ଓଡ଼ିଆ ସିନେମା ‘ପ୍ରେମରୋଗୀ’ର ନାୟିକାଙ୍କ ଘରୁ ଜବତ ହେଲା ୨୦ କୋଟି ଟଙ୍କା

ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ଜଣେ ଓଲିଉଡ ନାୟିକା। ପରଦାରେ  ଅନୁଭବ, ସବ୍ୟସାଚୀ, ବୁଦ୍ଧାଦିତ୍ୟ ଓ ଆକାଶଙ୍କ ନାୟିକା ବନିଥିବା  ଉକ୍ତ ଅଭିନେତ୍ରୀଙ୍କ ଘରୁ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ୨୦ କୋଟି ଟଙ୍କା ଜବତ କରିଛି। ଓଲିଉଡରେ ଏକଦା ଜବରଦସ୍ତ ଅଙ୍ଗ ପ୍ରଦର୍ଶନ କରି ବେଶ୍ ଚର୍ଚ୍ଚା ସାଉଁଟିଥିବା ଏହି ନାୟିକା ଅଧିକାଂଶ ଆଗଧାଡ଼ିର ନାୟକଙ୍କ ସହ ନଜର ଆସିଥିଲେ। ଏହି ତାଲିକାରେ ଅନୁଭବ, ସବ୍ୟସାଚୀ, ଆକାଶ ଓ ବୁଦ୍ଧାଦିତ୍ୟଙ୍କ ଭଳି ଟପ୍ ହିରୋଙ୍କ ନାୟିକା ବନିଥିଲେ। ସେ ହେଲେ ଅର୍ପିତା ମୁଖାର୍ଜୀ। ସେ ହେଉଛନ୍ତି ‘ତୃଣମୂଳ କଂଗ୍ରେସ’ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଘନିଷ୍ଠ ସହଯୋଗୀ। ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ ଅର୍ପିତାଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।

ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦେଶିତ ଶେଷ ଓଡ଼ିଆ ଛବି ‘ବନ୍ଦେ ଉତ୍କଳ ଜନନୀ ’ ଜରିଆରେ ଅର୍ପିତା ମୁଖାର୍ଜୀଙ୍କର ଓଲିଉଡରେ ଏଣ୍ଟ୍ରି ହୋଇଥିଲା। ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସିନେମାରେ ଜବରଦସ୍ତ ଅଙ୍ଗପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ ଅର୍ପିତା ମୁଖାର୍ଜୀ। ଏହାପରେ ସେ ଅନୁଭବଙ୍କ ବିପକ୍ଷରେ ‘ମୁଁ କଣ ଏତେ ଖରାପ ’ରେ ସେ ନାୟିକା ବନିଥିଲେ।


ତାପରେ ସେ ବୁଦ୍ଧାଦିତ୍ୟଙ୍କ ସହ ‘ପ୍ରେମରୋଗୀ’, ସବ୍ୟସାଚୀଙ୍କ ସହ ‘ ତୋର ମୋର ଯୋଡ଼ି ସୁନ୍ଦର ’ ଏବଂ ଆକାଶଙ୍କ ବିପକ୍ଷରେ ‘ ରାଜୁ ଆଓ୍ଵାରା ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରି ଓଲିଉଡରେ ବେଶ୍‌ ଲୋକପ୍ରିୟ ହୋଇଥିଲେ। ଏହି ନାୟିକା କେବଳ ସବ୍ୟସାଚୀଙ୍କ ସହ ଦୁଇଟି ସିନେମାରେ କାମ କରିଛନ୍ତି।

ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ସେ ବସନ୍ତ ସାହୁ ଓ ଅଶୋକ ପତିଙ୍କ ପରି ଲୋକପ୍ରିୟ ନିର୍ଦେଶକଙ୍କ ଫିଲ୍ମରେ ନଜର ଆସିଥିଲେ।


କିନ୍ତୁ ତାଙ୍କୁ କିଛି ବର୍ଷ ହେଲା କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ। ଅର୍ପିତା ଯେ କେବଳ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ତା’ ନୁହେଁ ,ବରଂ ‘ ଜୋର ଯାର୍‌ ମୁଲକ୍‌ ତାର୍‌ ’, ‘ ପାର୍ଟନର୍‌ ’ ଏବଂ ‘ ମାମା ଭାଗନେ ’ ଆଦି ବଙ୍ଗଳା ଫିଲ୍ମରେ ବି କାମ କରିଛନ୍ତି।
ଓଲିଉଡ ଛାଡ଼ିବା ପରେ ଅର୍ପିତା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟସ୍ତ ଥିବା କୁହାଯାଉଛି। ସେ ଇତି ମଧ୍ୟରେ ଏକ ତାମିଲ୍‌ ଫିଲ୍ମ ‘ ଚିନ୍ନାମା ଲଭ୍‌ ’ ସମେତ ଆଉ କେତେକ ସିନେମାରେ ନାୟିକା ଭାବେ ଅଭିନୟ କରି ସାରିଲେଣି।

ସମ୍ବନ୍ଧିତ ଖବର