‘ପଦ୍ମାବତୀ’କୁ ସିବିଏଫ୍‌ ସି ଏଯାବତ୍‌ କ୍ଲିଅରାନସ୍‌ ଦେଇ ନାହିଁ ଅଥଚ ନେତାମାନେ କାହିଁକି ବୟାନବାଜି କରୁଛନ୍ତି ?

ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ

ମୁମ୍ବାଇ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ନୂଆ ସିନେମା ‘ପଦ୍ମାବତୀ’ ରେ ଥିବା ଆପତ୍ତିଜନକ ଦୃଶ୍ୟାବଳୀକୁ କାଟିବା ସଂପର୍କୀତ ଏକ ପିଟିସନକୁ ଗ୍ରହଣ କରି ଏହାର ଶୁଣାଣି କରିଛନ୍ତି। ସୁପ୍ରିମ୍‌ କୋର୍ଟ ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ସହ କିଭଳି ସିବିଏଫ୍‌ ସି ଏଯାବତ୍‌ କ୍ଲିଅରାନସ୍‌ ଦେଇ ନାହିଁ ଅଥଚ ମନ୍ତ୍ରୀ ଏବଂ ରାଜନେତାମାନେ କିପରି ଏ ବିଷୟରେ ବୟାନବାଜି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହା ଫଳରେ ଦେଶରେ ଖରାପ ବାତାବରଣ ସୃଷ୍ଟି ହେଉଛି ବୋଲି ଦର୍ଶାଇଛନ୍ତି। ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ବସିଥିବା ଲୋକେ ଏଭଳି ବୟାନବାଜିରୁ କ୍ଷାନ୍ତ ରହିବାଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏ ଏମ୍ ଖାନଭିକର୍ ଏବଂ ଡି ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭାର ଯୁବଶାଖାର ବିଶିଷ୍ଟ ନେତା ଭୁବନେଶ୍ୱର ସିଂହ ଘୋଷଣା କରିଛନ୍ତି ଯେ ଯିଏ ଦୀପିକା ପାଦୁକୋନଙ୍କୁ ଜୀବନ୍ତ ଦଗ୍ଧ କରିବ ତାକୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଯେଉଁ ରାଜପୁତ ରାଣୀ ଦେଶ ପାଇଁ ସତୀ ହୋଇ ନିଜେ ନିଆଁରେ ଝାସ ଦେଇଥିଲେ ତାଙ୍କର ଯନ୍ତ୍ରଣା ଅନୁଭବ କରନ୍ତୁ ଦୀପିକା ବୋଲି ସେ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ‘ପଦ୍ମାବତୀ’କୁ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭାର କର୍ମକର୍ତ୍ତାଙ୍କୁ ରିଲିଜ୍‌ ଆଗରୁ ଦେଖାଇବାକୁ ବି ସେ ଦାବି କରିଛନ୍ତି। ଗତକାଲି ହରିଆନାର ଭା ଜ ପା ମିଡିଆ ସଂଯୋଜକ ମଧ୍ୟ ଅନୁରୂପ ଘୋଷଣା କରି କହିଥିଲେ ଯେ ଯେ କେହି ନିର୍ମାତା -ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୁଣ୍ଡ କାଟ କରିବ ତାକୁ ୧୦ କୋଟି ଅର୍ଥ ରାଶି ଦିଆଯିବ ।

 

ପୂର୍ବରୁ ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ‘ ପଦ୍ମାବତୀ’ ଭୂମିକା ରେ ଥିବା ଦୀପିକା ପାଦୁକୋନ୍‌ଙ୍କୁ ଧମକ ଦିଆଯାଇଛି । ଏହି ସଂଗଠନ ପକ୍ଷରୁ ଉକ୍ତ ସିନେମାକୁ ନିଷିଦ୍ଧ ଘୋଷଣା କରିବାକୁ ଦାବି ହୋଇ ଆସୁଛି । ଦୀପିକାଙ୍କୁ ସୁର୍ପଣଖାଙ୍କ ଭଳି ନାକ କାଟି ଦିଆଯିବାର ଧମକ ଦିଆଯିବା ପରେ ମୁମ୍ବାଇରେ ଥିବା ଦୀପିକା ପାଦୁକୋନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣାଯାଇଛି । କରଣୀ ସେନା ମହିପାଲ ସିଂହ ମକରନା କହିଛନ୍ତି ଯେ ଯଦି ‘ ପଦ୍ମାବତୀ’ ର ରିଲିଜ୍‌ ଉପରେ ରୋକ୍‌ ଲଗା ନ ଯାଏ ଏବଂ ଦୀପିକା ନିଜର ଅଶାଳୀନ ଟିପ୍ପଣୀ ପାଇଁ କ୍ଷମା ନ ମାଗନ୍ତି, ତେବେ ରାମାୟଣରେ ବର୍ଣ୍ଣିତ ସୁର୍ପଣଖାାଙ୍କ ଭଳି ତାଙ୍କର ବି ନାକ କଟାଯିବ । ଉତ୍ତର ପ୍ରଦେଶର କ୍ଷତ୍ରିୟ ସମାଜ ପକ୍ଷରୁ ପଦ୍ମାବତୀ’ ର ନିର୍ଦ୍ଦେଶକ ସଂଜୟ ଭଂସାଲୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଙ୍କ ଯିଏ ମୁଣ୍ଡ କାଟ କରିବ, ତାକୁ ୫ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସମାଜବାଦୀ ପାର୍ଟି ନେତା ତଥା କ୍ଷତ୍ରିୟ ସମାଜର କର୍ମକର୍ତ୍ତା ଠାକୁର ଅଭିଷେକ ସୋମ୍‌ ଦୀପିକା ପାଦୁକୋନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ଯେ ସେ ଦେଶ ଛାଡି ଚାଲି ଯାଆନ୍ତୁ, ଅଥବା ମୁଣ୍ଡକାଟ ଲାଗି ପ୍ରସ୍ତୁତ ରହନ୍ତୁ । ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଫିଲ୍ମକୁ ରିଲିଜ୍‌ ନ କରିବାର ଚେତାବନୀ ଦେବା ସହ, ଯଦି ସେପରି ନ କରନ୍ତି, ତାହାର କୁପରିମାଣ ଭୋଗିବାକୁ ପ୍ରସ୍ତୁତ ରହନ୍ତୁ ବୋଲି କହିଛନ୍ତି ।

ଅପର ପକ୍ଷରେ ସଂଜୟ ଲୀଲା ଭଂସାଲୀ ନ୍ୟାୟାଳୟକୁ ଜଣାଇଛନ୍ତି ଯେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି) ପକ୍ଷରୁ ପ୍ରମାଣପତ୍ର ନ ମିଳିବା ଯାଏଁ ଫିଲ୍ମକୁ ଭାରତ ବାହାରେ ବି ରିଲିଜ୍‌ କରାଯିବ ନାହିଁ। ସି ବି ଏଫ୍‌ ସି ଅଧ୍ୟକ୍ଷ ପ୍ରସୁନ ଯୋଶୀ ସୂଚନା ଦେଇଛନ୍ତି ଯେ ଏହାର ସେନସର ଲାଗି ଅନ୍ୟୁନ ୬୮ ଦିନ ଲାଗିବ ।

ସମ୍ବନ୍ଧିତ ଖବର