୨୦୧୯ରେ ଆସିଥିଲା ‘ଜୋକର୍’ ଚଳଚ୍ଚିତ୍ରର ପ୍ରଥମ ଭାଗ। ‘ବ୍ୟାଟ୍ମ୍ୟାନ୍’ କମିକ୍ସର ଏକ ସୁପର୍ଭିଲେନ୍ ଚରିତ୍ର ହେଉଛି ‘ଜୋକର୍’। ‘ଦି ଡାର୍କ ନାଇଟ୍’ ସିନେମାରେ ଏହି ଚରିତ୍ରର ଲୋକପ୍ରିୟତା ଦେଖି ‘ଜୋକର୍’ ଚରିତ୍ରକୁ କେନ୍ଦ୍ରରେ ରଖି ଉପରୋକ୍ତ ଚଳଚ୍ଚିତ୍ରର ପରିକଳ୍ପନା କରିଥିଲେ ନିର୍ଦେଶକ-ଲେଖକ ଟୋଡ୍ ଫିଲିପ୍ସ। ‘ଗୋଥମ୍’ ସହରର ବିଫଳ ଜୋକର୍ ବା ବିଦୂଷକ ଆର୍ଥର୍ ଫ୍ଲେକ୍ (ଜୋକିନ୍ ଫିନିକ୍ସ) ସେଥିରେ ମାନସିକ ସନ୍ତୁଳନ ହରାଇ ସହରରେ ଏକ ଗଣବିଦ୍ରୋହର ସୂତ୍ରପାତ କରୁଛି। ଶେଷରେ ସେ ପାଞ୍ଚ ଜଣଙ୍କ ହତ୍ୟା (ଯେଉଁଥିରେ ଅନ୍ତର୍ଭୁକ୍ତ ଜଣେ ଲୋକପ୍ରିୟ ଉପସ୍ଥାପକଙ୍କୁ ଲାଇଭ୍ ଟିଭି ପ୍ରସାରଣ ସମୟରେ ହତ୍ୟା) କରି ଜେଲ୍କୁ ଯାଇଛି।
ପ୍ରଥମ ‘ଜୋକର୍’ ଚଳଚ୍ଚିତ୍ରର ଖିଅକୁ ଧରି ଏହି ଦ୍ବିତୀୟ ଭାଗଟି ଆରମ୍ଭ ହୋଇଛି। ଜେଲ୍ରେ କାରାବରଣ କରୁଥିବା ଆର୍ଥର୍ କରିଥିବା ଅପରାଧର ଶୁଣାଣି ଆରମ୍ଭ ହେବାକୁ ଯାଉଥିବା ବେଳେ ସେ ଭେଟୁଛି ହାର୍ଲିନ୍ କ୍ବିନ୍ଜେଲ୍ (ଲେଡି ଗାଗା)କୁ। ଆର୍ଥର୍ ପରି ହାର୍ଲିନ୍ ମଧ୍ୟ ବାଲ୍ୟକାଳର ମାନସିକ ଆଘାତରୁ ଜାତ ମାନସିକ ରୋଗରେ ଗ୍ରସ୍ତ। ସେ ଆର୍ଥର୍ର ଅପରାଧପ୍ରବଣତା ଓ ବ୍ୟକ୍ତିତ୍ବକୁ ପସନ୍ଦ କରେ, ଏକପ୍ରକାର ଅନୁକରଣ କରି ଜେଲ୍ ଦଣ୍ଡ ପାଇଥାଏ। ଏଭଳି ଜଣେ ସମମନସ୍କ ମହିଳାକୁ ଭେଟିବା ପରେ ଆର୍ଥର ଜୀବନରେ ପ୍ରଥମ ଥର ପାଇଁ ପ୍ରେମର ଶକ୍ତିଶାଳୀ ଅନୁଭବ ପାଉଛି। ଏହା ପରେ ପରେ ସିନେମାଟି ଯେଉଁ ଏକ ସାହସିକ ମୋଡ଼ ନେଇଛି ତାହା ସ୍ବାଭାବିକ ଭାବରେ ‘ଡିସି କମିକ୍ସ’ର ପ୍ରଶଂସକମାନଙ୍କୁ କ୍ଷୁବ୍ଧ କରିଛି।
ଏହି ଅପ୍ରତ୍ୟାଶିତ ପଦକ୍ଷେପଟି ହେଲା ‘ଜୋକର୍’ ଭଳି ଏକ ରୋମାଞ୍ଚଧର୍ମୀ ‘ସିରିଅସ୍’ ହଲିଉଡ୍ ସିନେମାକୁ ଏକ ବଲିଉଡ୍ସୁଲଭ ସଂଗୀତଭିତ୍ତିକ ସିନେମାରେ ପରିଣତ କରିଦେବା। ଗୋଟିଏ ମୁହୂର୍ତ୍ତରେ ଆର୍ଥର୍ ହଠାତ୍ ଗୀତ ଗାଇବା ଆରମ୍ଭ କରୁଛି, ଏହି ଗୀତ ପ୍ରଲମ୍ବିତ ହେବା ସହିତ ପ୍ରଚ୍ଛଦରେ ବାଦ୍ୟଯନ୍ତ୍ରର ଧ୍ବନି କ୍ରମେ ତୀବ୍ରତର ହେଉଛି ଏବଂ ଲେଡି ଗାଗା ଅଭିନୀତ ହାର୍ଲିନ୍ ଚରିତ୍ର ମଧ୍ୟ ଏକତ୍ର ଗୀତ ଗାଇବାରେ ମଜ୍ଜିଯାଉଛି। ଏ ଦୁହିଁଙ୍କର କଣ୍ଠରେ ଅନେକ ମନୋଜ୍ଞ ଗୀତ ସମଗ୍ର ସିନେମାରେ ଦର୍ଶକ ଶୁଣିିବାକୁ ପାଇବେ। ଫରାସୀ ଭାଷାରେ ‘ଫୋଲି ଆ ଡୁ’ର ଅର୍ଥ ହେଉଛି ଦୁଇଜଣଙ୍କ ମିଳିତ ପାଗଳାମି। ଏହି ପାଗଳାମିକୁ ପ୍ରକାଶ କରିବାରେ ସଂଗୀତଠୁ ଅଧିକ ଉପଯୁକ୍ତ ମାଧ୍ୟମ ବା କ’ଣ?
ଏ ସଂଗୀତର ତରଙ୍ଗ କିନ୍ତୁ ଆର୍ଥର୍ ଚରିତ୍ରକୁ ନେଇ ଦର୍ଶକ ମନର ଜାତ ଉଦ୍ବେଗକୁ ହ୍ରାସ କରେ ନାହିଁ। ଯେକୌଣସି ମୁହୂର୍ତ୍ତରେ ଆର୍ଥର୍ର ଅସ୍ଥିର ମସ୍ତିଷ୍କ ବିଗିଡ଼ିଯିବ ଆଉ ହିଂସାର ଜୁଆର ଫୁଟିଉଠିବ, ଏ ଆଶଙ୍କାକୁ ନିର୍ଦେଶକ ଟୋଡ୍ ଫିଲିପ୍ସ ଓ ଅଭିନେତା ଜୋକିନ୍ ଫିନିକ୍ସ ଚମତ୍କାର ଭାବେ ବଳବତ୍ତର ରଖିଛନ୍ତି। ମାନସିକ ରୋଗଗ୍ରସ୍ତ ମସ୍ତିଷ୍କ ପରି ଏହି କାହାଣୀଟି ଅବ୍ୟବସ୍ଥିତ, ଅସ୍ଥିର, ଅପ୍ରତ୍ୟାଶିତ ଓ ଉଦ୍ବେଗପୂର୍ଣ୍ଣ।
ତେଣୁ ଏହି ସିନେମାକୁ କାହାଣୀ ଲାଗି ଅଥବା ଜୋକର୍ର ଚିରାଚରିତ ଅପରାଧପ୍ରବଣତାରୁ ମନୋରଂଜନ ପାଇବା ଲାଗି ଦେଖିବା ଭୁଲ୍ ହେବ। ଦୁଇଜଣ ଅତ୍ୟନ୍ତ ମାନସିକ ରୋଗଗ୍ରସ୍ତ ବ୍ୟକ୍ତି କିପରି ଅବହେଳିତ ବାଲ୍ୟକାଳ, ଏକଲାପଣ, ଅସହାୟତା, ନେତିବାଦ ଆଦି ଦ୍ବାରା ପଚିଚାଳିତ ହେଉଛନ୍ତି ଓ ସେସବୁ ସହ ସଂଘର୍ଷ କରୁଛନ୍ତି ତାହାର ଅତିସୂକ୍ଷ୍ମ ପ୍ରତିଫଳନ ହେଉଛି ‘ଜୋକର୍: ଫୋଲି ଆ ଡୁ’। ଏ ସିନେମାଟି ଉପଭୋଗ କରିବା ଲାଗି ଧୈର୍ଯ୍ୟ ସହିତ ବୋଧହୁଏ କିଛିଟା ପାଗଳପଣ ମଧ୍ୟ ଲୋଡ଼ା! ଅଭିନେତା ଜୋକିନ୍ ପ୍ରଥମ ଭାଗରେ ତାଙ୍କ ଅଭିନୟର ଗଭୀରତାକୁ ଏହି ସିନେମାରେ ଅତିକ୍ରମ କରିଯାଇଛନ୍ତି, ଯାହା ପାଇଁ ତାଙ୍କୁ ଦ୍ବିତୀୟ ଥରେ ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର୍ ପୁରସ୍କାର ମିଳିଲେ ଆଶ୍ଚର୍ଯ୍ୟ ଲାଗିବ ନାହିଁ।