ଭୁବନେଶ୍ବର: ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍’ ପ୍ରଯୋଜିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ପ୍ରଥମ ଗୀତ ରିଲିଜ୍ ହୋଇଛି। ଏହି ଗୀତଟି ହେଲା ତୁ ଆଉ ମୁଁ...। ବିଭାସ ରଥ ଏହି ଗୀତରେ କଣ୍ଠଦାନ କରିଛନ୍ତି। ସେ ଏହାର ସ୍ବର ସଂଯୋଜକ ମଧ୍ୟ। ଏହା ଏକ ସଫ୍ଟ ରୋମାଣ୍ଟିକ୍ ଗୀତ, ଯାହା ସବୁ ଧରଣର ଶ୍ରୋତାଙ୍କ ମନ ଛୁଇଁବ। ବିଶେଷ କରି ଏହି ଗୀତର ପିକଚରାଇଜେସନ ବି ମନଲୋଭା ହୋଇଛି। ଏହି ଗୀତ ଦୃଶ୍ୟରେ ଫିଲ୍ମର ନାୟକ ଦୀପନ୍ୱିତ ଦାସ ମହାପାତ୍ର ଓ ନାୟିକା ବର୍ଷା ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି।

Advertisment

publive-image

ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଏହି ସିନେମାର କାହାଣୀ ଅନୁପ୍ରାଣିତ ହୋଇଛି। ‘ପ୍ରତୀକ୍ଷା’ର ସଂଳାପ ଓ ଚିତ୍ରନାଟ୍ୟ ରୋଶନ୍ ବିଶୋଇ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ରଚନା କରିଛନ୍ତି ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଞ୍ଜନ ସାହୁ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାସ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର ଓ ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୋଆଠାରେ ଆୟୋଜିତ ହେବାକୁ ଥିବା ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଆଇଏଫ୍ଏଫ୍ଆଇ) ଭାରତୀୟ ପାନୋରୋମା ବିଭାଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ଉଭୟ ଟ୍ବିଟର୍ରେ ଲେଖିଛନ୍ତି। ଆଇଏଫ୍ଏଫ୍ଆଇ ଫିଚର୍ ଫିଲ୍ମ ବିଭାଗରେ ୨୫ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ଉତ୍ସବ ଗୋଆରେ ନଭେମ୍ୱର ୨୦ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।