ରୋମାଣ୍ଟିକ୍‌ ସଙ୍ଗୀତର ନୂଆ ରୋମାଞ୍ଚ: ସଂଜୟଙ୍କ କଣ୍ଠରେ ଗୌରହରିଙ୍କ ଗୀତ

ମୁଁ ଫେରିବି ଆଉଥରେ

ଫେବ୍ରୁଆରି ପ୍ରେମର ମାସ। ଭାଲେଣ୍ଟାଇନ୍‌ ଡେ’ର ମାସ। ବସନ୍ତର ମାସ। ଏହାକୁ ଆଖି ଆଗରେ ରଖି ‘ସୃଜନିକା ମ୍ୟୁଜିକ୍‌’ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରସାରଣ କରିଛି- ସୁପରିଚିତ କଣ୍ଠଶିଳ୍ପୀ ସଂଜୟ ଦାଶଙ୍କ କଣ୍ଠରେ ଯଶସ୍ବୀ ଲେଖକ ଗୌରହରି ଦାସଙ୍କ ତିନିଟି ଚମତ୍କାର ଗୀତ। ପ୍ରେମ ଏମିତି ଏକ ସତ୍ୟ ଯାହାକୁ ଚେଷ୍ଟାକରି ବି ଅସ୍ୱୀକାର କରାଯାଇ ପାରେନା। ଜଗତର ଯାବତୀୟ କୁତ୍ସା, ନିନ୍ଦା, ଅପବାଦ ସତ୍ତ୍ବେ ପ୍ରେମ ହୁଏ ଆଉ ହେଉଥାଏ। ପ୍ରେମର ଋଣ ପରିଶୋଧ କରିବାକୁ ପ୍ରେମିକଟି ଥରେ ନୁହେଁ ଲକ୍ଷେଥର ପୃଥିବୀକୁ ଫେରୁଥାଏ। ପ୍ରିୟ ମଣିଷକୁ ଭୁଲିଯିବା ପାଇଁ ସିନା ଥରକୁଥର ସେ କହୁଥାଏ; ହେଲେ ଯେତେଥର ଭୁଲିବାକୁ ଚେଷ୍ଟା କରୁଥାଏ ସେ ସେତେଥର ନୂଆକରି ମନେ ପଡୁଥାଏ। ଏହା ହିଁ ହେଉଛି ପ୍ରେମ। ଏହି ଶାଶ୍ୱତ ସ୍ୱର୍ଗୀୟ ପ୍ରେମର ଏକ ଅଭିନବ ଦସ୍ତାବିଜ୍‍ ହେଉଛି ସଦ୍ୟ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍‌ ଆଲ୍‌ବମ୍‌ ‘ମୁଁ ଫେରିବି ଆଉଥରେ’। ଏଥିରେ ରହିଛି ତିନିଟି ଗୀତ; ଯଥା- ‘ମୁଁ ଫେରିବି ପୃଥିବୀକୁ ଥରେ ନୁହେଁ ଆଉ ଲକ୍ଷେ ଥର’, ‘କେତେଦିନ ହେଲା ଦେଖିନି ଗୋ ସଖୀ ତୁମ ଆଖି ତୁମ ମୁହଁ’ ଏବଂ ‘ଭୁଲିଯାଅ ବୋଲି କହିଦେଲେ ଯଦି ହେଉଥାନ୍ତା ସବୁ ଭୁଲି’।

ପଚିଶ ବର୍ଷ ତଳେ ପ୍ରକାଶିତ ପ୍ରଥମ କବିତା ସଂକଳନ ‘ପାଉଁଶର ପାଣ୍ଡୁଲିପି’ ଅନନ୍ୟ ଭାବର ଭଉଁରି, ମିଠା ମିଠା ଶବ୍ଦର ମହକ, ଆଦୌ ଅସ୍ୱୀକାର କରି ନ ହେବା ପରି ଆବେଗରେ ଭରପୂର। ଓଡ଼ିଶାର କାବ୍ୟାମୋଦୀ ପାଠକ ପାଠିକାଙ୍କୁ ନୁହେଁ; କଥା ସାହିତ୍ୟର ଅଗ୍ରଜଙ୍କୁ ବି ଏହି ସଂକଳନ ଅଭିଭୂତ, ପୁଲକିତ କରେ। ଜଣେ କଥକ ଯେ ଶବ୍ଦର ମାୟାଜାଲ ବୁଣି ମାର୍ମିକ କବିତାର ମାଦକତା ସୃଷ୍ଟି କରିପାରନ୍ତି ଏହି ସଂକଳନ ଦିଏ ତାହାର ପ୍ରମାଣ। କହିବା ବାହୁଲ୍ୟ, ଇତିମଧ୍ୟରେ ତିନିଟି ସଂସ୍କରଣ ଦେଖିଥିବା ସେହି କବିତା ସଂକଳନରୁ ହିଁ ଉପରୋକ୍ତ ତିନିଟି ଗୀତକୁ ନେଇ ‘ସୃଜନିକା ମ୍ୟୁଜିକ୍‍’ ପ୍ରସ୍ତୁତ କରିଛି ଆଲ୍‌ବମ୍‍ ‘ମୁଁ ଫେରିବି ଆଉଥରେ’। ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ସଂଜୟ ଦାଶଙ୍କ ସ୍ବରର ଅନନ୍ୟ କୋମଳତା ଗୌରହରିଙ୍କ କବିତାକୁ ଅସାମାନ୍ୟ ଉଚ୍ଚତାକୁ ନେଇଯାଇଛି। ତାଙ୍କ ସ୍ୱରର ତଲ୍ଲୀନତା, ଗାୟକୀରେ ରହିଥିବା ମାଧୁର୍ଯ୍ୟ ଆଉ ଗୌରହରି ଦାସଙ୍କ ସୁସଂଯୋଜିତ ଶବ୍ଦ ସମୂହର ସମ୍ମେଳନ ଆଲ୍‌ବମ୍‍ଟିକୁ କରିଛି ରସାଳ, ରସୋତୀର୍ଣ୍ଣ ଆଉ ଶ୍ରୁତିମଧୁର। ଗୀତଗୁଡ଼ିକୁ ଶୁଣିଲାବେଳେ କୁଣ୍ଠିତ ପବନର ସ୍ପର୍ଶରେ ପାଉଁଶ ତଳର ପ୍ରୋଥିତ ନିଅାଁରୁ ସ୍ଫୁଲିଙ୍ଗ ସୃଷ୍ଟି ହେବା ପରି ଶ୍ରୋତାଙ୍କ ହୃଦୟର ପଥର ତଳେ ଚାପିହୋଇ ରହିଥିବା ପ୍ରେମ ମଞ୍ଜିରୁ ଦରଦର ଚାରାଗଛଟିଏ ଅଙ୍କୁରୋଦ୍‍ଗମ ହେବ ସେକଥା ହଲପ୍‍ କରି କୁହାଯାଇପାରିବ। ଏହି ଆଲ୍‌ବମ୍ ଏବେ ୟୁ-ଟ୍ୟୁବ୍‌ରେ ଉପଲବ୍ଧ ହେଉଛି। [ରା.ରା]

ସମ୍ବନ୍ଧିତ ଖବର