ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ୫୯ବର୍ଷ ବୟସରେ ମଧ୍ୟ ତାଙ୍କ କାମରେ ବହୁତ ସକ୍ରିୟ। ହେଲେ ବୟସର ଏହି ସୀମାରେ ଠିଆ ହୋଇ ସଲମାନ ଅନେକ ରୋଗ ସହିତ ଲଢ଼ୁଛନ୍ତି। ଟ୍ୱିଙ୍କଲ ଖାନାଙ୍କ ସୋ’ 'ଟୁ ମଚ୍'ରେ ଅଭିନେତା ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଇଛନ୍ତି। ଏହି ରୋଗ ପାଇଁ ସେ ଖାଦ୍ୟ ଚୋବାଇପାରୁନଥିଲେ ବୋଲି ଜଣାଇଛନ୍ତି।
ଦବଙ୍ଗ ଖାନ କହିଛନ୍ତି ଯେ, "ମୁଁ ପ୍ରଥମ ଥର ପାଇଁ ଫିଲ୍ମ ପାର୍ଟନରର ସେଟରେ ଏହି ଯନ୍ତ୍ରଣା ଅନୁଭବ କରିଥିଲି। ତୁମକୁ ଏହା ସହିତ ବଞ୍ଚିବାକୁ ପଡିବ। ଅନେକ ଲୋକ ଅଛନ୍ତି ଯେଉଁମାନେ ବାଇପାସ୍ ସର୍ଜରୀ, ହୃଦରୋଗ ଏବଂ ଅନ୍ୟାନ୍ୟ ରୋଗ ସହିତ ବଞ୍ଚନ୍ତି। ଯେତେବେଳେ ମୁଁ ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ନାମକ ଏକ ରୋଗରେ ପୀଡ଼ିତ ହେଲି, ଏହାର ଯନ୍ତ୍ରଣା ଏତେ ଅଧିକ ଥିଲା ଯେ ତୁମେ ତୁମର ଶତ୍ରୁକୁ ମଧ୍ୟ ହେଉ ବୋଲି ଚାହିଁବ ନାହିଁ। ମୋର ଏହି ଯନ୍ତ୍ରଣା ସାଢ଼େ ୭ ବର୍ଷ ଧରି ଥିଲା। ଏହି ଯନ୍ତ୍ରଣା ପ୍ରତି ୪-୫ ମିନିଟରେ ହେଉଥିଲା। ହଠାତ୍ ଯନ୍ତ୍ରଣା ଆରମ୍ଭ ହେଉଥିଲା। ବିଶେଷ କରି କାହା ସହ କଥା ହେବା ସମୟରେ। ଜଳଖିଆ ଖାଇବାକୁ ମୋତେ ଦେଢ଼ ଘଣ୍ଟା ସମୟ ଲାଗୁଥିଲା। ଅଣ୍ଡା ଅମଲେଟ୍ ଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା। କାରଣ ମୁଁ ଚୋବାଇ ପାରୁନଥିଲି। ତେଣୁ ମୋତେ ଖାଦ୍ୟ ଶେଷ କରିବା ପାଇଁ ବହୁତ କଷ୍ଟ ସହିବାକୁ ପଡ଼ୁଥିଲା ଏବଂ ସଂଘର୍ଷ କରିବାକୁ ପଡ଼ୁଥିଲା।"
ଏହା ପୂର୍ବରୁ ଜୁନ୍ ମାସରେ, ଅଭିନେତା 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ସୋ'ରେ ତାଙ୍କର ଶାରୀରିକ ସମସ୍ୟା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ଗୋଟିଏ ନୁହେଁ ବରଂ ତିନୋଟି ସ୍ନାୟୁଗତ ରୋଗ ( ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ, ବ୍ରେନ୍ ଏନିଉରିଜ୍ମ ଏବଂ ଆର୍ଟେରିଓଭେନସ୍ ମାଲଫର୍ମେସନ୍) ସହିତ ଲଢ଼ୁଛନ୍ତି।
salman-khan