ଅଶାଳୀନ ଭାବେ ଦେଖୁଥିବାର ଆରୋପ ଲଗାଇଥିଲେ ଇଶା, ଏବେ ମାନହାନୀ ମକଦ୍ଦମା ରୁଜୁ କଲେ ବ୍ୟବସାୟୀ

ମୁମ୍ବାଇ : କିଛି ଦିନ ତଳେ ଜଣେ ହୋଟେଲର ମାଲିକଙ୍କ ଉପରେ ଅସଦାଚରଣର ଆରୋପ ଲଗାଇଥିଲେ ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା । ନିଜ ବନ୍ଧୁମାନଙ୍କୁ ନେଇ ଫିଲ୍ମ ରିଲିଜ୍‌ ହେବାର ଖୁସି ପାଳନ କରିବାକୁ ଇଶା ହୋଟେଲ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟିଥିବା ବିଷୟରେ ଇଶା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ । ଜୁଲାଇ ୬ରେ ଇଶା ଟୁଇଟ୍‌ କରି ଘଟଣା ବିଷୟରେ ଜଣାଇବା ପରେ ସେ ନେଇ ଇଶାଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ହୋଟେଲର ମାଲିକ । ବୟାନ ରଖିବା ପାଇଁ ଅଦାଲତ ପକ୍ଷରୁ ଅଗଷ୍ଟ ୨୮କୁ ତାରିଖ ଧାର୍ଯ୍ୟ କରାଯାଇଛି ।

ସୂଚନା ମୁତାବକ, ଜୁଲାଇ ୫ରେ ଫିଲ୍ମ ‘ଓ୍ଵାନ ଡେ ଜଷ୍ଟିସ ଡେଲିଭର୍ଡ’ ରିଲିଜ୍‌ ହେବା ପରେ ନିଜ ବନ୍ଧୁମାନଙ୍କୁ ନେଇ ହୋଟେଲ ପହଞ୍ଚିଥିଲେ ଇଶା । ସେଠାରୁ ଫେରି ଟୁଇଟ୍‌ କରି ସେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ । ଟୁଇଟ୍‌ରେ ସେ ଲେଖିଥିଲେ, ଯଦି ମୋ ଭଳି ଜଣେ ମହିଳା ଅସୁରକ୍ଷିତ ମନେ କରୁଛନ୍ତି, ତେବେ ଦେଶରେ ଥିବା ଅନ୍ୟ ମହିଳା କିଭଳି ଅନୁଭବ କରୁଥିବେ । ମୋ ସହ ଦୁଇଟି ଗାର୍ଡ ଥାଇ ମଧ୍ୟ ମୁଁ ଡରିଥିଲି । ରୋହିତ ଆଖିରେ ହିଁ ମୋ ସହ ଦୁଷ୍କର୍ମ କରିଥିଲେ । ରୋହିତଙ୍କ ଭଳି ଲୋକ, ଯିଏ ମହିଳାଙ୍କୁ ଦେଖିବା ସହ ତାଙ୍କୁ ଅସହଜ ମନେ କରାଇଥାନ୍ତି । ଏଭଳି କରିବା ସେମାନଙ୍କୁ କିଛି ଭୁଲ ବୋଲି ଲାଗେ ନାହିଁ । ସେ ମୋତେ ଛୁଇଁ ନାହାନ୍ତି କି କିଛି କହି ନାହାନ୍ତି । କିନ୍ତୁ ତାଙ୍କ ନଜର ଦ୍ୱାରା ସେ ବହୁତ କିଛି କରି ସାରିଥିଲେ ବୋଲି ଲେଖିଛନ୍ତି ଇଶା ।

ସମ୍ବନ୍ଧିତ ଖବର