ନୂଆଦିଲ୍ଲୀ: ‘ବିଗ୍ ବସ୍ ଓଟିଟି-୨’ର ବିଜୟୀ ଏଲ୍ଭିସ୍ ଯାଦବଙ୍କ ବିରୋଧରେ ବିଷାକ୍ତ ସାପ ଏବଂ ରେଭ୍ ପାର୍ଟି କରିବା ଅଭିଯୋଗ ଆସିବା ପରେ ତାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଏଥିସହିତ ଏଲଭିସ୍ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ୩ରାଜ୍ୟର ପୁଲିସ ଖୋଜିବା ଆରମ୍ଭ କରିଥିବା ବେଳେ ଫେରାର ଥିବା ‘ବିଗ୍ ବସ୍ ଓଟିଟି-୨’ ବିଜୟୀ ଏଲ୍ଭିସ୍ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଏଲଭିସ କହିଛନ୍ତି, ‘ଯେଉଁ ଭିଡିଓ ଆଧାରରେ ମାମଲା ରୁଜୁ ହୋଇଛି ତାହା ଗତଛଅମାସ ପୂର୍ବର ରହିଛି। ମୋର କୌଣସି ରେଭ୍ ପାର୍ଟି ସହିତ ସମ୍ପର୍କ ନାହିଁ। ମୋ ବିରୋଧରେ ରୁଜୁ କରାଯାଇଥିବା ସମ୍ପୂର୍ଣ୍ଣ ମାମଲାକୁ ମୁଁ ଖଣ୍ଡନ କରୁଛି।
ମୁଁ ଗତ ଏକମାସ ହେବ ବିଭିନ୍ନ କାର୍ଯ୍ୟକ୍ରମ ଓ ସୁଟିଂରେ ବ୍ୟସ୍ତ ଅଛି। ଏହି କାରଣରୁ କେବେ ଲଣ୍ଡନ, କେବେ ମୁମ୍ବାଇ, କେବେ ଇନ୍ଦୋର ତ କେତେବେଳେ ଅହମ୍ମଦାବାଦ ବି ଯାଇଛି। ଏଭଳି ବ୍ୟସ୍ତତା ଭିତରେ ନୋଏଡା ଯିବାର ପ୍ରଶ୍ନ ହିଁ ଉଠୁନାହିଁ। ମୁଁ ସମସ୍ତ ଯାଞ୍ଚରେ ପୁଲିସକୁ ସହଯୋଗ କରିବି। ଯଦି ମୁଁ ଦୋଷୀ ସମସ୍ତ ଦଣ୍ଡ ଭୋଗିବାକୁ ରାଜି ବି ଅଛି।’
ସୂଚନାଯୋଗ୍ୟ, ନୋଏଡା ପୁଲିସ ଓ ବନବିଭାଗ ଟିମ ୫ଜଣ ସାପୁଆକେଳାଙ୍କୁ ଗିରଫ କରିଥିଲା। ଗିରଫ ୫ଜଣଙ୍କ ନିକଟରୁ ପୁଲିସ ୫ଟି ନାଗସାପ ଓ କିଛି ବିଷ ଜବତ କରିଥିଲା। ଏହି ସାପୁଆକେଳାମାନେ ପୁଲିସକୁ କହିଥିଲେ କି, ସେମାନେ ଏଲ୍ଭିସ୍ ଯାଦବଙ୍କ ସ୍ନେକ ବାଇଟ ବିତରଣ କରିଥାଆନ୍ତି। ଏହାପରେ ଏଲ୍ଭିସ୍ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି।