ମୋର କାହାକୁ ଡରିବାର ନାହିଁ : ମହାଶ୍ୱେତା

ଓଡ଼ିଆ ଚଳଚ୍ଚିତ୍ର ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଲାଭ କରିସାରିଛନ୍ତି ରାଜ୍ୟ ସରକାରଙ୍କ ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର। ଚଳିତ ଥର ତାଙ୍କୁ ‘ଦେଲେ ଧରା କଥା ସରେ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବାର ଯେଉଁ ଘୋଷଣା ହୋଇଛି, ତାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ମହାଶ୍ୱେତା । ଏ ସଂପର୍କରେ ସମ୍ବାଦ ଡଟ୍‌ ଇନ୍‌ ସହିତ କଥାବାର୍ତ୍ତାରେ ସେ ଯାହା କହନ୍ତି…

ପ୍ରଶ୍ନ-ଆପଣ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗରେ କାହିଁକି ମୁହଁ ଖୋଲିଛନ୍ତି ?

ଉ: ଦେଖନ୍ତୁ ମୁଁ ‘ଚିନି’ ଚଳଚ୍ଚିତ୍ରରେ ମୋର ଅଭିନୟ ପାଇଁ ମୁଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ଆଶା କରୁଥିଲି । କିନ୍ତୁ ‘ଦେଲେ ଧରା କଥା ସରେ’ ପାଇଁ ଏହା ମିଳିଥିବା ଯୋଗୁଁ ମୁହଁ ଖୋଲବାକୁ ବାଧ୍ୟ ହୋଇଛି । ମୋର କାହାକୁ ଡରିବାର ନାହିଁ କି କିଛି କରିବାର ନାହିଁ । ଏଇଟା ମୋର ବ୍ୟକ୍ତିଗତ ମତ ନୁହେଁ । ଯେଉଁମାନେ ଉଭୟ ସିନେମା ଦେଖିଛନ୍ତି, ଏହା ସେମାନଙ୍କର ଖୋଲା ମନ୍ତବ୍ୟ । ତେଣୁ ମୋତେ ଲାଗୁଛି ଜୁରିର ଜଜ୍‌ମେଣ୍ଟରେ କେଉଁଠି ନା କେଉଁଠି ଅସୁବିଧା ରହିଛି । ଏଣୁ ମୁଁ ପୁଣି ଏହାର ପୁନର୍ବିଚାର ଲାଗି ନିବେଦନ କରୁଛି ।

ପ୍ରଶ୍ନ: ତା’ହେଲେ ଆପଣ ଏହି ପୁରସ୍କାର ଗ୍ରହଣ କରିବେ କି ନାହିଁ ?
ଉ: ପୁରସ୍କାରକୁ ମୁଁ ସମ୍ମାନ କରେ । ଗ୍ରହଣ କରିବି କି ନା, ତାହା ଅଲଗା କଥା, ହେଲେ ଯେଉଁ ଫିଲ୍ମ ପାଇଁ ମୋତେ ମିଳିଛି, ତାହା ମୋ’ପାଇଁ ଗ୍ରହଣ ଯୋଗ୍ୟ ନୁହେଁ ।
ପ୍ରଶ୍ନ: ଆପଣ କ’ଣ ଅନ୍ୟାନ୍ୟ ବିଭାଗରେ ଦିଆଯାଇଥିବା ପୁରସ୍କାରକୁ ନେଇ ସନ୍ତୁଷ୍ଟ ?

ଉ: ଅନ୍ୟ ସିନେମା କଥା କହିପାରିବି ନାହିଁ, କିନ୍ତୁ ମୋ’ ହିସାବରେ ‘ଚିନି’କୁ ଆହୁରି ଅନେକ ବିଭାଗରେ ବି ପୁରସ୍କାର ମିଳିବା କଥା ।
ପ୍ରଶ୍ନ : ଆପଣ ବେଶ୍‌ କିଛି ସମୟ ଧରି ବଡ଼ ପରଦା ବା ଛୋଟ ପରଦାରେ ନଜର ଆସିନାହାନ୍ତି। କାରଣ କ’ଣ?
ଉ: ମୁଁ ପ୍ରାୟ ଚାରିମାସ ହେବ ଅସୁସ୍ଥ ଥିଲି । ଡେଙ୍ଗୁରେ ପୀଡ଼ିତା ଥିଲି । ଏଣୁ ରିଆଲିଟି ସୋ’ରେ ଜଜ୍‌ ହେବା ପାଇଁ ନା କରିଥିଲି ଓ ସିନେମା ଅଫର୍‌ ବି ଛାଡ଼ିଛି ।

ସମ୍ବନ୍ଧିତ ଖବର