ମୁମ୍ବାଇ: ସୁପର୍ଷ୍ଟାର୍ ଆମୀର ଖାନ୍ଙ୍କ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଡ୍ଢ଼ା’କୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସୁକତା ରହିଥିଲା। ମାତ୍ର ଚଳଚ୍ଚିତ୍ରଟି ସେତେଟା ଆଦୃତି ଲାଭ କରି ପାରିନାହିଁ। ୪ ବର୍ଷ ପୂର୍ବରୁ ଆମୀର ତାଙ୍କର ଏହି ଚଳଚ୍ଚିତ୍ରକୁ ନେଇ ଘୋଷଣା କରି ସଭିଙ୍କୁ ଉତ୍ସୁକ କରି ପକାଇଥିଲେ।
ମାତ୍ର ଦୀର୍ଘ ସମୟ ପରେ ଚଳଚ୍ଚିତ୍ରଟି ପରଦାରେ ଦେଖିବାକୁ ମିଳିବା ପରେ ତାହାର ଅବସ୍ଥାର ଏପରି ହୋଇଥିଲା ଯାହାର କଳ୍ପନା ବି କେହି କରିନଥିଲେ। ଆମୀର ତାଙ୍କର ଏକ ସାକ୍ଷାତ୍କାରରେ କହିଥିଲେ ଯେ ଚଳଚ୍ଚିତ୍ରଟି ରିଲିଜ୍ ହେବାର ୬ ମାସ ପରେ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେବ। ମାତ୍ର ଏବେ ଲାଗୁଛି ଆମୀରିଙ୍କ ଯୋଜନା ବଦଳି ଯାଇଛି।
‘ଲାଲ୍ ସିଂହ ଚଡ୍ଢ଼ା’କୁ ରିଲିଜ୍ ହେବାର ୨ ମାସ ବି ହୋଇନି ହେଲେ ଚଳଚ୍ଚିତ୍ରଟିକୁ ନେଟ୍ଫ୍ଲିକ୍ସରେ ଦେଖିବାକୁ ମିଳିଲାଣି। ନେଟ୍ଫ୍ଲିକ୍ସରେ ‘ଲାଲ୍ ସିଂହ ଚଡ୍ଢ଼ା’ର ଟିଜର ଓ ପୋଷ୍ଟର୍ ସେୟାର ହେବା ସହ ଏହି ସୂଚନା ମିଳିଛି।
ଆମୀର ଖାନ୍ଙ୍କର ଏହି ଫିଲ୍ମଟିକୁ ସମୟ ପୂର୍ବରୁ ନେଟ୍ଫ୍ଲିକ୍ସରେ ଦେଖିବା ପରେ ଦର୍ଶକ ଚକିତ ହୋଇ ଯାଇଛନ୍ତି। କେହି ଫିଲ୍ମଟିକୁ ଦେଖିବାକୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ତ ପୁଣି କେହି ଫିଲ୍ମଟି ଜଲ୍ଦି ରିଲିଜ୍ ହେବାକୁ ନେଇ ମଜାକ ଉଡ଼ାଇଛନ୍ତି। ଜଣେ ଲେଖିଛନ୍ତି, ‘ଛଅ ମାସ ହୋଇଗଲା କି?’ ଅନ୍ୟ ଜଣେ ଲେଖିଛନ୍ତି ‘ବହୁତ ଜଲ୍ଦି ଆସିଗଲା’।
ଆପଣ ଜାଣିଥିବେ ନିଶ୍ଚୟ ଯେ ରିଲିଜ୍ ପୂର୍ବରୁ ଆମୀରଙ୍କ ଏହି ଚଳଚ୍ଚିତ୍ରଟି ବିବାଦରେ ରହିଆସିଛି। ଏପରିକି ଏହି ଚଳଚ୍ଚିତ୍ରକୁ ବୟକଟ୍ ବି କରାଯାଇଥିଲା।