ବିଭିନ୍ନ ପ୍ରକାର ଚରିତ୍ରମାନଙ୍କ ମନସ୍ତତ୍ତ୍ବକୁ ଖୁବ୍ ବାସ୍ତବ ଢଙ୍ଗରେ ପରଦାରେ ଫୁଟାଇପାରୁଥିବା କିଂବଦନ୍ତି ଚିତ୍ରନିର୍ମାତା ହେଉଛନ୍ତି ପଲ୍ ଥୋମାସ୍ ଆଣ୍ଡର୍ସନ୍। ବିଶ୍ବ ସିନେମା ସହ ପରିଚିତ ଜଣେ ଦର୍ଶକ ତାଙ୍କର ‘ଦେଆର୍ ଵିଲ୍ ବି ବ୍ଲଡ୍’, ‘ମାଗନୋଲିଆ’ ଓ ‘ଫାଣ୍ଟମ୍ ଥ୍ରେଡ୍’ ଚଳଚ୍ଚିତ୍ର ବିଷୟରେ ଅନ୍ତତଃ ଶୁଣି ନଥିବା ଅସମ୍ଭବ। ଦୋଷଯୁକ୍ତ ଓ ମାନସିକ ଆଘାତପ୍ରାପ୍ତ ମୁଖ୍ୟ ଚରିତ୍ରମାନଙ୍କ ମଧ୍ୟରେ ସଂଘର୍ଷ, ପ୍ରେମ, ଜଟିଳତା ଓ ପ୍ରତିଦ୍ବନ୍ଦ୍ବିତା ତାଙ୍କର ସବୁ ଚଳଚ୍ଚିତ୍ରର କାହାଣୀର କେନ୍ଦ୍ରରେ ଥାଏ। ତାଙ୍କର ସଂପୂର୍ଣ୍ଣ ମୌଳିକ ନିର୍ମାଣଶୈଳୀ କିନ୍ତୁ କାହାଣୀ ଅପେକ୍ଷା ସଂଳାପ ଓ ଦୃଶ୍ୟ ପ୍ରତି ଅଧିକ ଧ୍ୟାନ ଆକର୍ଷଣ କରିଥାଏ। ତେଣୁ ବିଚକ୍ଷଣ ଅଭିନେତା ଲିଓନାର୍ଡୋଙ୍କୁ ନେଇ ତାଙ୍କର ପ୍ରଥମ ଚଳଚ୍ଚିତ୍ର ସିନେପ୍ରେମୀଙ୍କ ମଧ୍ୟରେ ବିଶେଷ ଉଚ୍ଚ ଆଶା ଜାଗ୍ରତ କରିଥିଲା। ‘ଵାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍’ ଦେଖିଲା ପରେ କହି ହେବ ଯେ ସେହି ଆଶା ବୃଥା ଯାଇନାହିଁ। ବରଂ ପଲ୍ଙ୍କ ଅନ୍ୟ ସିନେମା ଦେଖି ନଥିବା ନୂଆ ଦର୍ଶକ ଏହି ସିନେମାର ବ୍ୟଙ୍ଗ, ଘନିଷ୍ଠତା, ଅପ୍ରତ୍ୟାଶିତ ମୋଡ଼ଗୁଡ଼ିକୁ ଉପଭୋଗ କରିବା ସବୁଠାରୁ ସହଜ। ପାଖାପାଖି ତିନି ଘଣ୍ଟାର ଏହି ସିନେମାଟି ବେଗବାନ୍ ଗତି ଓ ଉତ୍କଣ୍ଠା ସୃଷ୍ଟିକାରୀ ପୃଷ୍ଠଭୂମି ସଂଗୀତ ଯୋଗୁଁ ଧ୍ୟାନ ବିଚ୍ୟୁତ ହେବାର କୌଣସି ଅବକାଶ ଦିଏ ନାହିଁ।
ଏହି ଆମେରିକୀୟ କାହାଣୀର ରାଜନୈତିକ ପ୍ରାସଙ୍ଗିକତାକୁ ବୁଝିବା ଜଣେ ଭାରତୀୟ ଦର୍ଶକ ପାଇଁ କଠିନ ହୋଇପାରେ କିନ୍ତୁ ଏଥିରେ ଯେଉଁ ଦୁଇ ବିଚାରଧାରାର ଲଢ଼େଇକୁ ଦେଖାଯାଇଛି ତାହା ଭାରତରେ ମାଓବାଦୀ ଦମନ ସହିତ ତୁଳନୀୟ। ଏଥିରେ ଦେଖାଯାଇଛି ୧୯୮୦ ଦଶକର ଆମେରିକାରେ ସାମରିକ ବିପ୍ଳବର ଉଦ୍ୟମ କରିଥିବା ‘ଫ୍ରେଞ୍ଚ ୭୫’ ଗୋଷ୍ଠୀର ଦୁଇଜଣ ସଦସ୍ୟ ହେଉଛନ୍ତି ପର୍ଫିଡିଆ ବିଭର୍ଲି ହିଲ୍ସ (ଟେୟାନା ଟେଲର୍) ଓ ବବ୍ ଫର୍ଗୁସନ୍ (ଲିଓନାର୍ଡୋ ଡିକାପ୍ରିଓ)। ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ଘଟାଇବା କ୍ରମରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠୁଛି। ତେବେ ସେନା ଅଧିକାରୀ ଷ୍ଟିଭେନ୍ ଲକ୍ଜୌ (ସନ୍ ପେନ୍) ପର୍ଫିଡିଆ ପ୍ରତି ଆକର୍ଷିତ ହୋଇ ତା’ର ଯୌନ ଶୋଷଣ କରୁଛି। ପରେ ପର୍ଫିଡିଆ ‘ଵିଲା’ (ଚେଜ୍ ଇନ୍ଫିନିଟି) ନାମ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଉଛି କିନ୍ତୁ ବବ୍ ସହିତ ଦାମ୍ପତ୍ୟ ଜୀବନ କାଟିବାକୁ ପ୍ରତ୍ୟାଖ୍ୟାନ କରି ବୈପ୍ଳବିକ ଦୁନିଆକୁ ଫେରିଯାଉଛି। ତେବେ ପୁଲିସ ହାତରେ ଧରାପଡ଼ିବା ପରେ ମୁକ୍ତି ପ୍ରତିବଦଳରେ ସେ ପୁଲିସକୁ ‘ଫ୍ରେଞ୍ଚ ୭୫’ର ସଦସ୍ୟମାନଙ୍କ ତଥ୍ୟ ଦେଇଦେଉଛି। ଏହାର ୧୬ ବର୍ଷ ପରେ ଝିଅ ଵିଲା ସହିତ ବବ୍ ଏକାକୀ ରହୁଥିବା ସମୟରେ ଘରେ ପୁଲିସ ଚଢ଼ାଉ ହେଉଛି। ଘଟଣାକ୍ରମେ ଝିଅ ଠାରୁ ଅଲଗା ହୋଇ ବବ୍ ‘ଫ୍ରେଞ୍ଚ ୭୫’ର ସଦସ୍ୟମାନଙ୍କ ଜରିଆରେ ଝିଅ ନିକଟରେ ପହଞ୍ଚିବାକୁ ଦୀର୍ଘ ଯାତ୍ରା କରୁଛି। ଏହା ଭିତରେ ଅଛି ଡ୍ରଗ୍ ଆସକ୍ତି, ସୀମାପାର ବେଆଇନ ପ୍ରବାସ, ବର୍ଣ୍ଣବିଦ୍ବେଷ, ପିତାମାତା-ସନ୍ତାନ ସମ୍ପର୍କର ଜଟିଳ ସ୍ବରୂପ।
‘ଵାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍’ର ସବୁ ଅଭିନେତାଙ୍କ ପ୍ରଦର୍ଶନ ନିଖୁଣ ସ୍ତରର ହେବା ନିର୍ଦେଶକ ସୁନିଶ୍ଚିତ କରିଛନ୍ତି। ଲିଓନାର୍ଡୋଙ୍କ ଅପେକ୍ଷା ସନ୍ ପେନ୍ଙ୍କ ଚରିତ୍ର ଅଧିକ ମନୋରଂଜନଧର୍ମୀ ଓ ବିଚକ୍ଷଣ ମନେ ହେଲା। ଏହି ଚଳଚ୍ଚିତ୍ରର ପୃଷ୍ଠଭୂମି ସଂଗୀତ ଓ ସିନେମାଟୋଗ୍ରାଫି ବିଶେଷ କରି ଶେଷ ଆଡ଼କୁ ମନରେ ଏକ ଅଭିନବ ଛାପ ସୃଷ୍ଟି କଲା।
ସିନେମାଟି ଦେଖିସାରିବା ପରେ ମନେ ହେଲା ଯେ ଏହି ସିନେମାର ପ୍ରାୟ ସବୁ ଚରିତ୍ର ଜଣେ ଜଣେ ଖଳନାୟକ ଓ ହାସ୍ୟାସ୍ପଦ ଭାବେ ନିର୍ବୋଧ। ବିପ୍ଳବୀମାନଙ୍କ ଭଳି ଶାସନରେ ଥିବା ଲୋକଙ୍କ ନୀତିହୀନତା ପରସ୍ପରଙ୍କୁ ବଳଶାଳୀ କରନ୍ତି- ଏ କଥାଟି ବର୍ତ୍ତମାନର ଆମେରିକୀୟ ରାଜନୀତିକୁ ଲକ୍ଷ୍ୟ କଲେ ବି ପ୍ରାସଙ୍ଗିକ ଲାଗେ। ବିପ୍ଳବର ସେହି ଇତିହାସ ଏହି ହଲିଉଡ୍ ସିନେମାର କେନ୍ଦ୍ରରେ ଥିବାରୁ ଏହା ରାଜନୈତିକ ପ୍ରତିକ୍ରିୟା ସୃଷ୍ଟି କରିବା ସ୍ବାଭାବିକ।
‘ଵାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍’
ନିର୍ଦେଶକ: ପୋଲ୍ ଥୋମାସ୍ ଆଣ୍ଡର୍ସନ୍
ମୁଖ୍ୟ ଚରିତ୍ରରେ: ଲିଓନାର୍ଡୋ ଡିକାପ୍ରିଓ, ସନ୍ ପେନ୍, ଟେୟାନା ଟେଲର୍, ଚେଜ୍ ଇନ୍ଫିନିଟି, ବେନିସିଓ ଡେଲ୍ ଟୋରୋ