ପହିଲି ପାଦର ପିଚ୍ଛିଳ ପାହାଚ

ମାୟାନଗରୀର ମାୟାରେ ପଡ଼ି ପରୀ ରାଇଜର ଖସଡ଼ା ପାହାଚରେ ପ୍ରଥମ କରି ପାଦ ଦେଇଥିବା ନବୀନା ନାୟିକା ସାକ୍ଷୀ ମଲ୍ଲିକ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ତେବେ ଏ ଯାଏ ତାଙ୍କୁ କୌଣସି ବଡ଼ ପ୍ରଯୋଜନା ସଂସ୍ଥାର ଚଳଚ୍ଚିତ୍ର କି ପୂର୍ଣ୍ଣମାତ୍ରାରେ ନାୟିକାର ଭୂମିକା ମିଳିନଥିବା ବେଳେ ସେ କେତେ ବାଟ ଚଢ଼ିପାରୁଛନ୍ତି ନା ପଛକୁ ଖସି ଆସୁଛନ୍ତି ତାହା ସମୟ ହିଁ କହିବ। ତଥାପି ଏଇ ନୂଆବର୍ଷ ୨୦୨୨ ତାଙ୍କ ପାଇଁ ସାମଗ୍ରିକ ଭାବେ ଅନୁକୂଳ ସାବ୍ୟସ୍ତ ହେବ ବୋଲି ସେ ଆଶା ରଖିଛନ୍ତି।

Wiki Bio Infos

ଉତ୍ତର ପ୍ରଦେଶର କାନପୁର ସହରରେ ୧୯୯୬ ଜାନୁଆରି ୨୧ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ସାକ୍ଷୀ ଜଣେ ନାମକରା ମଡେଲ୍‌ ଓ ଫିଟ୍‌ନେସ ପରାମର୍ଶଦାତା ଭାବେ ବେଶ୍‌ ଜଣାଶୁଣା। ସୂଚନା ପ୍ରଯୁକ୍ତି ବିଦ୍ୟାରେ ସ୍ନାତକ ଡିଗ୍ରି ହାସଲ କରିଥିବା ସାକ୍ଷୀଙ୍କର ପିଲାଟି ବେଳୁ ଗ୍ଲାମର୍ ଜଗତ୍‌ ପ୍ରତି ଏକ ଅହେତୁକ ଦୁର୍ବଳତା ରହି ଆସିଥିଲା। ଫଳସ୍ବରୂପ, ନିଜର ମହାବିଦ୍ୟାଳୟ ଜୀବନ ବିତାଉଥିବା ବେଳେ ସେ ବିଭିନ୍ନ ଫେସନ୍‌ ପ୍ରଦର୍ଶନୀ ସମେତ ଅନ୍ୟାନ୍ୟ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ସାମିଲ ହେବାକୁ ପସନ୍ଦ କରିଥିଲେ। ତେଣୁ ମନୋରଞ୍ଜନ ଦୁନିଆ ପ୍ରତି ସେ ବେଶୀ ବେଶୀ ଆକର୍ଷିତ ହୋଇଥିଲେ।

NewsX

ସେହିପରି ଏମ୍‌ବିଏ ପଢ଼ିବା ପାଇଁ ପୂର୍ବରୁ ଇଚ୍ଛା କରିଥିବା ସାକ୍ଷୀ କିନ୍ତୁ ଶିକ୍ଷା ପ୍ରତି ଆଉ ଧ୍ୟାନ ନଦେଇ ବୈଷୟିକ ଶିକ୍ଷା ସାରିବା ପରେ ମୁମ୍ବାଇ ଚାଲି ଆସି ବିଭିନ୍ନ ବିଜ୍ଞାପନ ପାଇଁ ମଡେଲିଂ ଆରମ୍ଭ କରିଦେଇଥିଲେ। ହିନ୍ଦୀ, ପଞ୍ଜାବୀ ଓ ଇଂରାଜୀ ଭାଷାରେ ପ୍ରବୀଣା ଥିବା ସାକ୍ଷୀଙ୍କର ଠାଣି, ଚାହାଣି ଓ ବ୍ୟକ୍ତିତ୍ବରେ ମୁଗ୍‌ଧ ହୋଇ ନାଇକ୍କା, ପିସି ଜୁଏଲର୍ସ, ଫ୍ରେସ୍‌ଲୁକ୍‌ ଓ ଫେସେସ୍‌ କାନାଡ଼ା ପରି ନାମୀଦାମୀ କମ୍ପାନି ସେମାନଙ୍କର ବିଜ୍ଞାପନରେ ତାଙ୍କୁ ସ୍ଥାନ ଦେବାକୁ ଆଗେଇ ଆସିଥିଲେ। ଏହାପରେ ବିଭିନ୍ନ ପଞ୍ଜାବୀ ଓ ହିନ୍ଦୀ ସଂଗୀତ ଭିଡିଓରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ୨୦୧୮ ମସିହାରେ ହିନ୍ଦୀ ସିନେମା ‘ସୋନୁ କେ ଟିଟୁ କୀ ସ୍ବିଟି’ ମାଧ୍ୟମରେ ସେ ଅଭିନୟ ଜଗତ୍‌କୁ ପ୍ରଥମ ପଦାର୍ପଣ କରିଥିବା ବେଳେ ଉକ୍ତ ଚଳଚ୍ଚିତ୍ରର ନୃତ୍ୟଗୀତ ‘ବମ୍‌ ଡିଗି ଡିଗି’ରେ ତାଙ୍କ ନୃତ୍ୟାଭିନୟ ତାଙ୍କୁ ରାତାରାତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ସେଲିବ୍ରିଟିର ମାନ୍ୟତା ଦେଇଥିଲା।

YouTube

ସେହିପରି ଗତବର୍ଷ ସେ ମଧ୍ୟ ଏମ୍‌ଟିଭିର ପ୍ରଣୟ ସାକ୍ଷାତ ଧାରାବାହିକ ‘ସ୍ପିଟ୍‌ସଭିଲ୍ଲା-୧୩’ରେ ପ୍ରତିଯୋଗୀ ସାଜି ଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟତମ ସଂଗୀତ ଭିଡିଓ ‘ବେହମ୍‌’ରେ ମଧ୍ୟ ତାଙ୍କ ଅଭିନୟକୁ ଯଥେଷ୍ଟ ପ୍ରଶଂସା ମିଳିଛି। ଭିନ୍ନ ଏକ ଘଟଣାକ୍ରମେ ୨୦୨୦ରେ ତାଙ୍କ ସ୍ଥିରଚିତ୍ରକୁ ତେଲୁଗୁ ଫିଲ୍ମ ‘ଭି’ରେ ଜଣେ ପେସାଦାର ଯୌନକର୍ମୀ ଭାବେ ପ୍ରଦର୍ଶିତ ହୋଇଥିବା ମାମଲାରେ ସେ ଅଦାଲତର ଆଶ୍ରୟ ନେଇ ଫିଲ୍ମ ଜଗତ୍‌ରେ ଚର୍ଚ୍ଚିତ ହୋଇପଡ଼ିଥିଲେ। ଅଦ୍ୟାବଧି ସେ କେବଳ ଏକ ସିନେମା ଗୀତରେ ନିଜର ଦକ୍ଷତା ଦେଖାଇଥିବା ବେଳେ ଅଭିନୟ କଳାର ପ୍ରକୃତ ଯାଦୁ ପରଷିବାର ସୁଯୋଗ ଆସିନାହିଁ। ତେବେ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ତାହା ପୂରଣ ହୋଇଯିବ ବୋଲି ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର