ମୁମ୍ବାଇ: ବଲିଉଡ ଅଭିନେତା ସଲମାନ୍ ଖାନ ଅଧିକାଂଶ ଲୋକଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଏ। ତାଙ୍କ ଦୁଆରୁ କେହି ଖାଲି ହାତରେ ଫେରନ୍ତି ନାହିଁ। ଯଦି କେହି ସାହାଯ୍ୟ ଲୋଡ଼ନ୍ତି ତ ଅଭିନେତା ଶେଷ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଠିଆ ହୋଇଥାନ୍ତି।
ଏହା ନୁହେଁ ଯେ ସେ କେବଳ ଇଣ୍ଡଷ୍ଟ୍ରିର ଲୋକଙ୍କୁ ସାହାଯ୍ୟ କରନ୍ତି, ତାଙ୍କୁ ସାହାଯ୍ୟ ମାଗୁଥିବା କୌଣସି ବି ଲୋକଙ୍କୁ ସେ ନିରାଶ କରନ୍ତି ନାହିଁ। ତାଙ୍କର ଉଦାରପଣ ବିଷୟରେ ସଲ୍ମାନଙ୍କ ସାଙ୍ଗ ସୋନାଲି ବେନ୍ଦ୍ରେ କହୁଥିବାର ବେଳର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ସୋନାଲି ବେନ୍ଦ୍ରେ ଏବଂ ସଲମାନ ଖାନ 'ହମ ସାଥ୍ ସାଥ୍ ହେଁ' ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସୋନାଲି ଏକ ଟକ୍ ସୋ’ରେ ପହଞ୍ଚି ସଲମାନ ଖାନଙ୍କ ସଂପର୍କରେ ଏକ କାହାଣୀ ବର୍ଣ୍ଣନା କରିଥିଲେ। ଯଦିଓ ଏହି ଭିଡିଓଟି ବହୁତ ପୁରୁଣା। କିନ୍ତୁ ସେଥିରେ ସେ ଯାହା କହୁଛନ୍ତି ତାହା ପ୍ରଶଂସକଙ୍କ ହୃଦୟ ଜିତିବ।
ସୋନାଲି ବେନ୍ଦ୍ରେ କହିଛନ୍ତି 'ଯେତେବେଳେ ସଲମାନ ଖାନଙ୍କୁ୧୦ ବର୍ଷ ହୋଇଥିଲା, ସେ ବାନ୍ଦ୍ରାସ୍ଥିତ ଏକ ଖ୍ରୀଷ୍ଟିଆନ ବିଦ୍ୟାଳୟରେ ପାଠ ପଢୁଥିଲେ। ବିଭିନ୍ନ ଶ୍ରେଣୀର ପିଲାମାନେ ସେଠାକୁ ପଢ଼ିବାକୁ ଆସୁଥିଲେ। ସେମାନଙ୍କ ଭିତରୁ ଅନେକ ଘରକୁ ଫେରିବା ପରେ ଆର୍ଥିକ ସମସ୍ୟା ହେତୁ ଖାଇବାକୁ ପାଆନ୍ତି ନାହିଁ। ଏକଥା ସଲ୍ମାନ ଜାଣିବା ପରେ ସେଠାରେ ପାଠ ପଢୁଥିବା ସମସ୍ତ ୧୦-୧୨ ଜଣ ଗରିବ ପିଲାଙ୍କୁ ପ୍ରତିଦିନ ନିଜ ସ୍କୁଲ୍ ସରିବା ପରେ ଘରେ ନେଇ ଖାଦ୍ୟ ଖୁଆଉଥିଲେ।’
ଦିନେ ଅଧେ ନୁହେଁ, ବେଶ୍ କିଛି ବର୍ଷ ଧରି ସଲମାନ୍ ସେଇ ପିଲାମାନଙ୍କୁ ଘରେ ନେଇ ଖୁଆଉ ଥିଲେ। ସୋନାଲି ସଲ୍ମାନଙ୍କ ପ୍ରଶଂସା କରି ତାଙ୍କ ସଂପର୍କିତ ଏହି କଥାଟି କହିଥିବା ବେଳେ ତାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି।