ମୁମ୍ବାଇ: ଗଦର-୨ ପାଇଁ ସପ୍ତାହେ ହେଲା ଅଗ୍ରିମ ଟିକଟ ବୁକିଂ ଚାଲିଥିବା ବେଳେ ରବିବାର ଦିନ ୧୧ଟା ସୁଦ୍ଧା କେବଳ ଓପନିଂ ଦିବସ ପାଇଁ ପ୍ରାୟ ୪୫,୦୦୦ ଟିକଟ ବିକ୍ରି ହୋଇଯାଇଛି। ଖୁବ୍ଶୀଘ୍ର ଏହା ୫୦,୦୦୦ ଟପିବ ଏବଂ ଗୁରୁବାର ରାତି ସୁଦ୍ଧା ଅଗ୍ରିମ ବୁକିଂର ଅନ୍ତିମ ଦିବସରେ ୨ ଲକ୍ଷରୁ ଅଧିକ ଟିକଟ ବିକ୍ରି ହୋଇ ସାରିଥିବ ବୋଲି ଆଶା କରାଯାଉଛି। ପଠାନ ପରେ ଏହା ଦ୍ବିତୀୟ ବୃହତ୍ତମ ସଫଳତା ଆଡ଼କୁ ଗତି କରୁଥିବା ସ୍ପଷ୍ଟ ହୋଇଛି। ସୀମିତ ବଜେଟ୍ରେ ନିର୍ମିତ ଫିଲ୍ମଟି ମହାମାରୀ ପରେ ଏକ ବିରଳ ଫିଲ୍ମ ହେବାକୁ ଯାଉଛି, ଯାହା କେବଳ ଫିଲ୍ମ ହଲ୍ମାନଙ୍କରେ ପ୍ରଦର୍ଶନରୁ ଖଟାଇଥିବା ସମସ୍ତ ପୁଞ୍ଜି ଫେରି ପାଇଯିବ। ଦେଶ ବାହାରେ ବି ଏହି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିବା ଆଶା କରାଯାଉଛି। ଅଗ୍ରିମ ଟିକଟ ବୁକିଂ ଯେଉଁ ହାରରେ ଚାଲିଛି, ସେଥିରୁ ଫିଲ୍ମଟି ମୁକ୍ତିଲାଭ ଦିନରେ ହିଁ ୨୦ କୋଟିରୁ ଅଧିକ ଆୟ କରିବ ବୋଲି ଅନୁମାନ କରାଯାଉଛି। ଯଦି ଏହିପରି ସମ୍ବେଗ ବଜାୟ ରହେ ତେବେ ମୁକ୍ତିଲାଭ ଦିବସରେ ଏହା ୩୦ କୋଟିରୁ ଅଧିକ ଆୟ କରିବା ବି ଅସମ୍ଭବ ନୁହେଁ। ଯଦି ସେପରି ହୁଏ, ତେବେ ଅଣ-ଛୁଟି ଦିବସରେ ମୁକ୍ତିଲାଭ କରିଥିବା ଫିଲ୍ମଗୁଡ଼ିକ ଭିତରେ ଏହା ଅନ୍ୟତମ ବୃହତ୍ତମ ଆୟକାରୀ ଭାବେ ବିବେଚିତ ହେବ।
ଗଦର-୨ ଚଳଚ୍ଚିତ୍ରରେ ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଏହା ଅଗଷ୍ଟ ୧୧ରେ ଭାରତୀୟ ବକ୍ସ ଅଫିସ୍ରେ ଓଏମ୍ଜି-୨ ସହ ଏକାଦିନରେ ମୁକ୍ତିଲାଭ କରିବାକୁ ଯାଉଛି। ଓଏମ୍ଜି-୨ ପାଇଁ ମଧ୍ୟ ଅଗ୍ରିମ ବୁକିଂ ଚାଲିଛି। ଅନୁମାନ କରାଯାଉଥିଲା ଏକା ଦିନରେ ରିଲିଜ ହେବାକୁ ଯାଉଥିବା ଦୁଇ ଫିଲ୍ମ ଭିତରେ ଅଗ୍ରିମ ବୁକିଂରେ ପ୍ରତିଦ୍ବନ୍ଦ୍ବିତା ହେବ। ମାତ୍ର ଓଏମ୍ଜି-୨କୁ ପଛରେ ପକାଇଦେଇଛି ଗଦର-୨। ଗଦର-୨ ପାଇଁ ୪୫,୦୦୦ରୁ ଅଧିକ ଟିକଟ ବିକ୍ରି ହୋଇ ସାରିଥିବା ବେଳେ ଅକ୍ଷୟ କୁମାରଙ୍କ ଫିଲ୍ମ ପାଇଁ ମାତ୍ର ୭,୭୦୦ ଟିକଟ ବିକ୍ରି ହୋଇଛି। ଯଦି ଗୁରୁବାର ରାତି ସୁଦ୍ଧା ଓଏମ୍ଜି-୨ ପାଇଁ ଟିକଟ ବିକ୍ରି ୫୦,୦୦୦ ଡିଏଁ ତେବେ ବକ୍ସ ଅଫିସ୍ରେ ପ୍ରାୟ ୭ କୋଟି ଟଙ୍କା ଆୟ ହେବ ବୋଲି କୁହାଯାଉଛି।