ଜନ୍ମଦିନ ଅଥବା କୌଣସି ସଫଳ ମୁହୂର୍ତ୍ତ ହେଉ, ଏକ ବିଶେଷ ଦିବସକୁ ସ୍ମରଣୀୟ କରିବା ଲାଗି ଆମେ ପ୍ରିୟଜନଙ୍କୁ ଉପହାର ପ୍ରଦାନ କରିଥାଉ। ତାହା ଅତି ସାଧାରଣ ଫୁଲତୋଡ଼ାଠାରୁ ଆରମ୍ଭ କରି ବସ୍ତ୍ର, ଅଳଙ୍କାର ଓ ବିମାନ ବା ଶିଳ୍ପ ପ୍ରତିଷ୍ଠାନ ପରି ଦାମୀ ସାମଗ୍ରୀ ମଧ୍ୟ ହୋଇପାରେ। ତେବେ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶଙ୍କ ସହିତ ଶ୍ଳୋକ ମେହଟାଙ୍କର ବିବାହ ବେଳେ ନୀତା ଅମ୍ବାନି ବୋହୂଙ୍କୁ ପ୍ରଦାନ କରିଥିବା ହୀରା ହାରଟି ଆଜି ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ଦାମୀ ହାର ଭାବେ ପରିଗଣିତ ହେଉଛି। ସେହି ବିଶେଷ ଧରଣର ହୀରା ହାରର ଗଢ଼ଣ ଓ ମୂଲ୍ୟ ଶୁଣିଲେ ଅବିଶ୍ବସନୀୟ ମନେ ହେବ। ତାହା ଏପରି ଏକ ଅତୁଳନୀୟ ହୀରାଖଚିତ ହାର ଯେଉଁଥିରେ ମୁଖ୍ୟ ହୀରାର ଲକେଟ୍ ସହିତ ୯୧ଟି ହୀରା ଖଣ୍ଡ ଖଞ୍ଜାଯାଇଛି।
ହୀରା ଖଣ୍ଡଗୁଡ଼ିକର ଆକୃତି ଓ ହାରଟିକୁ ଏପରି ନିର୍ମାଣ କରାଯାଇଛି ଯେ ତାହାକୁ ନକଲ କରିହେବ ନାହିଁ ବୋଲି ନ୍ୟୁୟର୍କର ପ୍ରସିଦ୍ଧ ମୁକ୍ତା ବ୍ୟବସାୟୀ ଜୁଲିଆ ସେଫ ଦାବି କରିଛନ୍ତି। ଏହି ଦାମୀ ଉପହାର କଥା ଭାବିଲେ ଆମକୁ କିଛି କ୍ଷଣ ପାଇଁ ବିଶ୍ବପ୍ରସିଦ୍ଧ କୋହିନୂର ହୀରା କଥା ଭୁଲିଯିବାକୁ ପଡ଼ିବ। ବର୍ତ୍ତମାନ ଏହି ହାରର ଆନ୍ତର୍ଜାତିକ ମୂଲ୍ୟ ହେଉଛି ସାଢ଼େ ପାଞ୍ଚ କୋଟି ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ସାଢ଼େ ଚାରି ଶହ କୋଟି ଟଙ୍କା। ଅବଶ୍ୟ ଦାମୀ ସାମଗ୍ରୀ ଆହରଣ କରିବାରେ ଅମ୍ବାନି ପରିବାରର ପୁରୁଣା ରେକର୍ଡ ରହିଛି। ଦୁଇ କୋଟି ଟଙ୍କା ମୂଲ୍ୟର ଅତି କ୍ଷୁଦ୍ର ମୁଣିଠାରୁ ଆରମ୍ଭ କରି ୧୮ କୋଟି ଟଙ୍କାର ହାତଘଣ୍ଟା ପରି ସାମଗ୍ରୀ ହାସଲ କରିଥିବା ଅମ୍ବାନି ପରିବାର ପାଇଁ ବୋହୂ ଶ୍ଳୋକଙ୍କୁ ପ୍ରଦତ୍ତ ଉପହାର ଅନ୍ୟତମ ନମୁନା ମାତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/10-9.jpg)