ମୁମ୍ବାଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଚଳଚ୍ଚିତ୍ର 'ସୂର୍ଯ୍ୟବଂଶମ'ରେ 'ରାଧା' ଚରିତ୍ରରେ ଅଭିନୟ କରି ଅଭିନେତ୍ରୀ ସୌନ୍ଦର୍ଯ୍ୟା ବହୁତ ଲୋକପ୍ରିୟ ହୋଇଥିଲେ। ଆଗକୁ ନିଜ ଫିଲ୍ମ କ୍ୟାରିୟର ବହୁତ ଉଚ୍ଚକୁ ନେବେ ବୋଲି ସେ ସ୍ବପ୍ନ ଦେଖିଥିଲେ। ହେଲେ ମାତ୍ର ୩୧ ବର୍ଷ ବୟସରେ ୧୭ଏପ୍ରିଲ ୨୦୦୪ରେ ଏକ ବିମାନ ଦୁର୍ଘଟଣାରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ସହ ତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେତେବେଳେ ଏହା ଏକ ଦୁର୍ଘଟଣା ବୋଲି ମାନି ନେଇଥିଲେ ଲୋକେ। ହେଲେ ଏବେ ୨୨ ବର୍ଷ ପରେ, ଦକ୍ଷିଣର ବରିଷ୍ଠ ଅଭିନେତା ମୋହନ ବାବୁଙ୍କ ଉପରେ ଅଭିନେତ୍ରୀଙ୍କୁ ହତ୍ୟା କରିବାର ଆରୋପ ଲାଗିଛି।
ଜାତୀୟ ଗଣମାଧ୍ୟମ ନିଉଜ୍-୧୮ କନ୍ନଡ଼ର ଏକ ରିପୋର୍ଟ ଅନୁସାରେ, ଆନ୍ଧ୍ର ପ୍ରଦେଶରେ ମୋହନ ବାବୁଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନଥିଲା। ବରଂ, ଏହା ଏକ ହତ୍ୟା ଥିଲା ଯେଉଁଥିରେ ମୋହନ ବାବୁ ସମ୍ପୃକ୍ତ ଥିଲେ। ଏହି ଘଟଣା ସମ୍ପତ୍ତି ହଡ଼ପ ସହିତ ଜଡିତ ବୋଲି କୁହାଯାଉଛି।
ଅଭିଯୋଗକାରୀ ଦାବି କରିଛନ୍ତି ଯେ, ସୌନ୍ଦର୍ଯ୍ୟା ଏବଂ ତାଙ୍କ ଭାଇ ଅମରନାଥ, ଶମଶାବାଦର ଜଲପଲ୍ଲୀ ଗାଁରେ ମୋହନ ବାବୁଙ୍କୁ ୬ଏକର ଜମି ବିକ୍ରି ଦେବାକୁ ମନା କରିଥିଲେ। ମୋହନ ବାବୁ ଏହାକୁ ସହ୍ୟ କରିପାରିଲେ ନାହିଁ, ଯାହା ପରେ ସୌନ୍ଦର୍ଯ୍ୟାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଚିଟିମଲ୍ଲୁ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ମୋହନ ବାବୁ ଭାଇଭଉଣୀମାନଙ୍କ ଉପରେ ଜମି ବିକ୍ରି କରିବାକୁ ଚାପ ପକାଉଥିଲେ। ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପରେ, ସେ ବେଆଇନ ଭାବରେ ସେହି ସମ୍ପତ୍ତି ଦଖଲ କରିଥିଲେ।
ଉଲ୍ଲେଖଯୋଗ୍ୟ, ଭାରତୀୟ ଜନତା ପାର୍ଟି ଏବଂ ତେଲୁଗୁ ଦେଶମ ପାର୍ଟି ପାଇଁ କରିମନଗରରେ ଏକ ରାଜନୈତିକ ପ୍ରଚାରରେ ଯୋଗ ଦେବାକୁ ଯାଉଥିବା ସମୟରେ ସୌନ୍ଦର୍ଯ୍ୟାଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ଓ ସାଙ୍ଗରେ ଥିବା ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମୟରେ ସୌନ୍ଦର୍ଯ୍ୟା ଗର୍ଭବତୀ ଥିଲେ ବୋଲି କୁହାଯାଇଥିଲା। ବିମାନ ଦୁର୍ଘଟଣା ପରେ ତାଙ୍କ ମରଶରୀର ମଧ୍ୟ ପରିବାରକୁ ମିଳିପାରିନଥିଲା।