ମିଛ ତଥ୍ୟ ଦେଇଥିବାରୁ ୟୁଟ୍ୟୁବରଙ୍କ ନାମରେ ୫୦୦ କୋଟିର ମାନହାନି ମାମଲା କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବିହାରର ୟୁଟ୍ୟୁବର ରସିଦ ସିଦ୍ଦିକିଙ୍କ ଉପରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି। ସୁଶାନ୍ତ ସିଂ ରାଜପୁତ ମାମଲାରେ ରସିଦ ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଅକ୍ଷୟ କୁମାରଙ୍କ ନାମ ଟାଣିଥିବା ଅଭିଯୋଗ ହୋଇଛି। ରସିଦଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭାଇରାଲ ଭିଡିଓରେ ସେ ଅକ୍ଷୟ କୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ସେ ରିୟା ଚକ୍ରବର୍ତ୍ତୀଙ୍କୁ କାନାଡା ପଳାଇବାରେ ସାହାଯ୍ୟ କରିଛନ୍ତି।

କେବଳ ଏତିକି ନୁହେଁ, ରଶିଦ ତାଙ୍କ ଭିଡିଓରେ କହିଛନ୍ତି ଯେ ଅକ୍ଷୟ, ସୁଶାନ୍ତଙ୍କ ମାମଲା ସମ୍ପର୍କରେ ମୁମ୍ବାଇ ପୁଲିସ ଏବଂ ଆଦିତ୍ୟ ଠାକରେଙ୍କ ସହ ଗୁପ୍ତ ବୈଠକ କରିଥିଲେ। ତେବେ ଏହି ପ୍ରସଙ୍ଗରେ ଅକ୍ଷୟ କୁମାର କୌଣସି ବୟାନ ଦେଇନାହାଁନ୍ତି | ସୂଚନା ଥାଉ କି ଚଳିତ ବର୍ଷ ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟରୁ ମିଳିଥିଲା | ଆଉ ଏହାକୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାରର ଭିଡିଓ ପ୍ରସ୍ତୁତ କରି ଅପଲୋଡ୍ କରିଥିଲେ ।

ତେବେ ରସିଦ ଅକ୍ଷୟ କୁମାରଙ୍କ ନାମରେ କୌଣସି ପ୍ରମାଣ ନଥାଇ ମନଗଢା ଭିଡିଓ ପ୍ରସ୍ତୁତ କରି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଲେ | ଯାହାକୁ ନେଇ ଅକ୍ଷୟ ତାଙ୍କ ନାମରେ ମାନହାନି କେସ କରିଛନ୍ତି | ଉଲ୍ଲେଖଯୋଗ୍ୟ କିଛି ଦିନ ତଳେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ରିଲିଜ ହୋଇଥିବାବେଳେ ଖୁବ ଶୀଘ୍ର ଅତରଙ୍ଗୀ ରେ,ବେଲ ବଟମ ଏବଂ ପୃଥ୍ଵୀରାଜ ଭଳି ଚଳଚ୍ଚିତ୍ର ରିଲିଜ ହେବାର ଅଛି |

ସମ୍ବନ୍ଧିତ ଖବର