ଶୀର୍ଷକରେ ‘ସୁଦୀର୍ଘ କାହାଣୀ’ ବୋଲି ଲେଖିବାର ଅର୍ଥ ନୁହେଁ, ଏହି ସିନେମାର ଅବଧି ଲମ୍ବା; ପ୍ରକୃତରେ ଆଜି ମୁକ୍ତିଲାଭ କରିଥିବା ପ୍ରମୁଖ ଚଳଚ୍ଚିତ୍ରମାନଙ୍କ ଭିତରୁ ଏହାର ଅବଧି ସବୁଠାରୁ କମ୍ (୨ ଘଣ୍ଟା ୧୫ ମିନିଟ୍‌)। ତେବେ କଞ୍ଜୁରିଙ୍ଗ୍‌ ସିନେମାର ଏହା ଚତୁର୍ଥ ତଥା ଶେଷ ଭାଗ ହୋଇଥିବାରୁ ମୁଖ୍ୟ ଚରିତ୍ରରେ ଵାରେନ୍‌ ଦମ୍ପତିଙ୍କ ଲମ୍ବା ଜୀବନ କାହାଣୀକୁ ଏହି ସିନେମାରେ ସୁଖଦ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସରଳ ଓ ଗତିଶୀଳ କାହାଣୀ, ପ୍ରଭାବଶାଳୀ ନିର୍ଦେଶନା ଓ ପୃଷ୍ଠଭୂମି ସଂଗୀତ ତଥା ଭଲ ଅଭିନୟ ଯୋଗୁଁ ଏହା ଏକ ମଧ୍ୟମ ଧରଣର ଭୟ ସୃଷ୍ଟିକାରୀ ଭୂତ ସିନେମା ଭାବେ ଦେଖାଯାଇପାରେ। ତେବେ ଏହା ବାସ୍ତବ ଭୌତିକ ଘଟଣା ଉପରେ ଆଧାରିତ ବୋଲି ଦର୍ଶାଇବାର ଉଦ୍ୟମ ଭାରତୀୟ ଦର୍ଶକଙ୍କ ମନରେ ଅନ୍ଧବିଶ୍ବାସର ବିପଜ୍ଜନକ ଧାରଣା ଜନ୍ମାଇବାର ବିପଦ ରହିଛି, ଯାହା ନିଶ୍ଚିତ ଭାବେ ଚିନ୍ତାଜନକ। 
ଏହି କାହାଣୀର କେନ୍ଦ୍ରରେ ରହିଛି ଏକ ଦର୍ପଣ। ପ୍ରାରମ୍ଭରେ ୧୯୬୪ ମସିହାର ଦୃଶ୍ୟରେ ଗର୍ଭବତୀ ଲୋରେନ୍‌ ଵାରେନ୍‌ (ଭେରା ଫାର୍ମିଗା) ଏକ ପୁରୁଣା ଆଇନାକୁ ସ୍ପର୍ଶ କରିବା ପରେ ତାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଯାଉଛି। ମୃତ କନ୍ୟା ଶିଶୁଟିଏ ଜନ୍ମ ହୋଉଛି, କିନ୍ତୁ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କରି ଲୋରେନ୍‌ ନିଜ ଝିଅ ଜୁଡି (ମିଆ ଟୋମିଲସନ୍)କୁ ମରଣ ମୁହଁରୁ ରକ୍ଷା କରିବାରେ ସଫଳ ହେଉଛନ୍ତି। ଏହାର ୨୨ ବର୍ଷ ପରେ ପେନ୍‌ସିଲଭାନିଆର ସ୍ମର୍ଲ ପରିବାର ପାଖକୁ ସେହି ଅଭିଶପ୍ତ ଦର୍ପଣଟି ଆସି ଭୌତିକ କାଣ୍ଡମାନ ଭିଆଇବା ଆରମ୍ଭ କରୁଛି। ଲୋରେନ୍‌ ଓ ସ୍ବାମୀ ଏଡ୍‌ ଵାରେନ୍‌ (ପାଟ୍ରିକ୍‌ ଵିଲ୍‌ସନ୍) ଇତିମଧ୍ୟରେ ଭୂତ ଛଡ଼ାଇବା ପେସା ଛାଡ଼ିଦେଇଛନ୍ତି। କିନ୍ତୁ ଘଟଣାକ୍ରମେ ଜୁଡି ଜରିଆରେ ଭୂତଟି ଏହି ଦମ୍ପତିଙ୍କୁ ନିଜ ପାଖକୁ ଟାଣି ଆଣୁଛି। ସ୍ମର୍ପ ପରିବାର ସମେତ ନିଜକୁ ରକ୍ଷା କରିବା ଲାଗି ଵାରେନ୍‌ ଦମ୍ପତି ଏହି ଅଭୂତପୂର୍ବ ଭାବେ ଭୟଙ୍କର ଭୂତ ସହ ଲଢ଼େଇ କରିବାକୁ ନିଜର ସବୁତକ ବଳ ଲଗାଇଦେଉଛନ୍ତି। 

