ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଦବଙ୍ଗ ଖାନ ସଲମାନଙ୍କ ଘରେ ବୋମା! ଦୁଇ ଘଣ୍ଟା ମଧ୍ୟରେ ବୋମାକୁ ଖୋଜି ବାହାର ନ କରାଗଲେ ତାହା ଫାଟି ଯାଇପାରେ। କିଛି ଏଭଳି ଇମେଲ ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ତୁରନ୍ତ ଯାଞ୍ଚରେ ଲାଗି ପଡ଼ିଥିଲା ପୂରା ପୁଲିସ ଟିମ୍। ଗାଜିଆବାଦର ଜଣେ ଯୁବକ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ବୋମା ଥିବା ନେଇ ଦାବି କରିବା ପରେ ପୁଲିସ ସତ କ’ଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।
ଯୁବକ କରିଥିବା ଇ-ମେଲରେ ଲେଖାଥିଲା କି, ମୁଁ ମେଲ୍ ପଠାଇବା ସମୟଠାରୁ ଦୁଇ ଘଣ୍ଟା ପରେ ସଲମାନଙ୍କ ଗ୍ୟାଲେକ୍ସି ଆପର୍ଟମେଣ୍ଟରେ ଲାଗିଥିବା ବୋମା ଫୁଟିବ। ରୋକି ପାରିବ ଯଦି ରୋକି ଦେଖାଅ। ତେବେ ମିଳିଥିବା ସୂଚନା ମୁତାବକ, ଏଭଳି ଇ-ମେଲ ମୁମ୍ବାଇ ପୁଲିସକୁ ଡିସେମ୍ବର ୪ରେ ମିଳିଥିଲା। ଏଭଳି ସୂଚନା ପାଇବା ପରେ ବୋମା ଅନୁସନ୍ଧାନକାରୀ ଓ ଡିସ୍ପୋଜାଲ ସ୍କ୍ବାଡ଼ ସହ ପୁଲିସ ସଲମାନଙ୍କ ଘରେ ପହଞ୍ଚିଥିଲା। ସେ ସମୟରେ ସଲମାନ ଘରେ ନ ଥିଲେ ମଧ୍ୟ ସଲମାନଙ୍କ ପରିବାର ଲୋକଙ୍କ ସହାୟତାରେ ପୁଲିସ ଘରର ଯାଞ୍ଚ ଆରମ୍ଭ କରିଥିଲା। ଦୀର୍ଘ ୪ଘଣ୍ଟା ଧରି ସଲମାନଙ୍କ ଆପାର୍ଟମେଣ୍ଟ ସହ ପୂରା ବିଲଡିଂର ଯାଞ୍ଚ କରାଯିବା ପରେ ଭିତରେ କୌଣସି ବୋମା ନଥିବା ସ୍ପଷ୍ଟ ହୋଇଥିଲା।
ତେବେ ଖବରଟି ମିଛ ବୋଲି ଜାଣି ପୁଲିସ ଇ-ମେଲ କରିଥିବା ଯୁବକଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା। କିନ୍ତୁ ପୁଲିସକୁ ଦେଖି ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ପରେ ପରିବାରର ସହାୟତାରେ ଅଭିଯୁକ୍ତକୁ ଆତ୍ମସମର୍ପଣ ପାଇଁ ପୁଲିସ ଉପଦେଶ ଦେବା ପରେ ଅଭିଯୁକ୍ତ ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଯାହା ପରେ ତାଙ୍କୁ କିଶୋର ନ୍ୟାୟ ଅଦାଲତରେ ହାଜର କରାଯିବା ପରେ ସେଠାରେ ତାଙ୍କୁ ତାଗିଦ୍ କରାଯାଇ ଛାଡ଼ି ଦିଆଯାଇଥିବା ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/qq-16.jpg)