୨୦୨୪ର ପୂଜା ସିନେମା ‘କର୍ମ’ରେ ନାୟକ ଅନୁଭବଙ୍କ ଦମ୍ଦାର୍ ଅଭିନୟର ଝଲକ ତ ସିନେପ୍ରେମୀ ଟିଜର୍, ଗୀତ ଓ ଟ୍ରେଲର୍ରୁ ଦେଖି ସାରିଲେଣି। ତା’ ସାଙ୍ଗକୁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ଅନ୍-ସ୍କ୍ରିନ୍ ରୋମାନ୍ସ ତ ସିନେମାର ଆଉ ଏକ ପ୍ଲସ୍ପଏଣ୍ଟ। ତେବେ ଏହି ସିନେମାର କାହାଣୀରେ ମଶାଣିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
‘କର୍ମ’ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି ଯେ, ଫିଲ୍ମର ମୋଟ୍ ୪୦ ଦିନର ସୁଟିଂ ଭିତରୁ କେବଳ ୧୩ ଦିନ ସୁଟିଂ ମଶାଣିରେ କରାଯାଇଛି। ଆଉ ସିନେମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅନୁଭବ, ଚୌଧୁରୀ ଜୟପ୍ରକାଶ ଦାସ, ସନୋଜ, ଉଦିତ ଓ ନିଶାନ୍ତ ପ୍ରମୁଖଙ୍କ ବିଭିନ୍ନ ସିନ୍ର ଚିତ୍ରଗ୍ରହଣ ସେଠାରେ କରାହୋଇଛି। ଉଲ୍ଲେଖନୀୟ କଥା ହେଲା, କୌଣସି ଗାଁ କିମ୍ବା ସହରର ମଶାଣିରେ ‘କର୍ମ’ ସୁଟ୍ କରାଯାଇନାହିଁ। ଦର୍ଶକଙ୍କୁ ନିଖୁଣ ଦୃଶ୍ୟ ଦେଖାଇବା ଲାଗି ଭୁବନେଶ୍ବରର ଏକ ଲୋକେସନ୍ରେ ମଶାଣିର ସେଟ୍ ନିର୍ମାଣ କରାଯାଇଥିଲା। ଏହା ବାବଦରେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମଶାଣି ସେଟ୍ ନିର୍ମାଣ ଲାଗି କଳା ନିର୍ଦ୍ଦେଶକ ଅମିୟ ମହାରଣା ଓ ସୁଧାଂଶୁ ମହାନ୍ତିଙ୍କୁ ପ୍ରାୟ ୨ ସପ୍ତାହ ସମୟ ଲାଗିଥିଲା।
ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ତାଙ୍କ ପୂର୍ବ ସିନେମା ‘ପ୍ରତୀକ୍ଷା’ ଓ ‘ତ୍ରିକନ୍ୟା’ ଭଳି ‘କର୍ମ’ର ସମସ୍ତ ସୁଟିଂ କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ କରିଛନ୍ତି। ସେ କହନ୍ତି, ଅନ୍ୟ ପ୍ରଯୋଜକମାନେ କାଶ୍ମୀର ଓ ହାଇଦ୍ରାବାଦ ଭଳି ଜାଗାକୁ ଯାଇ ସୁଟିଂ କରୁଥିବା ବେଳେ ମୁଁ ସବୁବେଳେ ନିଜ ମାଟିରେ ଥିବା ସୁନ୍ଦର ସୁନ୍ଦର ଜାଗାକୁ ମୋ ସିନେମାରେ ଦେଖାଇବା ଲାଗି ଚେଷ୍ଟା କରିଆସିଛି।