କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ଯୁକ୍ତ କଂପ୍ୟୁଟର୍ ମଣିଷ ପରି ଭାବିବା ଓ କାର୍ଯ୍ୟ କରିବାର ଏତେ ନିକଟତର କେବେ ହୋଇ ନଥିଲା। ଯଦି ଭବିଷ୍ୟତରେ କଂପ୍ୟୁଟର ପ୍ରୋଗ୍ରାମିଂରୁ ଗୋଟିଏ ଏଆଇ ଏଜେଣ୍ଟ ବାହାରି ଚେତନାପ୍ରାପ୍ତ ମଣିଷର ସ୍ବରୂପ ଗ୍ରହଣ କରେ ତେବେ ସେ ମାନବର ଶତ୍ରୁ ଭଳି ବ୍ୟବହାର କରିବ କି? ଏହି ପୃଷ୍ଠଭୂମିକୁ ନେଇ ନିର୍ମିତ ‘ଟ୍ରୋନ୍: ଏରିସ୍’ ଚଳଚ୍ଚିତ୍ରର କାହାଣୀ ଅତି ସାଧାରଣ ହୋଇଥିଲେ ହେଁ ଏହାକୁ ବଡ଼ ପରଦାରେ ଦେଖିବାର ଅଭିଜ୍ଞତା ଖୁବ୍ ନିଆରା ମନେ ହେଲା। ଏଆଇ ନିଯୁକ୍ତି କ୍ଷେତ୍ରରେ ମଣିଷଙ୍କ ସ୍ଥାନ ନେବାର ବାସ୍ତବତା ଓ ଆଗକୁ ମଣିଷର ବିନାଶ କରିବା ଭଳି ଭୟଙ୍କର ଭବିଷ୍ୟବାଣୀ ଭିତରେ ଏହି ଚଳଚ୍ଚିତ୍ର ଏଆଇ ନେଇ ଏକ ଆଶାବାଦୀ ଚିତ୍ର ଉପସ୍ଥାପନ କରିଛି। ଏହାର ଦୃଶ୍ୟ, ଭିଜୁଆଲ୍ ଇଫେକ୍ଟସ୍, ପୃଷ୍ଠଭୂମି ସଂଗୀତ ଓ ଅଭିନୟ ଅନ୍ୟ ସମସାମୟିକ ସାଇନ୍ସ-ଫିକ୍ସନ ଚଳଚ୍ଚିତ୍ରମାନଙ୍କଠାରୁ ଭିନ୍ନ ହୋଇଥିବାରୁ ଏହାକୁ ସେମାନେ ନିଶ୍ଚିତ ଦେଖିବା ଉଚିତ ଯାହାଙ୍କ ପାଇଁ କାହାଣୀ ଠାରୁ ଦୃଶ୍ୟ ଓ ଶବ୍ଦର ଚମତ୍କାରିତା ଅଧିକ ଗୁରୁତ୍ବପୂର୍ଣ୍ଣ।
ଦୁଇଟି ବିରାଟ କମ୍ପାନି ଏହି କାହାଣୀର କେନ୍ଦ୍ରରେ ଅଛନ୍ତି- ଏନ୍କୋମ୍ ଓ ଡିଲିଞ୍ଜର ସିଷ୍ଟମ୍ସ। ଏନ୍କୋମ୍ର ସିଇଓ ଇଭ୍ କିମ୍ (ଗ୍ରେଟା ଲି) ଆର୍ଥିକ ଲାଭ ପାଇଁ ବିବେକକୁ ତ୍ୟାଗ କରିବାକୁ ପ୍ରସ୍ତୁତ ନୁହନ୍ତି, କିନ୍ତୁ ଡିଲିଞ୍ଜର ସିଷ୍ଟମ୍ସର ମୁଖ୍ୟ ଜୁଲିଆନ ଡିଜିଞ୍ଜର (ଇଭାନ୍ ପିଟର୍ସ) ଏଆଇ ପ୍ରଯୁକ୍ତି ବଳରେ ପୃଥିବୀକୁ ଧ୍ବଂସ କରିଦେବାକୁ ମଧ୍ୟ ସଂକୋଚ କରିବେ ନାହିଁ। ଉଭୟ ଯେଉଁ ଗୋଟିଏ ପ୍ରଯୁକ୍ତି ଦୌଡ଼ରେ ଅଛନ୍ତି ତାହା ହେଉଛି ଯେକୌଣସି ଜିନିଷ (ଜୀବନ୍ତ ମଧ୍ୟ)କୁ କଂପ୍ୟୁଟର୍ରେ ପ୍ରସ୍ତୁତ କରି ଥ୍ରିଡି ପ୍ରିଣ୍ଟିଂ ଜରିଆରେ ବାସ୍ତବ ଦୁନିଆକୁ ଆଣିବା। ଇଭ୍ ଏହା ଜରିଆରେ କୃଷି ଓ ଚିକିତ୍ସା କ୍ଷେତ୍ରରେ ସକାରାତ୍ମକ ବିପ୍ଳବ ଆଣିବାକୁ ଚାହେ ତ ଜୁଲିଆନ୍ ଏଆଇ ଏଜେଣ୍ଟ ଏରିସ୍ (ଜାରେଡ୍ ଲେଟୋ) ଜରିଆରେ ଏକ ଶକ୍ତିଶାଳୀ ସେନାବାହିନୀ ପ୍ରସ୍ତୁତ କରିବାକୁ ଉଦ୍ୟମରତ। ଏଥିରେ ଉଭୟ ସଫଳ ମଧ୍ୟ, କିନ୍ତୁ ଏହି ପ୍ରକ୍ରିୟାରେ ସୃଷ୍ଟ ବସ୍ତୁ ବା ମାନବ ମାତ୍ର ୨୯ ମିନିଟ୍ରେ ପବନରେ ମିଳେଇଯାଆନ୍ତି। ଏହି ଅବଧିକୁ ସ୍ଥାୟିତ୍ବ ବା ‘ପର୍ମାନେନ୍ସ’ ଦେବା ଲାଗି ଇଭ୍ ପ୍ରଥମ ଥର ସଫଳ ହେବା ପରେ ଜୁଲିଆନ୍ ତାକୁ ଅପହରଣ କରି ଆଣିବା ପାଇଁ ଏରିସ୍କୁ ପଠାଉଛି। କିନ୍ତୁ ଅସଲ ଦୁନିଆର ଅନୁଭୂତି ଏରିସ୍ର ମନରେ ଆବେଗ ଓ ବିବେକ ଜାଗ୍ରତ କରାଉଛି ଏବଂ ସେ ନିଜ ମାଲିକ ଜୁଲିଆନ୍ର ଖଳ ନିର୍ଦେଶକୁ ଅବଜ୍ଞା କରି ଇଭ୍କୁ ଉଦ୍ଧାର କରୁଛି ଏହି ସର୍ତ୍ତରେ ଯେ ସେ ତାକୁ ସ୍ଥାୟୀ ଭାବେ ମଣିଷରେ ପରିଣତ କରିଦେବ। ତେବେ ଜୁଲିଆନ୍ ଏହା ଅନୁଭବ କରି ଅନ୍ୟ ଏକ ଏଆଇ ଏଜେଣ୍ଟ ଆଥେନା (ଜୋଡି ଟର୍ନର୍-ସ୍ମିଥ)କୁ ନିର୍ଦେଶ ଦେଉଛି କୌଣସିମତେ ଇଭ୍ ଠାରୁ ‘ପର୍ମାନେନ୍ସ’ର କଂପ୍ୟୁଟର୍ କୋଡ୍ ହାସଲ କରି ଉଭୟଙ୍କୁ ମାରିଦେବା ଲାଗି। ଏ ପ୍ରକରଣରେ କେତେକ ଚିତ୍ତାକର୍ଷକ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଦୃଶ୍ୟଗୁଡ଼ିକ ଭଳି ପୃଷ୍ଠଭୂମି ସଂଗୀତ ମଧ୍ୟ ଭିଡିଓଗେମ୍ର ନିର୍ଜୀବ ଜଗତ ଓ ଜୀବନ୍ତ ଦୁନିଆ ମଧ୍ୟରେ ଚମତ୍କାର ଭାରସାମ୍ୟ ରକ୍ଷା କରିଛି, ଯାହା ମନକୁ ସମ୍ମୋହିତ କରିବା ଭଳି ଭାବନା ସୃଷ୍ଟି କରିଥାଏ।
‘ଟ୍ରୋନ୍: ଏରିସ୍’ର ଆଉ ଏକ ବିଶେଷତ୍ବ ହେଲା ପୂର୍ବ ଦୁଇଟି ‘ଟ୍ରୋନ୍’ ଚଳଚ୍ଚିତ୍ର ନ ଦେଖିଥିଲେ ମଧ୍ୟ ଏହାର କାହାଣୀକୁ ବୁଝିବାରେ ସମସ୍ୟା ହୁଏ ନାହିଁ। ତେବେ ବାସ୍ତବଧର୍ମୀ ଦୃଷ୍ଟିରୁ ଦେଖିଲେ ଏହାର କାହାଣୀ ଓ ଚିତ୍ରନାଟ୍ୟରେ ଅନେକ ଖୁଣ ବାହାର କରିହେବ। ତେବେ ସେଗୁଡ଼ିକ ବଲିଉଡ୍ ସାଇ-ଫାଇ ଚଳଚ୍ଚିତ୍ରମାନଙ୍କ ସ୍ତରର ନ ହୋଇ ସୂକ୍ଷ୍ମ ସ୍ତରର ହୋଇଥାଏ। ଏହି ସିନେମାର ବାର୍ତ୍ତା (ଯାହା ଅରସିକଙ୍କୁ ହାସ୍ୟାସ୍ପଦ ଲାଗିପାରେ) ହେଉଛି କୃତ୍ରିମ ବୁଦ୍ଧିମତ୍ତା ଯଦି କେବେ ମଣିଷ ଭଳି ଅନୁଭବ ଓ ବିବେକର ଅଧିକାରୀ ହୁଏ ତେବେ ସେ ମଣିଷ ପ୍ରତି ପ୍ରତିହିଂସାପରାୟଣ ହେବା ବଦଳରେ ମଣିଷ ଭାବେ କ୍ଷଣସ୍ଥାୟୀ ଅସ୍ତିତ୍ବର ଅନୁଭୂତି ଦ୍ବାରା ଅଭିଭୂତ ହୋଇଯିବ, ଠିକ୍ ଯେମିତି ଏରିସ୍ ଏହି ଚଳଚ୍ଚିତ୍ରରେ ଜଣେ ମାଆ ଓ ପୁଅଙ୍କ ସ୍ନେହ ଦେଖି ଏବଂ ବର୍ଷାଟୋପାର ସ୍ପର୍ଶ ପାଇ ହୋଇଯାଇଛି।
‘ଟ୍ରୋନ୍: ଏରିସ୍’
ନିର୍ଦେଶକ: ୟୋକିମ୍ ରନିଂ
ମୁଖ୍ୟ ଚରିତ୍ରରେ: ଜାରେଡ୍ ଲେଟୋ, ଗ୍ରେଟା ଲି, ଇଭାନ୍ ପିଟର୍ସ, ଜୋଡି ଟର୍ନର୍-ସ୍ମିଥ, ଜେଫ୍ ବ୍ରିଜେସ୍