ଭୁବନେଶ୍ବର: ଖୁସିର କଥା। ଶୁକ୍ରବାର ଦିନ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଗୋଟିଏ ‘ଆଶ୍ରମ’ ଏକ ଆଶାର ଆଶ୍ରୟ ଏବଂ ଅନ୍ୟଟି ଦିବ୍ୟାଙ୍ଗ ଝିଅର କାହାଣୀ ‘ଆଭା’। ଓମ୍ ବାବା ପ୍ରଡ଼କସନ୍ସ ନିବେଦିତ ଚଳଚ୍ଚିତ୍ର ‘ଆଭା’ରେ ସାମାଜିକ ବାର୍ତ୍ତା ଭରପୂର ରହିଛି। ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ ହେଉଛି ଆଭା। ଭିନ୍ନକ୍ଷମ ହେଲେ ମଧ୍ୟ ଜୀବନରେ ହାର୍‌ ନମାନି କିଭଳି ସଂଘର୍ଷ କରି ବଞ୍ଚିବାକୁ ହୁଏ ସେସବୁ ନେଇ କାହାଣୀ ଗତିଶୀଳ ହୋଇଛି। ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁର ଅଞ୍ଚଳରେ ଥିବା ଏକ ଆଦିବାସୀ ଗ୍ରାମରେ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି କହିଛନ୍ତି କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିବା ପଲ୍ଲବ ରୟ। ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପଡ଼ିବ ବୋଲି ନିର୍ମାତା ପ୍ରବୀର ମହାପାତ୍ର ଆଶା ପ୍ରକଟ କରିଛନ୍ତି। ଏଥିରେ ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ ସଂଳାପ ଲେଖିଛନ୍ତି। ଚିତ୍ରୋତ୍ତୋଳନ ଚିତ୍ତରଞ୍ଜନ ବିଶ୍ୱାଳ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ସତ୍ୟ ପ୍ରକାଶ ସାହୁ କାର୍ଯ୍ୟକାରୀ ପ୍ରଯୋଜକ ଓ ପ୍ରଣୟ ଜେଠୀ କ୍ରିଏଟିଭ ହେଡ୍‌ ଅଛନ୍ତି। ‘ଆଭା’ରେ ମୁଖ୍ୟ ଭୂମିକାରେ ଅଛନ୍ତି ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ। ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ୱେତା ଆଚାର୍ଯ୍ୟ, ବିଶାଲ ସାହୁଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି। ଭୁବ‌ନେଶ୍ବରରେ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ରେ ସନ୍ଧ୍ୟା ୫ଟା ୫୫, ଡିଏନ୍‌ ରେଗାଲିଆରେ ଦିନ ୨ଟାରେ ଏବଂ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ଅପରାହ୍ନ ୪ଟା ୩୦ରେ ଏହାର ଗୋଟିଏ ଲେଖାଏ ସୋ’ ରହିଛି। 

Advertisment

ଶୁକ୍ରବାର ମଧ୍ୟ ଓଡ଼ିଆ ଫିଲ୍ମ ‘ଆଶ୍ରମ’ ରିଲିଜ୍‌ ହେଉଛି। ଏହି ଚଳଚ୍ଚିତ୍ରର କାହାଣୀ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସରଙ୍କ କାହାଣୀ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶନା ଓ ପ୍ରଯୋଜକ ତପନ ଦାଶଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିଜ୍ଞ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅଭିଷେକ ଗିରି, ସୂର୍ଯ୍ୟମୟୀ ମହାପାତ୍ର, ତନୁଶ୍ରୀ ଦାଶ, ଶ୍ବେତା ଆଚାର୍ଯ୍ୟ, ଅମର ମହାପାତ୍ର, ‌ସୌମ୍ୟରଂଜନ ସାହୁ ପ୍ରମୁଖ ଅଭିନୟ କରିଛନ୍ତି। ‘ଆଶ୍ରମ’ରେ ଦିଲୀପ ଚୌଧୁରୀ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ଗୀତିକାର ବାପୁ ଗୋସ୍ୱାମୀ ଗୀତ ଲେଖିଛନ୍ତି, ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ନେକ୍ସ ଏସ୍‌ପ୍ଲାନେଡ୍‌ରେ ଅପରାହ୍ନ ୩ଟା, ଉତ୍କଳ କନିକା ଗ୍ୟାଲେରିଆରେ ସନ୍ଧ୍ୟା ୬ଟା ୪୫ ଓ ଡିଏନ୍‌ ରେଗାଲିଆରେ ଅପରାହ୍ନ ୪ଟା ୫୦ରେ ଏହାର ଗୋଟିଏ ‌ଲେଖାଏ ସୋ’ ଲାଗିଛି।