ବଏକଟ ଟ୍ରେଣ୍ଡ ମଧ୍ୟରେ ରିଲିଜ୍ ପୂର୍ବରୁ ଲାଲ୍ ସିଂହ ଚଢ଼ା ପାଇଁ ଆଗୁଆ ଟିକେଟ ବୁକିଂ କଲେଣି ଲୋକେ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନଙ୍କ ଫିଲ୍ମ ଲାଲ୍‌ ସିଂହ ଚଢ଼ା ଅଗଷ୍ଟ ୧୧ରେ ରିଲିଜ ହେବ। ସବୁଥର ଆମୀରଙ୍କ ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅନାଇ ବସିଥିବା ବେଳେ ଏଥର କିନ୍ତୁ ସେଭଳି କିଛି ଘଟିନାହିଁ। ରିଲିଜ ପୂର୍ବରୁ ‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଗତ କିଛି ଦିନ ହେଲାଣି ବଏକଟ୍‌ ଟ୍ରେଣ୍ଡ ଆରମ୍ଭ ହୋଇଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରିପାରିବ ନାହିଁ ବୋଲି କୁହାଯାଉଥିଲା। ହେଲେ ଏବେ ସେଭଳି କିଛି ହେବ ନାହିଁ ବୋଲି ଜଣାପଡ଼ିଛି। କାରଣ ରିଲିଜ୍ ପୂର୍ବରୁ ହିଁ ଲୋକେ ଫିଲ୍ମ ଦେଖିବା ପାଇଁ ଆଗୁଆ ଟିକେଟ ବୁକିଂ କରିବା ଆରମ୍ଭ କଲେଣି।

ଅଗଷ୍ଟ ୧୧ରେ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା ଦିନ ଦୁଇଟି ବଡ଼ ଚଳଚ୍ଚିତ୍ର ଏକାସାଙ୍ଗରେ ରିଲିଜ୍ ହେଉଛି। ପ୍ରଥମଟି ହେଲା ଆମୀରଙ୍କ ‘ଲାଲ ସିଂ ଚଢ଼ା’ ଏବଂ ଦ୍ୱିତୀୟଟି ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’। ଉଭୟ ଚଳଚ୍ଚିତ୍ର ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ଜଣାପଡ଼ିଛି। ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ‘ଲାଲ ସିଂ ଚଢ଼ା’ ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୮କୋଟିର ଆଡଭାନ୍ସ ବୁକିଂ ହୋଇସାରିଛି। ରିଲିଜକୁ ଆଉ କିଛି ଦିନ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ତେବେ ଏହି ସଂଖ୍ୟା ଦେଖି କିଛି ଦିନ ତଳେ ଆମୀର କରିଥିବା ଅନୁରୋଧକୁ ଦର୍ଶକ ମାନିଥିବା କୁହାଯାଉଛି।

କିଛି ଦିନ ତଳେ ଆମୀର ଖାନଙ୍କୁ ପଚରାଯାଇଥିଲା ଯେ ଫିଲ୍ମକୁ ବଏକଟ କରିବା ପାଇଁ ଆରମ୍ଭ ହୋଇଥିବା ଟ୍ରେଣ୍ଡକୁ ଦେଖି ସେ ଦୁଃଖ ପ୍ରକାଶ କରୁଛନ୍ତି କି? ଏହାର ଉତ୍ତରରେ ଆମୀର ଖାନ କହିଥିଲେ, ହଁ ମୁଁ ଦୁଃଖିତ। ଏହା ସହିତ ମୁଁ ଭାରତକୁ ଭଲପାଏ ନାହିଁ ବୋଲି କିଛି ଲୋକ କହୁଥିବା ଜାଣି ମୋତେ ଆହୁରି ଖରାପ ଲାଗୁଛି। କିନ୍ତୁ ଏହା ସତ୍ୟ ନୁହେଁ। ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ। ଦୟାକରି ମୋର ଚଳଚ୍ଚିତ୍ର ଦେଖନ୍ତୁ।

ସମ୍ବନ୍ଧିତ ଖବର