ସବ୍ୟସାଚୀଙ୍କ ସହ ଏହି ଲୋକପ୍ରିୟ ନାୟିକାଙ୍କୁ ଥରେ ମାତ୍ର ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ

ଭୁବନେଶ୍ବର: ଅନେକ ସମୟରେ ଦର୍ଶକ ବିଭିନ୍ନ ଯୋଡ଼ିକୁ ପରଦାରେ ବାରମ୍ବାର ଦେଖିବାକୁ ଚାହିଁଥାନ୍ତି। ହେଲେ ତାହା ଘଟି ନଥାଏ। ଏମିତି ଏକ ଯୋଡ଼ି ହେଲେ ସବ୍ୟସାଚୀ-ରୀୟାଙ୍କ ଯୋଡ଼ି। ଏହି ଯୋଡ଼ି ଥରେ ମାତ୍ର ବଡ଼ ପରଦାକୁ ଆସିଛନ୍ତି।
ଓଲିଉଡର ସୋବର ବୟ ସବ୍ୟସାଚୀ ପ୍ରଖ୍ୟାତ ନିର୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦେଶିତ ‘ପାଗଳପ୍ରେମୀ’ ଜରିଆରେ ନାୟକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟିକା ବନିଥିଲେ ଅର୍ପିତା। ଏହା ଏହି ଯୋଡ଼ିଙ୍କର ପ୍ରଥମ ଓ ଅନ୍ତିମ ସିନେମା ଥିଲା।


ଠିକ୍ ସେହିପରି ସୁଧାକର ବସନ୍ତଙ୍କ ନିର୍ଦେଶିତ ‘ପ୍ରେମ ଅଢେଇ ଅକ୍ଷର’ରୁ ଓଲିଉଡର ଲୋକପ୍ରିୟ ନାୟିକା ରୀୟା ଦେ ନାୟିକା ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ବନିଥିଲେ ବାବୁସାନ୍। ଏହାପରେ ସେ ସିଦ୍ଧାନ୍ତ, ସବ୍ୟସାଚୀ, ଅରିନ୍ଦମ, ଆକାଶ, ଅମ୍ଳାନ, ସମ୍ବିତ ଓ ଜ୍ୟୋତି ପ୍ରମୁଖ ଜଣାଶୁଣା ନାୟକଙ୍କ ବିପକ୍ଷରେ ବିଭିନ୍ନ ସିନେମାରେ ନଜର ଆସିଛନ୍ତି।

ହେଲେ ଆପଣ କ’ଣ ଜାଣନ୍ତି କି ସୋବରବୟ ସବ୍ୟସାଚୀଙ୍କ ବିପକ୍ଷରେ ରୀୟା କେବଳ ଗୋଟିଏ ସିନେମାରେ ନାୟିକା ବନିଛନ୍ତି। ଏହି ଫିଲ୍ମ ହେଲା ‘ଏମିତି ବି ପ୍ରେମ ହୁଏ’। ନିଶିକାନ୍ତ ଦଳ ବେହେରା ଏହାର ନିର୍ଦେଶନା ଦେଇଥିଲେ। ଭିନ୍ନ ସ୍ୱାଦର ପ୍ରେମ କାହଣୀ ଆଧାରିତ ସିନେମାରେ ପ୍ରଥମ ଓ ଅନ୍ତିମ ଥର ଲାଗି ସବ୍ୟ-ରୀୟାଙ୍କ ଯୋଡ଼ିକୁ ଏଯାଏଁ ଦେଖିବାକୁ ମିଳିଛି।
ଏବେ ବି ସବ୍ୟସାଚୀ ଓ ରୀୟା ସିନେମା ଦୁନିଆଁରେ ବେଶ୍ ସକ୍ରିୟ ଅଛନ୍ତି। କିନ୍ତୁ ପୁଣି କେବେ ଏହି ଯୋଡ଼ିକୁ ପରଦାରେ ଦେଖିବାକୁ ମିଳିବ, ତାଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଲାଗି ରହିଛି ପ୍ରବଳ ଉତ୍କଣ୍ଠା।

ସମ୍ବନ୍ଧିତ ଖବର