୫ ବର୍ଷ ତଳର ରାଜ୍‌ ଖୋଲିଲେ ରଣବୀର: ଦୀପିକାଙ୍କୁ ଏହି ଗୀତରେ ନାଚୁଥିବାର ଦେଖି ସବୁକିଛି ବଦଳି ଯାଇଥିଲା

ମୁମ୍ବାଇ : ଚଳିତ ବର୍ଷ ଦୀପ୍‌-ବୀରଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିବାହ ପରେ ଦୁହେଁ କାମକୁ ଫେରିଛନ୍ତି । ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ କିଛି ଦିନ ତଳେ ସେ ରିୟାଲିଟି ସୋ’ ସା ରେ ଗା ମା ପା ସୋ’ରେ ସହ-କଳାକାର ସାରା ଅଲ୍ଲୀ ଖାନ୍‌ଙ୍କ ସହ ପହଞ୍ଚିଥିଲେ । ସୋ’ରେ ଐଶ୍ୱର୍ଯ୍ୟା ପଣ୍ଡିତ ନାମକ ଜଣେ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଦେଖି ରଣବୀର ଆଶ୍ଚର୍ଯ୍ୟ ହେବା ସହ ୨୦୧୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୋଲିୟୋଁ କି ରାସ୍‌ଲୀଲା ରାମ୍‌ଲୀଲା’ର ସୁଟିଂ କଥା ମନେ ପକାଇଥିଲେ । ଐଶ୍ୱର୍ଯ୍ୟା ‘ନାଗାଡ଼ା ସଙ୍ଗ ଢ଼ୋଲ ବାଜେ’ ଗୀତ ଗାଇଥିଲେ ।

ଏହି ଗୀତ ମୋ ସବୁ ପୁରୁଣା ସ୍ମୃତିକୁ ମନେ ପକାଇ ଦେଇଛି । ଏହି ଗୀତର ସୁଟିଂ ହେବା ପୂର୍ବରୁ ମୁଁ କେବଳ ଦୀପିକାଙ୍କ ପ୍ରତି ଆକର୍ଷିତ ଥିଲି । ପରେ ଗୀତର ସୁଟିଂ ଚାଲୁଥିବା ବେଳେ ଦୀପିକାଙ୍କ ପ୍ରଦର୍ଶନ ଦେଖି କଳାକାର ହିସାବରେ ମୁଁ ତାଙ୍କୁ ଅଧିକ ସମ୍ମାନ ଦେବା ଆରମ୍ଭ କରିଥିଲି । ମୁଁ ମୋ ପତ୍ନୀ ଦୀପିକାଙ୍କୁ ନେଇ ବହୁତ ଗର୍ବ ଅନୁଭବ କରେ ବୋଲି ରଣବୀର କହିଥିଲେ ।

ସମ୍ବନ୍ଧିତ ଖବର