୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ସୋମବାର ସକାଳେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଏହି ପୁରସ୍କାର ୨୦୧୯ ବର୍ଷ ପାଇଁ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଥିଲା। କୋଭିଡ୍-୧୯ର ସଂକ୍ରମଣ ଏବଂ ଏଥିଲାଗି ସାରାଦେଶରେ ଜାରିହେଇଥିବା କଟକଣା ଯୋଗୁଁ ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିଥିଲା। ଏଣୁ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ମାଲୟାଲମ୍ ଚଳଚ୍ଚିତ୍ର ‘ମାରାକ୍କାର: ଲାୟନ୍ ଅଫ୍ ଦ ଆରବିଆନ୍ ସି’ ମୁକ୍ତିଲାଭ କରିପାରି ନ ଥିଲା। କିନ୍ତୁ ବିଚାରକଙ୍କ ଦୃଷ୍ଟିରେ ଏହାକୁ ଶ୍ରେଷ୍ଠ ବିବେଚିତ କରାଯାଇ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହିନ୍ଦୀ ଚଳଚ୍ଚିତ୍ର ‘ଭୋଁସଲେ’ ପାଇଁ ମନୋଜ ବାଜପେୟୀ ଏବଂ ତାମିଲ ଚଳଚ୍ଚିତ୍ର ‘ଅସୁରନ’ ପାଇଁ ଧନୁଷଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ହିନ୍ଦୀ ଚଳଚ୍ଚିତ୍ର ‘ପଙ୍ଗା’ ଓ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍ ଝାନ୍‌ସୀ’ ପାଇଁ କଙ୍ଗନା ରାଣାୱତ୍‌ଙ୍କୁ ପୁରସ୍କୃତ କରାଯାଇଛି।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଚଳଚ୍ଚିତ୍ର ‘ବାହତ୍ତର ହୁରେଁ’ ପାଇଁ ସଞ୍ଜୟ ପୂରଣ ସିଂହ ଚୌହାନଙ୍କୁ ଏବଂ ନବାଗତ ନିର୍ଦ୍ଦେଶକ ଭାବେ ମାଲୟାଲମ୍ ଫିଲ୍ମ ‘ହେଲେନ୍’ ପାଇଁ ମାଥୁକୁଟ୍ଟି ଜାଭିୟରଙ୍କୁ ପୁରସ୍କାର ମିଳିଛି। ସେହିପରି ବିଜୟ ସେତୁପତିଙ୍କୁ ‘ସୁପର୍‌ ଡିଲକ୍ସ’ ଓ ପଲ୍ଲବୀ ‌ଯୋଶୀଙ୍କୁ ‘ଦ ତାସ୍‌କେଣ୍ଟ ଫାଇଲସ୍’ ଫିଲ୍ମ ପାଇଁ ଶ୍ରେଷ୍ଠ ସହକଳାକାର ଏବଂ ଶ୍ରେଷ୍ଠ ଶିଶୁ କଳାକାର ଭାବେ ତାମିଲ୍‌ ଚଳଚ୍ଚିତ୍ର ‘କେଡି’ର ନାଗା ବିଶାଲଙ୍କୁ ପୁରସ୍କୃତ କରାଯାଇଛି।

ଡି.ଇମାନ୍‍ଙ୍କୁ ତାମିଲ ଚଳଚ୍ଚିତ୍ର ‘ବିଶ୍ବାସମ୍’ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ବଙ୍ଗଳା ଚଳଚ୍ଚିତ୍ର ‘ଜ୍ୟେଷ୍ଠପୁତ୍ର’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦ ସଙ୍ଗୀତକାର ଭାବେ ପ୍ରବୁଦ୍ଧ ବାନାର୍ଜୀ, ‌ମାଲୟାଲମ୍ ଚଳଚ୍ଚିତ୍ର ‘କୋଲାମ୍ବି’ ପାଇଁ ଶ୍ରେଷ୍ଠ ଗୀତିକାର ଭାବେ ପ୍ରଭା ବର୍ମା, ତେଲୁଗୁ ଫିଲ୍ମ ‘ମହର୍ଷି’ ପାଇଁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ଭାବେ ରାଜୁ ସୁନ୍ଦରମ୍, ହିନ୍ଦୀ ଚଳଚ୍ଚିତ୍ର ‘କେଶରୀ’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଏବଂ ମରାଠୀ ଚଳଚ୍ଚିତ୍ର ‘ବାରଦୋ’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦ କଣ୍ଠଶିଳ୍ପୀ ଭାବେ ସାବନୀ ରବୀନ୍ଦ୍ରଙ୍କୁ ପୁରସ୍କୃତ କରାଯାଇଛି।
ବଙ୍ଗଳା ଚଳଚ୍ଚିତ୍ର ‘ଜ୍ୟେଷ୍ଠପୁତ୍ର’ ପାଇଁ ଶ୍ରୀଜିତ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ ରଚୟିତା, ମାଲୟାଲମ ଚଳଚ୍ଚିତ୍ର ‘ଜଲ୍ଲିକଟ୍‍ଟୁ’ ପାଇଁ ଶ୍ରେଷ୍ଠ ଚିତ୍ରୋତ୍ତୋଳକ ଭାବେ ଗିରୀଶ ଗଙ୍ଗାଧରନ୍‌, ତେଲୁଗୁ ଚଳଚ୍ଚିତ୍ର ‘ଜର୍ସି’ ପାଇଁ ଶ୍ରେଷ୍ଠ ସମ୍ପାଦକ ଭାବେ ନବୀନ ନୋଲୀ ଏବଂ ତାମିଲ ଚଳଚ୍ଚିତ୍ର ‘ଓଥା ସେରୁପୁ ସାଇଜ୍ ୭’କୁ ଶ୍ରେଷ୍ଠ ବିଚାରକ ପୁରସ୍କାର ପ୍ରଦାନ କରାଯାଇଛି।

