ହାଟ୍ରିକ୍ କରିବେ ବାବୁସାନ୍-ଭୂମିକା ଯୋଡ଼ି

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ତାରକା ବାବୁସାନ ଏବେ ପୂଣି ଏକ ଓଡ଼ିଆ ଛବିରେ ଅଭିନୟ କରୁଥିବା ଜଣାଯାଇଛି। ଏଥିରେ ତାଙ୍କୁ ପୁଣି ଏକ ନୂଆ ଲୁକରେ ଦେଖିବାକୁ ପାଇବେ ଦର୍ଶକ। ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁଯାଯାଉଛି ତାହା ହେଲା ‘ଦମନ। ଏଥିରେ ବାବୁସାନଙ୍କ ସହ ଭୂମିକା, ଈଶାନୀ ସେନଗୁପ୍ତା, ରାଜ ରାଜେଶ ଓ ଋଷି ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ।ଏହି ଫିଲ୍ମ ଜରିଆରେ ମୁଖ୍ୟ ନାୟକ-ନାୟିକା ଭାବେ ବାବୁସାନ୍-ଭୂମିକା ଯୋଡ଼ି ହାଟ୍ରିକ୍ କରିବେ।

ଏହି ଯୋଡ଼ିଙ୍କର ପ୍ରଥମ ସିନେମା ହେଲା ‘ହିରୋ ନମ୍ବର ଓ୍ଵାନ୍‌’, ଯାହା ୨୦୧୭ ପୂଜା ବଜାରରେ ମୁକ୍ତିଲାଭ କରିଥିଲା। ଏହାର ନିର୍ଦେଶକ ଥିଲେ ତାପସ ସରଘରିଆ। ଅଭିଜିତ୍‌ ମଜୁମ୍‌ଦାର୍‌ ଏହାର ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ବାବୁସାନ୍‌-ଭୂମିକାଙ୍କ ଯୋଡ଼ି ବି ଜମି ଯାଇଥିଲା।
ଏବେ ପୁଣିଥରେ ୨୦୧୮ ପୂଜା ବଜାରରେ ବାବୁସାନ୍‌-ଭୂମିକାଙ୍କ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ଏକ ଫିଲ୍ମ ନିର୍ମାଣ କରିଥିଲା, ଯାହାର ଟାଇଟଲ୍ ଥିଲା ‘ଶ୍ରୀମାନ୍ ସୁରଦାସ’ । ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ଅଶୋକ ପତି। ଅଭିଜିତ୍‌ ମଜୁମ୍‌ଦାର୍‌ ଏହାର ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ, ସଂଳାପ ଲେଖିଥିଲେ ରଣଜିତ୍‌ ପଟ୍ଟନାୟକ।
ଏହା ଅବଶ୍ୟ ଭିନ୍ନ କଥା ଯେ ଆଉ ଏକ ସିନେମାରେ ବି ନଜର ଆସିଥିଲେ ବାବୁସାନଙ୍କ ସହ ଭୂମିକା। ଏହି ସିନେମା ହେଲା ‘ମିଷ୍ଟର୍ ମଜନୁ’। ଏହା ୨୦୧୯ ପୂଜା ବଜାରରେ ରିଲିଜ୍ ହୋଇଥିଲା। ଏଥିରେ ଅବଶ୍ୟ ଭୂମିକା ନାୟିକା ନ ଥିଲେ। ତାଙ୍କୁ ଏଥିରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିଥିଲା କ୍ଲାଇମାକ୍ସରେ। ଏହି ଦୃଶ୍ୟରେ ବାବୁସାନଙ୍କ ସହ ଦେଖା ଦେଇଥିଲେ ଭୂମିକା।

ସମ୍ବନ୍ଧିତ ଖବର