ନୂଆଦିଲ୍ଲୀ: ଦୂରଦର୍ଶନର ଅନେକ ଲୋକପ୍ରିୟ ସୋ’୧୯୮୦ ଦଶକର ଶେଷ ଭାଗରୁ ୧୯୯୦ ଦଶକ ପର୍ଯ୍ୟନ୍ତ ପ୍ରସାରଣ ହୋଇଥିଲା। ଏହି ସୋ’ଗୁଡ଼ିକ ମଧ୍ୟରୁ ଗୋଟିଏ ଏପରି ଯେଉଁଥିରେ ଭାରତ ଏବଂ ପାକିସ୍ତାନ ବିଭାଜନର ଯନ୍ତ୍ରଣାକୁ ଦର୍ଶାଯାଇଥିଲା। ଏହି ସୋ’ଟି ପ୍ରସାରିତ ହେବା ମାତ୍ରେ ହଙ୍ଗାମା ଆରମ୍ଭ ହୋଇଯାାଇଥିଲା। ଏମିତି କି ବମ୍ବେ ହାଇକୋର୍ଟ ଏହାର ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଉକ୍ତ ସୋ’ ନିର୍ଦ୍ଦେଶକଙ୍କୁ ପ୍ରତିଦିନ ହତ୍ୟା ଧମକ ମିଳୁଥିଲା।
୧୯୮୮ ମସିହାରେ ପ୍ରସାରିତ ଏହି ସୋ’ର ନାମ ଥିଲା "ତମସ", ଯାହାର ନିର୍ଦ୍ଦେଶନା ଗୋବିନ୍ଦ ନିହାଲାନି କରିଥିଲେ। ଏହା ଏକ ଛଅ ଭାଗ ବିଶିଷ୍ଟ ମିନିସିରିଜ୍ ଥିଲା ଯାହା ୧୯୪୭ ଭାରତ ଏବଂ ପାକିସ୍ତାନ ବିଭାଜନ ସମୟରେ ଘଟିଥିବା ଦଙ୍ଗାକୁ ବର୍ଣ୍ଣନା କରିଥିଲା।
"ତମସ" ଶୀର୍ଷକ ଥିବା ସୋ'ରେ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ଭାରତ ଆସିଥିବା ଶିଖ ଏବଂ ହିନ୍ଦୁ ପ୍ରବାସୀ ପରିବାରଙ୍କ କାହାଣୀକୁ ଦର୍ଶାଯାଇଥିଲା। ଯେଉଁଥିରେ ଉକ୍ତ ପରିବାର ବିଭାଜନ ପରେ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜ ଏବଂ ଅତ୍ୟାଚାରକୁ ଉଜାଗର କରାଯାଇଥିଲା।
ନିର୍ଦ୍ଦେଶକ ଗୋବିନ୍ଦ ନିହାଲାନି ଏକ ସାକ୍ଷାତକାର "ତମସ" ସୋ’କୁ ନେଇ କହିଥିଲେ, ‘ମୁଁ ପ୍ରଥମେ ଯେତେବେଳେ କାହାଣୀଟି ପାଇଥିଲି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କରୁଥିଲେ, କିନ୍ତୁ ବଜେଟ୍ କମ ହେତୁ ଏକ ଧାରାବାହିକ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲି।
ତେବେ "ତମସ" ଧାରାବାହିକ ନିର୍ମାଣ କରିବା ପୂର୍ବରୁ ପ୍ରଥମେ ମନରେ ସଂକୋଚ ଆସିଥିଲା। ମନରେ ଭୟ ଥିଲା କି ଦର୍ଶକମାନେ ଏହି ସୋ'କୁ ହିନ୍ଦୁ ବିରୋଧୀ ଭାବରେ ବ୍ୟାଖ୍ୟା କରିପାରନ୍ତି ଏବଂ ଏହାକୁ ନିଷିଦ୍ଧ କରାଯାଇପାରେ। ତଥାପି ସମସ୍ତ ଚିନ୍ତାକୁ ଅଣଦେଖା କରି ସୋ'ର ନିର୍ଦ୍ଦେଶନା ଦେଇଥିଲି।
ଶେଷରେ "ତମସ" ଧାରାବାହିକ ପ୍ରସାରିତ ହୋଇଥିଲା। ସୋ’ ପ୍ରସାରିତ ହେବାପରେ କ୍ରମାଗତ ଭାବେ ମୋତେ ହତ୍ୟା ଧମକ ମିଳିଥିଲା, ଯାହା ଫଳରେ ମୁଁ ଦୁଇ ମାସ ପାଇଁ ପୁଲିସ ସୁରକ୍ଷାରେ ରହିଥିଲି। ଏହା ବ୍ୟତୀତ, ବମ୍ବେ ହାଇକୋର୍ଟ ଧାରାବାହିକର ପ୍ରଦର୍ଶନକୁ ରୋକିବା ପାଇଁ ଏକ ସ୍ଥଗିତାଦେଶ ଜାରି କରିଥିଲେ। କିନ୍ତୁ କିଛି ଦିନ ପରେ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାହାର କରିଦେଇଥିଲେ।’