ସୁଶାନ୍ତଙ୍କ ମୃତ୍ୟୁ ନେଇ ୩ ଥିଓରି, ଭୂତ ଭୟରେ ୨ମାସ ହୋଟେଲ୍‌ରେ ଥିଲେ!

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଲୋକ ଭିନ୍ନଭିନ୍ନ କଥା ଆଲୋଚନା କରୁଛନ୍ତି। ଏବେ ଆଶ୍ଚର୍ଯ୍ୟ କଲା ଭଳି ବୟାନ ରଖିଛନ୍ତି ସୁଶାନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ, ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଓ ଜିମ୍‌ ପାର୍ଟନର୍‌ ସୁନିଲ ଶୁକ୍ଳା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁଶାନ୍ତଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ରିୟା ହିଁ ସୁଶାନ୍ତଙ୍କ ମୁଣ୍ଡରେ ସବୁବେଳେ ଅଲୌକିକ ଶକ୍ତି କଥା ଭର୍ତି କରୁଥିଲେ। ସୁଶାନ୍ତ ମାନସିକସ୍ତରରେ ଅଶାନ୍ତ ରହିଥିବା ବେଳେ ବିଭିନ୍ନ ଅଲୌକିକ ଶକ୍ତି କଥା କହି ରିୟା ତାଙ୍କ ମନରେ ଭ୍ରମ ସୃଷ୍ଟି କରୁଥିଲେ। ଖାଲି ସେତିକି ନୁହେଁ, ସୁଶାନ୍ତଙ୍କ ବୃତ୍ତିଗତ ଜୀବନ ସହ ତାଙ୍କର ଆର୍ଥିକ ନେଣଦେଣ ରିୟା ନିଜେ ନିଜ ନିୟନ୍ତ୍ରଣରେ ରଖିଥିଲେ।

ଅନ୍ୟପଟେ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ଗତକାଲିର ଟ୍ବିଟ୍‌ ସମସ୍ତଙ୍କ ଚକିତ କରିଛି। ସେ ଟ୍ବିଟ୍‌ କରି କହିଛନ୍ତି, ମୃତ୍ୟୁ ଦିନ ସୁଶାନ୍ତ ଦୁବାଇର ଜଣେ ଡ୍ରଗ୍‌ ଡିଲରଙ୍କୁ ଭେଟିଥିଲେ। ସେ ଏହି ଅବସରରେ ସୁନନ୍ଦା ପୁଷ୍କର ମାମଲାର ଉଦାହରଣ ଦେଇ କହିଛନ୍ତି, ଯେଉଁଭଳି ଭାବେ ସୁନନ୍ଦା ମୃତ୍ୟୁ ବେଳେ କ’ଣ ଖାଇଥିଲେ, ତା’ର ଶବ ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତର ମୁଖ୍ୟ ତଥ୍ୟ ପାଲଟିଥିଲା, ସେହିଭଳି ଭାବେ ସୁଶାନ୍ତଙ୍କର ପେଟରେ କ’ଣ ଥିଲା, ତାହାର ଯାଞ୍ଚ କରାଯାଇନାହିଁ କାହିଁକି? ଦୁବାଇର ଡ୍ରଗ୍‌ ଡିଲର ଅୟାଶ ଖାନ୍ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କୁ ଭେଟିଥିବାରୁ ମୃତ୍ୟୁ ବେଳକୁ ତାଙ୍କ ପେଟରେ କ’ଣ ଥିଲା ଯାଞ୍ଚ କଲେ ଏହି ମାମଲାର ଏକ ଶୃଙ୍ଖଳ ଯୋଡ଼ି ହୋଇପାରିବ ବୋଲି ସେ କହିଛନ୍ତି। ଏଥିସହ ସ୍ବାମୀ ଆଜି ଟ୍ବିଟ୍ କରିଛନ୍ତି, ସୁଶାନ୍ତଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଯେହେତୁ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦରେ ବିଳମ୍ବ ହୋଇଛି, ତେଣୁ ସେ ବିଷ ପାଚନ କ୍ରିୟା ଦ୍ବାରା ହଜମ ହୋଇଯାଇଥିବା ସେ ଉଳ୍ଲେଖ କରିଛନ୍ତି।