Advertisment

୧୯୮୦ ଦଶକର ଆମେରିକୀୟ ଜୀବନକୁ ଦେଖାଇବାରେ ‘ଦି କଞ୍ଜୁରିଙ୍ଗ୍‌: ଲାଷ୍ଟ ରାଇଟ୍‌ସ’ର ନିର୍ମାତାମାନେ ନିଖୁଣ କାର୍ଯ୍ୟ କରିଛନ୍ତି। ଭୌତିକ ଦୃଶ୍ୟଗୁଡ଼ିକ ସଂପୂର୍ଣ୍ଣ ଅଭିନବ ହୋଇ ନଥିଲେ ହେଁ ଅନେକ ସ୍ଥାନରେ ମନରେ ଛନକା ସୃଷ୍ଟି କରନ୍ତି। ଉଚ୍ଚମାନର ପୃଷ୍ଠଭୂମି ସଂଗୀତ ଓ ସିନେମାଟୋଗ୍ରାଫି କୌଶଳ​ କେତେକ ଦୃଶ୍ୟକୁ ଖୁବ୍ ଭୀତିପ୍ରଦ କରିଛି। ରେସ୍ତୋରାଁରେ ଜୁଡି କାନ୍ଧରେ ଏକ ଅଜଣା ହାତ ଦିଶିବା, ଡନ୍‌ ସ୍ମର୍ଲ ହଠାତ୍‌ କାଚ ଖଣ୍ଡ ସହ ରକ୍ତ ବାନ୍ତି କରିବା ଦୃଶ୍ୟ ତାହାର ଦୁଇଟି ଉଦାହରଣ।

ତେବେ ସବୁଠାରୁ ଅଧିକ ଉଦ୍‌ବେଗ ସୃଷ୍ଟି କରିଥିବା ଏକ ଦୃଶ୍ୟ ମଧ୍ୟାନ୍ତରରେ ପ୍ରେକ୍ଷାଳୟ ଭିତର ଲାଇଟ୍‌ ଜଳିବା ପରେ ପରଦା ସମ୍ମୁଖରେ ଦେଖିବାକୁ ମିଳିଲା। ଭୁବନେଶ୍ବରର ଏକ ମଲ୍‌ଟିପ୍ଲେକ୍‌ସରେ ଅନେକ ଆସନରେ ଛୋଟଛୋଟ ପିଲାମାନେ ବସିଥିଲେ, ଯେଉଁମାନଙ୍କ ବୟସ ୧୮ ବର୍ଷ କଦାପି ନୁହେଁ। ଛୋଟ ପିଲାମାନଙ୍କୁ ‘ଏ’ ରେଟିଂ ବା କେବଳ ୧୮ ବା ଅଧିକ ବର୍ଷର ଦର୍ଶକଙ୍କ ଲାଗି ଉଦ୍ଦିଷ୍ଟ ସିନେମା ଦେଖିବାକୁ ଛାଡ଼ିବା ବେଆଇନ ବୋଲି ପ୍ରେକ୍ଷାଳୟ କର୍ମଚାରୀ ଓ ଅଭିଭାବକମାନେ ଭୁଲି ଯାଇଛନ୍ତି ଅବା! ଆଜିର ତିନିଟିଯାକ ପ୍ରମୁଖ ରିଲିଜ୍‌ ‘ଏ’ ରେଟିଂ ପାଇଥିବାରୁ ଏହି ସମସ୍ୟା ଆହୁରି ଜଟିଳ ହୋଇଯାଇଛି। ଛୋଟ ପିଲାମାନେ ଦେଖିପାରିବା ଭଳି ସିନେମା ରିଲିଜ୍‌ ସଂଖ୍ୟା କମିଯିବାର କାରଣ ନେଇ ନିର୍ମାତାମାନେ ମଧ୍ୟ ଆତ୍ମସମୀକ୍ଷା କରିବା ଉଚିତ। 

‘ଦି କଞ୍ଜୁରିଙ୍ଗ୍‌: ଲାଷ୍ଟ ରାଇଟ୍‌ସ’
ନିର୍ଦେଶକ: ମାଇକେଲ୍‌ ଚେଭ୍‌ସ
ମୁଖ୍ୟ ଚରିତ୍ରରେ: ଭେରା ଫାର୍ମିଗା, ପାଟ୍ରିକ୍‌ ଵିଲ୍‌ସନ୍, ମିଆ ଟୋମିଲସନ୍, ବେନ୍‌ ହାର୍ଡି