ଏହା ବ୍ୟତୀତ ଶଟ୍ ଫିକ୍ସନ୍ ଫିଲ୍ମ ‘କଷ୍ଟୋଡି’ (ହିନ୍ଦୀ/ଇଂରାଜୀ), ନନ୍-ଫିଚର ଫିଲ୍ମ ‘ ଆନ୍ ଇଞ୍ଜିନିୟର୍‌ଡ ଡ୍ରିମ୍’ (ହିନ୍ଦୀ), ଆନିମେସନ୍ ଫିଲ୍ମ ‘ରାଧା’ (ମ୍ୟୁଜିକାଲ୍‌), ଇନ୍‌ଭେଷ୍ଟିଗେଟିଭ୍ ଫିଲ୍ମ ‘ଜାକ୍କାଲ୍‌’ (ମରାଠୀ), ଏକ୍ସପ୍ଲୋରେସନ୍ ଫିଲ୍ମ ‘ୱାଇଲ୍ଡ କର୍ଣ୍ଣାଟକ’ (ଇଂରାଜୀ), ଆର୍ଟ ଆଣ୍ଡ କଲଚର ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଶ୍ରେଷ୍ଠ ବିବେଚିତ କରି ପୁରସ୍କୃତ କରାଯାଇଛି। ଇଂରାଜୀ ଚଳଚ୍ଚିତ୍ର ‘ସ୍ମଲ୍ ସ୍କେଲ୍ ସୋସାଇଟିଜ୍’କୁ ସ୍ବତନ୍ତ୍ର ଜୁରି ପୁରସ୍କାର ମିଳିଥିବା ବେଳେ ସିନେମାକୁ ଅଧିକ ଭଲପାଉଥିବା ରାଜ୍ୟ ଭାବେ ‘ସିକିମ୍’, ସଞ୍ଜୟ ସୂରୀଙ୍କ ରଚିତ ‘ଏ ଗାନ୍ଧୀଆନ୍ ଏଫେୟାର୍ସ: ଇଣ୍ଡିଆାଜ୍ କ୍ୟୁରିୟସ୍ ପ୍ରୋଟ୍ରେୟାଲ୍ ଅଫ୍ ଲଭ୍ ଇନ୍ ସିନେମା’କୁ ଶ୍ରେଷ୍ଠ ସିନେମା ପୁସ୍ତକ ଏବଂ ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ସିନେ ସମୀକ୍ଷକ ଭାବେ ପୁରସ୍କୃତ କରାଯାଇଛି।

ଶ୍ରେଷ୍ଠ ଆଞ୍ଚଳିକ ସିନେମା
କାଲିର ଅତୀତ ଓ ଶଲା ବୁଢ଼ାର ବଦଲା (ଓଡ଼ିଆ), ଛିଛୋରେ (ହିନ୍ଦୀ), ଜର୍ସି (ତେଲୁଗୁ), କାଲ୍ଲା ନୋଟ୍ଟାମ୍ (ମାଲୟାଲମ), ଅସୁରନ (ତାମିଲ), କେଞ୍ଜିରା (ପାନିୟା), ଅନୁ ରୁୱାଡ (ମିସିଙ୍ଗ), ଲେଉଦୁ (ଖାସି), ଭୁଲାନ ଦି ମେଜ୍ (ଛତିଶଗଡ଼ି), ଛୋରିୟାଁ ଛୋରୋଁ ସେ କମ୍ ନହିଁ ହୋତି (ହରିୟାଣୀ), ପିଙ୍ଗାରା (ଟୁଲୁ), ରବ ଦା ରେଡିଓ ୨ (ପଞ୍ଜାବୀ), ଇଗି କୋନା (ମଣିପୁରୀ), ବରଦୋ (ମରାଠୀ), କାଜ୍ଜରୋ (କୋଙ୍କଣୀ), ଅଖି (କନ୍ନଡ଼), ଗୁମନାମୀ (ବେଙ୍ଗଲୀ), ରଣୱା (ଅସମିଆ) ଆଦିକୁ ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି।

ସମ୍ବନ୍ଧିତ ଖବର