ରେ ଲୋକେ ମୋତେ ବହୁତ ଭଲପାଇବା ଦେଇଛନ୍ତି। ଓଡ଼ିଶାରେ ୮ ବର୍ଷ ଧରି କାମ କରିବା ପରେ ଯେତେବେଳେ ମୁଁ ତାମିଲ୍‌ ଓ ତେଲୁଗୁ ଶିଳ୍ପରୁ ସୁଯୋଗ ପାଇଲି ତ ମୋତେ ଟିକେ ବାହାରେ ଯାଇ କାମ କରିବାକୁ ଇଚ୍ଛା ହେଲା। ମୋତେ ନୂଆ ନୂଆ ଅନ୍ବେଷଣ କରିବାକୁ ଭଲ ଲାଗେ। ସେଥିପାଇଁ ହିଁ ମୁଁ ଓଡ଼ିଶା ଛାଡ଼ି ଅନ୍ୟ ଶିଳ୍ପରେ କାମ କରୁଛି।

ଓଡ଼ିଆରେ କାମ କରିବା ଓ ଅନ୍ୟ ଭାଷାର ଧାରାବାହିକରେ କାମ କରିବା ଭିତରେ କ’ଣ ପାର୍ଥକ୍ୟ ଦେଖୁଛନ୍ତି?
ଓଡ଼ିଆ ହେଉଛି ମୋ ମାତୃଭାଷା, ଯାହାକୁ କି ଆଜକୁ ୨୨ ବର୍ଷ ଧରି କହିଆସୁଛି। ସେଥିପାଇଁ ଓଡ଼ିଆ ଭାଷାରେ କାମ କଲା ବେଳେ ଖୁବ୍‌ ସହଜ ଅନୁଭବ ହୋଇଥାଏ। ମାତ୍ର ବାହାରେ ଯାଇ ଅନ୍ୟ ଭାଷାରେ କାମ କରିବା ମୋ ପାଇଁ ଏତେ ସହଜ ନ ଥିଲା। ଓଡ଼ିଶାରେ କାମ କଲା ବେଳେ ମୋ‌ତେ ଘରେ ଥିଲା ଭଳିଆ ଲାଗୁଥିଲା। ଏଠି ବାହାରକୁ ଆସି କାମ କଲା ଭଳି ଲାଗୁଛି। ପାର୍ଥକ୍ୟ କେବଳ ଏତିକି।

‘ଚନ୍ଦ୍ରବଂଶୀ’ ଫିଲ୍ମରେ ଆପଣ ଅଭିନୟ କରିଛନ୍ତି। ଏହା ପୂର୍ବରୁ ବି ଆପଣଙ୍କୁ ସିନେମାର ଅଫର୍ ଆସିଥିଲା କି? ନା ଏଇଟା ହିଁ ପ୍ରଥମ ସୁଯୋଗ?
ଚନ୍ଦ୍ରବଂଶୀ ପୂର୍ବରୁ ବି ଅନେକ ସିନେମାର ଅଫର୍‌ ଆସିଛି, ଏହା ପ୍ରଥମ ନୁହେଁ। ପୂର୍ବରୁ ମୁଁ ଟେଲିସିନେମାରେ କାମ କରିଛି। ଏଇଟା ହେଉଛି ମୋର ପ୍ରଥମ ଥିଏଟର୍‌ ସିନେମା।

ତେଲୁଗୁ, ତାମିଲ୍‌ ଧାରାବାହିକରେ ତ ଆପଣ ସକ୍ରିୟ ଅଛନ୍ତି। ତେଲୁଗୁ, ତାମିଲ୍‌ ସିନେମା ଶିଳ୍ପରୁ ବି ଅଫର୍‌ ମିଳିଛି କି?
ତେଲୁଗୁ, ତାମିଲ୍‌ ସିରିୟଲ୍‌ ସହ ମୋତେ କିଛି କିଛି ସିନେମାର ଅଫର୍‌ ବି ଆସୁଛି। ତାରିଖକୁ ନେଇ ସମସ୍ୟା ଥିବାରୁ କିଛି ସ୍ଥିିର ହୋଇପାରୁନି। ସେ ବିଷୟରେ ଏବେ ମୁଁ କିଛି କହିପାରୁନି। ସମୟ ଆସିଲେ ନିଶ୍ଚୟ କହିଦେବି।

ଆପଣ ଏବେ ଅଧିକାଂଶ ସମୟ ହାଇଦ୍ରାବାଦ୍‌ରେ ରହୁଛନ୍ତି। ଓଲିଉଡ୍‌ରୁ ଯଦି ସେପରି ଏକ ବଡ଼ ସୁଯୋଗ ମିଳେ ତ ସବୁକିଛି ଛାଡ଼ି ପୂରା ସମୟ ଓଡ଼ିଶାରେ ରହିବେ କି?
ଏବେ ଯେହେତୁ ତେଲୁଗୁ ଓ ତାମିଲ୍‌ର ୨ଟା ସିରିୟଲ୍‌ ଚାଲୁଛି ପୂରା ଛାଡ଼ି ତ ହବନି। ମାତ୍ର ଓଡ଼ିଶାରୁ ଯଦି ସେପରି କିଛି ଭଲ ଅଫର୍‌ ଆସେ ତ ମୁଁ କାମ କରିବାକୁ ନିଶ୍ଚୟ ଚାହିଁବି।

ଓଲିଉଡ୍‌ର କେଉଁ ଅଭିନେତା ଆପଣଙ୍କର ପ୍ରିୟ?
ଓଲିଉଡ୍‌ରେ ‌ତ ମୋର ଅନେକ ପ୍ରିୟ କଳାକାର। ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ ସାର୍‌, ସିଦ୍ଧାନ୍ତ ମହାପାତ୍ର ସାର୍‌, ଅନୁଭବ ମହାନ୍ତି ସାର୍‌, ସ୍ବରାଜ ବାରିକ ଓ ମୋ ସହ-ଅଭିନେତା ଶୈ‌େଳନ୍ଦ୍ର ମୋର ପ୍ରିୟ।

ବିବାହ ବିଷୟରେ କ’ଣ ଚିନ୍ତା କରିଛନ୍ତି? ଯଦି ଆପଣଙ୍କୁ ସୁଯୋଗ ମିଳେ ତ ଜଣେ ଧନୀ ଓ ସୁନ୍ଦର ପୁରୁଷ ମଧ୍ୟରୁ ଆପଣ କାହାକୁ ବାଛିବେ?
ବର୍ତ୍ତମାନ ପର୍ଯ୍ୟନ୍ତ ତ ବିବାହ ବିଷୟରେ ମୁଁ ଭାବିନାହିଁ। କାହିଁକା ନା ମୋ ବୟସ ଖୁବ୍‌ କମ୍‌। ଆପଣଙ୍କ ପ୍ରଶ୍ନ ଅନୁସାରେ ଜଣେ ଧନୀ ଓ ସୁନ୍ଦର ପୁରୁଷ ମଧ୍ୟରୁ ମୁଁ କାହାକୁ ବି ବାଛିବିନି। ବରଂ ଯାହାର ମନ ସୁନ୍ଦର ହୋଇଥିବ ମୁଁ ତାକୁ ମୋ ଜୀବନସାଥୀ ଭାବେ ବାଛିବି। ପିଲା ଭଲ ହୋଇଥିବା ଦରକାର। ମୋ ପରିବାରକୁ ବି ସେ ମୋ ପରି ଭଲପାଇପାରୁଥିବା ଦରକାର।