www.abplive.com

ଅନ୍ୟପଟେ ସୁଶାନ୍ତଙ୍କ ଜିମ୍‌ ପାର୍ଟନର୍‌ ସୁନିଲ ଶୁକ୍ଳା ସିଧାସଳଖ ରିୟାଙ୍କ ବାପା ଓ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କୁ ଦାୟୀ କରିଛନ୍ତି। ସେମାନେ ସୁଶାନ୍ତଙ୍କ ମୃତ୍ୟୁ ଷଡ଼ଯନ୍ତ୍ର ରଚିଥିବା ତଥା ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ରିୟା ସବୁବେଳେ ତାଙ୍କ ବାପା ଦେଇଥିବା ଔଷଧ ଖୁଆଉଥିଲେ। ସେ ସୁଶାନ୍ତଙ୍କ ଘର ଛାଡ଼ି ଯିବା ପରେ ଆଉ କେହି ଜଣେ ସେହି ଔଷଧ ସୁଶାନ୍ତଙ୍କୁ ଖୁଆଇ ଥାଇପାରନ୍ତି।

ଭୂତ ଭୟରେ ୨ମାସ ହୋଟେଲ୍‌ରେ ଥିଲେ !
ଭୂତ ଭୟରେ ସୁଶାନ୍ତ ଓ ରିୟା ୨ମାସ ଧରି ମୁମ୍ୱାଇର ୱାଟର୍‌ ଷ୍ଟୋନ୍‌ ହୋଟେଲ-କ୍ଲବରେ ରହିଥିବା ନେଇ ଚର୍ଚ୍ଚା ଏବେ ଜୋର୍‌ ଧରିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତକ୍ରମରେ ଏବେ ସିବିଆଇର ଟିମ୍‌ ଉକ୍ତ ହୋଟେଲରେ ପହଞ୍ଚିଛି। ସିବିଆଇ ଗତକାଲି ଏହି ହୋଟେଲ୍‌ର କର୍ମଚାରୀ ଓ ମ୍ୟାନେଜର୍‌ଙ୍କ ବୟାନ ରେକର୍ଡ କରିଛି। ରହଣି କାଳରେ ସୁଶାନ୍ତଙ୍କୁ ହୋଟେଲରେ କିଏ କିଏ ଭେଟିଥିଲେ, ସେ ନେଇ ସିବିଆଇ ଖୋଳତାଡ଼ କରୁଛି। ଏଥିସହ ହୋଟେଲର ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। କୁହାଯାଉଛି ଯେ ରିୟା ହିଁ ସୁଶାନ୍ତଙ୍କୁ ସେ ହୋଟେଲକୁ ନେଇ ଯାଇଥିଲେ। ସେଠାରେ ଆଧ୍ୟାତ୍ମିକ ଗୁରୁ ମହେଶ ଯୋଶୀଙ୍କ ସହାୟତାରେ ତାଙ୍କର ଆଧ୍ୟାତ୍ମିକ ଉପଚାର ମଧ୍ୟ କରାଇଥିଲେ। ଏବ‌େ ସିବିଆଇ ମହେଶଙ୍କୁ ଜେରା କରିବ ବୋଲି ଜଣାଯାଇଛି। ଅପରପକ୍ଷେ ସୁଶାନ୍ତଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଏହି ହୋଟେଲକୁ ଆସିବା ପରେ ସୁଶାନ୍ତ ନିଜ ପରିବାରଠାରୁ ଦୂରେଇ ଯାଇଥିଲେ।

ସମ୍ବନ୍ଧିତ ଖବର