ମୁମ୍ବାଇ : ବଲିଉଡ୍ ଅଭିନେତା ଅମିର ଖାନ୍ଙ୍କର କେତେକ ପୁରୁଣା ହିନ୍ଦୁବିରୋଧୀ ମନ୍ତବ୍ୟ ପାଇଁ ବର୍ତ୍ତମାନ ତାଙ୍କ ଦ୍ବାରା ଅଭିନୀତ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’କୁ ଲୋକମାନେ ବୟକଟ୍ କରିବା ପାଇଁ ସୋସିଆଲ ମିଡ଼ିଆରେ ଅଭିଯାନ ଚଳାଇଛନ୍ତି। ବୟକଟ-ଲାଲ୍ସିଂହ-ଚଢ଼ା ହାସ୍ଟ୍ୟାଗ୍ ଭାଇରାଲ ହୋଇଛି।
ଗୁରୁବାର ରିଲିଜ୍ ହେବାକୁ ଥିବା ଫିଲ୍ମକୁ ପ୍ରମୋଟ କରିବା ପାଇଁ ଅମିର ଖାନ୍ ଲାଗିପଡ଼ିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀ ଯାଇଥିଲେ ଏବଂ ବୟକଟ୍ ଟ୍ରେଣ୍ଡ୍ର ନିରସନ ପାଇଁ ଉଦ୍ୟମ କରିଥିଲେ। ଏହି ଅବସରରେ ସାମ୍ବାଦିକମାନଙ୍କ ଆଗରେ ସେ କହିଥିଲେ- ଯଦି ମୁଁ କାହା ମନରେ କୌଣସି ପ୍ରକାରେ କଷ୍ଟ ଦେଇଥାଏ, ତେବେ ସେଥିପାଇଁ ମୁଁ କ୍ଷମା ମାଗୁଛି। କାହା ମନରେ ଆଘାତ ଦେବାକୁ ମୁଁ ଚାହେ ନାହିଁ। ଯଦି କିଏ ଫିଲ୍ମ ଦେଖିବାକୁ ନ ଚାହାନ୍ତି, ମୁଁ ତାଙ୍କ ଭାବନାକୁ ସମ୍ମାନ ଦେଉଛି। କିନ୍ତୁ ଯଦି ସେମାନେ ଫିଲ୍ମ ଦେଖିବାକୁ ଯିବେ ତେବେ ମୁଁ ଖୁସି ହେବି ଏବଂ ଆମର ଶ୍ରମ ସାର୍ଥକ ହେବ। ବହୁ ଲୋକ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଲୋକଙ୍କୁ ଏହା ଭଲ ଲାଗିବ।
କିଛି ଲୋକ ଆମିରଙ୍କ ପୁରୁଣା ମନ୍ତବ୍ୟ ‘ଭାରତରେ ଅସହିଷ୍ଣୁତା ବଢ଼ୁଛି’, ‘କ୍ଷୀର ଶିବଲିଙ୍ଗରେ ନ ଢାଳି ପିଲାଙ୍କୁ ଦିଅ’ ଇତ୍ୟାଦିକୁ ଉଖାରି ତାଙ୍କ ଦ୍ବାରା ଅଭିନୀତ ଫିଲ୍ମକୁ ବର୍ଜନ କରିବା ପାଇଁ ସୋସିଆଲ ମିଡ଼ିଆରେ ଅଭିଯାନ ଚଲାଇଛନ୍ତି।