ଦେଶୀ ଭୂତ କାହାଣୀ ସହିତ ହାସ୍ୟରସର ମିଶ୍ରଣ ଇତିମଧ୍ୟରେ ଏକ ସଫଳ ଚଳଚ୍ଚିତ୍ର ଫର୍ମୁଲା ପାଲଟିଛି। ତେଣୁ ‘ମ୍ୟାଡକ୍ ସୁପର୍ନାଚୁରାଲ୍ ୟୁନିଭର୍ସ’ ଭଳି, ବାବୁସାନଙ୍କ ପ୍ରଯୋଜନା ସଂସ୍ଥା ଓଡ଼ିଆ ମନୋରଂଜନ ଶିଳ୍ପରେ ଏକ ଅଦୃଷ୍ଟପୂର୍ବ ଉଦ୍ୟମ କରିଛନ୍ତି, ଯାହାର ଫଳଶ୍ରୁତି ହେଉଛି ‘ବୋଉ ବୁଟୁ ଭୂତ’। ଭୂତ ସିନେମା ପାଇଁ ବ୍ୟୟବହୁଳ ଭିଏଫ୍ଏକ୍ସ ଅତ୍ୟାବଶ୍ୟକ ହୋଇଥିବାରୁ, ସୀମିତ ବଜେଟ୍ରେ ପ୍ରସ୍ତୁତ ଚଳଚ୍ଚିତ୍ରଟି କିପରି ପ୍ରଦର୍ଶନ କରିବ ସେ ସଂଶୟ ଏହି ସିନେମା ଦେଖିବା ପୂର୍ବରୁ ମନକୁ ଆନ୍ଦୋଳିତ କରିବା ସ୍ବାଭାବିକ। ହେଲେ ଏହାକୁ ଦେଖିବା ପରେ ଏ ସଂଶୟ କେବଳ ଦୂର ହୋଇ ନଥାଏ, ନିର୍ମାତାଙ୍କ ବିଚକ୍ଷଣତା ଦେଖି ଅଭିଭୂତ ହେବାକୁ ପଡ଼େ ମଧ୍ୟ। ଓଡ଼ିଶାର ଗ୍ରାମୀଣ ଜୀବନର ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ସିନେମାର ମୌଳିକ କାହାଣୀ ଓ କଥନ ଶୈଳୀ ସହ ଦର୍ଶକ ପ୍ରଥମ ମିନିଟ୍ରୁ ହିଁ ଦୃଢ଼ ସମ୍ପର୍କ ସ୍ଥାପନ କରିଥାଏ। ‘ବୋଉ’ ରତ୍ନମାଳା (ଅପରାଜିତା) ଓ ପୁଅ ‘ବୁଟୁ’ (ବାବୁସାନ)ଙ୍କ ପଦାର୍ପଣ ଶୈଳୀରୁ ଆଶ୍ଚର୍ଯ୍ୟର ଧାରା ଆରମ୍ଭ ହୁଏ। ବହୁ ଦକ୍ଷ ଅଭିନେତାଙ୍କ ଉତ୍କୃଷ୍ଟ ଅଭିନୟ ସତ୍ତ୍ବେ ଏହା ନିଃସନ୍ଦେହ ଯେ ଅପରାଜିତାଙ୍କ ଉପସ୍ଥିତି ହିଁ ପ୍ରତିଟି ଦୃଶ୍ୟର ଗାମ୍ଭୀର୍ଯ୍ୟକୁ ଏକ ଭିନ୍ନ ସ୍ତରକୁ ନେଇଯାଇଥାଏ। ତେବେ ରିଙ୍କି (ଅର୍ଚ୍ଚିତା) ଓ ବୁଟୁ ଚରିତ୍ରଙ୍କ ଯୋଡ଼ିରେ ଠାଏଁ ଠାଏଁ ସାବଲୀଳତା ଭଙ୍ଗ ହେବା ଭଳି ଲାଗିଥାଏ।
ପ୍ରଥମାର୍ଦ୍ଧରେ ସୀମିତ ସଂଖ୍ୟକ ଭୌତିକ ଦୃଶ୍ୟ ରହିଥିବା ବେଳେ ବୁଟୁ ଦେହରେ ଲାଗିଥିବା ଭୂତ କିଏ ତାହା ସବୁଠାରୁ ବଡ଼ ‘ସସ୍ପେନ୍ସ’ ଭାବେ ତିଷ୍ଠି ରହୁଛି। ସିନେମାରେ ଭୂତର ଆଗମନ ସମୟ ଓ ଶୈଳୀ ଯେତେ କମ୍ ପୂର୍ବାନୁମାନସାପେକ୍ଷ ହୋଇଥାଏ ତାହା ସେତେ ଅଧିକ ଭୀତି ସଂଚାର କରିପାରେ। ‘ବୋଉ ବୁଟୁ ଭୂତ’ର ଏହି ବିଶେଷତ୍ବ ଦର୍ଶକଙ୍କୁ ପରଦା ସହିତ ବାନ୍ଧି ରଖିବାରେ ସଫଳ ହୋଇଛି। ମଧ୍ୟାନ୍ତର ପୂର୍ବରୁ ଭୂତ ଓ ବୋଉ ସାମ୍ନାସାମ୍ନି ହେବାର ଦୃଶ୍ୟ ଭୟ ଓ ଆଶ୍ଚର୍ଯ୍ୟର ଏକ ଅବିସ୍ମରଣୀୟ ଅଭିଜ୍ଞତା ଦିଏ, ଯାହା ଓଡ଼ିଆ ସିନେମାରେ ବିରଳ। ଏହି ସିନେମାରେ ହାସ୍ୟରସର ମାତ୍ରା କମ୍ କିନ୍ତୁ ତାହା ଅରୁଚିକର ଲାଗି ନଥାଏ। ଗୁଣିଗାରେଡ଼ିର କରୁଣ ପରିଣତି ଓ ବାଲ୍ୟକାଳୀନ ମାନସିକ ଧକ୍କା ଭଳି ବିଷୟ ଏହାର କାହାଣୀର ପରିଧିକୁ ପ୍ରଶସ୍ତ କରିଛି। ସେହିପରି ‘ଅମରି’ (ଜଗନ୍ନାଥ ସେଠ) ଚରିତ୍ରର କାହାଣୀ କ୍ଷୁଦ୍ର ହୋଇଥିଲେ ହେଁ ସେଥିରେ ଏହି ସିନେମାର ସବୁଠାରୁ ଜୀବନ୍ତ ଅଭିନୟ ଓ ସବୁଠୁ ଆବେଗପୂର୍ଣ୍ଣ ରହସ୍ୟ ଉନ୍ମୋଚନ ଅନ୍ତର୍ଭୁକ୍ତ। ଭୂତ ସିନେମାର ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ପୃଷ୍ଠଭୂମି ସଂଗୀତ। ଏହି ଚଳଚ୍ଚିତ୍ରରେ ପୃଷ୍ଠଭୂମି ସଂଗୀତକୁ ଖୁବ୍ ସନ୍ତୁଳିତ ଢଙ୍ଗରେ ଦୃଶ୍ୟର ପରିପୂରକ ଭାବେ ବ୍ୟବହାର କରାଯାଇଛି, ଯାହା ପ୍ରଶଂସନୀୟ। ସିନେମାଟୋଗ୍ରାଫି ମଧ୍ୟ ଏ ସିନେମାର ଏକ ଶକ୍ତିଶାଳୀ ଦିଗ। ‘ଜମ୍ପକଟ୍’, ‘ଡଲି ଜୁମ୍’ ଭଳି ବୈଷୟିକ କୌଶଳକୁ ରୋଚକ ଢଙ୍ଗରେ ପ୍ରୟୋଗ କରାଯାଇଛି। ତେବେ ୨ ଘଣ୍ଟା ୪୫ ମିନିଟର ଅବଧି ଦୃଶ୍ୟ ସମ୍ପାଦନାର ଅବହେଳାକୁ ଉଜାଗର କରିଥାଏ। ବିଶେଷ କରି ଦ୍ବିତୀୟାର୍ଦ୍ଧର ଦୃଶ୍ୟଗୁଡ଼ିକୁ ସମ୍ପାଦିତ କରି ସିନେମା ଅବଧିକୁ ଅଢ଼େଇ ଘଣ୍ଟାରେ ସୀମିତ ରଖିବାର ଥିଲା, କାରଣ ଶେଷ ଦୃଶ୍ୟଗୁଡ଼ିକ ଦର୍ଶକଙ୍କ ଧୈର୍ଯ୍ୟ ଓ ବିବେଚନାବୋଧର ପରୀକ୍ଷା ନେଉଥିବା ଭଳି ମନେ ହୋଇଥାଏ। କେନାଲ ପାଣିରେ ପ୍ରତିବିମ୍ବ, ‘ଡିଆଁ ଜର’ ଗୀତ ଓ କିଛି ରାତ୍ରିକାଳୀନ ଦୃଶ୍ୟରେ ଭିଏଫ୍ଏକ୍ସର ଦୁର୍ବଳତା ସ୍ପଷ୍ଟ ବାରିହୋଇପଡ଼େ। ଛୋଟମୋଟ ଖୁଣ ସତ୍ତ୍ବେ ‘ବୋଉ ବୁଟୁ ଭୂତ’ ଭୟ, ହାସ୍ୟରସ, ମୌଳିକ କାହାଣୀ, ଭଲ ଅଭିନୟ, ସାବଲୀଳ ଗତିଶୀଳତା ଯୋଗୁଁ ଏକ ସ୍ବୟଂସଂପୂର୍ଣ୍ଣ ପ୍ୟାକେଜ୍ ରୂପେ ମନୋରଂଜନର ଅକାଟ୍ୟ ପ୍ରତିଶ୍ରୁତି ବହନ କରୁଛି।
‘ବୋଉ ବୁଟୁ ଭୂତ’
ନିର୍ଦେଶକ: ଜଗଦୀଶ ମିଶ୍ର
ମୁଖ୍ୟ ଚରିତ୍ରରେ: ବାବୁସାନ ମହାନ୍ତି, ଅପରାଜିତା ମହାନ୍ତି, ଅର୍ଚ୍ଚିତା ସାହୁ