ମୁମ୍ବାଇ : କୋଭିଡ୍ କଟକଣା ଭିତରେ ଆଜି ୬୬ତମ ‘ଫିଲ୍ମଫେୟାର୍ ଆୱାର୍ଡ’ ସମାରୋହ ମୁମ୍ବାଇ ଫିଲ୍ମସିଟିରେ ଅନୁଷ୍ଠିତ ହୋଇଛି। ‘ଅଂଗ୍ରେଜି ମିଡିୟମ’ ଚଳଚ୍ଚିତ୍ର ପାଇଁ ଇର୍ଫାନ ଖାନ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ବେଳେ ‘ଥାପ୍ପଡ଼’ ଚଳଚ୍ଚିତ୍ର ପାଇଁ ତାପସୀ ପନ୍ନୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ‘ତନ୍ହାଜି ଫିଲ୍ମ ପାଇଁ ସୈଫ୍ ଅଲ୍ଲୀ ଖାନ୍ ଶ୍ରେଷ୍ଠ ସହ ଅଭିନେତା ଏବଂ ‘ଗୁଲାବୋ ସୀତାବୋ’ ପାଇଁ ଫରୁଖ୍ ଜାଫେର ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।
‘ଥାପ୍ପଡ଼’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ‘ଥାପ୍ପଡ଼’ର ‘ଏକ ଟୁକୁଡା ଧୁପ୍’ ଗୀତ ପାଇଁ ରାଘବ ଚୈତନ୍ୟ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ‘ମଲାଙ୍ଗ’ ଚଳଚ୍ଚିତ୍ର ପାଇଁ ଅସିସ୍ କୌର୍ଙ୍କୁ ମିଳିଛି। ‘ଏବେ ଆଲେ ଓ’ କୁ ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍ସ) ପୁରସ୍କାର ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ‘ଗୁଲାବୋ ସୀତାବୋ’ ପାଇଁ ଅମିତାଭ ବଚ୍ଚନଙ୍କୁ ମିଳିଛି। ‘ ସାର’ ଫିଲ୍ମ ପାଇଁ ତିଳୋତ୍ତମା ସୋମ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ୬୬ ତମ ଫିଲ୍ମଫେୟାର ଉତ୍ସବକୁ ହୋଷ୍ଟ୍ କରିଥିଲେ ରାଜକୁମାର ରାଓ ଏବଂ ରିତେଶ ଦେଶମୁଖ।